ଭୂତଚାଷୀ, ସତ ବୋନସ୍, ଅଖାବଦଳ

ଭୂତଚାଷୀ, ସତ ବୋନସ୍, ଅଖାବଦଳ

ସ୍ନେହଲତା ମିଶ୍ର ଓ ଦେବେନ୍ଦ୍ର ପୃଷ୍ଟି   କଳାହାଣ୍ଡି ଜିଲ୍ଲାରେ ମିଲର, ଯୋଗାଣ ବିଭାଗ, ସମବାୟ ସଂସ୍ଥା ଓ ଆର.ଏମ‌୍‍.ସିର ଅସାଧୁ ମେଣ୍ଟ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଆସୁଥିବା ବେଳେ ୨୦୧୩-୧୪ରେ ପାଣିପାଗ ଯୋଗୁଁ ଧାନ ଖରାପ ହେବାରୁ ଚାଷୀମାନେ ବୋନସ ଦାବି କରିଥିଲେ। ଅନ୍ୟ ରାଜ୍ୟରେ ବୋନସ ଟଙ୍କା ୨୦୦ ଟଙ୍କାରୁ ଆରମ୍ଭ କରି ଅଧିକ ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ବେଳେ ଓଡ଼ିଶାରେ ପ୍ରଥମ କରି କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ଲେଖାଏଁ ଦେଇଥିଲେ। ହେଲେ ଯୋଗାଣ ବିଭାଗର ଅପାରଗତା ଓ ଧାନ କିଣା ସହିତ ଜଡିତ ବିଭାଗମାନଙ୍କର ଉଦାସୀନ ମନୋଭାଗ ଯୋଗୁଁ ଜିଲ୍ଲାରେ ୯୨ ଲକ୍ଷ ଟଙ୍କା ଫେରିଯିବା ଜିଲ୍ଲା ପ୍ରଶାସନର ଓ ସରକାରଙ୍କର ଚାଷୀ ମାରଣ ନୀତିକୁ ପ୍ରମାଣିତ କରିଛି।   ଧାନ ବାବଦକୁ ଆସିଥିବା ୯୨ ଲକ୍ଷ ବୋନସ ଟଙ୍କା ଜିଲ୍ଲାରୁ ଫେରିଯିବା ଏତେ ବଡ କଥା ନୁହେଁ ତାହା ଠୁ ଆହୁରି ସଙ୍ଗୀନ ଦୁର୍ନୀତି ଏବେ ପଦାକୁ ଆସିଛି। ଚାଷୀ ନାହାନ୍ତି ବୋଲି ୯୨ ଲକ୍ଷ ଟଙ୍କା ଫେରା ଯାଇଥିବା ବେଳେ ସେହି ଚାଷୀଙ୍କ ନାଁରେ ଧାନ କିଣା ଯିବା ଭଳି ଅଭିଯୋଗ ଉଠିଛି। କହିବାକୁ ଗଲେ ପାଖାପାଖି ୧୦୦୦ରୁ ଅଧିକ ଚାଷୀଙ୍କ ନାଁରେ ମିଛ ଧାନ ଉଠିଥିବାରୁ ସେହି ସମୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ଖୋଦ ପ୍ରଶାସନ ସମବାୟ ବିଭାଗ ଜରିଆରେ ଜିଲ୍ଲାରେ ଚାଷୀମାନଙ୍କର ତାଲିକା ପ୍ରସ୍ତୁତ କରିଥିଲା। ବର୍ତ୍ତମାନ ଚାଷୀ ନାହାନ୍ତି  ଏବଂ ଚାଷୀଙ୍କର ୨ ଥର ନାଁ ତାଲିକାରେ ଥିବା ଯୋଗୁଁ ଯୋଗାଣ ବିଭାଗ ୯୨ ଲକ୍ଷ ଟଙ୍କା ଫେରାଇଦେଇଥିବା ଯୁକ୍ତି ବାଢିଛି। ମାତ୍ର ଏହି ଚାଷୀଙ୍କ ନାଁରେ ୨୦୧୩-୨୦୧୪ରେ ଧାନ କିଣା ଯାଇଛି। ଯଦି ଚାଷୀ ନଥିଲେ ତାହା ହେଲେ ଧାନ କିଣାଗଲା କେମିତି? ମାନେ ଭୁତ ଚାଷୀ ନାଁରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡିଛି।   