ପୁଷ୍ପେନ୍ଦ୍ରଙ୍କ ପାଇଁ କ୍ୟାପଟେନ କଣ୍ଟା

ପୁଷ୍ପେନ୍ଦ୍ରଙ୍କ ପାଇଁ କ୍ୟାପଟେନ କଣ୍ଟା

Share :

ରାଜ୍ୟସଭା ସଦସ୍ୟ ନିର୍ବାଚନ ଏବଂ ବିଭାଗଗୁଡିକର ସମୀକ୍ଷା ପରେ ଏବେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର‌୍‍ ଧରିଛି। କଳାହାଣ୍ଡି ଜିଲ୍ଲାରୁ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବାଦ‌୍‍ ଦେଇ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଜିଲ୍ଲାରେ ଆଲୋଚନା ହେଉଛି। ଏହା ଜିଲ୍ଲାର ରାଜନୈତିକ ବାତାବରଣକୁ ପୁଣି ଥରେ ସରଗରମ କରିଛି।   ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଜିଲ୍ଲା ସଭାପତି ଏବଂ ନୂଆପଡ଼ା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବା ପରଠାରୁ ତାଙ୍କ ମନ୍ତ୍ରୀ ପଦ ଯିବା ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଜୁନାଗଡ ବିଧାୟକ ତଥା ବିଜେଡି ପ୍ରବକ୍ତା ଶ୍ରୀ ମିଶ୍ରଙ୍କ ନାଁ ଉଠିଛି। ଫଳରେ ବର୍ତ୍ତମାନ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ମୁଣ୍ଡରେ ମନ୍ତ୍ରୀ ପଦ ଯିବାର ଖଣ୍ଡା ଝୁଲୁଥିବା ବେଳେ କ୍ୟାପଟେନ ମିଶ୍ର ତାଙ୍କ ପାଇଁ କଣ୍ଟା ସାଜିଥିବା କିଛି ଦିନ ତଳେ ଜୁନାଗଡରେ ହୋଇଥିବା ବିକାଶ ସମାବେଶ ସମୟରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ମନ୍ତ୍ରିମଣ୍ଡଳ ଅଦଳ ବଦଳ  ସୂଚନା ମିଳିବା ପରେ ପୁଣି ଏହି ଚର୍ଚ୍ଚା ଆରମ୍ଭ ହୋଇଛି।   ଏ ବିଷୟରେ କ୍ୟାପଟେନ ଶ୍ରୀ ମିଶ୍ର ଙ୍କୁମନ୍ତ୍ରୀ ପଦ ମିଳିବା ମୁଖ୍ୟମନ୍ତ୍ରୀ ଇଚ୍ଛାଧୀନ ବୋଲି ପ୍ରକାଶ କରିଛନ୍ତି। ହେଲେ ବିକାଶ ସମାବେଶରେ କ୍ୟାପଟେନ ଯେଉଁଭଳି ହାଇପ୍ରୋଫାଇଲ‌୍‍ ସମାବେଶ କରି ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ ଦେଲେ ତାକୁ ନେଇ କୁଆଡେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତର ବେଶ‌୍‍ ଖୁସିଥିବା କୁହାଯାଉଛି। ଏମିତିକି ସେହି ଦପ୍ତରରୁ ରାଜ୍ୟର ଶାସନ ଭାର ସମ୍ଭାଳୁଥିବା ଯୁବ ଆଇ.ଏ.ଏସ‌୍‍ ଅଫିସରଙ୍କ ସହ ତାଙ୍କ ଘନିଷ୍ଠତା ଥିବାରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ପଦ ଯିବାର ସମ୍ଭାବନା ବେଶି ବୋଲି ରାଜନୈତିକ ବିଶାରଦମାନେ ପ୍ରକାଶ କରିଛନ୍ତି।   ପୁଣି ଭୁବନେଶ୍ୱର ଓ କଟକ ସ୍ମାର୍ଟ ସିଟି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କର ଦପ୍ତର ଏହି ବିଭାଗ ଉପରେ ନଜର ରଖିଛି। କାରଣ ସ୍ମାର୍ଟ ସିଟି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସିବ ଏବଂ ଏହି ଟୁଇନ‌୍‍ ସିଟିର ଭୋଟରଙ୍କୁ କବ‌୍‍ଜା କରିବା ପାଇଁ ଖୋଦ‌୍‍ ମୁଖ୍ୟମନ୍ତ୍ରୀ ଏହି ବିଭାଗକୁ ନିଜ ଦାୟିତ୍ୱରେ ରଖିବେ ବୋଲି ଶୁଣା ଯାଉଛି। ଏଣୁ କଳାହାଣ୍ଡିକୁ ବିଶେଷ କ୍ଷମତା ନଥିବା ବିଭାଗକୁ ଦେବେ ବୋଲି କୁହାଯାଉଛି।   ବର୍ତ୍ତମାନ ପୂର୍ବତନ ଜିଲ୍ଲା ସଭାପତି ବଳଭଦ୍ର ମାଝୀଙ୍କୁ ଜିଲ୍ଲା ସଭାପତିରୁ ବାଦ‌୍‍ ଦେଇ ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱ କ୍ୟାପଟେନ ମିଶ୍ରଙ୍କୁ ଦେବାକୁ ବିଜେଡି ଚାହୁଁଥିଲେ ମଧ୍ୟ ସେ ମନା କରିଦେଇଥିଲେ। ଫଳରେ ପୁଷ୍ପେନ୍ଦ୍ରଙ୍କୁ ଜିଲ୍ଲା ସଭାପତି କରାଗଲା। ମନ୍ତ୍ରୀ ଥାଇ ଜିଲ୍ଲା ସଭାପତି ହେବାରୁ ଜିଲ୍ଲା ସଂଗଠନ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ପାରୁ ନଥିବା ଆଲୋଚନା ହେଉଛି। ମନ୍ତ୍ରୀ ପୁଷ୍ପେନ୍ଦ୍ର ଜିଲ୍ଲା ସଭାପତି ପଦ ପାଇଁ ତାଙ୍କ ନାମ ଘୋଷଣା ହେବା ଦିନଠାରୁ ବିଚଳିତ ହୋଇ ରହିଥିବା ବେଳେ ଏବେ ଯାଏଁ ତାଙ୍କ ମନ୍ତ୍ରୀ ପଦ ଯିବ ନା ରହିବ ସେ ଖୋଦ‌୍‍ କଳନା କରିପାରୁ ନଥିବା ତାଙ୍କ ନିକଟତମ ମହଲରୁ ପ୍ରକାଶ।   ତେବେ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ଯେମିତି ଅବହେଳା କରିଆସୁଛନ୍ତି ସେହିଭଳି ନଗର ଉନ୍ନୟନ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏହି ଜିଲ୍ଲାରୁ କାଢି ନେଇ ଏକ ଛୋଟ ବିଭାଗ ଦେଇ ଲଲିପପ‌୍‍ ଧରେଇବାର ସମ୍ଭାବନା ଦେଖା ଦେଇଥିବା ବିଶାରଦମାନେ ଆକଳନ କରିଛନ୍ତି।

Share :