ଶିକ୍ଷାବ୍ୟବସ୍ଥା, କପି ଓ ସମାଜ

ଶିକ୍ଷାବ୍ୟବସ୍ଥା, କପି ଓ ସମାଜ

Share :

ଲଳିତ ମୋହନ ମିଶ୍ର   ଚଳିତ ବର୍ଷର ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ କପି କରୁଥିବା ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା। ପୂର୍ବବର୍ଷ ବିହାରର ଏକ ସ୍କୁଲ‌୍‍ରେ ଅବିଭାବକମାନେ ଯେପରି କାନ୍ଥ ଚଢ଼ି ପୋଲିସ‌୍‍ ସହାୟତାରେ ଶିକ୍ଷାର୍ଥୀମାନଙ୍କୁ କପି ଦେଉଥିଲେ, ତାହା ସମସ୍ତ ଦେଶବାସୀଙ୍କୁ ଚକିତ କରିଦେଇଥିଲା। ଭାରତର ବିଭିନ୍ନ ରାଜ୍ୟରେ ସରକାରୀ ବିଦ୍ୟାଳୟରେ ବୋର୍ଡ଼ ପରୀକ୍ଷାରେ କପି ହେବା ଏକ ଚିରାଚରିତ ପ୍ରଥାରେ ପରିଣତ ହୋଇଥିବାବେଳେ ଭାରତ ବାହାରେ ଶ୍ରୀଲଙ୍କା, ପାକିସ୍ଥାନ, ବାଙ୍ଗଲାଦେଶ ପ୍ରଭୃତି ରାଷ୍ଟ୍ରରେ ଛାତ୍ରଛାତ୍ରୀମାନେ କପି କରିଥାନ୍ତି। ପୃଥିବୀରେ ନାଇଜେରିଆରେ ଅତ୍ୟଧିକ ମାତ୍ରାରେ କପି ହେଉଥିବା ଯୋଗୁଁ ଆମେରିକାର ବିଶ୍ୱବିଦ୍ୟାଳୟମାନେ ସେ ଦେଶର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଗ୍ରହଣ କରନ୍ତି ନାହିଁ। ତେବେ ଭାରତରେ ହାଇସ୍କୁଲ ପରୀକ୍ଷାରେ କପିହେବା ଅଧିକ ମାତ୍ରାରେ ପରିଲକ୍ଷିତ ହେଉଥିବାବେଳେ, ଉଚ୍ଚଶିକ୍ଷା ସ୍ତରରେ କପି କମ‌୍‍ମାତ୍ରାରେ ଦେଖାଯାଏ। ସେହିପରି ପିଚ‌୍‍.ଡ଼ି. କରୁଥିବା ଛାତ୍ରଛାତ୍ରୀମାନେ ପୂର୍ବ ବର୍ଷ ପିଲାଙ୍କ ବିଷୟବସ୍ତୁକୁ କପି କରିବାଯୋଗୁଁ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତୀୟ ପିଚ‌୍‍.ଡ଼ି. ଧାରୀମାନଙ୍କୁ ହେୟଜ୍ଞାନ କରନ୍ତି। ଏହାକୁ ପ୍ଲାଗାରିଜିମ‌୍‍ କୁହାଯାଏ । ଚାକିରୀ କ୍ଷେତ୍ରରେ ହେଉଥିବା ପ୍ରବେଶିକା ପରୀକ୍ଷମାାନଙ୍କରେ ପ୍ରାର୍ଥୀମାନେ କପି କରିବା ଦେଖିବାକୁ ମିଳେ। ପୂର୍ବରୁ ଆଇନ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ କପିର ଆଶ୍ରୟ ନେଉଥିବା କଥା ପ୍ରାୟ ସମସ୍ତେ ଊଣା ଅଧିକେ ଜାଣନ୍ତି। ଏବେ ଏଥିରେ ପରିବର୍ତ୍ତନ ହେଲାଣି। ତେବେ କପି କରି ପରୀକ୍ଷାରେ ସହଜରେ କୃତକାର୍ଯ୍ୟ ହେବା ଏକ ବ୍ୟକ୍ତିଗତ ମାନସିକତା