ପୁଲିସ‍୍‌ ସାଜିଛି ଚିଟ୍ ଫଣ୍ଡ ମଧ୍ୟସ୍ଥ!

ପୁଲିସ‍୍‌ ସାଜିଛି ଚିଟ୍ ଫଣ୍ଡ ମଧ୍ୟସ୍ଥ!

Share :

  ସିବିଆଇ ଚିଟ୍ ଫଣ୍ଡ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି ବୋଲି ବିଜେପି ନେତା ବିଜୟ ମହାପାତ୍ର ଖୋଲାଖୋଲି ଅଭିଯୋଗ କରିବା ପୂର୍ବରୁ ରାଜ୍ୟ ପୁଲିସ ଏହି ଭୂମିକା ନିର୍ବାହ କରୁଥିଲା। କେତେକ ଚିଟ୍ ଫଣ୍ଡ ଠକେଇ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୋଟିପତି ଠକଙ୍କୁ ଗିରଫ କରିବା ବର୍ତ୍ତେ ଖସିଯିବାର ସହାୟତା କରୁଥିଲା। ଏଭଳି ଏକ ଅଭିଯୋଗ ଏବେ ପଦାକୁ ଆସିଛି।   କଲ୍ୟାଣୀ ଆଣ୍ଡ କଲ୍ୟାଣୀ ଡେଭଲପର୍ସ ଲିମିଟେଡ଼୍ ବା କେକେଡ଼ିଏଲ‍୍‌ ନାମକ ଏକ ଚିଟ ଫଣ୍ଡ ସଂସ୍ଥା ଜମାକାରୀଙ୍କଠାରୁ ନେଇ ଏଜେଣ୍ଟଙ୍କ ଯାଏଁ ସମସ୍ତଙ୍କୁ ଚୁନ ମାରିଥିଲେ ଏହା ବିରୋଧରେ ଏଯାଏଁ କଡ଼ା ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଜମା ଟଙ୍କା ମାଗିଲେ ଏଜେଣ୍ଟଙ୍କୁ ଚିଟ ଫଣ୍ଡ ଠକ ହତ୍ୟା ଧମକ ଦେଉଥିଲେ। ତେଣେ ଜମାକାରୀଙ୍କଠାରୁ ମଧ୍ୟ ମାଡ଼ ଓ ମାମଲା ଧମକ ମିଳୁଥିଲା। ଦି’ଆଡ଼ୁ ଡରରେ ବିଚରା ଏଜେଣ୍ଟମାନେ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ଥାନାଧିକାରୀ ଚିଟ‍୍‌ଫଣ୍ଡ କମ୍ପାନୀ ମାଲିକକୁ ଧରିବେ କ’ଣ ମଧ୍ୟସ୍ଥି ଭୂମିକା ନିର୍ବାହ କରିଥିଲେ। ସେପଟେ ଚିଟ‍୍‌ଫଣ୍ଡ ମାଲିକ ଟଙ୍କା ଫେରାଇବାର ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା।   ଏଫଆଇଆରରେ କେକେଡ଼ିଏଲ‍୍‌ର ଏଜେଣ୍ଟମାନେ ଦର୍ଶାଇଛନ୍ତି ଯେ, ବାମନ ଚରଣ ଦାସ, ବିପିନ ଚନ୍ଦ୍ର ଦାସ ଓ ସୁଜାତା ଦାସ ଆଇଆରସି ଭିଲେଜରେ ଏହି ସଂସ୍ଥା ଗଢ଼ିଥିଲେ। ଏଜେଣ୍ଟମାନେ ଏହି ସଂସ୍ଥା ପାଇଁ ଜମାକାରୀଙ୍କଠାରୁ ଟଙ୍କା ଉଠାଇଥିଲେ। ଅଧିକ ସୁଧର ପ୍ରଲୋଭନ ଥିବାରୁ ଜମାକାରୀମାନେ ଉକ୍ତ ସଂସ୍ଥାରେ ନିବେଶ କରିଥିଲେ।  ଏଜେଣ୍ଟମାନଙ୍କ ଜରିଆରେ କମ୍ପାନୀରେ ପ୍ରାୟ ୪୬ ଲକ୍ଷ ୮୯ ହଜାର ୬୯୯ ଟଙ୍କା ଜମା କରିଥିଲେ। ହେଲେ ମ୍ୟାଚୁରିଟି‌ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଟଙ୍କା ଫେରି ନଥିଲା। ଏମିତିକି ସଂପୃକ୍ତ କମ୍ପାନୀ ତାହାର ଭୁବନେଶ୍ୱର ସମେତ ଅନ୍ୟ ସହରରେ ଥିବା ଶାଖା କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲା।   