ନଈକୁ ନର୍ଦ୍ଦମା କରିବା ବିରୋଧରେ ବିଦ୍ରୋହ

ନଈକୁ ନର୍ଦ୍ଦମା କରିବା ବିରୋଧରେ ବିଦ୍ରୋହ

Share :

ରଂଜିତ ରାଉତ   ବିଶ୍ୱରେ ଜଳ-ସଙ୍କଟ ତୀବ୍ର। ଜଳ ସଞ୍ଚୟ, ବର୍ଷାଜଳ ସଂରକ୍ଷଣ ସାଙ୍ଗକୁ ନଦୀ ଜଳର ସୁବିନିଯୋଗ ପାଇଁ ନଦୀ-ସଂଯୋଗୀକରଣକୁ ସରକାର ସମଗ୍ର ପ୍ରାଥମିକତା ଦେଉଥିବାବେଳେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରବାହିତ ମୂଳ ଖରସ୍ରୋତା ନଦୀକୁ ସଂପୂର୍ଣ୍ଣ ବନ୍ଦ କରି ଏହାକୁ ନର୍ଦ୍ଦମାରେ ପରିଣତ କରିବା ପାଇଁ ସରକାର ନେଇଥିବା ପଦକ୍ଷେପକୁ ତୀବ୍ର ବିରୋଧ କରିଛି ମଧୁବନର ଖରସ୍ରୋତା ପୁନରୁଦ୍ଧାର ସମିତି। ଏ ସଂକ୍ରାନ୍ତରେ କୁହୁଳୁଥିବା ଜନଅସନ୍ତୋଷ ଆଗକୁ ଜନ-ଆନ୍ଦୋଳନର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି।   ଏହି ମର୍ମରେ ମଧୁବନ ହାଟଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସମିତିର ସଭାପତି ବେଣୁଧର ଦୋବାଇ ଏବଂ ସମ୍ପାଦକ ରାମଚନ୍ଦ୍ର ରାଉତ ଗଣମାଧ୍ୟମକୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।  ସମିତିର ବରିଷ୍ଠ ସଭ୍ୟ କୈଳାସ ଚନ୍ଦ୍ର ନାୟକ ଆଲୋଚନା ଆରମ୍ଭକରି ଦର୍ଶାଇଛନ୍ତି ଯେ ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା ଏକ ପୁରାତନ ପ୍ରାକୃତିକ ଜଳଧାରା। ଖରସ୍ରୋତାର ଉପିତ୍ତିସ୍ଥଳର ପୁରୋଭାଗରେ ଜେନାପୁରଠାରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ଆନିକଟ କ୍ରମେ ବାଲିରେ ପୋତିହୋଇ ପଡ଼ିବାରୁ ବ୍ରହ୍ମଣୀର ଅଧିକାଂଶ ଜଳ ଖରସ୍ରୋତା ବାଟ ଦେଇ ପ୍ରବାହିତ ହେଲା। ଫଳରେ ଖରସ୍ରୋତା କ୍ରମେ ପ୍ରଶସ୍ତ ହେଲା ଓ ଟିକରପଡ଼ାଠାରେ ଗୋଟିଏ ବାଙ୍କରେ ଏହାର ଶାଖାଟିଏ ସୃଷ୍ଟି ହେଲା। ଏହି ଶାଖା ଲମ୍ୱିଯାଇ ଖଣ୍ଡିତର ଗ୍ରାମଠାରେ ମୂଳ ଖରସ୍ରୋତାରେ ମିଶିଲା। କିନ୍ତୁ ପରେ ସେହି ଟିକରପଡ଼ାଠାରେ ଘାଇ ହୋଇ ପାଟିଆ ନାମରେ ଏକ ଶାଖା ନଦୀ ସୃଷ୍ଟି ହେଲା। ସେହି ଶାଖାଦେଇ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେବା ଫଳରେ ବନ୍ୟାବିତ୍ପାତ ଅତି ଭୟଙ୍କର ରୂପ ଧାରଣ କଲା।   