ମୋଦି ବଣିକ, ନବୀନ ଚାଣକ୍ୟ

ମୋଦି ବଣିକ, ନବୀନ ଚାଣକ୍ୟ

Share :

ଲଳିତେନ୍ଦୁ ପଲାଉରୀ   ଗଣତନ୍ତ୍ରରେ ଶାସନରେ ଲୋକ ପ୍ରତିନିଧିଙ୍କର ବିଚକ୍ଷଣତା ଓ ବ୍ୟକ୍ତିତ୍ବ ଦୁଇଟି ମୁଖ୍ୟ ଅଙ୍ଗ। ଶାସନର ଦୃଢତା ଓ ଲୋକପ୍ରିୟତା ନିର୍ଭର କରେ ଶାସକର ନିର୍ଭୁଲ ନିଷ୍ପତ୍ତି ଉପରେ। ଆଉ ଦୃଢ ଶାସନ ଯୋଗୁଁ ଦେଶ ଉନ୍ନତି କରେ ଓ ନାଗରିକମାନେ ସୁଶାସନ ପାଇବା ସହିତ ସେମାନଙ୍କ ପାରିପାର୍ଶ୍ବିକ ଉନ୍ନତି ସାଧନ ହୋଇଥାଏ।  ସରକାରଙ୍କ ଉପରେ ନାଗରିକ ତା’ର ଆସ୍ଥା ପ୍ରକଟ କରେ।   ଗତ କେଇ ବର୍ଷ ଧରି କେନ୍ଦ୍ର ସରକାରରେ ବିଭିନ୍ନ ରାଜନୈତିକ ଦଳର ସହଯୋଗରେ ଚାଲିଆସିଥିବା ମିଳିତ ସରକାରରେ ଭାଗୀଦାରିରେ ଚାଲୁଥିଲା ଶାସନ ବ୍ୟବସ୍ଥା। ଫଳରେ ସାଧାରଣ ଲୋକେ ନିଜର ଅଧିକାରରୁ ବଞ୍ଚିତ ଏପରିକି ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରଧାମନ୍ତ୍ରୀଙ୍କ ଅଖଣ୍ଡ କ୍ଷମତାର ଉପଯୋଗିତା ସଂପର୍କରେ ଲୋକଙ୍କ ଅନୁଭବ କମ ଥିଲା। ମାତ୍ର ୨୦୧୪ ମସିହାରେ ବିଜେପି ଦଳର ଏକକ ସଂଖ୍ୟାଗରିଷ୍ଠତା ଓ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ଓ ସେମାନଙ୍କୁ ନିର୍ବାଚନ ପୁର୍ବରୁ ମିଳିଥିବା ପ୍ରତିଶ୍ରୃତି କିଛି ମାତ୍ରାରେ ପୂରଣ ହୋଇଛି ବୋଲି ଅନୁଭବ କରିଛନ୍ତି। ତେଣୁ ବର୍ତ୍ତମାନ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ବଢିଛି।   କେବଳ ଆମ ଦେଶ ନୁହେଁ ସାରା ବିଶ୍ବରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଦେଶବାସୀଙ୍କ ପାଇଁ ବିଭିନ୍ନ ଜନ କଲ୍ୟାଣ ଯୋଜନାର ଆରମ୍ଭ ସହିତ ସାଧାରଣ ଲୋକଙ୍କ ସହ ଯୋଡିହୋଇ ରହିବାକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି। ସ୍ବଚ୍ଛ ଭାରତ ଅଭିଯାନରୁ ଆରମ୍ଭ କରି ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା, କୃଷି ସିଞ୍ଚାଇ ଯୋଜନା, ଷ୍ଟାର୍ଟ ଅପ, ମେକ୍ ଇନ୍ ଇଣ୍ଡିଆ ବା ରେଡିଓ ମାଧ୍ୟମରେ ମନ କି ବାତ କାର୍ଯ୍ୟକ୍ରମ ସବୁଥିରେ ପ୍ରଧାନମନ୍ତ୍ରୀ ସମାଜର ସବୁବର୍ଗର ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛନ୍ତି।   