ମୂଷାଙ୍କ ଦଳ, ଭୂତଙ୍କ ସର୍କାର!

ମୂଷାଙ୍କ ଦଳ, ଭୂତଙ୍କ ସର୍କାର!

Share :

ଏଭଳି ମତ ଓ ମନ୍ତବ୍ୟ କିଛି ନୂଆ କଥା ନୁହେଁ। ରାଜନୀତିରେ ଶତ୍ରୁମାନେ ପରସ୍ପରକୁ କୁକୁର ବିଲେଇ କହିବାର ବି ନଜୀର ଅଛି। କିନ୍ତୁ ଓଡ଼ିଶାରେ ସଂପ୍ରତି ଯେଉଁ ପ୍ରକାର ରାଜନୀତିକ ବାକ୍ୟାଳାପ ଚାଲିଛି ତାହା ରାଜ୍ୟର ରାଜନୀତିକ ନେତାମାନଙ୍କର ପ୍ରକୃତ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି। ରାଜ୍ୟରେ ଏବେ ଭୂତ ସରକାର ଚାଲିଛି। ଆଉ ପ୍ରାୟ ସବୁ ଦଳୀୟ ନେତା ହେଲେ ମୂଷା।   ସାଂପ୍ରତିକ ସମୟରେ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ମୂଷା ରୂପରେ ପ୍ରଥମେ ଦେଖିଲେ ଧରିତ୍ରୀ ସଂପାଦକ ତଥା ବିଜୁ ଜନତା ଦଳର ସାଂସଦ ତଥାଗତ ସତପଥୀ। ଅର୍ଥତତ୍ତ୍ବ ଚିଟ୍ ପଣ୍ଡ ଦୁର୍ନୀତିରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ନାମ ଉଠିବା ପରେ ସେ ଏହି ମନ୍ତବ୍ୟ ଦେଇଥିଲେ। ପ୍ରାୟ ଦୁଇ ମାସ ତଳେ ଅର୍ଥତତ୍ତ୍ବ ସଂସ୍ଥାରୁ ପାଜେରୋ ଗାଡ଼ି ଉପହାର ନେଇଥିବା ଅଭିଯୋଗ ଉଠିବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ନେଇ ରାଜନୀତିକ ମହଲରେ ସମାଲୋଚନାର ତୋଫାନ ବହିଥିଲା। ବିରୋଧୀଙ୍କ ସ୍ବର ସହିତ ସ୍ବର ମିଳାଇ ସେତେବେଳେ ଅନେକ ଦଳୀୟ ନେତା ମଧ୍ୟ ପରୋକ୍ଷରେ ତାଙ୍କର ବହିଷ୍କାର ଦାବି କରିଥିଲେ।   ସେହି ସମୟରେ ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ଧରିତ୍ରୀ ସଂପାଦକ ତଥାଗତ ସତପଥୀ ଏ ସଂପର୍କର ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି ମୂଷା ମନ୍ତବ୍ୟ ଦେଇଥିଲେ। ସଂଜୟ ଦାସବର୍ମାଙ୍କ ନାମ ନନେଇ ସେ କହିଥିଲେ ଯେ ଏଫସିଆଇ ଗୋଦାମରେ ବହୁତ ମୂଷା ଥାନ୍ତି। ସେମାନେ ଚାଉଳ, ଗହମ, ଚିନିକୁ ରୁଟରୁଟ କରି ଖାଇଯାନ୍ତି। ଏଭଳି ମୂଷାଙ୍କୁ ମୂଷାଧରା ଜନ୍ତାରେ ଧରି ନେଇ ଟାଣ ଖରାରେ ରଖିଦେଲେ ସେମାନେ କଳାକାଠ ପଡ଼ିଯିବେ। କହିବା ବାହୁଲ୍ୟ ସଂଜୟ ଦାସବର୍ମାଙ୍କ ଖାଦ୍ୟ ଯୋଗାଣ ବିଭାଗ ହିଁ ଧାନ, ଚାଉଳ, ଗହମ ଓ ଚିନି ଆଦି ସହିତ ସଂପୃକ୍ତ।   