ବନ୍ୟା ନିୟନ୍ତ୍ରଣ ପାଇଁ ଦକ୍ଷିଣପଟ ବନ୍ଧକୁ ଟିକରପଡ଼ାଠାରେ ଖରସ୍ରୋତା ଉପରଦେଇ ସମ୍ପ୍ରସାରିତ କରାଯିବାରୁ ମୂଳ ଖରସ୍ରୋତାରେ ଜଳପ୍ରବାହ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଗଲା। ଫଳତଃ ନଦୀଶଯ୍ୟାର ଶୁଷ୍କ ଅଂଶରେ ତଣ୍ଡି, ଅମରି ଓ ଅନ୍ୟାନ୍ୟ ବଣୁଆବୁଦା ଓ ନିଶ୍ଚଳ ଜଳଥିବା ଅଂଶରେ ବିଲାତିଦଳ ଓ ବିବିଧ ଜଳଗୁଳ୍ମ ଜନ୍ମି ଶଯ୍ୟାରେ ମଶା, ମାଛି, କୀଟ ଓ ସରୀସୃପ ବଂଶ ବୃଦ୍ଧିପାଇ ଅସ୍ୱାସ୍ଥ୍ୟକର, ଅନୁପଯୋଗୀ ଜୈବମଣ୍ଡଳ ସୃଷ୍ଟି ହେଲା। ନଦୀଶଯ୍ୟାର ଗଭୀର ଅଂଶରେ ଜମି ରହୁଥିବା ଜଳରାଶି ପ୍ରଦୂଷିତ ହେବା ଫଳରେ ଦୁଇ କୁଳର ବାସିନ୍ଦା ଏବଂ ଗୃହପାଳିତ ପଶୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି। ଦାବିପତ୍ର ଧର୍ମଶାଳା ଏବଂ କୋରାଇ ବିଧାନସଭା ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ଯାଜପୁର ଜିଲ୍ଲାପାଳ, ଜଳସେଚନ ନିର୍ବାହୀ ଯନ୍ତ୍ରୀ, ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ବିଧାନସଭା ଅଭିଯୋଗ କମିଟିର ଅଧ୍ୟକ୍ଷ ଏବଂ ସର୍ବୋପରି ରାଜ୍ୟର ମାନ୍ୟବର ରାଜ୍ୟପାଳ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁପୂର୍ବରୁ ପ୍ରଦାନ କରାଯାଇଥିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ସରକାରୀ ଭାବେ ଏହି ପ୍ରାକୃତିକ ଜଳଧାରାକୁ ସରକାର ଏଯାଏଁ ମୃତ ଘୋଷଣା କରିନଥିବା ସେତ୍ତ୍ୱ ଦଖଲରେ ଥିବା ନଦୀର ଅନେକାଂଶ ଜମି ପାଇଁ କୁଆଖିଆ ତହସିଲ ପକ୍ଷରୁ ଦଖଲଦାରଙ୍କୁ ପଟ୍ଟା ଦିଆଯାଉଥିବା ଅଭିଯୋଗ ଆଣି ସମିତିର ବରିଷ୍ଠ ସଭ୍ୟ ଲକ୍ଷ୍ମଣ ରାଉତ ଉଦ‍୍‌ବେଗ ପ୍ରକାଶ କରିଥିଲେ।   