କ୍ଷମତାକୁ ଆସିବାର ୨ବର୍ଷ ପୁର୍ତ୍ତି ଅବସରରେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଓ ଗରିରବଙ୍କ ପାଇଁ ସରକାର ଐକ୍ୟବଦ୍ଧ ବୋଲି ମୋଦି ନିଜକୁ ପ୍ରତିପାଦନ କରିବାକୁ ଚାହୁଁଛନ୍ତି। ଏହା ଏକ ନୂଆ ପ୍ରୟାସ ନିଶ୍ଟୟ। କାରଣ ପୂର୍ବ ସରକାରମାନଙ୍କରେ ଆମେ ଦେଖିଛେ ପ୍ରଧାନମନ୍ତ୍ରୀ ନିଜେ ଏତେ ସଂଖ୍ୟାରେ ସାଧାରଣ ଲୋକଙ୍କ ସହ ଯୋଡି ହେବାକୁ ଚାହୁଁ ନଥିଲେ। ଚାହୁଁଥିଲେ ବି ଅନେକ ପ୍ରତିବନ୍ଧକ ରହିଥିଲା। କେବଳ ସେତିକି ନୁହେଁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ବେଳେ ନେରେନ୍ଦ୍ର ମୋଦି ଭାରତର ପଡୋଶୀ ରାଷ୍ଟ୍ରମୁଖ୍ୟମାନଙ୍କୁ ନିଜର ଶପଥ ଗ୍ରହଣ ଉତ୍ସବକୁ ଡକାଇ ପ୍ରଥମରୁ ନିଜର ବୈଦେଶିକ ସଂପର୍କ, ବ୍ୟବସାୟିକ ସଂପର୍କ ଯୋଡିବାର ନୂଆ ଉଦାହରଣ ସୃଷ୍ଟି କରିଥିଲେ। ମେକ ଇନ୍ ଇଣ୍ଡିଆର ନାରା ଦେଇ ବହୁ ରାଷ୍ଟ୍ରୀୟ କମ୍ପାନୀ, ବୈଦେଶୀକ ପୁଞ୍ଜି, ଅନ୍ତର୍ଜାତୀୟ ଶିଳ୍ପ ସମୂହଙ୍କୁ ଭାରତରେ କାରଖାନା ଓ ପୁଞ୍ଜି ନିବେଶ ପାଇଁ ଆହ୍ବାନ ଦେଇଛନ୍ତି।   କେବଳ ଏସିଆ ମହାଦେଶର ପଡୋଶୀ ରାଷ୍ଟ୍ର ସମୂହ ନୁହନ୍ତି ୟୁରୋପ, ଆମେରିକା, ରୁଷ ଭଳି ଶକ୍ତିଶାଳୀ ଓ ଧନୀ ରାଷ୍ଟ୍ର ସହ ବୈଦେଶିକ ସଂପର୍କରେ ଦୃଢତା, ଅର୍ଥନୈତିକ କାରବାର ବୃଦ୍ଧି, ପରମାଣୁ ଯୋଗାଣକାରୀ ରାଷ୍ଟ୍ର ସମୂହର ସଦସ୍ୟତା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ଜାତିସଂଘ ନିରାପତ୍ତା ପରିସଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ନିଜର ବଳିଷ୍ଠ ଯୁକ୍ତି ବି ଉପସ୍ଥାପନା କରିଛନ୍ତି। ମୋଦିଙ୍କ ପ୍ରତ୍ୟକ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ରହୁଛି କୂଟନୈତିକ ସଂପର୍କର ସୁଦୃଢ଼ିକରଣ ସହ ବାଣିଜ୍ୟିକ ସଂପର୍କ ବୃଦ୍ଧି। ଆଉ ମୋଦୀଙ୍କ ବାକଚାତୁରୀର ଲୋକପ୍ରିୟତା ଏତେ ବୃଦ୍ଧି ପାଇଛି ଯେ ବିଦେଶରେ ଲୋକମାନେ ଉତ୍କଣ୍ଠାର ସହ ମୋଦିଙ୍କୁ ଶୁଣିବା ପାଇଁ ବ୍ୟଗ୍ର ହେଉଛନ୍ତି। ଏପରିକି ବିଶ୍ବର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ପ୍ରଶଂସକ ଓ ଅତି ଅନ୍ତରଙ୍ଗ ବୋଲି ମଧ୍ୟ ବାରମ୍ବାର କହିଛନ୍ତି।   