ପଣ୍ୟ ଜଗନ୍ନାଥ! ଦୋକାନ ଶ୍ରୀମନ୍ଦିର!!

ପଣ୍ୟ ଜଗନ୍ନାଥ! ଦୋକାନ ଶ୍ରୀମନ୍ଦିର!!

Share :

  ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ତାଙ୍କୁ କଣ୍ଢେଇ ଭଳି ବ୍ୟବହାର କରିବା ବା କୁଣ୍ଢେଇବା ଠିକ୍ ନୁହେଁ। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ନିଷେଧ ବୋଲି ନିଷ୍ପତ୍ତି ନିଆଯିବା ସତ୍ତ୍ବେ ଅନେକ ଭକ୍ତ ଶ୍ରୀଜୀଉଙ୍କୁ ସ୍ପର୍ଶ କରିଛନ୍ତି। ଏନେଇ ତଦନ୍ତ କରାଯିବା ସହ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଜୁନ ୨୦ ତାରିଖରେ ପଡ଼ିଥିବା ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ପାଇଁ ଅନୁମତି ଦେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ପ୍ରଶାସନିକ ବିଫଳତା ପାଇଁ ଏଭଳି ଘଟିଥିବାବେଳେ ଏଥିପାଇଁ ସେ ସ୍ପଷ୍ଟ ଭାଷାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ ଓ ଶ୍ରୀମନ୍ଦିର ପରିଚାଳନା ପରିଷଦର ଅଧ୍ୟକ୍ଷ।   ସ୍ନାନମଣ୍ଡପରେ ହୋଇଥିବା ବିଶୃଙ୍ଖଳା ପାଇଁ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ପ୍ରକାଶ କରିଥିଲ। ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହମାନଙ୍କୁ ସେବା ସମୟରେ ସେବାୟତଙ୍କ ବ୍ୟତିତ ଅନ୍ୟ ସମୟରେ କେହି ବି ସ୍ପର୍ଶ କରିବା ନିଷିଦ୍ଧ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ୨୦୧୩ ନଭେମ୍ୱରରେ ଶ୍ରୀଜୀଉମାନଙ୍କୁ ସ୍ପର୍ଶ କରିବା ପାଇଁ ବାରଣ କରିଥିଲେ। ଆଇନଗତ ମାମଲା କ୍ଷେତ୍ରରେ ଯେଭଳି ସୁପ୍ରିମ‍୍‌ କୋର୍ଟଙ୍କ ନିଷ୍ପତ୍ତି ଚୂଡ଼ାନ୍ତ, ଠିକ୍ ସେହିପରି ହିନ୍ଦୁ ଧାର୍ମିକ ବ୍ୟବସ୍ଥା ଓ ପରମ୍ପରାରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଚୂଡ଼ାନ୍ତ। ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ନିର୍ବିବାଦୀୟ ବୋଲି ଗଜପତି ମହାରାଜା ପ୍ରକାଶ କରିଛନ୍ତି। ତା’ଛଡ଼ା ଓଡ଼ିଶା ହାଇ କୋର୍ଟ ମଧ୍ୟ ଏ ନେଇ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ମତ ଚୂଡ଼ାନ୍ତ ବୋଲି ମତ ଦେଇଥିଲେ। ଚଳିତ ବର୍ଷର ସ୍ନାନପୂର୍ଣ୍ଣମୀ ପରଦିନ ଖୋଦ ଶଙ୍କରାଚାର୍ଯ୍ୟ ମଧ୍ୟ ଏନଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସହମତିରେ ଜଗନ୍ନାଥଙ୍କୁ ପଣ୍ୟଦ୍ରବ୍ୟରେ ପରିଣତ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ।   ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କର ଏଭଳି ରୋକଠୋକ ପ୍ରତିକ୍ରିୟା ପରେ ରାଜ୍ୟ ସରକାର, ନିର୍ଦ୍ଦିଷ୍ଟ କେତେ ଜଣ ପ୍ରାଶାସନିକ ଅଧିକାରୀ, ପୁରୀ ଲୋକ ପ୍ରତିନିଧି ଏବଂ ସେବାୟତ ବିଶେଶକରି ଦଇତା ସେବକମାନଙ୍କର ଦୁରଭିସନ୍ଧି ପଦାରେ ପଡ଼ିଯାଇଛି। ଏମାନେ ଜଗନ୍ନାଥଙ୍କୁ ପଣ୍ୟକରି ଧନାର୍ଢ଼୍ୟ ଭକ୍ତଙ୍କଠାରୁ ପ୍ରତି ବର୍ଷ ଏଭଳି କୋଟିକୋଟି ଟଙ୍କାର ‘ଦକ୍ଷିଣା’ ଆଦାୟ କରୁଛନ୍ତି। ଏ ‘ଦକ୍ଷିଣା’ ଆୟ ହୋଇଥିଲେ ମଧ୍ୟ ତାହାର ହିସାବ କେହି ଜାଣନ୍ତି ନାହିଁ।   ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ରାୟ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ‍୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ବହୁ ଭକ୍ତ ଶ୍ରୀଜୀଉଙ୍କୁ ସ୍ପର୍ଶ କଲେ। ସେବାୟତଙ୍କ ସହିତ ମିଶି ଶ୍ରୀବିଗ୍ରହରୁ ଚନ୍ଦନ, କର୍ପୂର ଇତ୍ୟାଦି ରାମ୍ପୁଡ଼ି ନେଲେ। କେତେକ ସେବାୟତ ଶ୍ରୀବିଗ୍ରହର କଳା ଓ କର୍ପୂର ରାମ୍ପୁଡ଼ି ନେଇ କେତେ ଜଣ ଅଜ୍ଞାନ କିନ୍ତୁ ଧନୀ ଭକ୍ତଙ୍କୁ ଦେଇ ପ୍ରଚୁର ଦକ୍ଷିଣା ପାଇଲେ। କେତେକ ସେବାୟତ ଶ୍ରୀବିଗ୍ରହମାନଙ୍କକୁ ଡେରି ହୋଇ ଠିଆ ହେଲେ। ସେମାନଙ୍କ ଉପରେ ନିଜର ପିନ୍ଧା ଗାମୁଛା ରଖିଲେ। ସତେ କି ଶ୍ରୀବିଗ୍ରହମାନେ ହେଉଛନ୍ତି ସେବାୟତଙ୍କ କାଠ ଆଲମିରାହ! ଶାସ୍ତ୍ରାନୁମୋଦିତ ନୀତି ନିୟମ ଅନୁସାରେ ଜଗନ୍ନାଥଙ୍କ ପୂଜାପ୍ରାର୍ଥନା ପଦ୍ଦତି ଅନୁସୃତ ନହେଲେ ଏଭଳି ନିୟମ ଓ ପ୍ରତିବନ୍ଧକ ରହିବାର ମାନେ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ।   ମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ସ୍ନାନ ପୂର୍ଣ୍ଣିମା ରାତ୍ରିରେ ପହଣ୍ଡି ବିଜେ ପୂର୍ବରୁ ଭକ୍ତମାନେ ବ୍ୟାରିକେଡ ଭାଙ୍ଗିବା ସହିତ ଶ୍ରୀଜିଉଙ୍କୁ ସ୍ପର୍ଶ କରି ଧାର୍ମିକ ପରମ୍ପରା ଭଙ୍ଗ କଲେ। ମହାପ୍ରଭୂଙ୍କ ସମସ୍ତ ରୀତିନୀତି ଓ ଧର୍ମୀୟ କାର୍ଯ୍ୟ ଏକ ସ୍ପଷ୍ଟ ନୀତି ଓ ନିର୍ଦ୍ଦିଷ୍ଟ ପରମ୍ପରାରେ ହୋଇଥାଏ। କିନ୍ତୁ ଏଥିରେ ଅନେକ ବ୍ୟତିକ୍ରମ ହେଉଥିବାବେଳେ ଶୃଙ୍ଖଳା ଭଙ୍ଗ ହେଉଛି। ଅନେକ ବର୍ଷ ହେବ ରେକର୍ଡ ଅଫ ରାଇଟର ନିୟମକୁ ପାଳନ କରାଯାଉ ନାହଁି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶ୍ରୀମନ୍ଦିର ସେବାପୂଜା ନୀତିର ଚୂଡ଼ାନ୍ତ ନିର୍ଣ୍ଣୟକାର। କିନ୍ତୁ ତାଙ୍କ ପରାମର୍ଶ ପାଳନ କରାଯାଉ ନାହିଁ। ଭକ୍ତଙ୍କ ବିଗ୍ରହ ସ୍ପର୍ଶନେଇ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା ଶାସ୍ତ୍ର ଓ ଧର୍ମ ବିରୋଧୀ। ରଥ ଉପରେ, ଆଡପ ମଣ୍ଡପରେ ଓ ରତ୍ନ ସିଂହାସନରେ, କୌଣସି ସ୍ଥାନରେ କିମ୍ୱା ସ୍ଥିତିରେ ଭକ୍ତଙ୍କର ବିଗ୍ରହ ସ୍ପର୍ଶ ସମ୍ପୂର୍ଣ୍ଣ ନିଷିଦ୍ଧ।   ଶଙ୍କରାଚାର୍ଯ୍ୟ ଓ ଶ୍ରୀମନ୍ଦିର ସ୍ବତ୍ତ୍ୱଲିପିକୁ ସମ୍ମାନ ନଜଣାଇ ସ୍ନାନବେଦୀରେ ଅନେକ ବ୍ୟକ୍ତି ମଧ୍ୟ ଅନଧିକାର ଭାବେ ଉପସ୍ଥିତ ରହି ପରମ୍ପରା ଭଙ୍ଗ କରୁଛନ୍ତି। ସ୍ବତ୍ତ୍ବଲିପିର ନିୟମ ଅନୁଯାୟୀ ସ୍ନାନ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ଓ ଯମୁନାରୁ ଅଣାଯାଇଥିବା ୧୦୮ କଳସୀ ଜଳରେ ମହାପ୍ରଭୁଙ୍କର ପୂଜା ହୁଏ। ତିନି ଜଣ ପୂଜା ପଣ୍ଡା ସ୍ନାନ କରାଇଥାନ୍ତି ଏବଂ ଏହି କାର୍ଯ୍ୟରେ ତାଙ୍କୁ ଗରାବଡୁ ସହାୟତା କରିଥାନ୍ତି। କିନ୍ତୁ ଗତ କିଛି ବର୍ଷ ଧରି ଅନେକ ସେବାୟତ ବିଗ୍ରହଙ୍କ ଚତୁଃପାର୍ଶ୍ୱରେ ଘେରି ଯାଉଛନ୍ତି। ଫଳରେ ସ୍ବତ୍ତ୍ୱଲିପିର ନିୟମ ଉଲ୍ଲଙ୍ଘନ ହେବା ସହ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇ ପାରୁନାହାନ୍ତି। ଏଥିଯୋଗୁଁ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହଉଛି।   ୧୯୬୦ ମସିହା ପରଠାରୁ ମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅଧୀନକୁ ଚାଲି ଯାଇଛି। ତେଣୁ ନୀତିନିୟମ ପାଳନ କରିବା ଓ ଶୃଙ୍ଖଳା ରକ୍ଷାକରିବା ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ। କିନ୍ତୁ ଏଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ପୂର୍ଣ୍ଣ କ୍ଷମତା ରଖିଥିବାବେଳେ ସେ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଅଧିକନ୍ତୁ ସେ ଦଇତା ସେବାୟତ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ଶାସ୍ତ୍ର ଓ ପରମ୍ପରା ସହିତ ସାଲିସ କରୁଥିବା ଅଭିଯୋଗ ହେଉଛି। ଏ ବାଟରେ କୋଟିକୋଟି ଟଙ୍କାର ଆର୍ଥିକ ଫାଇଦା ମିଳୁଥିବାରୁ ମନ୍ଦିର ଓ ମୂର୍ତ୍ତିର ପବିତ୍ରତା ପ୍ରତି ସେ ଓ ସରକାର ଆଖିବୁଜି ଦେଇଛନ୍ତି।   ୨୦୧୫ ନବ କଳେବର ଓ ରଥଯାତ୍ରା ସମୟରେ ମଧ୍ୟ ଏହିପରି ଅନେକ ବିଭ୍ରାଟ ଘଟିଥିଲା। ସେତେବେଳେ ସବୁ ପକ୍ଷ ମାନିଥିଲେ ଯେ ଯାହାର ଯେଉଁ ସେବା ତା’ବାଦ ସେ ଆଉ କିଛି କରିବେ ନାହିଁ କି ସେହି ସେବକ ଭିନ୍ନ ଆଉ କାହାକୁ ବିଗ୍ରହ ସ୍ପର୍ଶ କରାଇ ଦିଆଯିବ ନାହିଁ। ଅଥଚ ୨୦୧୬ ସ୍ନାନପୂର୍ଣ୍ଣମୀରେ ପୁଲିସ, ପ୍ରଶାସକ ଓ ସେବାୟତଙ୍କ ମିଳିତ ଉଦ୍ୟୋଗରେ ଏହି ନିଷ୍ପତ୍ତିର ଉଲ୍ଲଙ୍ଘନ ହେଲା।   ଏହି ଘଟଣା ଓଡ଼ିଶା ଜନଗଣନଙ୍କ ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଛି ତାହା ସୋସିଆଲ ମିଡିଆ ଫେସବୁକର ଅନେକ ପୋଷ୍ଟିଂରେ ଲକ୍ଷଣୀୟ। ତହିଁରୁ ଗୋଟିଏ ପୋଷ୍ଟିଂର ପ୍ରତିକ୍ରିୟା ଏଠାରେ ଦିଆଗଲା।   ମୂଳ ଷ୍ଟାଟସ୍- ଚାଲନ୍ତୁ ଶ୍ରୀମନ୍ଦିର ନାମକ ଏହି ଦୋକାନଟିକୁ ବଦ୍ଦ କରିଦେବା। ମତାମତ- ପ୍ରଶାନ୍ତ କୁମାର ଦାଶ, ଆମ ହାତରେ ତାଲାଚାବି କାହିଁ? ତୁଷାରକାନ୍ତ ଶତପଥୀ- ହେବ, ମୀନ ଖେଳିବ। ଶବି ବିଶ୍ବାଳ- ଅନ୍ଧବିଶ୍ବାସ ସହିତ ଜଡ଼ିତ ସବୁ ସ୍ଥାନ ବନ୍ଦ ହେବା ଉଚିତ। ଦୁର୍ଯୋଧନ ଦଳାଇ- ଓଡ଼ିଶାକୁ ଭୟଙ୍କର ବିପଦ ମାଡ଼ି ଆସୁଛି। ସବୁ କିଛି ନିୟନ୍ତ୍ରଣ ବାହାରେ।  ପ୍ରଣବ ନନ୍ଦୀ- କ୍ଷମା କରିବେ, ବରଂ ବିଜେଡି ନାମକ ଦୋକାନଟି ବନ୍ଦ କରିଦେବା ଦରକାର। ବିଶ୍ବଜିତ ମହାନ୍ତି- ବିଜେଡି ଗୋଟେ ଦୋକାନ ନୁହେଁ, ଏହା ଏକ ଅତଳ ଖତଗଦା! ଢୁଙ୍କୁ ଏସବିପି- କାହିଁକି ବନ୍ଦ କରିବ, ଯଦି ଆପଣଙ୍କର ଇଚ୍ଛା ନାହିଁ ନଯାଆନ୍ତୁ, ଯଦି ସେଠାରୁ କାହାକୁ ବିଦା କରାଯିବା ଦରକାର ତେବେ ସେ ହେଉଛନ୍ତି ସୁରେଶ ମହାପାତ୍ର। ରବି କାନୁନଗୋ- ଏହା ଖୁବ ଭଲ ହୁଅନ୍ତା। ଜଗନ୍ନାଥ କିଛି ଲୋକଙ୍କ ପାଇଁ ତାବିଜ ଆଉ କିଛି ଲୋକଙ୍କ ପାଇଁ ବ୍ୟବସାୟ। ଗତବର୍ଷ ବ୍ରହ୍ମ ବିକ୍ରି ହେବାର ବିବାଦ ଏବର୍ଷ ଏମିତି ଘଟଣା ଶ୍ରୀମନ୍ଦିରକୁ ଚୋକ୍କଡ଼ରେ ପରିଣତ କରିଛି।   ସଂଜୀବ ଜୈନ- ଦୋକାନୀଙ୍କୁ ବଦଳାଯିବା ଦରକାର, ଦୋକାନଟି ଖୁବ ଭଲ। ବିପ୍ଳବ ମହାପାତ୍ର- ସଂଂପୂର୍ଣ୍ଣ ଠିକ। ମନୋଜ ବିଶ୍ବାଳ- ଧର୍ମ ଦୋକାନ କ’ଣ ସହଜରେ ବନ୍ଦ ହେବ? ଗରାଖ ତୁମ୍ଭିତୋଫାନ କରିପକାଇବେ। ଲାୟନ ସାହୁ- ଭଗବାନଙ୍କର କିଛି ଶକ୍ତି ନାହିଁ। ସେ ଅପରାଧୀଙ୍କ ହାତରେ କଣ୍ଢେଇ ହୋଇସାରିଛନ୍ତି। ଏହା କେବଳ ପୁରୀ ବା ଭାରତର କଥା ନୁହେଁ, ସାଉଦି ଆରବ ଓ ରୋମରେ ମଧ୍ୟ ଏମିତି ଘଟୁଛି।  ଶୈଳେନ୍ଦ୍ର ଦ୍ବିବେଦୀ- ଏହା ବହୁ ଆଗରୁ ହେବାର ଥିଲା କିନ୍ତୁ ଆପଣ ବନ୍ଦ କରିବା ଲୋକ ପାଇବେ ନାହିଁ। ସବୁଠୁ ଭୟଙ୍କର ଲୋକମାନେ ହିଁ ଭଗବାନଙ୍କର ସବୁଠୁ ବଡ଼ ଭକ୍ତ! ଆଶିଷ ଦେ- ଓଃ ନା! ଭଗବାନ ଜଗନ୍ନାଥ ହଉଛନ୍ତି ଶାନ୍ତି, ପ୍ରେମ, ଭ୍ରାତୃତ୍ବ ଓ ସ୍ଥିରତାର ପ୍ରତୀକ। ଆପଣ ତାଙ୍କୁ ଭଲ ନପାଇ ପାରନ୍ତି କିନ୍ତୁ ସେ ଆପଣଙ୍କୁ ଭଲ ପାଉଛନ୍ତି। ଲାୟନ ସାହୁ- ସେ କେବଳ ଧନୀ ଲୋକଙ୍କୁ ଭଲ ପାଆନ୍ତି ଯିଏ ତାଙ୍କର ଅପରାଧୀ ସହାୟକମାନଙ୍କୁ ପ୍ରବଳ ଟଙ୍କା ଦିଅନ୍ତି। ଆଶିଷ ଦେ- ଆପଣ ତାଙ୍କୁ ଯେତେ ଗାଳି ଦେବେ ଆପଣ ତାଙ୍କର ସେତେ ନିକଟତର ହେବେ। ଅଶୋକ ନନ୍ଦ- ବୋକା ବନାଇବା ଦୋକାନ। ସୁଚେନ୍ଦୁ ସୁବୁଦ୍ଧି- ମନ୍ଦିର ଭିତରେ ଦୀପ, ଖଜା, ଫୁଲ, ମହାପ୍ରସାଦ ଓ କଦଳୀ ବିକିବା ବନ୍ଦ କରନ୍ତୁ, ମନ୍ଦିର ଅଧିକ ସ୍ବଚ୍ଛ ଓ ସୁନ୍ଦର ଦିଶିବ। ଆଶିଷ ଦେ- ଆପଣ ଏମିତି କହନ୍ତୁନି। ଅନେକ ଅଯୋଗ୍ୟ ଲୋକ ସେଥିରେ ବଂଚୁଛନ୍ତି। ଟିକ ସହିବାକୁ ପଡ଼ିବ। କେବଳ ଆଇନଶୃଙ୍ଖଳା ରହିବା ଦରକାର। କପିଳେଶ୍ବର ବକ୍ସି- ହଁ, ଦୋକାନ ବନ୍ଦ ହେଉ, କିନ୍ତୁ ମନ୍ଦିର ଥାଉ। ଆଶିଷ ଦେ- ନା ନା ବନ୍ଦ ନକରି ଅନ୍ୟତ୍ର ଉଠାଇ ନିଆଯାଉ, ତାହା ଲୋକଙ୍କ ଜୀବିକା। କପିଳେଶ୍ବର ବକ୍ସି- ମୁଁ କହିବାର ଅର୍ଥ ପୁରୋହିତ ଓ ସେବାୟତମାନେ ଭଗବାନଙ୍କ ନାମରେ ଖୋଲିଥିବା ବାଣିଜି୍ୟକ ଦୋକାନ ବନ୍ଦ ହେଉ, ଜଗନ୍ନାଥଙ୍କ ଘର ନୁହେଁ। ତପନ ପାଢ଼ୀ- ଅଫିମାମାନଙ୍କର ଦୋକାନ। ରବୀନ୍ଦ୍ର କୁମାର ଦାସ- ସତ୍ୟକୁ ସାମ୍ନା କରିବା କଷ୍ଟ। ଡକ୍ଟର ସାଗର ରଂଜନ ତ୍ରିପାଠୀ- ଶ୍ରୀମନ୍ଦିରର ପ୍ରତିଟି ବ୍ୟବସ୍ଥାକୁ ବଜାରୀକରଣ କରି ଜଗନ୍ନାଥ ସଂସ୍କୃତିକୁ କ୍ଷୁର୍ଣ୍ଣ କରିବାର ଠିକାଦାରୀ କରୁଥିବା ଲୋକମାନେ ପାପ ଓ ପୂଣ୍ୟର ଫରକ ଲିଭାଇ ଦେଇ ସ୍ବାର୍ଥ ଜଡ଼ିତ ବିଚାରରେ ଯେଉଁ ସନ୍ଦେଶ ଦେଉଛନ୍ତି ନିନ୍ଦନୀୟ।   ନିରଜ କୁମାର ସାହୁ- ଯେତେବେଳେ ଚର୍ଚ୍ଚ ନକ୍ସଲଙ୍କୁ ଓ ମସଜିଦ ଜିହାଦୀଙ୍କୁ ଆଶ୍ରୟ ଦିଏ ସେତେବେଳେ କେହି ବ୍ୟସ୍ତ ହୁଅନ୍ତିନି। ସୁଶାନ୍ତ କୁମାର ମହାନ୍ତ- ଶ୍ରୀମନ୍ଦିରରେ ଏସବୁ ବିଭ୍ରାଟର ମୂଳ କାରଣ କ’ଣ? ନୀରଜ କୁମାର ସାହୁ- ତୁମେ ଦୂରେଇ ରୁହ। ବଟ୍ଟନ ଚକ୍ରଧର- ମନ୍ଦିରକୁ ଦୋକାନ ସହ ତୁଳନା କରିବା ଲଜ୍ଜାହୀନ କଥା। ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ତଳେ ପକାଇଥିବା ନେତା ଓ ସେବାୟତଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବାକୁ ତମର ସାହସ ଅଛି କି? ନା, ନାହିଁ। ମନ୍ଦିର ହେଉଛି ଆମ ସାମାଜିକ-ସାଂସ୍କୃତିକ ପ୍ରାଣବିନ୍ଦୁ। ...ରୁଦ୍ର ପ୍ରସନ୍ନ ରଥ- ଭାଇ, ପ୍ରଥେମ ଶ୍ରୀନିବାସ ବନ୍ଦ କରିବା, ତା’ପରେ ଶ୍ରୀମନ୍ଦିର।   ଫେସବୁକରେ ଏ ପୋଷ୍ଟ ଲେଖିଥିଲେ ଦେବେନ୍ଦ୍ର ପୃଷ୍ଟି। ଏ ବିତର୍କ ଏବେ ବି ଚାଲିଛି।

Share :