ବିଜେଡିରେ ନାହିଁ ବିଜୁରକ୍ତ!

ବିଜେଡିରେ ନାହିଁ ବିଜୁରକ୍ତ!

Share :

ଓଡ଼ିଶା ରାଜନୀତିରେ ଏବେ ବିଦ୍ରୋହ ଋତୁ। ଏବର୍ଷ ମୌସୁମୀରେ ସ୍ବାଭାବିକ ପରିମାଣରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିବା ବିଦ୍ରୋହ ସ୍ବାଭାବିକ ଭାବେ ଶୁଷ୍କ ରହିବ କି ବନ୍ୟା ସୃଷ୍ଟି କରିବ ତାହା କହିବା ମୁସ୍କିଲ।   ଏବେ ଶାସକ ବିଜୁ ଜନତା ଦଳରେ ବିଜୁବାବୁଙ୍କ ପରି କେହି ସାହସୀ ନେତା ନାହାନ୍ତି। ତେଣୁ କେହି ଖୋଲାଖୋଲି ବିଦ୍ରୋହ କରୁ ନାହାନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜଣେ ଡରୁଆ ନେତା ହୋଇଥିଲେ ମଧ୍ୟ ତାଙ୍କୁ ଡରୁଥିବା ଲୋକମାନେ ବିଧାୟକ ଓ ମନ୍ତ୍ରୀ ଚାକିରି କରିଛନ୍ତି। ତେଣୁ ଦଳରେ ବଡ଼ ଧରଣର ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ଦଳ ଭିତରେ ବିଦ୍ରୋହ ପରିସ୍ଥିତି ଲାଗି ରହିଛି। ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ନେତାଙ୍କ ବିଦ୍ରୋହ କେବଳ ବିବୃତିର ସୀମୀତ ରହିଯାଉଛି। ଦଳର ବରିଷ୍ଠ ଉପସଭାପତି ତଥା ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କର ସ୍ବଭାବସୁଲଭ ନରମଗରମ ଢଙ୍ଗରେ କେତେବେଳେ ବିଦ୍ରୋହର ବିଗୁଲ ବଜାଉଛନ୍ତି ତ ପୁଣି କେତେବେଳେ ନବୀନ ପଟ୍ଟନାୟକଙ୍କ ଛାଟକୁ ଡରି ମୁହଁରୁ ତୁରୀ କାଢ଼ି ତଳେ ରଖି ଦେଉଛନ୍ତି। ଦଳ ଓ ସରକାରରେ ତାଙ୍କର ମାନ ଓ ସମ୍ମାନ ବାରମ୍ବାର ଲୁଣ୍ଠିତ ହୋଇଛି ବୋଲି ନିଜେ ସେ କ୍ଷୋଭର ସହ କହିଲେ ଓ ଆଉ ସହିବେ ନାର୍ହି ବୋଲି ବଜ୍ର ଘୋଷଣା କଲେ। କିନ୍ତୁ ନବୀନଙ୍କ ବେତମାଡ଼ ପରେ ଲାଙ୍ଗୁଡ଼ ଯାକି ସବୁ ସହିଗଲେ।   ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ତାଙ୍କ ଭାଇବୋହୂଙ୍କ ବିଦ୍ରୋହ ବିଜେଡି ହାତରୁ କଟକ ମହାନଗର ନିଗମର ଗୋଟିଏ କାଉନ୍‌ସିଲ ଛଡ଼ାଇ ନେବାରେ ସଫଳ ହେଲା। କିନ୍ତୁ ଭାସ୍କର ରାଓଙ୍କୁ ରାଜ୍ୟସଭା ପଠାଇବା ନିଷ୍ପତ୍ତି ବିରୋଧରେ ଜୟରାମ ପାଙ୍ଗିଙ୍କ ବିଦ୍ରୋହାତ୍ମକ ଅଭିବ୍ୟକ୍ତି ରାଓଙ୍କୁ ଅଟକାଇ ପାରିଲା ନାହିଁ। ଦାମଙ୍କ ବିଦ୍ରୋହ ସରକାରରେ ତାଙ୍କର ଗୁରୁତ୍ବକୁ ଦି’ ଇଞ୍ଚ ବଢ଼ାଇଦେଲା। ମାତ୍ର ଏ ଦଳରେ ଅନ୍ୟ କାହାର ବିଦ୍ରୋହ ଏତେଟା ସଫଳ ହୋଇନାହିଁ। ଲୋକସଭାର ବିଦ୍ରୋହ କରିଥିବା ପ୍ରସନ୍ନ ଆଚାର୍ଯ୍ୟ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ମନ୍ତ୍ରୀପଦ ପାଇଥିଲେ ଓ ଏବେ ପୁଣି ପୁରସ୍କାର ସ୍ବରୂପ ରାଜ୍ୟସଭା ଗଲେ। ୨୦୧୨ ମେ ୨୯ ତାରିଖରେ ଯେଉଁମାନେ ପ୍ୟାରୀମୋହନଙ୍କ ବିଦ୍ରୋହ ଯୋଜନାରେ ସାମିଲ ଥିଲେ ସେମାନେ ଜଣଜଣ କରି ନବୀନଙ୍କ ଚରଣାଶ୍ରିତ ହେବା ପରେ ଏବେ ଦଳ ଓ ସରକାରର ପ୍ରମୁଖ ଦାୟିତ୍ବ ବହନ କରୁଛନ୍ତି। କିନ୍ତୁ ବିଲ୍‌କୁଲ୍ ବିଦ୍ରୋହ ନକରି କେବଳ ପଦେ କଡ଼ା କଥା କହିଦେଲାରୁ ଦଳର ସର୍ବବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ବହିଷ୍କାର କରାଗଲା। ତାଙ୍କୁ ଆତ୍ମପକ୍ଷ ରଖିବାର ସୁଯୋଗ ବି ଦିଆଗଲା ନାହିଁ।   