ବିଳମ୍ୱରେ ପୋତି ହୋଇଯାଉଥିବା ଖରସ୍ରୋତା ନଦୀର ଖନନ କାର୍ଯ୍ୟ ରାଜ୍ୟ ସରକାରଙ୍କ ଡ୍ରେନେଜ୍‌ ବିଭାଗ ଦ୍ୱାରା କରାଯାଉଛି ସତ; କିନ୍ତୁ ପ୍ରାୟ ୧୫୦ ମିଟର ଓସାରିଆ ଖରସ୍ରୋତା ନଦୀର ଖନନକୁ ମାତ୍ର ୧୫ ମିଟର ଓସାରରେ ଖୋଳାଯାଉଛି। ନଦୀର ତଳମୁଣ୍ଡ ତଥା ଖଣ୍ଡିତର ଗ୍ରାମଠାରେ ଏକ ସ୍ଲୁଇସ‍୍‌ ଗେଟ ନିର୍ମାଣ ସରିଛି। ବନ୍ୟା ସମୟରେ ଏହି ଗେଟ‍୍‌ଦେଇ ଉଦ‍୍‌ବୃତ୍ତ ବନ୍ୟାଜଳ ଛଡ଼ାଯିବ ଯାହା ସ୍ଥାନୀୟ ଅଞ୍ଚଳରେ ବନ୍ୟାବିପିାତ ସୃଷ୍ଟିକରିବ। ଅନ୍ୟସମୟରେ ଏହା ନର୍ଦମା ଭାବେ ବ୍ୟବହୃତ ହେବ। ତେଣୁ ସମିତି ପକ୍ଷରୁ ୧୦ ଦଫା ଦାବି ଯଥା- ନଦୀର ବାସ୍ତବ ଭୌଗଳିକ ସ୍ଥିତିକୁ ନିରୂପଣ କରାଯିବା ପରେ ଖନନ କାର୍ଯ୍ୟ କରାଯିବା, ନଦୀର ଉପରମୁଣ୍ଡ ଅର୍ଥାତ ଟିକରପଡ଼ାଠାରେ ଚାବିଦିଆ ସ୍ଲୁଇସ‌୍‍ ଗେଟ ଲଗାଯାଇ ଏହାକୁ ପ୍ରାକୃତିକ ଜଳଧାରରେ ପରିଣତ କରିବା, ନଦୀର ଉଭୟ ପାର୍ଶ୍ୱକୁ ପଥର ପ୍ୟାକିଂ ଦ୍ୱାରା ସୁଦୃଢ କରାଯିବା, ନଦୀ ମଧ୍ୟକୁ ବହି ଆସିଥିବା ଛୋଟ ଛୋଟ ନାଳଗୁଡିକର ମୁହାଣକୁ ପରିଷ୍କାର କରାଯାଇ ବର୍ଷାଜଳ ନିଷ୍କାସନ ପଥ ସୁଗମ କରିବା, ନଦୀ କୂଳରେ ଅବସ୍ଥିତ ଗାଁଗୁଡ଼ିକରେ ଗାଧୁଆ ଘାଟମାନ ନିର୍ମାଣ କରାଯିବା, ନଦୀ ଉପରେ ନିର୍ମିତ ଛୋଟ ଛୋଟ ପୋଲ ଗୁଡିକର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା, ନଦୀ ଖନନ ସମୟରେ ବାହାରୁଥିବା ବାଲି, ମାଟି ଏବଂ ପଙ୍କକୁ ଉଭୟ ପାର୍ଶ୍ୱରେ ସମାନ ଭାବରେ ପକାଯାଇ ଲୋକଙ୍କର ସ୍ଥିତିବାନ ସମ୍ପତ୍ତିକୁ ସୁରକ୍ଷିତ ରଖାଯିବା, ନଦୀର ଉଭୟ ପାର୍ଶ୍ୱର ବାଲି ଗଦାକୁ ନଦୀପଠା ସହ ସମତୁଲ କରାଯାଇ କ୍ଷୁଦ୍ର ନାଳର ଭ୍ରମ ଦୂର କରାଯିବା, ଜମି ମାଫିଆଙ୍କ ଦଖଲରେ ଥିବା ନଦୀଅଂଶକୁ ଉଦ୍ଧାର କରିବା ଏବଂ ପହଁଗା ଓ ଟିକରପଡ଼ା ପଞ୍ଚାୟତକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସୁବନ୍ଦୋବସ୍ତ କରାଯିବା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।   ସରକାର ଏହି ଦାବି ବିଚାର ନକଲେ ସ୍ଥାନୀୟ ଅଞ୍ଚଳରେ କୁହୁଳୁଥିବା ଜନଅସନ୍ତୋଷ ଆଗକୁ ଜନ-ଆନ୍ଦୋଳନର ରୂପ ନେବ ବୋଲି ସମିତି ପକ୍ଷରୁ ସତର୍କ କରିଦିଆଯାଇଛି।

Share :