ବିଜେପିକୁ ସୁହାଉଛି ବିଜେଡ଼ି କୌଶଳ!

ବିଜେପିକୁ ସୁହାଉଛି ବିଜେଡ଼ି କୌଶଳ!

Share :

ଭୋଟ‍୍‌ ବ୍ୟାଙ୍କ ସଜାଡ଼ିବା ପାଇଁ ବିଜେଡ଼ି ମୋଦି ସରକାରଙ୍କ ବର୍ଷକ ପରେ ଯେଉଁ କେନ୍ଦ୍ର ଅବହେଳାର କେନ୍ଦେରା ବଜାଇବା ଆରମ୍ଭ କରିଥିଲା ତାହା ହିଁ ବିଜେପିକୁ ରାଜ୍ୟରେ ମଜବୁତ୍ କରିବାରେ ବେଶ‍୍‌ ସହାୟକ ହୋଇଛି। ଉପା ସରକାରଙ୍କ ଅମଳରେ ବିଜେଡ଼ିର ଏହି କୌଶଳ ବିଜେଡ଼ିକୁ ମଜବୁତ୍ କରିଥିବାବେଳେ ଏନଡ଼ିଏ ସରକାର ଅମଳରେ ଏହା କିନ୍ତୁ ଦଳ ପାଇଁ ବୁମେରାଂ ହୋଇଛି ବୋଲି କହିଲେ ଭୁଲ‍୍‌ ହେବନାହିଁ।   ମୋଦି ସରକାରଙ୍କ ପ୍ରଥମ ବର୍ଷରେ କେନ୍ଦ୍ର ସରକାରଙ୍କୁ ଆଦୌ ଟାର୍ଗେଟ‍୍‌ କରି ନଥିଲା ବିଜେଡ଼ି। ଫଳରେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଭଳି କେନ୍ଦ୍ରୀୟ ବିଜେପି ମଧ୍ୟ ବିଜେଡ଼ି ପ୍ରତି ସେତେ କଠୋର ଆଭିମୁଖ୍ୟ ପୋଷଣ କରିନଥିଲା। ବିଜେଡ଼ିକୁ ବିରୋଧ ଯାହା ଖାଲି ବିଜେପି କାର୍ଯ୍ୟାଳୟ କିମ୍ୱା ଅତି ବେଶିରେ ମାଷ୍ଟର କ୍ୟାଣ୍ଟିନ‍୍‌ରେ ସୀମିତ ରହିଥିଲା। ଏମିତିକି ଖୋଦ‍୍‌ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓଡ଼ିଶା ଆସିଥିଲେ ବି ବିଜେଡ଼ି ସରକାର ବା ନବୀନଙ୍କ ବିରୋଧରେ ପଦୁଟିଏ କହିନଥିଲେ। ଯାହା ବିଜେଡ଼ିକୁ ଉତ୍ସାହିତ କରୁ ବା ନକରୁ ରାଜ୍ୟ ବିଜେପିକୁ କିନ୍ତୁ ବେଶ‍୍‌ ହତୋତ୍ସାହିତ କରିଥିଲା।   ତେବେ ଯେବେଠାରୁ ବିଜେଡ଼ି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇଛି ସେବେଠାରୁ କେନ୍ଦ୍ରୀୟ ବିଜେପି ନେତା ଓ ମନ୍ତ୍ରୀମାନେ ମଧ୍ୟ ନବୀନଙ୍କୁ ଖୋଲାଖୋଲି ଟାର୍ଗେଟ‍୍‌ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଏମିତିକି ପୂର୍ବରୁ ନବୀନଙ୍କ ବିରୋଧରେ ପଦୁଟିଏ କହୁନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଧିରେଧିରେ ନବୀନଙ୍କୁ କଡ଼ା ସମାଲୋଚନା କରିବା ଆରମ୍ଭ କରିଦେଲେଣି।   ବିଗତ ଦିନମାନଙ୍କରେ ବିଜେଡ଼ି-ବିଜେପି ରାଜନୀତିକୁ ଅନୁଶୀଳନ କଲେ ଉଭୟ ଦଳ ପରସ୍ପର ପ୍ରତି ବେଶ‍୍‌ ଆକ୍ରମଣାମିକ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି। ଫଳରେ ବିଜେପି ଏବେ ବିଜେଡ଼ିର ବିକଳ୍ପ ହୋଇ ପଦାକୁ ଫୁଟି ବାହାରିଲାଣି। ବିଜେଡ଼ି ନେତାମାନେ ଫି ଦିନ କଂଗ୍ରେସ ବିରୋଧରେ ଯେତିକି ନକହୁଛନ୍ତି ତାହାଠୁ ଅଧିକ ବିଜେପିକୁ ଟାର୍ଗେଟ‍୍‌ କରିବା ଦେଖିବାକୁ ମିଳିଛି। ରାଜନୀତିର ଗଣିତ ଅନୁଯାୟୀ, ଜଣେ ଅନ୍ୟ ଜଣଙ୍କୁ ସେତେବେଳେ ଟାର୍ଗେଟ‍୍‌ କରେ ଯେତେବେଳେ ଅନ୍ୟ ଜଣଙ୍କ ପଲା ଭାରିଥିବା ମନେହୁଏ। ଅର୍ଥାତ୍ ବିଜେପିର ଭାଉ ବଢ଼ୁଥିବା ଶାସକ ବିଜେଡ଼ି ଅନୁଭବ କରିବା ଆରମ୍ଭ କଲାଣି।   ଖାଲି ସେତିକି ନୁହେଁ, ଏବେ ବିଜେଡ଼ି ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ଟାର୍ଗେଟ‍୍‌ କରିବାରେ ଅବହେଳା କରୁନାହାନ୍ତି। ଏମିତିକି କଥା ବ୍ୟକ୍ତିଗତସ୍ତର ପର୍ଯ୍ୟନ୍ତ ବି ଯାଉଛି। ଧର୍ମେନ୍ଦ୍ର ଏବେ ରାଜ୍ୟ ବିଜେପିର ସର୍ବେସର୍ବା ହୋଇଥିବାବେଳେ ସେ ହିଁ ବିଜେପିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେବୋଲି ବିଜେପି ନେତା ଓ କର୍ମୀମାନେ ଅନୁଭବ କରିସାରିଲେଣି। ଧୀରେଧୀରେ ଧର୍ମେନ୍ଦ୍ରଙ୍କର ସମର୍ଥକଙ୍କ ସଂଖ୍ୟା ବି ବଢ଼ିଚାଲିଛି। ଖାଲି ସେତିକି ନୁହେଁ, ରାଜ୍ୟ ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ଯେଉଁଭଳି ଭାବେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ବି ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଛି। ଏମିତିକି ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ ନବୀନଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ନିଜର ଦବଦବା ଜାହିର କରିଥିବାବେଳେ ସେ ହିଁ ବିକଳ୍ପ ଭାବେ ଉଭା ହେଉଥିବା ବାର୍ତ୍ତା ଯାଉଛି।   ଅପରପକ୍ଷରେ ବିଜେଡ଼ି ନେତାମାନେ ଏବେ ସିଧାସଳଖ ସମାଲୋଚନାର ବନ୍ଧୁକ ଧର୍ମେନ୍ଦ୍ରଙ୍କ ଆଡ଼କୁ ମୁହାଁଇ ଦେଇ ବିଜେପି ନେତା ଓ କର୍ମୀଙ୍କ ଭିତରେ ଯେଉଁ ଆଶଙ୍କା ରହୁଥିଲା ତାହା ଦୂର କରିସାରିଲାଣି। ଏହା ବିଜେପି ପାଇଁ ବେଶ‍୍‌ ଲାଭଜନକ ହୋଇଛି। କାହିଁକିନା ଦଳର କର୍ମୀ ଓ ନେତାମାନେ ୨୦୧୪ରେ ଜୋରଦାର ଲଢ଼େଇ ହେବ ବୋଲି ଯେଉଁ ଅବଗଣନା ଆରମ୍ଭ କରିଦେଇଛନ୍ତି ସେଥିପାଇଁ ଏବେଠାରୁ ଯୋଶ‌ରେ ବି କାର୍ଯ୍ୟ କରୁଥିବା ପରିଲକ୍ଷିତ ହେଉଛି। ପୂର୍ବରୁ ରାଜ୍ୟ ବିଜେପି ନବୀନଙ୍କ ବିରୋଧରେ ମୋର୍ଚ୍ଚା ଖୋଲୁ ନଥିବାବେଳେ ଆଜିକା ଦିନରେ ଅନେକ ସ୍ଥାନରେ ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ ହେଉଥିବାର ଅନେକ ନଜିର ରହିଛି। ଯେତେବେଳେ ଦଳୀୟ କର୍ମୀ ଓ ନେତାଙ୍କ ମନରେ ଯୋଶ‍୍‌ ଆସେ ସେତେବେଳେ ହିଁ ସଂଗଠନ ସୁଦୃଢ଼ ହୁଏ। ଏହା ରାଜନୀତିର ଏକ ମୂଳଭିତ୍ତି ଓ ଅମୋଘ ଅସ୍ତ୍ର କହିଲେ ଭୁଲ‍୍‌ ହେବ ନାହିଁ।   ଏନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏବେ ବିଜେପି କର୍ମୀଙ୍କ ମନରେ ଯେଉଁ ଉତ୍ସାହ ଓ ଆଶାର କିରଣ ସୃଷ୍ଟି ହୋଇଛି ସେଥିପାଇଁ ବିଜେଡ଼ି ହିଁ ଧନ୍ୟବାଦର ପାତ୍ର। ତାଙ୍କର କହିବା କଥା ହେଉଛି ଯଦି ବିଜେଡ଼ି କେନ୍ଦ୍ର ବିରୋଧୀ ମୋର୍ଚ୍ଚା ଖୋଲିନଥା’ନ୍ତା ତେବେ କଂଗ୍ରେସ ଭଳି ଆମ କର୍ମୀ ଓ ନେତାଙ୍କ ଅବସ୍ଥା ସେଇଆ ହୋଇଥା’ନ୍ତା। କେନ୍ଦ୍ରମନ୍ତ୍ରୀ ଆସିଥା’ନ୍ତେ, ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ଦେଇଥା’ନ୍ତେ। ଆମେ କେବଳ ଭକୁଆ ହୋଇଥା’ନ୍ତୁ। ଅବଶ୍ୟ କଂଗ୍ରେସ ଭଳି ବିଜେପିର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତାମାନେ ସେହି ଭୁଲ‍୍‌ କରୁନାହାନ୍ତି। ନବୀନ ସରକାରଙ୍କ ନେତା ଓ ମନ୍ତ୍ରୀମାନେ କେନ୍ଦ୍ରୀୟ ବିଜେପିକୁ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ସେମାନେ ହିଁ ଓଡ଼ିଶାରେ ଆସି ଏହାର ମୁହଁତୋଡ଼ ଜବାବ ଦେଉଛନ୍ତି। ଫଳରେ ଆଗାମୀ ଦିନରେ ବିଜେଡ଼ି ସହ ମେଣ୍ଟ ନୁହେଁ ବରଂ ଲଢ଼େଇ ହେବ ବୋଲି କର୍ମୀଙ୍କ ମନରେ ବସା ବାନ୍ଧିଗଲାଣି।   ଖାଲି ସେତିକି ନୁହେଁ, ବିଜେଡ଼ି ଯେଉଁ ଯେଉଁ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ‍୍‌ କରୁଛି ସେହି ସେହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀମାନେ ବିଜେଡ଼ିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଟାର୍ଗେଟ‍୍‌ କରୁଛନ୍ତି। କେନ୍ଦ୍ର ଚାଉଳ କୋଟା କମାଇଲା ବୋଲି ବିଜେଡ଼ି ନେତାମାନେ ଗାଁ ଗହଳିରେ ପ୍ରଚାର କରୁଛନ୍ତି। ଫଳରେ କେନ୍ଦ୍ର ହିଁ ଚାଉଳ ଦେଉଛି ବୋଲି ଲୋକମାନେ ସ୍ପଷ୍ଟ ହେବାସହ କେନ୍ଦ୍ର ନିର୍ଦ୍ଧାରିତ କୋଟା ଦେବା ପରେ ଓଡ଼ିଶା ପାଇଁ କେନ୍ଦ୍ର ତପିର ବୋଲି ବାର୍ତ୍ତା ଯାଉଛି। ପୂର୍ବଭଳି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ଯେଉଁ ରାଜନୀତି କରୁଥିଲେ ତାହା କେନ୍ଦ୍ରୀୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀମାନେ ସେଥିରେ ପ୍ରତିବନ୍ଧକ ସାଜିଛନ୍ତି।  ଏମିତିକି ଇନ୍ଦିରା ଆବାସ ଯୋଜନାକୁ ସେତେବେଳେ ରାଜ୍ୟ ସରକାର ନିଜର ବୋଲି ଦର୍ଶାଇ ଲୋକଙ୍କୁ ଭକୁଆ ବନାଇ ଆସୁଥିବାବେଳେ ଏବେ ପ୍ରଧାନମନ୍ତ୍ରୀ ହିଁ ଘର ଦେଉଛନ୍ତି ବୋଲି ବାର୍ତ୍ତା ଯାଉଛି।   ତେଣୁ ଯେପର୍ଯ୍ୟନ୍ତ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ଯେତେ ଜୋରରେ ଗାଳି ଦେବ, ଯେତେ ଟାର୍ଗେଟ‍୍‌ କରିବ ତାହାର ଫାଇଦା ନିଶ୍ଚିତ ଭାବେ ବିଜେପି ନେବବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share :