ରେବ ଗିଳୁଛି ଓରାଳି

ରେବ ଗିଳୁଛି ଓରାଳି

Share :

ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ   ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଅଧୀନ ଓରାଳି ଗାଁ ପାଖ ଦେଇ ବହି ଯାଇଛି ରେବ ନଈ। ଖୁବ‌୍‍ କମ‌୍‍ ଦିନ ଭିତରେ ରେବ ନଈ ଆଁରେ ଲୀନ ହେବାକୁ ଯାଉଛି ଓରାଳି ଗାଁ।   ତିହିଡ଼ି ସଦର ମହକୁମାଠାରୁ ୨୦ କି.ମି. ଦୂରରେ ଓରାଳି ଗାଁ ଅବସ୍ଥିତ। ଏହି ଗାଁର ମାନଚିତ୍ରରେ ରହିଛି ଗ୍ରାମଦେବତୀ ନାୟକାଣୀ ଦେବୀଙ୍କ ପୀଠ। ଏହି ଗ୍ରାମଦେବତୀ ମନ୍ଦିର ପଛକୁ ବହି ଯାଉଥିବା ରେବ ନଈ ଧୀରେ ଧୀରେ କୂଳ ଖାଉଛି। କେତେବେଳ ଯେ ଶହ ଶହ ବର୍ଷର ଏହି ଗ୍ରାମଦେବତୀ ମନ୍ଦିରକୁ ନଈ ଭିତରକୁ ଟାଣି ନନେବ ତାହା କହି ହେବ ନାହିଁ।   ଗାଁରେ ୧୫୦ ଘର ଅବସ୍ଥିତ। ପ୍ରାୟ ୧୦୦୦ ଲୋକ ଗାଁରେ ବସବାସ କରନ୍ତି। ନଈରେ ଗାଁ ବିଲୀନ ହେବା ଆଶଙ୍କାରେ ଗ୍ରାମବାସୀଙ୍କ ମଧ୍ୟରୁ ନଈ କଡ଼ରେ ରହୁଥିବା ଘନଶ୍ୟାମ ପାତ୍ର, ରଙ୍ଗାଧର ରାଉତ, ମାୟାଧର କବି, ଜଗବନ୍ଧୁ ରାଉତ ଓ ନାରାୟଣ ପ୍ରଧାନ ପରିବାର ସହ ଅନ୍ୟତ୍ର ଯାଇ ଘର କରି ରହିଛନ୍ତି। ସେହିପରି ଏବେ ନଈ କୂଳରେ ଘର କରିଥିବା ବିମ୍ୱାଧର ରାଉତ, ବାବାଜୀ ସ୍ୱାଇଁ, ପରମେଶ୍ୱର ବେହେରା, ପୀତାମ୍ୱର କବି ଓ ବୁଦ୍ଧିରାମ ପାତ୍ରଙ୍କ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି।    ନଈର ସ୍ରୋତ ପ୍ରଖର ବେଳେ ଏହି ସ୍ଥାନରେ ପାଣି ଭଉଁରି କାଟୁଛି। ଯାହାଫଳରେ ନଈ ଧୀରେ ଧୀରେ ଗ୍ରାମ ଆଡ଼କୁ ଖାଇ ଖାଇ ଆସୁଛି। ପ୍ରାୟ ୧ ବର୍ଷ ତଳେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଈ ପାର୍ଶ୍ୱରେ ପଥର ପ୍ୟାକିଂ କରାଯାଇଥିଲା। ପଥର ପ୍ୟାକିଂ କରାଯିବାର କିଛିମାସ ପରେ ପଥରଗୁଡ଼ିକ ନଈ ଭିତରକୁ ଚାଲିଗଲା। ଯେଉଁଥିପାଇଁ ପୁଣି ନଈ କୂଳ ଖାଇବାରେ ଲାଗିଛି। ଏ ସମ୍ପର୍କରେ ଗ୍ରାମବାସୀ ବିଭିନ୍ନ ସମୟରେ  ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି। ଫଳରେ ସେମାନେ ନିରୂପାୟ ହୋଇ ପଡ଼ିଛନ୍ତି।   ଏହାର ସ୍ଥାୟୀ ପ୍ରତିକାର କରା ନଗଲେ ଆଗାମୀ ଦିନରେ ଓରାଳି ଗାଁ ନଈରେ ମିଶିଯିବା ନିଶ୍ଚିତ। ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ୱର ବେହେରା କହିଛନ୍ତି ଯେ, ହଟନଗର ଠାରେ ଥିବା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲେ ନଈ ଆଉ କୂଳ ଖାଇବ ନାହିଁ। ଗ୍ରାମର ଅନ୍ୟ ଜଣେ ଶିକ୍ଷକ ନାରାୟଣ ବେହେରା ତାଙ୍କ ମତ ଦେଇ କହିଛନ୍ତି ଯେ,  କରାଯାଇଥିବା ପଥର ପ୍ୟାକିଂ ଠିକ‌୍‍ ରୂପେ ହୋଇ ନଥିବାରୁ ପଥରଗୁଡ଼ିକ ନଦୀ ମଝିକୁ ଚାଲିଯାଇଛି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଇ ସମସ୍ୟାର ସମାଧାନ ଶୀଘ୍ର କରାଯାଉ। ଗ୍ରାମର କାଳନ୍ଦୀ ପାତ୍ର ଓ ବାବାଜୀ ଚରଣ ସ୍ୱାଇଁ କହନ୍ତି, ବିଭିନ୍ନ ସମୟରେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରାଶାସନିକ ଅବହେଳା ପାଇଁ ଗ୍ରାମବାସୀ ବିପଦରେ ସମ୍ମୁଖୀନ ହେଉଛନ୍ତି।   ତେବେ ଏ ସମ୍ପର୍କରେ ଯାଜପୁର ଜଳସେଚନ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୨ ବର୍ଷ ତଳେ ପଥର ପ୍ୟାକିଂ କରାଯାଇଥିଲା। ଏବେ ଡ୍ରେନେଜ ଉନ୍ନତୀକରଣ ଯୋଜନାରେ ଡ୍ରେନେଜ ଡିଭିଜନକୁ ରେବ ନଦୀର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି।

Share :