ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ ସେମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବିନିଯୋଗ କରି ସେମାନଙ୍କ ଅଞ୍ଚଳରେ ଗୋଟିଏ ଲେଖାଁଏ ଆଦର୍ଶ ଗ୍ରାମ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଥିଲେ। ଆଦର୍ଶ ଗାଁକୁ ସାଂସଦଙ୍କ ପାଣ୍ଠିରେ ସହର ଭଳି ରାସ୍ତା, ଘାଟ, ବିଜୁଳି, ପାନୀୟ, ସ୍କୁଲ, ପୋଷ୍ଟ ଅଫିସ, ବ୍ୟାଙ୍କ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। କିନ୍ତୁ କଳାହାଣ୍ଡି ସଂାସଦ ହାତକୁ ନେଇଥିବା ଆଦର୍ଶ ଗ୍ରାମର ବାସ୍ତବ ଚିତ୍ର ଟିକେ ଅଲଗା। ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ ଦାରିଦ୍ର୍ୟ ଏବଂ ଅନାହାର ପାଇଁ ସର୍ବାଧିକ ଚର୍ଚିତ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମକୁ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଥିଲେ। ଇତିମଧ୍ୟରେ ସିନ୍ଧିପଦର ଗ୍ରାମପଞ୍ଚାୟତର ବିକାଶ ପାଇଁ ୩୩ କୋଟି ଟଙ୍କା ଖର୍ଚ କରାଗଲାଣି। କିନ୍ତୁ ଏବେ ମଧ୍ୟ ବିକାଶ ଛୁଇଁନି ସିନ୍ଧିପଦର ଗ୍ରାମକୁ। ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଠକ ଠିକାଦାରମାନେ ନିମ୍ନ ମାନର କାମ ସାଙ୍ଗକୁ ଠିକା କାମରେ ଶିଶୁ ଶ୍ରମିକମାନଙ୍କୁ କମ ମଜୁରୀ ଦେଇ ଖଟାଉ ଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିନ୍ଧିପଦର ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ। ପାନୀୟ ଜଳର ବ୍ୟବସ୍ଥା ନଥିବା ଯୋଗଁୁ ଲୋକେ ନାଳନର୍ଦ୍ଦମାର ପାଣି ବ୍ୟବହାର କରୁଛନ୍ତି। ଗାଁରେ ସ୍କୁଲଘର ଅଛି ସତ କିନ୍ତୁ ଶିକ୍ଷକ ଅଭାବ ଏବଂ ଅବ୍ୟାବସ୍ଥା ଯୋଗଁୁ ଗାଁର ସ୍କୁଲ ପିଲାମାନେ ବହିବସ୍ତାନୀ ଧରିବା ଛାଡ଼ି ଠିକାଦାରର ବାଲିଗୋଡି ଭିତରେ ପେଶି ହେଉଛନ୍ତି। ଅନ୍ଧାରୀ ମୁଲକର ନିରୀହ ଆଦିବାସୀମାନେ ସେମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଘୋସଣା କଲାପରେ ବିକାଶର ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ପ୍ରଶାସନର ଦୁର୍ନୀତି ଓ ବିଫଳତା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗଁୁ ଏବେ ଆଦର୍ଶ ଗ୍ରାମର ବାସ୍ତବ ଚିତ୍ର ପଦାରେ ପଡିଯାଇଛି।