ତଥାଗତଙ୍କର ପ୍ରକାର ମନ୍ତବ୍ୟକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ଓ ବିଜେପିର କେତେକ ନେତା ସେତେବେଳେ ନବୀନ ସରକାରେର ମୂଷାମରା ଅଭିଯାନ ଆରମ୍ଭ ହେଉ ବୋଲି ଦାବି କରିଥିଲେ।   ଏହାର କିଛି ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ଦଳରେ ଅନେକ ମୂଷା ଅଛନ୍ତି ବୋଲି କହି ରାଜ୍ୟର ସ୍ଥିର ରାଜନୀତିକ ପାଣିରେ ତରଙ୍ଗ ସୃଷ୍ଟି କରିବାକୁ ଉଦ୍ୟମ କଲେ। ଗଣମାଧ୍ୟମରେ ସେ କହୁକହୁ କହିପକାଇଲେ ଯେ ତାଙ୍କ ଦଳରେ ଅନେକ ମୂଷା ଅଛନ୍ତି। ସେହି ମୂଷାମାନଙ୍କୁ ନଧରିଲା ଯାଏଁ ଦଳ ଆଗେଇ ପାରିବ ନାହିଁ। ସବୁ ଦଳରେ ସବୁ କାଳରେ ଏମିତି ମୂଷା ଥାନ୍ତି ବୋଲି ମଧ୍ୟ ସେ କହିଥିଲେ।   ନିରଂଜନଙ୍କ ମୂଷା ମନ୍ତବ୍ୟକୁ ସ୍ବାଭାବିକ ଭାବେ ତାଙ୍କର ରାଜନୀତିକ ଶତ୍ରୁ ଜୟଦେବ ଜେନା ବିରୋଧ କରିଥିଲେ। ବର୍ତ୍ତମାନର ପ୍ରଦେଶ କଂଗ୍ରେସ ମୁଖ୍ୟା ପ୍ରସାଦ ହରିଚନ୍ଦନଙ୍କ ଶ୍ବଶୁର ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ନିଜ ପୂର୍ବ ସଂପର୍କ ଭୁଲିଯାଇଁ କଂଗ୍ରେସରେ ମୂଷା ଥିବା କଥାକୁ ଅସ୍ବୀକାର କରିବା ସହିତ କହିଥିଲେ ଯେ ନିଂରଜନ ଯଦି ତାଙ୍କ ଘରେ ମୂଷା ପାଳିଥିବେ ତେବେ ମୂଷା ସେଇଠି ଥିବେ, କଂଗ୍ରେସରେ କେହି ମୂଷା ନାହାନ୍ତି।   ଏବେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ନବୀନ ପଟ୍ଟନାୟକ ସରକାରରେ ସମବାୟ ଓ ଅବକାରୀ ବିଭାଗର ମନ୍ତ୍ରୀ ଥିବା ଡାକ୍ତର ଦାମୋଦର ରାଉତ ନିଜ ଦଳର କେତେକ ନେତାଙ୍କୁ ଭୂତ ବୋଲି କହି ରାଜନୀତିକ ଭଦ୍ରତାର ସୀମା ସରହଦ ପାର୍ କରିଯାଇଛନ୍ତି। ୨୦୦୯ ମସିହାର ଏକ ଘଟଣାକୁ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିବା ସମୟରେ ସେ ତାଙ୍କର ରାଜନୀତିକ ଶତ୍ରୁ ତଥା ରାଜ୍ୟସଭା ସଦସ୍ୟ ବିଷ୍ଣୁ ଦାସ,  ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭୂତ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ଏପରି ମନ୍ତବ୍ୟକୁ ଦଳୀୟ ହାଇକମାଣ୍ଡ ନାପସନ୍ଦ କରିବା ପରେ ସେ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ଏଡ଼ାଇବା ଉଦ୍ଦେଶ୍ୟରେ ଏପରି କହି ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ମାତ୍ର ସେ ଏହି ତିନି ନେତାଙ୍କୁ ଭୂତ କହିଥିବା ଭିଡ଼ିଓରେ ରେକର୍ଡ଼ ହୋଇ ରହିଛି ଓ ତାହାକୁ ତାଙ୍କରି ଦଳର ଜଣେ ସାଂସଦଙ୍କ ଟେଲିଭିଜନ ଚାନେଲ୍ ସୌଜନ୍ୟରୁ ବହୁ ଲୋକ ଦେଖିଛନ୍ତି ଓ ଶୁଣିଛନ୍ତି।   