ଶ୍ରୀବାଣୀ କ୍ଷେତ୍ରର ପ୍ରତିଷ୍ଠା ମହୋତ୍ସବ

ଶ୍ରୀବାଣୀ କ୍ଷେତ୍ରର ପ୍ରତିଷ୍ଠା ମହୋତ୍ସବ

Share :

କିସ‌୍‍ ପରିସରସ୍ଥ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ନବମ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଉଦ‌୍‍ଯାପିତ ହୋଇଯାଇଛି। ଜୁନ‌୍‍ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉଦ‌୍‍ଯାପନୀ ଦିବସରେ ଯଜ୍ଞ ପୂର୍ଣ୍ଣାହୁତି ସହ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଧର୍ମସଭାରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ବାବା ରାମ ନାରାୟଣ ଦାସ ମହାରାଜ ସଭାପତିତ୍ୱ କରିଥିବା ବେଳେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା, ପଣ୍ଡିତ ପ୍ରବୋଧ ମିଶ୍ର, ପଣ୍ଡିତ ସୁଦର୍ଶନ ପୂଜାପଣ୍ଡା ପ୍ରମୁଖ ଆଶୀର୍ବଚନ ପ୍ରଦାନ କରିଥିଲେ।   କିଟ‌୍‍ ମନ୍ଦିର ଓ ଟ୍ରଷ୍ଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅତିଥି ପରିଚୟ ପ୍ରଦାନ କରି ମନ୍ଦିର ପ୍ରତିଷ୍ଠା ବିଷୟରେ ସୂଚନା ଦେଇଥିଲେ। ପଣ୍ଡିତ ରଥଶର୍ମା ମଧ୍ୟ ମନ୍ଦିର ପ୍ରତିଷ୍ଠାର ଇତିହାସ ଓ ମହାପ୍ରଭୁଙ୍କ ଅପାର କରୁଣା ଯୋଗୁଁ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ମନ୍ଦିର ପ୍ରତିଷ୍ଠା ହୋଇପାରିଛି ବୋଲି କହିଥିଲେ। ମନ୍ଦିର ପ୍ରଶାସକ କମଳାକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମବହୁଳ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ପ୍ରତ୍ୟେକ ବ୍ୟକ୍ତି ଆଧ୍ୟାତ୍ମିିକତାରେ ନିଜକୁ ବୁଡ଼ାଇ ରଖିପାରିଲେ ମନକୁ ଶାନ୍ତି ମିଳିପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।   ସୂଚନା ଯୋଗ୍ୟ ଯେ, ଗଜପତି ମହାରାଜାଙ୍କ ପରାମର୍ଶକ୍ରମେ ଶ୍ରୀବାଣୀକ୍ଷେତ୍ରର ଏହି ମନ୍ଦିର ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର କଳାକୌଶଳ ଓ ନୀତି ନିୟମକୁ ଅନୁକରଣ କରାଯାଇ ନିର୍ମାଣ କରାଯାଇଛି। ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀକ୍ଷେତ୍ର ପରି ରଥଯାତ୍ରା ଓ ଶ୍ରୀ ଜୀଉଙ୍କ ନୀତିକାନ୍ତି ସଂପାଦିତ କରାଯାଇଥାଏ। 

Share :