ଏ ଗାଁ ପାଇଁ ରାସ୍ତା ଏକ ସ୍ବପ୍ନ

ଏ ଗାଁ ପାଇଁ ରାସ୍ତା ଏକ ସ୍ବପ୍ନ

Share :

ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ   ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଅର୍ଜୁନବିନ୍ଧା ଠାରୁ ମଧୁପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ତିଆଡ଼ିସାହିଠାରୁ ଅଢ଼େଇ କି.ମି. ଦୂରତାରେ ରହିଛି ପଇତିପୁର ଗାଁ। ଦୁଇଟି ୱାର୍ଡ଼କୁ ନେଇ ଗଠିତ ପଇତିପୁର ଗାଁରେ ୬୦୦ରୁ ଉର୍ଦ୍ଧ୍ୱ ଲୋକ ବାସ କରନ୍ତି। ଗୋଟିଏ ୱାର୍ଡ଼ରେ କେବଳ ଅନୁସୂଚିତ ଜାତିର ଲୋକ ବାସ କରନ୍ତି। ଦେଶ ସ୍ବାଧୀନ ହେବାର ୬୯ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏଇ ଗାଁକୁ ଏଯାଏଁ ନିୟମିତ ରାସ୍ତାଟିଏ ନାହିଁ।   ଲୋକଙ୍କ ପାଇଁ ସଡ଼କ ଯୋଗାଯୋଗ ହେଉଛି ଏକ ମୌଳିକ ଆବଶ୍ୟକତା। ସେଥିପାଇଁ ସରକାରଙ୍କ ପକ୍ଷରୁ ଗମନାଗମନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ଅଞ୍ଚଳ ଗମନା ଗମନରେ ପଛରେ ଥାଏ ସେଠାରେ ବସବାସ କରୁଥିବା ଲୋକଙ୍କର ବିକାଶ ଘଟିବା ସମ୍ଭବ ହୁଏ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତର ପଇତିପୁର ଗାଁ ଏମିତି ଭାବରେ ସଡ଼କ ଯୋଗାଯୋଗ ଅଭାବରୁ ଅନୁନ୍ନତ ହୋଇ ରହି ଯାଇଛି। ସ୍ୱାଧୀନତା ପରଠାରୁ ଆଜିଯାଏ ଗ୍ରାମବାସୀଙ୍କ ପାଇଁ ରାସ୍ତା ସ୍ୱପ୍ନ ପାଲଟିଛି। ଖରାଦିନେ ବିଲ ମଝିରେ ଥିବା ପାଦଚଲା ରାସ୍ତାରେ ଲୋକମାନେ ଯାତାୟତ କରିଥାନ୍ତି। ମାତ୍ର ବର୍ଷାଦିନେ ଗାଁରୁ ବାହାରିବା ସମ୍ଭବ ହେଉ ନଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି।   ବିଭିନ୍ନ ସମୟରେ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନପାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ତିହିଡ଼ି ସଦର ମହକୁମାଠାରୁ ୨୦ କି.ମି. ଦୂରରେ ପଇତିପୁର ଗ୍ରାମ ଅବସ୍ଥିତ। ଗ୍ରାମର ପୂର୍ବ ପାର୍ଶ୍ୱରେ ସାଳନ୍ଦୀ ନଦୀ ପ୍ରବାହିତ। ଏହାଛଡ଼ା ନଦୀରୁ ସୃଷ୍ଟି ହୋଇଥିବା ବିଭିନ୍ନ ନାଳ ମଧ୍ୟ ଗ୍ରାମ ପାର୍ଶ୍ୱରେ ରହିଛି। ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଅଳ୍ପ କିଛି ଲୋକ ମତ୍ସ୍ୟଜୀବୀ ଅଟନ୍ତି।   ପ୍ରାୟ ପ୍ରତି ବର୍ଷ ସେହି ଅଞ୍ଚଳର ଧାନ ଚାଷ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଥିବାରୁ ଲୋକଙ୍କର ଅର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ତିଆଡ଼ିସାହି ଠାରୁ ଗ୍ରାମ ପର୍ଯ୍ୟନ୍ତ ଯେଉଁ ଚାଷ ଜମି ରହିଛି ତା’ରି ମଝିରେ ଏକ ପାଦଚଲା ରାସ୍ତା ତିଆରି ହୋଇଛି। ରାସ୍ତା କଂକ୍ରିଟ ହେବା ତ ଦୂରର କଥା ଆଜିଯାଏ ମୋରମ ମୁଠାଏ ପଡ଼ି ନାହିଁ। ବର୍ଷା ଦିନେ ରାସ୍ତାର ଆଣ୍ଠୁଏ କାଦୁଅରେ ସ୍କୁଲ ପିଲାମାନଙ୍କ ସମେତ ଗ୍ରାମବାସୀଙ୍କ ଯାତାୟତ ଯନ୍ତ୍ରଣାଦାୟକ ହୋଇଥାଏ। ତେଣୁ ବର୍ଷା ୩ମାସ ଲୋକେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାରକୁ ଯାଉଥିବା ବେଳେ ଅନ୍ୟ ସମୟତକ ଜଳବନ୍ଦୀ ହୋଇ ରହିଥାନ୍ତି।   ଗ୍ରାମର ଯୁବ ଆଇନଜୀବୀ ବିଷ୍ଣୁ ଦାଶ କହନ୍ତି ପ୍ରଶାସନର ଚରମ ଅବହେଳା ପାଇଁ ଗ୍ରାମବାସୀ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ଯେ ରାସ୍ତାଟିଏ ହେବ ଲୋକେ ସେ ସ୍ୱପ୍ନକୁ ପାଶୋରି ଦେଲେଣି। ଗ୍ରାମର ସୁରେନ୍ଦ୍ର ବଳ କହନ୍ତି ଆମେ ଯେମିତି ଦୟନୀୟ ଭାବେ ଜୀବନ ବିତାଉଛୁ ତାହା ପ୍ରକାଶ କରିବା ସମ୍ଭବ ନୁହେଁ। ଗ୍ରାମବାସୀ ନନ୍ଦକିଶୋର ଦାସ କହନ୍ତି ଗାଁ ଉପରେ ପ୍ରଶାସନର କୃପା ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟର ବିଷୟ। ଏ ସମ୍ପର୍କରେ ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପଇତିପୁରରୁ ସାପକାତିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ପଠା ଯାଇଛି। ପ୍ରକଳ୍ପ ମଞ୍ଜୁର ହୋଇ ଅନୁଦାନ ମିଳିଲେ ରାସ୍ତା ନିର୍ମାଣ ହେବ।

Share :