ଘଟାନ୍ତର

ଘଟାନ୍ତର

Share :

ଦେବେନ୍ଦ୍ର ପୃଷ୍ଟି   କି ଦର୍କାର ଏତେ ଲୋକ, ଏତେ ଯାତ୍ରା, ଖର୍ଚ୍ଚବାର୍ଚ୍ଚ, ବହୁ ଆଡ଼ମ୍ବର? ପୁରୁଣା ପାପର ବ୍ରହ୍ମ, କଳୁଷିତ ମନ ଓ ଚୈତନ ଦୁଃଖ ଓ ଯନ୍ତ୍ରଣା ଯେତେ ପୁରାତନ ପ୍ରେମହୀନ ପୃଥିବୀର ପ୍ରଦୂଷଣ ବୋହିବାକୁ ଏଇ କି ବା ନବ କଳେବର?   ଦେହର ଗୁରୁତ୍ବ କ’ଣ? ଦିନେ ତ’ ପାତାଳୀ ହେବ ପୂରା ଶ୍ରୀମନ୍ଦିର! ପାତାଳୀ ହେବନି ଯଦି ସେବକଙ୍କ ମୋହମାୟା, ଲୋଭ, ଈର୍ଷା, ଦ୍ବେଷ, ଭକ୍ତଙ୍କର ଅନ୍ଧ ଆନୁଗତ୍ୟ କୋଇଲି ବୈକୁଣ୍ଠେ ଯଦି ନେବନି କବର ହିଂସା ଶୋଷଣ, କଷଣ ଆଉ ଯେତେ ଅତ୍ୟାଚାର ମୋ ମୂର୍ତ୍ତି ବଦଳିଗଲେ ବଦଳି କି ଯିବ ତୁମ ଚେହେରା ନର୍କର?   ମୋ ଭାଗ୍ୟରେ ଯଦି ନାହିଁ ନିର୍ବାଣ ବା ଅମରତ୍ବ ମୁଁ ଯଦି ଭୋଗିବି ନାହିଁ ଚିର ଯୌବନର ସ୍ବାଦ କାହିଁକି ବୋହିବି ତୁମ ସ୍ବାର୍ଥ-ପାପ ଭାର?   ମୁଁ ଜାଣିନି କିଏ ନେଲା ନୂଆ ରୂପ, କାହାର ଏ ଯାତ୍ରା? କେତେ କିଏ ପିନ୍ଧିନେଲେ କେତେ ନୂଆ ପାଟ ଓ ପଇତା? କାହାର ଉଠିଲା କେତେ ଫଟୋ, ହେଲା କାହାର ପ୍ରଚାର? କଳେବର ବୃଦ୍ଧି ହେଲା କାହା ସଂପତ୍ତିର ଆଉ କାହାର ମୂର୍ତ୍ତିର?   ମୋର ହେଲା ଘଟାନ୍ତର, ବ୍ରହ୍ମାଣ୍ଡର ରହିଲା ପୁରୁଣା ସେଥିପାଇଁ କାହିଁ ବୃକ୍ଷ, କାହିଁ ବନଯାତ୍ରା? କେଉଁ ବିଶ୍ବାବସୁ ଘରେ ରହିଛି ମୋ ଜୀବନର ମଞ୍ଜି? କେଉଁ ବିଦ୍ୟାପତି ତା’ର ପାଇବ ସନ୍ଧାନ? ମୁଁ ଫେରି ପାଇବି କେହ୍ନେ ମୋର ପୂର୍ବ ରୂପ? ମୋ ବଣ ପାହାଡ଼ ନଈ, ପ୍ରଚୁର ଆକାଶ ପ୍ରକୃତିର ମୁକ୍ତରାଗ ସାମ୍ୟ ଓ ନ୍ୟାୟର?

Share :