ପ୍ରଧାନମନ୍ତ୍ରୀ ହେବାର ମାତ୍ର ୨ ବର୍ଷ ମଧ୍ୟରେ ସେ ୪ ଥର ଆମେରିକା ଗସ୍ତରେ ଯାଇ ସାରିଲେଣି। ଏକଦା ଗୁଜୁରାଟ ଦଙ୍ଗା ପରେ ମୋଦିଙ୍କ ଭିସା ବାତିଲ କରିଥିବା ଆମେରିକା ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ। ନିକଟରେ ଆମେରିକା କଂଗ୍ରେସକୁ ଦୀର୍ଘ ୫୦ ମିନିଟ୍ କାଳ ସମ୍ବୋଧନ କରି ଆମେରିକାର ନେତୃମଣ୍ଡଳିଙ୍କ ମନରେ ଏକ ନୂଆ ଉନ୍ମାଦନା ସୃଷ୍ଟି କରିଛନ୍ତି। ଆମେରିକା କଂଗ୍ରେସର ସଦସ୍ୟମାନେ ମୋଦିଙ୍କ ଅଟୋଗ୍ରାଫ ନେବା ପାଇଁ ବ୍ୟକୁଳ ହେବାର ଦୃଶ୍ୟ ଆମେ ଟିଭି ପରଦାରେ ଦେଖିଛେ। ଏଥିରୁ ଅନୁମେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପୋଖତ ବଣିକ ଯିଏକି ନିଜକୁ ଭଲ ମାର୍କେଟିଂ କରିବାର କୌଶଳ ଜାଣିଛନ୍ତି।   ସେହି ଭଳି ୧୭ ବର୍ଷ ତଳେ ଆମ ରାଜ୍ୟ ରାଜନୀତିର ମଙ୍ଗ ଧରିଥିବା ଅନଭିଜ୍ଞ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଜଣେ ପକ୍କା ଖେଳୁଆଡ ହୋଇ ବାହାରିବେ ଏକଥା କେହିବି ବିଶ୍ବାସ କରିନଥିଲେ। ନିଜର ଲୋକପ୍ରିୟ ପିତା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିବା ନବୀନ ଦୀର୍ଘ ୧୭ ବର୍ଷ ହେଲା ନିରଙ୍କୁଶ ଶାସନ କ୍ଷମତାର ଅଧିକାରୀ। ସାଧାରଣ ଓଡିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ। ଓଡିଶା ରାଜନୀତିର ଗୋଳିଆ ପାଣିରେ ପାଦ ଦେଇଥିବା ନବୀନ ନିଜର ଶତ୍ରୁମାନଙ୍କୁ ଏମିତି ଦମନ କରିବାରେ ପ୍ରବୀଣ ଯେ ବର୍ତ୍ତମାନ ରାଜ୍ୟ ଶାସନରେ ସେ ଅଜାତଶତ୍ରୁ ହୋଇଯାଇଛନ୍ତି। ତାଙ୍କୁ ପ୍ରତିହତ କଲାଭଳି ନେତା ରାଜ୍ୟ ରାଜନୀତିରେ ଯେମିତି କେହିଁ ଦେଖାଯାଉ ନାହାନ୍ତି।   