ଏବେ ବି ଏ ଦଳଟିରେ ଅନେକ ବିଦ୍ରୋହୀ ମନୋଭାବର ଲୋକ ଅଛନ୍ତି। କିନ୍ତୁ ରାଜନୀତି କରିବା ପାଇଁ ଯେଉଁ ସାହସ ଓ ସ୍ବାଭିମାନ ଦରକାର ଏମାନଙ୍କ ନିକଟରେ ତାହାର ଘୋର ଅଭାବ ରହିଥିବାରୁ ସମସ୍ତେ ବିଜୁ ଜନତା ଦଳ ପ୍ରାଇଭେଟ ଲିମିଟେଡ଼ର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାରୁ ମନର ବିଦ୍ରୋହ ବାସ୍ତବ ରୂପ ନେଉ ନାହିଁ। ବିଜେଡି ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଛାଡ଼ି କଂଗ୍ରେସ ଓ ବିଜେପି ପରି ପବ୍ଲିକ ଲିମିଟେଡ଼ କମ୍ପାନୀରେ ଏହି ନେତାମାନେ ନିଜ ଯୋଗ୍ୟତା ନେଇ ପଦୋନ୍ନତି ପାଇବା ସମ୍ଭାବନା କ୍ଷୀଣ ଥିବାରୁ କମ୍ପାନୀ ବଦଳାଇବା ନିଷ୍ପତ୍ତି ନେଇପାରୁ ନାହାନ୍ତି। କାରଣ ସେମାନେ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତାର ସୀମାସରହଦ ମାପିଛନ୍ତି। ପ୍ରମୁଖ ବିରୋଧୀ ଦଳ କଂଗ୍ରେସରେ ରାଜନୀତିକ ପରିସ୍ଥିତି ଏ ଦେଢ଼ ଦଶନ୍ଧିରେ କେବେ ଶାନ୍ତ ଓ ସ୍ଥିର ହୋଇନାହିଁ। ଏ ଦଳଟିରେ ବିଦ୍ରୋହର ଗୋଟେ ଅବାରିତ ଧାରା ପ୍ରବାହିତ ହେଉଛି। ବ୍ରିଟିଶ ସରକାର ବିରୋଧରେ ହୋଇଥିବା ବିପ୍ଳବ ଓ ସଂଗ୍ରାମର ରକ୍ତ ସତେ ଯେମିତି ଏହି ଦଳର ପ୍ରତ୍ୟେକ ଧମନୀରେ ପ୍ରବାହିତ! କେବଳ ସୋନିଆ ଓ ରାହୁଳଙ୍କ ବିରୋଧରେ ବିଦ୍ରୋହ କରିବା ଛାଡ଼ି ଏହି ଦଳର ସମସ୍ତ ନେତା ବାକି ସମସ୍ତଙ୍କ ବିରୋଧରେ ସଦାବିଦ୍ରୋହୀ ଭାବେ ଜଣାଶୁଣା। ଓଡ଼ିଶା ପ୍ରଦେଶ କଂଗ୍ରେସରେ କେତେବେଳେ ଭକ୍ତ ଚରଣ ଦାସ ପିସିସି ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ବିଦ୍ରୋହ କଲେଣି ତ ପୁଣି କେତେବେଳେ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ବିରୋଧରେ ବିଧାୟକ ନବ ଦାସ ବିଦ୍ରୋହ ସଂଗଠିତ କଲେଣି। କେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ବିଦ୍ରୋହର ଇଙ୍ଗିତ ଦେଲେଣି ତ କେତେବେଳେ ନିରଂଜନ ପଟ୍ଟନାୟକ ଅସନ୍ତୋଷର ନିଆଁରେ ଘିଅ ଢାଳିଲେଣି। ଏ ଦଳଟିରେ ଏବେ ବିଦ୍ରୋହୀଙ୍କ ସଂଖ୍ୟା ଏତେ ଅଧିକ ଯେ ବାସ୍ତବରେ କିଏ କଂଗ୍ରେସ ଲୋକ କିଏ ବିଜେଡିର ପାଳିତ ମୂଷା ତାହା ଠଉରେଇବା ମହା ମୁସ୍କିଲ।   