ଜମାକାରୀମାନେ ଏଜେଣ୍ଟଙ୍କୁ ଘେରିବାର ଆଶଙ୍କା ଥିବାରୁ ଏଜେଣ୍ଟମାନେ ବାରବାର ଦାସ ପରିବାରଙ୍କୁ ଦେଖା କରି ଟଙ୍କା ଫେରାଇବା ପାଇଁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଓଲଟି ଧମକ ମିଳିଥିଲା। ଫଳରେ ଏଜେଣ୍ଟମାନେ ୨୦୧୫ ଅଗଷ୍ଟ ୧୬ରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହି ସମୟରେ ଚିଟ‍୍‌ଫଣ୍ଡ ଦୁର୍ନୀତି ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିଲା। ହେଲେ ନୟାପଲ୍ଲୀ ଥାନାଧିକାରୀ ତଦନ୍ତ କରିବା ପରିବର୍ତ୍ତେ ମଧ୍ୟସ୍ଥ ସାଜିଲେ। ବାମନ ଚରଣ ଦାସ ପଇସା ନେବା କଥା ମାନିଥିଲେ ମଧ୍ୟ ତାଙ୍କୁ ଗିରଫ ନକରି ସେ ଟଙ୍କା ଫେରାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ବାମନ ମଧ୍ୟ ୫ ଲକ୍ଷ ଟଙ୍କା ସଙ୍ଗେସଙ୍ଗେ ଏଜେଣ୍ଟମାନଙ୍କୁ ଫେରାଇଥିଲେ। ବାକି ୪୨ ଲକ୍ଷ ଟଙ୍କାର ସୁଧମୂଳ ସହ ସେ କିସ୍ତିୱାରୀ ୨୦୧୫ ଡିସେମ୍ୱର ୩୧ ସୁଦ୍ଧା ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚକେ ଗଡ଼ିଲେ ବାର ହାତ। ବାମନ ଆଉ ଧରାଛୁଆଁ ଦେଲେ ନାହିଁ। ଏଜେଣ୍ଟମାନେ ବ୍ରହ୍ମପୁର ଯାଇ ତାଙ୍କୁ ସାକ୍ଷାତ କରି ଟଙ୍କା ମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେଲେ।   ନିରାଶ ହୋଇ ଏଜେଣ୍ଟମାନେ ନୟାପଲ୍ଲୀ ଥାନାରେ ପୁଣି ଥରେ ଅଭିଯୋଗ କଲେ। ତଥାପି ଥାନାବାବୁଙ୍କର ଚେତା ପଶି ନଥିଲା। ପୁଣି ଥରେ ଏଗ୍ରିମେଣ୍ଟ ହେଲା। ୨୦୧୬ ମାର୍ଚ୍ଚ ୩୧ରେ ହୋଇଥିବା ଚୁକ୍ତି ଅନୁଯାୟୀ ଅପ୍ରେଲ ୧୫ ମଧ୍ୟରେ ବାମନ ଦେବେ ୧୦ ଲକ୍ଷ ଟଙ୍କା। ବାକି ଟଙ୍କା କିସ୍ତିରେ ଦେବେ। ହେଲେ ବାମନ ଅପ୍ରେଲ ୧୪ରେ ୧୦ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ଆଉ ଦେବାର ନାଁ ଗନ୍ଧ ଧରିଲେ ନାହିଁ। ଫଳରେ ପୁଣି ଥରେ ଏଜେଣ୍ଟମାନେ ନୟାପଲ୍ଲୀ ଥାନାବାବୁଙ୍କ ଦ୍ୱାରସ୍ଥ ହେଲେ। ଏଜେଣ୍ଟ ଡିକେ ଲୋକେଶ, ରାଜେନ୍ଦ୍ର ବେହେରା, ସୁଶୀଳ ଚନ୍ଦ୍ର ଦାସ ନୟାପଲ୍ଲୀ ଥାନାରେ ଏନେଇ ଏଫଆଇଆର ଦାଖଲ କରିଛନ୍ତି। ଏତଲାକାରୀଙ୍କ ଅଭିଯୋଗ ଆଧାରରେ ୧୮୭/୧୬ ଦଫାରେ ୧୯୮ ବି, ଆଇପିସି ୪୫୬ରେ ମାମଲା ରୁଜୁ ହୋଇଛି।   ଏଠାରେ ପ୍ରଶ୍ନ ଉଠେ ଏକ ଚିଟ‍୍‌ଫଣ୍ଡ କମ୍ପାନୀ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ତଦନ୍ତ କରି ବାନ୍ଧିବାକୁ ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି। ତେବେ ଥାନାବାବୁ ଥାନାରେ ଏଗ୍ରିମେଣ୍ଟ କରି ଛାଡ଼ିଦେଲେ କେମିତି? ଏକ ଚିଟ‍୍‌ଫଣ୍ଡ କମ୍ପାନୀ ଟଙ୍କା ଫେରାଇ ଦେଲେ କମ୍ପାନୀ ଦେହରେ ଲାଗିଥିବା ଠକ ଷ୍ଟିକର ଛାଡ଼ିଯିବ କି? ତାଙ୍କ ନାଁରେ ମାମଲା ହେବନାହିଁ କି? କାହା ଭରସାରେ, କେଉଁ ବିଶ୍ୱାସରେ ଥାନାବାବୁ କମ୍ପାନୀ ମାଲିକଙ୍କ ଚୁକ୍ତିରେ ରାଜି ହୋଇଗଲେ? ଉକ୍ତ କମ୍ପାନୀ କ’ଣ ଖାଲି ଏଇ ଏଜେଣ୍ଟମାନଙ୍କଠାରୁ ୪୬ ଲକ୍ଷ ଲୁଟିଥିଲା କି? ଯଦି କମ୍ପାନୀ ମାଲିକ ଓଡ଼ିଶା ଛାଡ଼ି ପଳାଇ ଯାଇଥା’ନ୍ତେ ତେବେ ଏଜେଣ୍ଟମାନଙ୍କୁ ଟଙ୍କା କ’ଣ ଥାନାବାବୁ ଫେରାଇ ଥା’ନ୍ତେ?

Share :