ବିଚାରାଧୀନ ବନ୍ଦୀର ସନ୍ଦେହଜନକ ମୃତ୍ୟୁ

ବିଚାରାଧୀନ ବନ୍ଦୀର ସନ୍ଦେହଜନକ ମୃତ୍ୟୁ

Share :

ଜୁନ ୨୦ ତାରିଖ ସୋମବାର କଳାହାଣ୍ଡି ଜିଲୋଲା ଧର୍ମଗଡ ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିବା ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି। ପୁଲିସ ଓ ଜେଲ କର୍ମଚାରୀଙ୍କ ମାତ୍ରାଧିକ ନିର୍ଯାତନା ସହି ନପାରି ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।   ଧର୍ମଗଡ ବ୍ଲକ କୋକସରା ଥାନା ଅର୍ନ୍ତଗତ ଧଅଁରପୁର ଗ୍ରାମପଞ୍ଚାୟତର ଭାଲୁଚୁଆଁ ଗ୍ରାମର ଭଜମନ ଖରସେଲଙ୍କ ଏକମାତ୍ର ପୁଅ ଲିଙ୍ଗରାଜ ଖରସେଲ(୨୫)ଙ୍କୁ ସଟ୍ଟା ଖେଳାଉଥିବା ଅଭିଯୋଗରେ ଜୁନ ୧୦ ତାରିଖ ଦିନ ପୁଲିସ କେଶ ନଂ ସିଟି୨୨୭, ଆଇପିସି ୪୨୦ ଓ ପିସିଏମସି ଦଫାରେ ଗିରଫ କରି ଧର୍ମଗଡ କୋର୍ଟ ଚାଲାଣ କରିଥିଲା। ତାଙ୍କ ବେଲ‌୍‍ ନାମଞ୍ଜୁର ହେବାରୁ ସେ ଧର୍ମଗଡ ଉପକାରାଗାରରେ ରହିଥିଲେ। ଜୁନ ୨୦ ତାରିଖରେ ଲିଙ୍ଗରାଜକୁ ତାଙ୍କ ବାପା ଭଜମନ ଓ କିଛି ଗାଁ ଲୋକ ଭେଟିବାକୁ ଆସିଥିଲେ। ଏହି ସମୟରେ ଜେଲ କର୍ତ୍ତୃପକ୍ଷ ଲିଙ୍ଗରାଜ ଖାଉଛି ବୋଲି କହିବା ପରେ ଏମାନେ ଅପେକ୍ଷାରେ ଥିଲେ। କିଛି ସମୟ ଅପେକ୍ଷା ପରେ ଲିଙ୍ଗରାଜକୁ ପରିବାର ଲୋକେ ସାକ୍ଷାତ କରି କଥାବାର୍ତ୍ତା ହୋଇଥିଲେ। କିନ୍ତୁ ସେ ସମୟରେ ଲିଙ୍ଗରାଜର ଅବସ୍ଥା ଖରାପ ହେବାରୁ ସେ ବସି ପଡିଥିଲେ। ଏହାକୁ ଦେଖି ଜେଲ ଫାର୍ମାସିଷ୍ଟ ଅଚ୍ୟୁତାନନ୍ଦ ବରାଡ ଓ ଜେଲ ସୁପରିଟେଣ୍ଡେଣ୍ଟ ଗରିବ ସାହୁ ଏକ ଅଟୋ ଗାଡିରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ଓ ସେଠାରେ ଡାକ୍ତର ଲିଙ୍ଗରାଜକୁ ମୃତ ଘୋଷଣା କରିଥିଲେ।   ଜେଲ କର୍ମଚାରୀମାନଙ୍କ ଖାମଖିଆଲ ନୀତି ଓ ଅବହେଳା ସହିତ ଲିଙ୍ଗରାଜକୁ କୌଣସି ପ୍ରକାର ନିର୍ଯ୍ୟାତନା ଜେଲରେ ଦିଆଯାଇଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ରହିଥିଲା ବୋଲି ଅଭିଯୋଗ ହୋଇଛି। ଲିଙ୍ଗରାଜ ଜେଲକୁ ଯିବା ପୁର୍ବରୁ ସୁସ୍ଥ ସବଳ ରହିବା ସହିତ କୌଣସି ରୋଗରେ ପିଡିତ ନଥିବା ମୃତକଙ୍କ ବାପା ଭଜମନ କହିବା ସହିତ ଏହି ମୃତ୍ୟୁ ପାଇଁ ଜେଲ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଜେଲ ସୁପରିଟେଣ୍ଡେଣ୍ଟ ଗରିବ ସାହୁଙ୍କୁ ଯୋଗାଯୋଗ କରିବାରୁ ଜେଲ ଗେଟରେ ଲିଙ୍ଗରାଜ ତାଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କ ଦେହ ଖରାପ ହୋଇଥିଲା ଓ ତାଙ୍କୁ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ଓ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।   ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ଯାଦବ ସମାଜ ସଭାପତି ଡମ୍ୱରୁଧର ଲହଜଲ, ଉପଖଣ୍ଡ ସଭାପତି ଧନୁ ଗୋପାଳ, ଆଞ୍ଚଳିକ ସଭାପତି ଶଙ୍କର ପ୍ରସାଦ ଜୁଏଡ, ସୁରେଶ ଭଇଁସାଲ ଓ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦିଗାମ୍ୱର ଦୁରିଆ ଘଟଣା ସ୍ଥଳକୁ ଯାଇ ମୃତକ ପରିବାରକୁ ଉପଯୁକ୍ତ ଥଇଥାନ ସହିତ ଏହି ଘଟଣାକୁ ମାନବାଧିକାର କମିଶନ ତଦନ୍ତ କରିବାକୁ ଦାବୀ କରିଥିଲେ। ଖବର ପାଇ ଭାରପ୍ରାପ୍ତ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଘଟଣାସ୍ଥଳକୁ ଯାଇ ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା, ରେଡକ୍ରସ ଯୋଜନାରୁ ୧୦ ହଜାର ଟଙ୍କା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ଥଇଥାନ କରାଯିବ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଓ ପରେ ଧର୍ମଗଡ ପୁଲିସ ଶବ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।   ମୃତକ ଜଣକ ଆଗରୁ ସୁସ୍ଥ ସବଳ ଥିବା ପରିବାର ଲୋକେ କହୁଥିବା ବେଳେ କେଉଁ କାରଣ ଯୋଗୁଁ ହଠାତ‌୍‍ ଅସୁସ୍ଥ ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି ତାହାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଦଣ୍ଡପାଟ ଅଞ୍ଚଳରୁ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଦିଗାମ୍ୱର ଦୁରିଆ ଓ ଯାଦବ ସମାଜର ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି। 

Share :