ବିଭାଗୀୟ ରିପୋର୍ଟ ଅନୁସାରେ କଳାହାଣ୍ଡି ଜିଲ୍ଲାରେ ୪୮ ହଜାର ୨ ଶହ ୧୯ ଜଣ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୦ କୋଟି ୧୧ ଲକ୍ଷ ଟଙ୍କା ସରକାର ଦେଇଥିଲେ। ମାତ୍ର ୪୭ ହଜାର ୭୬ ଜଣ ଚାଷୀଙ୍କୁ ଏହି ବୋନସ ଟଙ୍କା ଦେଇ ବଳକା ୧୧  ଶହ ୪୩ ଜଣ ଚାଷୀଙ୍କର ୯୨ ଲକ୍ଷ ଟଙ୍କା ସରକାରଙ୍କୁ ଫେରସ୍ତ କରାଯାଇଛି ବୋଲି ମତ ବ୍ୟକ୍ତ କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କରକରା। ମାତ୍ର ଏମାନଙ୍କ ନାଁରେ ଧାନ ବିକ୍ରି ହୋଇଥିବା ବେଳେ ବୋନସ ଟଙ୍କା କେମିତି ଫେରିଗଲା ବୋଲି ପଚାରିବାରୁ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।   କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କା ଧାନ ଦୁର୍ନୀତି ହେବାର ନଜିର ରହିଛି।   କେବଳ କଳାହାଣ୍ଡି ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଧାନକିଣା ଏକ ନିୟମିତ ଦୁର୍ନୀତିରେ ପରିଣତ ହୋଇଛି। ବାସ୍ତବରେ ଧାନ କିଣା ନଯାଇ କେବଳ ପୁରୁଣା ଅଖା ବଦଳ କରାଯାଇ ଧାନ ବାବଦକୁ କୋଟିକୋଟି ଟଙ୍କା ଚଳୁ କରାଯାଉଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଓ କୃଷି ବିଭାଗର ମିଳିତ ଉଦ୍ୟୋଗରେ ଏହି ଦୁର୍ନୀତି ଚାଲିଛି। ଅସାଧୁ ମିଲର ଓ ବ୍ୟବସାୟଙ୍କ ଜରିଆରେ ଧାନ ସଂଗ୍ରହ କରିବା, କମ ଫଳିଥିଲେ ବି ଅଧିକ କିଣିବା ଏବଂ ଧାନ କିଣି ଚାଉଳ କରିବା ଆଦି ବେପାରୀ ବାଟରେ ସରକାର ଚାଷୀଙ୍କୁ ଉପକୃତ କରିବା ଆଳରେ ବ୍ୟବସାୟୀ, ଅସାଧୁ ବାବୁ ଓ ନେତାଙ୍କ ପକେଟ ଗରମ କରୁଛନ୍ତି। ସଂଗୃହୀତ ହେଉଥିବା ପ୍ରତି କୁଇଣ୍ଟାଲ ଧାନ ପିଛା ଅତି କମରେ ୫୦୦ ଟଙ୍କାର ଦୁର୍ନୀତି ହେଉଥିବା ବିଭିନ୍ନ ଆକଳନରୁ ଜଣାପଡ଼ିଛି। ରାଜ୍ୟରେ ପ୍ରତି ବର୍ଷ ପ୍ରାୟ ୪୦ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଉଛି। ସେହି ହିସାବରେ ପ୍ରତି ବର୍ଷ ଏବାବଦରେ ପ୍ରାୟ ୨୦୦ କୋଟି ଟଙ୍କାର ଦୁର୍ନୀତି ହେଉଥିବା ସନ୍ଦେହ କରାଯାଉଛି। ରାଜ୍ୟର ଧାନ ସଂଗ୍ରହ ଓ ଚାଉଳ ବିକା କାରବାର ଉପରେ ସିବିଆଇ ତଦନ୍ତ ହେଲେ ଏଥିରେ ସଂପୃକ୍ତ ଅନେକ ନେତା, ବାବୁ ଓ ବ୍ୟବସାୟୀଙ୍କ ବାସ୍ତବ ଚେହେରା ପଦାକୁ ଆସନ୍ତା।   ୨୦୧୫ ମସିହାରେ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟର ୩୦ ଜିଲ୍ଲାରୁ ୨୮ ଜିଲ୍ଲାରେ ଭୟଙ୍କର ମରୁଡ଼ି ପଡ଼ିଲା ବୋଲି ନବୀନ ସରକାର ରିପୋର୍ଟ ଦେଲେ। କେବଳ ରିପୋର୍ଟ ଦେଲେ ନାହିଁ ଏହି ଭୟଙ୍କର ମରୁଡ଼ି ପାଇଁ ସହାୟତା ଦେବାକୁ କେନ୍ଦ୍ର ସରକାର କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ରାଜନୀତି ମଧ୍ୟ କରାଗଲା। ଶାସକ ବିଜୁ ଜନତା ଦଳ ତରଫରୁ ମରୁଡ଼ି ସହାୟତାକୁ ନେଇ କେନ୍ଦ୍ର ବିରୋଧରେ ଏକାଧିକ ପ୍ରତିବାଦ କରାଗଲା। ମରୁଡ଼ି ପଡ଼ିଛି ବୋଲି ରିପୋର୍ଟ ଦେଇଥିଲେ ନବୀନ ସରକାରଙ୍କ ରାଜସ୍ବ ଓ କୃଷି ବିଭାଗ। ଅଥଚ ଧାନ ସଂଗ୍ରହ ବେଳକୁ ଦେଖାଗଲା ନବୀନ ସରକାରଙ୍କ ଯୋଗାଣ ଓ ସମବାୟ ବିଭାଗ ରେକର୍ଡ଼ ସଫଳତା ହାସଲ କରିଛି। ମରୁଡ଼ି ରିପୋର୍ଟର ୩୩ ପ୍ରତିଶତ ଧାନ ଅମଳ କମିଛି ବୋଲି ରିପୋର୍ଟ ଦିଆଯାଇଥିଲା। କିନ୍ତୁ ଧାନ ସଂଗ୍ରହରେ ବି ରେକର୍ଡ଼ କଲା ରାଜ୍ୟ। ମରୁଡ଼ି ପଡ଼ି ନଥିବା ବର୍ଷ ରାଜ୍ୟ ସରକାର ଯେଉଁ ୪୦ ଲକ୍ଷ ଟନ୍ ଧାନ ସଂଗ୍ରହ କରନ୍ତି ମରୁଡ଼ି ପଡ଼ିବା ସତ୍ତ୍ବେ ଯୋଗାଣ ଓ ସମବାୟ ବିଭାଗ ତାହାକୁ ଟପିଗଲେ।   