ରାଜ୍ୟର ତୃତୀୟ ବୃହତ୍ତମ ଦଳ ବିଜେପିରେ ବି ସବୁକିଛି ଠିକ୍ ଚାଲିନାହିଁ। ଦଳରେ ଏବେ ଜୋର୍‌ସୋର୍ ଅନ୍ତର୍ଦ୍ବନ୍ଦ୍ବ ଓ ଗୋଷ୍ଠୀବିବାଦ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଲେଶ୍ୱର ସମାବେଶରେ ଯାହା ପ୍ରତିବିମ୍ବିତ ହୋଇଥିଲା ତାହା ବରିଷ୍ଠ ନେତାଙ୍କ ଅସନ୍ତୋଷର ରୂପ ନେଇ ପିଣ୍ଡୁଳା ବାନ୍ଧିବାରେ ଲାଗିଲାଣି। ସଦ୍ୟ ସମାପ୍ତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯୋଗ ନଦେବା ଘଟଣା ଦଳରେ ଲାଗି ରହିଥିବା ବିଦ୍ରୋହାତ୍ମକ ବାତାବରଣେ ନେଇ ପୂର୍ବାଭାସ ପ୍ରଦାନ କରିଛି। ଏପରିକି ଏ ନେଇ ମନ୍ତବ୍ୟ ଦେବାକୁ ଯାଇଁ ବିଜୟ ମହାପାତ୍ର ସ୍ପଷ୍ଟ ଭାବେ କହିଛନ୍ତି ଯେ ଗତ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଦଳ ଲୋକଙ୍କ ପାଖକୁ ଯାଉ ନାହିଁ। ପୁଣି ଏକ ଏଭଳି ବୈଠକ କେବଳ ଔପଚାରିକତା ବ୍ୟତିତ ଅନ୍ୟ କିଛି ନୁହେଁ।   ବାଲେଶ୍ୱର ସମାବେଶରେ ମୋଦିଙ୍କ ସହ ଏହି ନେତାମାନଙ୍କୁ ମଞ୍ଚ ଉପରେ ବସିବାର ସୁଯୋଗ ମିଳିଥିଲେ ମଧ୍ୟ କହିବାର ସୁଯୋଗ ମିଳିନଥିଲା। ପରେପରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ଉତ୍ସବକୁ ବର୍ଜନ କରିଥିଲେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ଏତାଦୃଶ ନିଷ୍ପତ୍ତିକୁ ନେଇ ଦଳର ଏକ ଗୋଷ୍ଠୀ ବିରୋଧ କରିଥିଲେ ମଧ୍ୟ କେତେକ ନେତାଙ୍କ ସହ ବିଜୟ ମହାପାତ୍ର ମଧ୍ୟ ସମର୍ଥନ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦିଲ୍ଲୀପ ରୋଷ ପ୍ରକଟ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଜୁଏଲ‍୍‌ ଓରାମଙ୍କ ବ୍ୟତିତ ଦଳର ଅନ୍ୟ କେହି ତାଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ କରି ନଥିଲେ। ସେହିଭଳି ରାଜ୍ୟ ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ ମଧ୍ୟ ଏବେକାର ଦଳ ପରିଚାଳନା ନେଇ ସନ୍ତୁଷ୍ଟ ନଥିବା ସଂକେତ ମିଳୁଛି। ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡାଙ୍କ ଟିମ‍୍‌ରେ କେଭିଙ୍କ ଦୃଢ଼ ସମର୍ଥକମାନଙ୍କୁ ଥଇଥାନ କରାଯାଇ ନାହିଁ। ତେଣୁ ସେ ଗତ କେଇ ମାସ ଧରି ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ‍୍‌ ହେଉନାହାନ୍ତି। କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ଫ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ରାଜ୍ୟ ବିଜେପିର ସର୍ବମାନ୍ୟ ନେତା ଓ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିବାରୁ ଆହୁରି ଅନେକ ନେତା ଅସନ୍ତୁଷ୍ଟ ଥିବା ଓ ବେଳ ପଡ଼ିଲେ ବିଦ୍ରୋହ କରିବାକୁ ଟାକି ବସିଥିବା ଶୁଣାଯାଉଛି।

Share :