ଗୋଦାବରୀଶ ମିଶ୍ର ୧ ଭଲ କରି ନାଆ ବୋହୁଛି ନାଉରି, ଭିଡ଼ି ମାରୁଅଛି କାତ, ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ, ଜଣା ନ ପଡ଼ଇ ବାଟ। ନାଆ ଭାସି ଆସି ଦଣ୍ଡକ ଭିତରେ ମଝି ଗଣ୍ଡେ ହେଲା ଯାଇ, ଥିର ହୋଇ ହେଲା ନାଉରି ଠିଆ ଲୋ, କାତ ଆଉ ପାଉ ନାହିଁ। ଭାଲେରି-ଶିଖରୁ ଚଲାମେଘ ଖଣ୍ଡେ ଉଠେଇ ଆସିଲା କାହୁଁ, ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ, ଖରା ନ ପଡ଼ଇ ଆଉ। ମାଡ଼ି ଆସୁଅଛି ଅତି ବେଗେ ମେଘ, ଜଟିଆ ନାସିକି ଧରି, ବରଷା ବତାସି ଗରଜୁ ଅଛି ଲୋ, ଦିନ ଦିଶେ ରାତିପରି। ନାଆ ପଡ଼ି ଅଛି ମଝି ଗଣ୍ଡେ ଆସି, ବୁଡ଼ିଯିବ ହାତୀ ଛତି, ଟଳମଳ ହୋଇ ଟଳୁଛି ନାଆ ଲୋ, ନାଉରିର ବଡ଼ ଭୀତି। ଭଲ କରି ବେଗେ ବୁହାରେ ନାଉରି, ନାଆ ହେଲା ଟଳମଳ, ବରଷା ବତାସି ଗରଜି ଆସୁଛି ଝିଅକୁ ମାଡୁଛି ଡର। ବରଷା ବତାସି ଗରଜି ଆସିଲା, ନାଆ ନୁହେଁ ଥୟ କରି, ଏକା ପବନକେ ପାହାଡେ଼ ଯାଇ ଲୋ, ପିଟି ହୋଇଗଲା ଚୂରି। ୨ ମେଘ ଚାଲିଗଲା ମେଘର ବାଟେ ସେ, ବତାସି ହୋଇଲା ଥିର, ପଡ଼ିଗଲା ଖରା ନିର୍ମଳ ହୋଇ ଲୋ, ପାଣି ହୁଏ କଳ କଳ। ବାପା ପଚାରନ୍ତି ଖୋଜି ନାଉରିରେ ଝିଅ ମୋର ଗଲା କାହିଁ? ବୁଜି ଆଖି ଠିଆ ନାଉରି ନିଜେ ଲୋ, ତୁଣ୍ଡ ତା’ ଫିଟଇ ନାହିଁ। ଚିଲିକା ପାଣିରେ ଦୋଲୁଛି ଲହରୀ, ବୋହୁଛି ଶୀତଳ ବାଆ, ସୋରି ସୋରି ଖରା ଢଳି ଯାଉଛି ଲୋ, ଖେଳୁଛି ସହସ୍ର ନାଆ। ପାହାଡ଼ ଚଢ଼େଇ ଉଡୁଅଛି ରାବି, ମନେ କି ଅଛି ତା’ ଧୋକା? ପାଣି ତଳେ ଛାଇ ବୁଲିଯାଉଛି ଲୋ, ଜାଇଟି ନାହିଁ ଯା’ ଏକା। (‘କାଳିଜାଇ’ କବିତାର କିଛି ଅଂଶ)