ଏଥିରୁ କ’ଣ ଏହା ସ୍ପଷ୍ଟ ହେଉ ନାହିଁ ଯେ ପ୍ରକୃତରେ ଧାନ ନଥାଇ ସଂଗ୍ରହ ହୋଇଛି ବୋଲି? ଯେଉଁଠି ଚାଷୀ ବିକିଲେ ବିକିଲେ। ସେଠିକା ସମସ୍ୟା ଅଲଗା। ଚାଷୀ ମଣ୍ଡିରେ ଧାନ ପକେଇ ଦିନଦିନ ଅପେକ୍ଷା କରିବ। କିଛି ଧାନ ଚଢ଼େଇ ଚିରଗୁଣି ଖାଇବେ, କିଛି ଧାନ ପିମ୍ପୁଡ଼ି ବୋହିନେବେ, କିଛି ଧାନ ହିସାବରେ ଅଗାଡ଼ି ହେବ, କିନ୍ତୁ ପାଉଣା ମିଳିବାକୁ ମାସ ବିତିଯିବ। ଅନେକ ଜାଗାରେ ଚାଷୀଙ୍କ ନାଁରେ ବ୍ୟବସାୟୀ ମଧ୍ୟ ଧାନ ବିକନ୍ତି। ସେମାନ ସରକାରୀବାବୁମାନଙ୍କ ସହାୟତାରେ ଭୂତ ଚାଷୀ କାର୍ଡ଼ କରିଥାନ୍ତି। କେତେକ ଛୋଟ ଚାଷୀଙ୍କ କାର୍ଡ଼ ବି ସେମାନେ ପାଖରେ ରଖିଥାନ୍ତି। ଏସବୁ କାର୍ଡ଼ ଦର୍ଶଇ ସେମାନେ ମଣ୍ଡିରେ ଟନ୍ ଟନ୍ ଧାନ ବିକ୍ରି କରିଦିଅନ୍ତି। ବେପାର ଭଲ, ଲାଭ ବି ପ୍ରଚୁର। ଏ କ୍ଷେତ୍ରରେ ସମବାୟ ଓ ଯୋଗାଣ ବିଭାଗର ଅଧିକାରୀଙ୍କ ସହଯୋଗ ମିଳିଥାଏ। ଯେତିକି ଧାନ କିଣା ଯାଇଥାଏ ପରେ ସେଥିରୁ କିଛି ଅଗାଡ଼ି ହୋଇଗଲେ ବା ନଷ୍ଟ ହୋଇଗଲେ ସବୁବେଳେ କିଏ କୋଉଠି ତର୍ଜମା କରୁଛି?   ଅନେକ ସ୍ଥାନରେ ସରକାର ମିଲରଙ୍କୁ ଧାନ ସଂଗ୍ରହ ଦାୟିତ୍ବ ଦେଇଥାନ୍ତି। ସେହି ମିଲରଙ୍କୁ ମଧ୍ୟ ଚାଉଳ ଯୋଗାଇବା ଦାୟିତ୍ବ ଦିଆଯାଇଥାଏ। ସେମାନେ କ’ଣ କରନ୍ତି ବିଲକୁଲ ଧାନ ନକିଣି ବା ଅଳ୍ପ କିଣି ଯୋଗାଣ ବିଭାଗ ଜରିଆରେ ବଣ୍ଟା ଯାଉଥିବା ଶସ୍ତା ଚାଉଳ ରିସାଇକ୍ଲିଂ କରି ପ୍ରଚୁର ଲାଭ ଉଠାଇଥାନ୍ତି। କିନ୍ତୁ ଧାନ କିଣିବା ଦାୟିତ୍ବଟା କାଗଜକଲମରେ ହିସାବ କରିଦିଆଯଏ। ଅଫିସର ଓ ନେତା ସହଯୋଗ କଲେ ଗୋଦାମରୁ ଗୋଦାମ କେବଳ ଅଖା ବଦଳ ହୁଏ। ଧାନରେ ଲାଭ, କୁଣ୍ଡାରେ ଲାଭ, ଅଖାରେ ଲାଭ, ପରିବହନ ଖର୍ଚ୍ଚରେ ଲାଭ, ଚାଉଳରେ ଲାଭ। ଏହା ସତ୍ତ୍ବେ ଅନେକ ମିଲର ଧାନ ନେଇ ଚାଉଳ ଦିଅନ୍ତି ନାହିଁ। ସରକାର କିନ୍ତୁ ପରବର୍ଷ ବି ସେଇ ମିଲରଙ୍କୁ ଧାନ ଦିଅନ୍ତି ଚାଉଳ କରିବାକୁ।

Share :