ହୋଇଥିବା ବେଳେ, ଗଣକପିକୁ ଏକ ସାମାଜିକ ସମସ୍ୟା ରୂପେ ବିଚାର କରିବାକୁ ପଡ଼ିବ। ଶିକ୍ଷାର ମୂଳଦୂଆ ହୋଇଥିବା ହାଇସ୍କୁଲ‌୍‍ ବୋର୍ଡ଼ ପରୀକ୍ଷାରେ, କପିର ପ୍ରଚାର ଓ ପ୍ରସାର ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ କରିଦେଇଛି। ତେଣୁ ଏହି ଆଲୋଚନାକୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସୀମିତ ରଖିବା।   ଭାରତରେ ଶିକ୍ଷା ଅଧିକାର ଆଇନ ୨୦୧୦ ମସହାରେ ପ୍ରଚଳିତ ହେଲା। ଏହି ଆଇନ ଅନୁସାରେ ଦେଶରେ ୬ରୁ ୧୪ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦେବାର ବ୍ୟବସ୍ଥା ପ୍ରଦାନ କରାଗଲା। ରାଜ୍ୟ ସରକାରମାନେ ଏହି ଆଇନକୁ କାର୍ଯ୍ୟକାରୀ କଲେ। ଲକ୍ଷ୍ୟ ହେଲା, ସମାଜର ଶିକ୍ଷା ବ୍ୟବସ୍ଥାରୁ ଦୂରରେ ଥିବା ଅବହେଳିତ ଶିଶୁମାନଙ୍କୁ ଶିକ୍ଷାଦାନ କରିବା। ସେଥିପାଇଁ ସ୍କୁଲ‌୍‍ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବଳବତ୍ତର ରହିଲା। ସ୍କୁଲ‌୍‍କୁ ଏକ ଦଣ୍ଡମୁକ୍ତ ଅଂଚଳରୁପେ ଘୋଷଣା କରାଗଲା। ବାର୍ଷିକ ପରୀକ୍ଷା ଉଠାଇ ଦିଆଗଲା। ଯେକୌଣସି ବୟସର ପାଠ ପଢ଼ିନଥିବା ଶିଶୁକୁ ତା’ର ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ସିଧାସଳଖ ଆଡ଼ମିଶନ‌୍‍‌୍‍ର ବ୍ୟବସ୍ଥା ରହିଲା। ତେଣୁ ୬ ରୁ ୧୪ ବର୍ଷର ଶିଶୁମାନଙ୍କୁ ଏକ କୋହଳ ବାତାବରଣରେ ଶିକ୍ଷାଦିଆଗଲା। ଫଳରେ ସେମାନେ ଶିକ୍ଷା ଅଧାରୁ ଛାଡ଼ିବେ ନାହିଁ। ଏହି ପ୍ରକାର ପରିବର୍ତ୍ତନକୁ ପ୍ରଚଳିତ ଶିକ୍ଷକ ସମାଜ ସମ୍ଭାଳିବା ପାଇଁ ତାଲିମ ଦିଆଗଲା। ଶେଷରେ ଦେଖାଗଲା ଯେ ପ୍ରାଇଭେଟ‌୍‍ ସ୍କୁଲ‌୍‍ ଓ ସିବିଏସ‌୍‍ଇ ତଥା ଆସିଏସ‌୍‍ଇ ସିଲାବସ‌୍‍ ମାନି କାର୍ଯ୍ୟ କରୁଥିବା ସ୍କୁଲ‌୍‍ ଏହି ଆଇନକୁ ନମାନି ନିଜର ଶିକ୍ଷାଦାନ ପ୍ରଣାଳୀକୁ ଆଗଭଳି ଚାଲୁରଖି ଆଗକୁ ବଢ଼ିଚାଲିଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର ପିଲାମାନେ ୧୪ ବର୍ଷ ଅର୍ଥାତ‌୍‍ ୮ମ ଶ୍ରେଣୀ ଶେଷ କଲାବେଳକୁ ୫ମ ଶ୍ରେଣୀର ଶିକ୍ଷା ଆହରଣ କରିପାରିନାହାଁନ୍ତି। ଏହିପରି