ଲାଲ ବାହିନୀ କବ‌୍‍ଜାରେ କଳାହାଣ୍ଡି

ଲାଲ ବାହିନୀ କବ‌୍‍ଜାରେ କଳାହାଣ୍ଡି

Share :

କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକ‌୍‍ରୁ ୯ଟି ବ୍ଲକ ମାଓବାଦୀ ଉପଦ୍ରବରେ ଆକ୍ରାନ୍ତ। ଅନେକ ସମୟେର ଏସବୁ ବ୍ଲକରେ ମାଓବାଦୀ ହିଂସାକାଣ୍ଡ ଘଟୁଛି। ଏହାକୁ ଡରି ଏସବୁ ଅଂଚଳରେ ବିକାଶ କାର୍ଯ୍ୟ ଠପ୍ ହୋଇଗଲାଣି। କେତେକ କ୍ଷେତ୍ରରେ ନକଲି ମାଓବାଦୀଙ୍କ ଚାନ୍ଦା ଧମକକୁ ମଧ୍ୟ ଠିକାଦାର ଓ ପ୍ରଶାସନ ଡରି କାମ କରାଉ ନାହାନ୍ତି।   ମାଓବାଦୀ ପ୍ରବଣ ଅଞ୍ଚଳରେ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାଓବାଦୀ ଅଧ୍ୟୁସିତ ଅଞ୍ଚଳରେ ଗମନାଗମନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସମନ୍ବିତ କ୍ରିୟାନୁଷ୍ଠାନ ଯୋଜନା ବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି), ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କିନ୍ତୁ ମାଓବାଦୀ ଭୟରେ ବିଭାଗୀୟ ଅଧିକାରୀ ଉକ୍ତ କାମଗୁଡିକୁ ତଦାରଖ କରିବା ପାଇଁ ଯାଉ ନ ଥିବାରୁ କାମଗୁଡିକ ଠିକାଦାରଙ୍କ ମର୍ଜିରେ ଚାଲିଛି। ଏହି ସୁଯୋଗରେ କେତକ ଠିକାଦାର ନିମ୍ନମାନର କାମ କରି ବା କାମ ଅଧା ପକାଇ ବିଲ୍ ଉଠାଇ ନେଉଛନ୍ତି। ମାଓବାଦୀମାନେ ମଧ୍ୟ ଏଭଳି ଠିକାଦାରଙ୍କୁ ଧମକଚମକ ଦେଇ ନିଜ ଅନୁସାରେ କାମ କରାଉଛନ୍ତି। ଯେଉଁ ଠିକାଦାର କିମ୍ୱା ଠିକା ସଂସ୍ଥା ମାଓବାଦୀଙ୍କ ନିର୍ଦ୍ଦେଶ ଅବମାନନା କଲେ ମାଓବାଦୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି। ଗତ ୫ ବର୍ଷ ଭିତରେ କଲାହାଣ୍ଡି ଜିଲ୍ଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ବିଭିନ୍ନ ହେଉଥିବା ରାସ୍ତା କାମ କେଉଁଠି ବନ୍ଦ ରହିଛି ତ କେଉଁଠି ଠିକାଦାର ମାଓବାଦୀଙ୍କ ଭୟରେ ଅଧାରୁ ରାସ୍ତା କାମ ଛାଡି ଚାଲିଯାଉଛନ୍ତି। ଫଳରେ କଳାହାଣ୍ଡି ଜିଲ୍ଲାର ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଗମନାଗମନ ବିକାଶରେ ଗୁରୁତର ବାଧା ସୃଷ୍ଟି ହେଉଛି।   ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା, ୨୦୧୦-୧୧ରୁ ୨୦୧୪-୧୫ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନକ୍ସଲ ପ୍ରବଣ ଅଞ୍ଚଳର ଉନ୍ନତି ପାଇଁ ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନରେ ୧୨୦ କୋଟି, କେନ୍ଦ୍ରୀୟ ଅତିରିକ୍ତ ଅନୁଦାନ ବାବଦରେ ୨୦୧୫-୧୬ ଓ ୨୦୧୬-୧୭ରେ ୪୪ କୋଟି ଟଙ୍କା ପୂର୍ତ୍ତ ବିଭାଗ ଏବଂ ଏମଆଇପି ବିଭାଗରେ ବିଭିନ୍ନ ଯୋଜନା ବାବଦରେ ପ୍ରାୟ ୭୦୦ କୋଟିରୁ ଅଧିକ ଟଙ୍କା ଆସିଛି। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରଧାନମନ୍ତ୍ରୀ ଗଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତାଗୁଡିକ ଯେଉଁ ଠିକାଦାର ନିମାର୍ଣ କରିବେ ସେ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ବୋଲି ନିୟମ ରହିଛି। କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଓ ଅବହେଳା ଯୋଗୁଁ କୌଣସି ଠିକାଦାର ଏହି ନିୟମ ମାନୁ ନାହାନ୍ତି।   ମାଓବାଦୀ ଉପଦ୍ରୁତ ତଥା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ-ରାମପୁର, ଭବାନୀପାଟଣା, ଯୁଗସାଏପାଟଣା, ଶଗଡା ଏବଂ ଚାେଞ୍ଚର ପଞ୍ଚାୟତ ଲାଞ୍ଜିଗଡ, ନର୍ଲା, ମଦନପୁର-ରାମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ମହୁଲପାଟଣା ପଞ୍ଚାୟତ, କଲମପୁର ବ୍ଲକର ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ନିର୍ମିତ ହୋଇଥିବା ରାସ୍ତା ଭାଙ୍ଗିରୁଜି ଗଲାଣି। ମାଓବାଦୀ ଭୟରେ ବିଭାଗୀୟ ଅଧିକାରୀ ଅଞ୍ଚଳକୁ ଯାଉ ନଥିବା ହେତୁ ଠିକାଦାର ନିଜକୁ ସୁହାଇଲା ଭଳି ନିଜ ମର୍ଜିରେ କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ପୋଲ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଲୁଛି। ଏହାର ସୁଯୋଗ ମାଓବାଦୀ ନେଉଛନ୍ତି। ମାଓବାଦୀଙ୍କ ଭୟରେ ଲାଞ୍ଜିଗଡ ବ୍ଲକର ତ୍ରିଲୋଚନପୁର ରାସ୍ତା ଏବଂ ତ୍ରିଲୋଚନପୁର ଅପଗ୍ରେଡେଡ ହାଇସ୍କୁଲ, ବିଜେପୁର ରାସ୍ତା, ମକ୍ସାଗୁଡା-ପଣ୍ଡା ପଦର ୧୨ କିମି ପିଏମଜିଏସୱାଇ ରାସ୍ତା ପୂର୍ବ ବିଭାଗ ରାସ୍ତା ବୋରପଦର ବୋରିଙ୍ଗପଦର ୧୨ କିମି ରାସ୍ତା ଧିମେଇ ଯାଇଛି।   ୨୦୧୩ ମସିହାରେ କର୍ଲାପାଟ-ଟିଟିଝୋଲା ୧୭ କିମି ପିଏମଜିଏସୱାଇ ରାସ୍ତା କାମ ପାଇଁ ସୁପରକ୍ଲାସ ଠିକାଦାର କାମ କରୁଥିବା ସମୟରେ ମାଓବାଦୀ ମିଆଙ୍ଗ ପଦର ଠାରେ ଥିବା ତାଙ୍କ କ୍ୟାମ୍ପ ଉପରେ ଆକ୍ରମଣ କରି ଟ୍ରାକ୍ଟର ମିକ୍ସରମେସିନ ଜେସିବି ଗାଡି ଆଦିକୁ ପୋଡି ଦେଇଥିଲେ। ଦୁଇ ବର୍ଷ ପରେ ୨୦୧୫ ଡିସେମ୍ୱର ମାସରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ପୁନର୍ବାର ଟେଣ୍ଡର କରାଯାଇଥିଲା ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରବାଲ ଟେଣ୍ଡର ପାଇ ଅନ୍ୟ ଜଣେ ପେଟି ଠିକାଦାର ଟୁଟୁ ପଣ୍ଡାଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଦେଇଥିଲେ। ଶ୍ରୀ ପଣ୍ଡା ଯୁଗସାଇପାଟଣାରୁ ଟିଟିଝୋଲା ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ। ନିମ୍ନ ମାନର ରାସ୍ତା ଓ ଶ୍ରମିକଙ୍କ କାମ ମଜୁରୀ ଦେବା ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏହାର ସୁଯୋଗ ନେଇ ମାଓବାଦୀ ଜୁନ ୧୫ ତାରିଖ ଦିନ ୧୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଗାଡିକୁ ପୋଡି ଦେଇଥିଲେ।   ସେହିପରି ୨୦୧୫ ଜାନୁଆରୀ ମାସ ୧୮ ତାରିଖ ଥୁଆମୂଳ-ରାମପୁର ଥାନା ଅର୍ନ୍ତଗତ ଗୁଣୁପୁର-କାଶୀପୁର ରାସ୍ତା ନିର୍ମାଣ କରୁଥିବା ତିରୁପତି କନଷ୍ଟ୍ରକସନର ଗାଡିମଟର ପୋଡି ଦେଇଥିଲେ। ୨୦୧୫ ଜାନୁଆରୀ ୨୧ ତାରିଖରେ ଲାଞ୍ଜିଗଡର ତ୍ରିଲୋଚନପୁର ଠାରେ ନନ୍ଦି ଫାଉଣ୍ଡେସନ ତରଫରୁ ବିଭିନ୍ନ ସ୍ୱୁଲକୁ ମଧ୍ୟାହ୍ନ ଭୋଜନ ପରିବହନ କରୁଥିବା ଗାଡିକୁ ମାଓବାଦୀ ପୋଡିଦେଇଥିବା ବେଳେ ୨୭.୦୭.୨୦୧୧ରେ ଲାଞ୍ଜିଗଡର ଠିକାଦାର ଅଜିତ ପଟ୍ଟନାୟକଙ୍କୁ ହତ୍ୟା କରିଥିଲେ। ୨୦୧୫ ଫେବୃଆରୀ ୩ତାରିଖ ଦିନ ତାର ସାନ ଭାଇ ଡିଟଲ ପଟ୍ଟନାୟକଙ୍କୁ ତ୍ରିଲୋଚନପୁର ସାପ୍ତାହିକ ବଜାରରେ ଦିନ ଦ୍ୱିପହରେ ମାଓବାଦୀ ହତ୍ୟା କରିଥିଲେ ୍ଧଏପରି ସ୍ଥିତିରେ ଠିକାଦାର କାମ କରିବାକୁ ଭୟ କରୁଛନ୍ତି। ଅନ୍ୟ ପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାର ଥୁ.ରାମପୁର ଏବଂ ଲାଞ୍ଜିଗଡ ବ୍ଲକରେ ପ୍ରାୟ ୧ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱମୂଲ୍ୟରେ ପିଏମଜିଏସୱାଇ ରାସ୍ତା ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଥିବାବେଲେ ଉର୍ଲାଦାନି ଲୁବେନଗଡ ରାସ୍ତା କାମ ନିର୍ମାଣ କାଯ୍ର୍ୟ କିପରି ସିବିଧାରେ ହେବ ସେହି ଚିନ୍ତା ବିଭାଗୀୟ ଅଧିକାରୀଙ୍କୁ ଘାରିଛି। ସରକାର ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Share :