ମୂଷା ଓ ଭୂତ ଭିଡ଼ ଜମାଇବା ପୂର୍ବରୁ ରାଜ୍ୟର ଅନେକ ରାଜନେତା ନବୀନଙ୍କଠାରୁ ପଦପପଦବୀ ପାଇବାର ଲୋଭରେ ନିଜକୁ ତାଙ୍କର ଗୋଲାମ ଓ ଚାକର ଭାବେ ଉପସ୍ଥାପତି କରି ଗଣତନ୍ତ୍ରର ମର୍ଯ୍ୟାଦାହାନୀ କରିସାରିଛନ୍ତି। ସେଭଳି ଜଣେ ଆଗଧାଡ଼ିର ନେତା ହେଲେ ଏକଦା ରାମକୃଷ୍ଣଙ୍କ ପରେ ଗଂଜାମ ଟାଇଗର ଭାବେ ତେଲିଆ ଓ ଚାମଚାଙ୍କ ମୁଖରେ ବର୍ଣ୍ଣିତ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ର। ସେ ଏକ ସାଧାରଣ ସଭାରେ ନିଜକୁ ନବୀନ ପଟ୍ଟନାୟକଙ୍କ ଚାକର ବୋଲି ପରିଚୟ ଦେଇ କହିଥିଲେ ସେ ବିଜୁବାବୁଙ୍କ ବଂଶର ଚାକର ହେବାକୁ ଗର୍ବ କରନ୍ତି। ତାଙ୍କ ପରେ ଦଳର ଆହୁରି ଅନେକ ନେତା ନିଜକୁ ନବୀନ ପଟ୍ଟନାୟକଙ୍କଆ ଚାକର ଭାବେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ଦେବାଶିଷ ସାମନ୍ତରାୟ ଓ ସମୀର ଦାଶଙ୍କ ପରି କେତେକ ନେତା ଖୋଲାଖୋଲି ଭାବେ ଗଣମାଧ୍ୟମରେ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ମାଲିକ ଭାବେ ବର୍ଣ୍ଣନା କରିଛନ୍ତି। ସତେ ଯେମିତି ଏ ଦଳଟି ହେଉଛି ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ!   ଏବେ ଏଇ ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟର ଅନ୍ୟତମ ପ୍ରବକ୍ତା ସାଜିଛନ୍ତି କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ। ସେ ତାଙ୍କ ଦଳରେ ମୂଷା ଅଛନ୍ତି ବୋଲି ଅନ୍ୟତମ ନେତା ନିରଂଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇଁ କହିଛନ୍ତି ଯେ ତାଙ୍କ ଦଳର ମାଲିକ ହେଲେ ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଳ ଗାନ୍ଧୀ। ଭାରତୀୟ ଜନତା ପାର୍ଟିର କୌଣସି ନେତା ଏଭଳି ଭାଷାରେ ନିଜ ନେତାମାନଙ୍କର ଗୁଣଗାନ କରି ନଥିଲେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବତାର ପୁରୁଷ ଓ ବିକାଶ ପୁରୁଷ ଭାବେ ଉପସ୍ଥାପନ କରି ଚାଟୁକାରିତାର ସମସ୍ତ ସୀମା ଟପି ଯାଇଛନ୍ତି।

Share :