ନବୀନ ଏମିତି ଜଣେ ପ୍ରବୀଣ ନେତା ବାବେ ଉଭା ହେବେ ଏକଥା କେହିବି ବିଶ୍ବାସ କରିପାରି ନଥିଲେ। ତାଙ୍କର ରାଜ୍ୟ ଶାସନର ଶୈଳୀ ସତରେ ନିଆରା। କି ବିରୋଧୀ କି ସମର୍ଥକ, କି ପାଖ ଲୋକ କି ଦୂର କେହି ବି ତାଙ୍କ ରାଜନୈତକ ଗୋଟିଚାଳନା ଏପର୍ଯ୍ୟନ୍ତ ବି ଜାଣି ପାରୁନାହାନ୍ତି। ରାଜ୍ୟ ରାଜନୀତିରେ ସେ ଯେତେ ପୁରୁଣା ହେଉଛନ୍ତି ସାଧାରଣ ଲୋକଙ୍କ ପାଖରେ ତାଙ୍କର ଲୋକପ୍ରିୟତା ସେତେ ବଢିବାରେ ଲାଗିଛି। ଷଡଜନ୍ତ୍ରକାରୀଙ୍କୁ ରସାତଳ କରିବାରେ ନବୀନ ବେଶ ଧୂରନ୍ଧର। ଏପରିକି ଜାତୀୟ ରାଜନୀତିରେ ନବୀନଙ୍କ ପତିଆରାକୁ ନେଇ ବାରମ୍ବାର ଚର୍ଚ୍ଚା ବି ହେଉଛି। ନବୀନଙ୍କୁ ବି କୈଣସି ସମୟରେ ଦେଶର ଏକ ବୃହତ ଦାୟିତ୍ବ ନମିଳିବ ସେକଥା କିଏ ବା ଖଣ୍ଡନ କରିବ?   ସାଧାରଣ ଓଡିଆ ଗରିବ ଭୋଟରଙ୍କ ତ୍ରାଣକର୍ତ୍ତା, ପ୍ରାଣକର୍ତ୍ତା ସାଜିଛନ୍ତି ନବୀନ। ସାଧାରଣ ନାଗରିକ ନିଜର ଜନ ପ୍ରତିନିଧୀଙ୍କୁ ଭୋଟ ନଦେଇ ନବୀନ ସରକାରଙ୍କୁ ଭୋଟ ଦେଉଛୁ ବୋଲି କହୁଛନ୍ତି। ସାଧାରଣ ଲୋକଙ୍କୁ ଛତା, ଜୋତା, ଭତ୍ତା, ଟଙ୍କାରେ ଚାଉଳ, ଛାତ୍ରଛାତ୍ରୀଙ୍କୁ ସାଇକେଲ, ଲାପଟପ୍, କନ୍ୟାଶିଶୁକୁ ପ୍ରୋତ୍ସାହନ, ହରିଶ୍ଟନ୍ଦ୍ର ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ସ୍ବାସ୍ଥ୍ୟବୀମା ଯୋଜନା ଏମିତି କେତେ କ’ଣ ଯୋଜନା କରି ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ସୈଭାଗ୍ୟ ଅର୍ଜନ କରିଛନ୍ତି। ଓଡିଶାର ଭାଷା ଓଡିଆ କହିପାରୁ ନଥିବା ନବୀନଙ୍କୁ ବିରୋଧୀ ଯେତେ ସମାଲୋଚନା କଲେ ମଧ୍ୟ କିଛି ବି ଫରକ ପଡୁନି। ନିଜ ଦଳରେ ବିଶ୍ବାସଘତକମାନଙ୍କଠୁ ଆରମ୍ଭ କରି ବିରୋଧୀଙ୍କ ବାକଚାତୁରୀ ନବୀନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ବି ପକାଇ ପାରୁନି।   ଦେଶର ଏହି ବିରଳ ଦୁଇ ଜନପ୍ରିୟ ରାଜନେତାଙ୍କ ଶାସନ ଶୈଳୀ ପ୍ରକୃତରେ ନିଆରା। ସ୍ବାଭାବିକ ଭାବେ ଜଣେ ବୁଦ୍ଧିମାନ ବଣିକ ଆଉ ଜଣେ ବିଚକ୍ଷଣ ଚାଣକ୍ୟ। ଲୋକପ୍ରିୟ ହେବାପାଇଁ କୌଣସି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ କିମ୍ବା ନିଜ ରାଜ୍ୟର ଭାଷା କହିବା ନିତ୍ୟାନ୍ତ ଆବଶ୍ୟକ ନୁହେଁ ଏହା ଉଭୟ ମୋଦୀ ଓ ନବୀନ ପ୍ରମାଣ କରି ଦେଖାଇଛନ୍ତି।   ନଗର, ଅସ୍ତରଙ୍ଗ, ମୋବାଇଲ-୯୭୭୮୬୯୭୦୩୬

Share :