ମୁଖ୍ୟମନ୍ତ୍ରୀ ସଡକ କାମରେ ଶିଶୁ ଶ୍ରମିକ

ମୁଖ୍ୟମନ୍ତ୍ରୀ ସଡକ କାମରେ ଶିଶୁ ଶ୍ରମିକ

Share :

ସରକାର ଶିଶୁ ଶ୍ରମିକଙ୍କୁ ସାମାଜିକ ନିରାପତ୍ତା ଯୋଗାଇବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଟଙ୍କା ଖର୍ଚ୍ଚ କରିଚାଲିଛିନ୍ତି। ଏଥିପାଇଁ କାର୍ଯ୍ୟକାରୀ ହେଉଛି ଶିଶୁ ସ୍ରମିକ ନିରୋଧ ଆଇନ। ବିଭିନ୍ନ ପ୍ରକଳ୍ପରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଶିଶୁ ଶ୍ରମିକ ବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କରିବା ସହ ସ୍ୱାବଲମ୍ୱନ ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେହିପରି ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଲଗାଇବା ସହ ଯେଉଁ ମାଲିକ କୌଣସି ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିଶୁ ଶ୍ରମିକ ଆଇନରେ ଦର୍ଶାଯାଇଛି। କିନ୍ତୁ କଳାହାଣ୍ଡି ଶ୍ରମ ବିଭାଗର କାର୍ଯ୍ୟପ୍ରତି ଅବହେଳା କାରଣରୁ ଅନେକ ଶିଶୁ ଶ୍ରମିକ ଖୁଲମଖୁଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପରେ ବିପଦ ଜନକ କାର୍ଯ୍ୟରେ ନିୟୋଜିତ ହେଉଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି।   ନିକଟରେ ଜୁନାଗଡ ଅଂଚଳରେ ଶିଶୁ ଶ୍ରମିକ ନିୟୋଜିତ ହେଇ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଇଥିବା ବେଳେ ବର୍ତ୍ତମାନ କଲମପୁର ବ୍ଲକର ଦୁଲକିବନ୍ଧ ଗ୍ରାମରେ ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଗ ମାଧ୍ୟମରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଶିଶୁ ଶ୍ରମିକଙ୍କୁ ନିିୟୋଜିତ କରାଯାଇଥିବା ନେଇ ଅଭିଯୋଗ ହେଇଛି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ଅନ୍ୟ ସମସ୍ତ ବିଭାଗକୁ ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ରହିଥିବା ନେଇ ଅବଗତ କରାଯାଇଥିଲେ ମଧ୍ୟ ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଗ ମାଧ୍ୟମରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାର  ଏକ ପୋଲ ନିର୍ମାଣ କାର୍ଯ୍ୟରେ ୧୪ ବର୍ଷରୁ କମ ବୟସ୍କ ଝିଅ ଓ ପୁଅଙ୍କୁ ଏହି ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ କରାଯାଇ କାର୍ଯ୍ୟ ସମ୍ପାଦିତ କରାଯାଉଥିଲେ ମଧ୍ୟ କାର୍ଯ୍ୟ ସମ୍ପାଦନ ଦାୟିତ୍ୱରେ ଥିବା ଗ୍ରାମ ଉନ୍ନୟନ ବିଭାଗର କେହି ଯନ୍ତ୍ରୀ ଏମାନଙ୍କୁ କାର୍ଯ୍ୟରେ ନିୟୋଜନରେ ପ୍ରତିବାଦ ନକରିବା ଅତ୍ୟନ୍ତ ପରିତାପର ବିଷୟ। ସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ୧୪ ବର୍ଷରୁ କମ ବୟସ୍କ ଶିଶୁଙ୍କୁ କୌଣସି ଶାରୀରିକ କାର୍ଯ୍ୟରେ ନିୟୋଜନ କଲେ ସେମାନଙ୍କ ମାନସିକ ତଥା ଶାରୀରିକ ବିକାଶ ପ୍ରଭାବିତ ହେଇଥାଏ। ଏହାସହ କାର୍ଯ୍ୟସ୍ଥଳର ସମସ୍ତ ଘଟଣା ଦୁର୍ଘଟଣା କୋମଳମତି ଶିଶୁଙ୍କୁ ପ୍ରଭାବିତ କରିଥାଏ।   ଏପରିସ୍ଥଳେ କିଭଳି ସରକାରଙ୍କ ବିଭିନ୍ନ ବିଭାଗର ଜାଣତରେ ଏଭଳି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାର୍ଯ୍ୟ ସମ୍ପାଦିତ କରାଯାଉଛି। ଏହାସହ ସମସ୍ତ ଶ୍ରମିକ ନିୟୋଜନ କାର୍ଯ୍ୟରେ ଶ୍ରମିକଙ୍କ ନିୟୋଜନ ନେଇ ଶ୍ରମ ବିଭାଗ ତରଫରୁ ସ୍ୱୀକୃତ ପ୍ରଦାନ କରାଯାଇଥାଏ। ଏଥିରେ ଶିଶୁ ଶ୍ରମିକ ନିୟୋଜନ ନେଇ କଟକଣା ରହିଥିଲେ ମଧ୍ୟ କାର୍ଯ୍ୟକାରୀ ଦିଗରେ ବିଭାଗ ସବୁ ଧ୍ୟାନ ଦେଉ ନଥିବାରୁ ଆଗାମୀ ଦିନରେ କୌଣସି ଅଘଟଣ ଘଟିଲେ ଦାୟୀ ରହିବ କିଏ ? ଏନେଇ ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ବନ୍ଦ ରହିଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ନିଆ ଯାଇ ପାରିନାହଁି। ଏନେଇ ଅନ୍ତ୍ୟୋଦୟର ଅଧ୍ୟକ୍ଷ ଦିଲିପ କୁମାର ଦାସ ରାଜ୍ୟଶ୍ରମ କମିଶନ, ଜିଲ୍ଲା ମଙ୍ଗଲ ଅଧିକାରୀ ଓ ଜିଲ୍ଲା ଶିଶୁ ସିରକ୍ଷା ସମିତିଠାରେ ଲିଷିତ ଅଭିଯୋଗ କରିଛନ୍ତି।

Share :