ଅର୍ଦ୍ଧଶିକ୍ଷିତ ୮ମ ଶ୍ରେଣୀର ଯୋଗ୍ୟତାକୁ ନେଇ, ଛାତ୍ରଛାତ୍ରୀମାନେ ପ୍ରାଥମିକ ଶିକ୍ଷା (୧ମରୁ ୮ମ ଶ୍ରେଣୀ) ସୋପାନ ଛାଡ଼ି ମାଧ୍ୟମିକ (୯ମ ଓ ୧୦ମ ଶ୍ରେଣୀ) ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ କରନ୍ତି। ନବମ ଶ୍ରେଣୀର ଶିକ୍ଷକମାନେ ଏକ ବର୍ଷ ମଧ୍ୟରେ (ପ୍ରକୃତରେ ୧୨୦ ହାରାହାରି ଶିକ୍ଷାଦାନ ଦିବସ) ଛାତ୍ରଛାତ୍ରୀମାନଙ୍କର ପୂର୍ବପାଠର ଅଭାବକୁ ପୂରଣ ନକରି ନୂଆ ଶିକ୍ଷାଦାନ କରି ଆଗକୁ ବଢ଼ିଚାଲନ୍ତି। ଏହା କାଲା ଆଗରେ ମୂଳା ଚୋବାଇବା ପରି। ଶେଷରେ ୧୦ମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ପହଞ୍ଚି ପରୀକ୍ଷା ଦେଲା ବେଳକୁ, ପାଠ ଜାଣିନଥାନ୍ତି। ସେମାନଙ୍କର ଆମିବିଶ୍ୱାସ ସଂପୂର୍ଣ୍ଣ ନଷ୍ଟ ହୋଇଯଇଥାଏ। ସେମାନେ କପି ନକରିବେ ତ ଆଉ କ’ଣ କରିବେ? ଏହି ଗୁମର କଥା କୌଣସି ସ୍ଥାନରେ ଆଲୋଚନା ହୁଏନାହିଁ। ସମସ୍ତେ ଚୁପ‌୍‍। କେବଳ କପି ପାଇଁ ଗଣଶିକ୍ଷା ମନ୍ତ୍ରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା କର୍ମକର୍ତ୍ତାଙ୍କୁ କିଛି ଲୋକ ଗଣମାଧ୍ୟମରେ ସମାଲୋଚନା କରି ବୌଦ୍ଧିକ ଆତ୍ମତୃପ୍ତି ଲାଭ କରିଥାନ୍ତି। ପରୀକ୍ଷାରେ କପି କରିବା ସୁଗମ କରିବାପାଇଁ କେତେକସ୍ଥଳେ ଅଭିଭାବକ ଓ ଶିକ୍ଷକ ମିଶି ପରୀକ୍ଷା କେନ୍ଦ୍ର ଫିକ୍ସିଂ କରିଥାଆନ୍ତି। ଭଲ ନିରୀକ୍ଷକଙ୍କୁ ପରୀକ୍ଷା ସୁପରଭାଇଜର କରି ଆଣିଥାନ୍ତି। କେତେକ କ୍ଷେତ୍ରରେ ଅବିଭାବକମାନେ ପ୍ରଶ୍ନପତ୍ର ଆଗୁଆ ଚୋରେଇ ଆଣିଥାନ୍ତି। ପାଖ ଥାନାକୁ ବୁଝେଇ ସୁଝେଇ ନରମ ଆଭିମୁଖ୍ୟ ନେବାକୁ ବାଧ୍ୟ କରିଥାନ୍ତି। ପିଲାମାନଙ୍କର ଭବିଷ୍ୟତକଥା ହୋଇଥିବାରୁ ସ୍ଥାନୀୟ ବିଧାୟକ ମାନେ ନୀରବ ରୁହନ୍ତି। କିଛି ଅସାଧୁ ଲୋକ ଏ ସମସ୍ତ ଦୁଇ ନମ୍ୱରୀ ବ୍ୟବସ୍ଥାରୁ ଅର୍ଥ ରୋଜଗାର କରନ୍ତି। ଫଳରେ ପରୀକ୍ଷାକୁ ନିୟନ୍ତ୍ରଣ କରିବାକୁ ଥିବା ସମସ୍ତ ଆଇନ କାନୁନ‌୍‍ ନିମିଷକେ ପାଣି ଫୋଟକା ପରି ମିଳେଇଯାଏ। କାରଣ ଏହି ଅଭିଯାନରେ ଛାତ୍ର, ଅଭିଭାବକ, ଶିକ୍ଷକ, ବିଭାଗୀୟ କର୍ମଚାରୀ, ପୋଲିସ‌୍‍, ପ୍ରଶାସକ ଓ ଲୋକପ୍ରତିନିଧି ସାମିଲ‌୍‍ ହୋଇଯାଆନ୍ତି। ଏକ ସାମାଜିକ ଫୋର୍ସ ବା ସାମାଜିକ ବଳ ଠିଆ ହୁଏ ଯାହାକି ପ୍ରତିବନ୍ଧକ ସାଜୁଥିବା ଆଇନକୁ ଭାଙ୍ଗିଦିଏ। ଯେଉଁ ପରୀକ୍ଷା କେନ୍ଦ୍ର ଧରାପଡ଼ିଯାଏ, ତାହା ବଦନାମ ହୁଏ ଓ ଯିଏ ଧରା ନପଡ଼ିଲା ସେ ସାଧୁ ରୂପେ ଗଣାହୁଏ।   ତେବେ ସରକାର ୨ଟି ପ୍ରକାରର ସମାଧାନ ପନ୍ଥା ବାହାର କରିପାରିବେ। ପ୍ରଥମଟି ହେଲା ପରୀକ୍ଷା ଭ୍ରଷ୍ଟାଚାର ଦୂରୀକରଣ ଆଇନକୁ ଆହୁରି କଡ଼ାକଡ଼ି କରିବା। ଅଧିକ ପୋଲିସ‌୍‍ ରଖିବା। ସିସିଟିଭି କ୍ୟାମେରା ପରୀକ୍ଷାକକ୍ଷରେ ଖଞ୍ଜିବା। ପିଲାଙ୍କ ପୋଷାକ ଖୋଲି ଯାଞ୍ଚ କରିବା। ବାହ୍ୟ ପରୀକ୍ଷା ସୁପରଭାଇଜର ସଂଖ୍ୟା ବୃଦ୍ଧି କରିବା। ବାହାର ସେଣ୍ଟରରେ ପରୀକ୍ଷା କରିବା କପିକୁ ଏକ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ କରିବା ଇତ୍ୟାଦି। ଏହାଦ୍ୱାରା ସମସ୍ୟା ସମାଧାନ ହେବନାହିଁ। ବରଂ ସମସ୍ୟା ଭୟାଭୟ ହେବ। ଶିଶୁମାନଙ୍କୁ ୬ରୁ ୧୪ବର୍ଷ ବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଉଦାରପୂର୍ଣ୍ଣ ଶିକ୍ଷା ବାତାବରଣରେ ବଢ଼ାଇ ହଠାତ‌୍‍ ଏକ କଠୋର ବାତାବରଣକୁ ଠେଲି ଦେବା, କେତେଦୂର ଠିକ‌୍‍ ହେବ? ପିଲାଟିଏ ପରୀକ୍ଷା ଦେବା ପାଇଁ ଗଲାବେଳକୁ ତା’ର ପ୍ୟାଣ୍ଟ ସାର୍ଟ ଯାଞ୍ଚ କରିବା ଏକ ଅମାନବୀୟ ପ୍ରକ୍ରିୟା। ପିଲାଟିକୁ କିଏ ଚୋର କଲା? ସରକାର ଓ ସମାଜ ପିଲାଟିକୁ ଉପଯୁକ୍ତ ଶିକ୍ଷାଦାନ କରିନପାରି ଛାଡ଼ିଦେବାରୁ ସେ ଚୋରି ପନ୍ଥା ଅନୁସରଣ କଲା। ସେଥିପାଇଁ ଆମେ ଦାୟୀ। ଆମେ ସେ କଥା ନବୁଝି, କପି ବିରୁଦ୍ଧରେ ଲମ୍ୱାଚଉଡ଼ା ଭାଷଣ ଟେଲିଭିଜନ ପର୍ଦ୍ଦାରେ ଦେବା ଏକ ହାସ୍ୟାସ୍ପଦ ଘଟଣା।   ସରକାରଙ୍କ ଦ୍ୱିତୀୟ ବିକଳ୍ପ ହେଲା, ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା। ପ୍ରତିବର୍ଷ ଆଭ୍ୟନ୍ତରୀଣ ପରୀକ୍ଷା କରି ବାର୍ଷିକ ଜ୍ଞାନ ଆହରଣ ସ୍ତର ପହଞ୍ଚିଲା କି ନାହିଁ, ତାହା ଯାଞ୍ଚ କରିବା ଓ ସେ ଅନୁସାରେ ପରବର୍ତ୍ତୀ ଶିକ୍ଷା ବର୍ଷରେ ଦୁର୍ବଳତାକୁ ଦୂର କରିବା। ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଯଦି ପ୍ରତିବର୍ଷ ପିଲାଟି ତା’ର ସ୍ଥିରୀକୃତ ଶିକ୍ଷା ଗ୍ରହଣ ସ୍ତର ହାସଲ କରେ, ତେବେ ୯ମ ଓ ୧୦ମ ଶ୍ରେଣୀରେ ସେ ଅସୁବିଧାରେ ପଡ଼ିବ ନାହିଁ। ସେହିପରି ୯ମ ଓ ୧୦ମ ଶ୍ରେଣୀରେ କମ୍ପ୍ୟୁଟର, ଏଲ‌୍‍ସିଡ଼ି ବ୍ୟବହାର କରି ପିଲାଙ୍କ ଅସୁବିଧା ଦୂର କରାଯାଇପାରିବ। ଏହା ସହିତ ବୋର୍ଡ଼ ପରୀକ୍ଷା ପଦ୍ଧତିର ମଝିରେ ମଝିରେ ପରିବର୍ତ୍ତନ ହେବା ଉଚିତ‌୍‍।   ଶେଷରେ ସମାଜ ମନେ ରଖିବା ଉଚିତ‌୍‍ ଯେ ଶିଶୁମାନେ ଆସନ୍ତାକାଲିର ନାଗରିକ। ଶିକ୍ଷା, ସେମାନଙ୍କୁ ଏକ ସୁସ୍ଥ ଓ ଦକ୍ଷ ସାମାଜିକ ଗଠନ ପାଇଁ ଜ୍ଞାନ କୌଶଳ ଓ ମୂଲ୍ୟବୋଧ ପ୍ରଦାନ କରେ। ଶିଶୁର ବାଲ୍ୟକାଳର ଅନୁଭୂତି ତା’ର ଜୀବନକୁ ଗଢ଼ିବାରେ ପ୍ରମୁଖ ପ୍ରଭାବ ପକାଉଥିବାରୁ, ଶିକ୍ଷା ବ୍ୟବସ୍ଥା ଶିଶୁପାଇଁ ଅତ୍ୟନ୍ତ ସମ୍ୱେଦନଶୀଳ ହେବା ଆବଶ୍ୟକ। ଏ ଦିଗରେ ଦଣ୍ଡମୁକ୍ତ ଅଞ୍ଚଳ ଗଠନ କରିବା, ମଧ୍ୟାହ୍ନ ଭୋଜନ ଦେବା, ସ୍କୁଲରେ ଶିଶୁ କମିଟି ଗଠନ କରିବା ପ୍ରଭୃତି ପ୍ରଶଂସନୀୟ ସରକାରୀ ପଦକ୍ଷେପ ଅଟେ। କିନ୍ତୁ ଏହା ଯଥେଷ୍ଟ ନୁହେଁ। ପିଲାଙ୍କୁ ନାଲି ଆଖି ଦେଖାଇ ପ୍ୟାଣ୍ଟସାର୍ଟ ସର୍ଚ୍ଚ କରିବା ଏକ ଅପରାଧୀ ଉଦ୍ଦୀପନା ସୃଷ୍ଟିକାରୀ ବ୍ୟବହାର, ଯାହାକି ପରିବର୍ତ୍ତନ ହେବା ଦରକାର। ଏହା ଶିଶୁ ଅଧିକାର ଉଲ‌୍‍ଘଂନ। ଆମଦେଶରେ ଯଦି ୧୮ ବର୍ଷକୁ ଶିଶୁର ବୟସ ସୀମା ବୋଲି ଗ୍ରହଣ କରାଯାଇଥାନ୍ତା, ତେବେ ସରକାର ପିଲାଙ୍କୁ ନାଲିଆଖି ଦେଖାଇ ପାରନ୍ତେ ନାହିଁ। ତେଣୁ ଶିକ୍ଷାର୍ଥୀ କିପରି ଶିକ୍ଷାଗ୍ରହଣ ପ୍ରତିବର୍ଷ କରିପାରିବ, ସରକାର ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନଚେତ‌୍‍ ଦିନ ଆସିବ, କେହି ରାଜନୈତିକ ଦଳ କପି ଅଧିକାର ଆଇନ ଦେଶରେ ବା ରାଜ୍ୟରେ ଅଣାଯାଉ ବୋଲି ଦାବି କରିବେ। କପିମ‌୍‍ ସରଣମ‌୍‍ ଗଚ୍ଛାମି କହୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ସେ ଦଳକୁ ସମର୍ଥନ କରି ନିର୍ବାଚନ ମଧ୍ୟ ଜିତାଇ ଦେବେ।   ଶ୍ରୀକ୍ଷେତ୍ର କଲୋନୀ, ପୁରୀ , ଭ୍ରାମ୍ୟଭାଷ-୯୪୩୯୧୭୮୫୮୮

Share :