୨୪ ବର୍ଷର ତପସ୍ୟା ୫ ଦିନରେ ଧୂଳିସାତ

୨୪ ବର୍ଷର ତପସ୍ୟା ୫ ଦିନରେ ଧୂଳିସାତ

Share :

କୋଣାର୍କ ଥାନାନ୍ତର୍ଗତ ବାଲିଦୋକାନ ସ୍ଥିତ ବିବାଦୀୟ ଦର୍ଶନୀବନ୍ତରେ ୧୯୯୨ ମସିହାରୁ ବ୍ରହ୍ମଚାରୀ ଶିବଶ୍ରୀ ହରି ବ୍ରହ୍ମା (ବାନା ବାବା) ଓରଫ ବାନାମ୍ୱର ମହାରଣାଙ୍କ ଦ୍ୱାରା ଗଡି ଉଠିଥିବା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳ‌୍‍କୀ ଯୋଗାଶ୍ରମଟି ଏବେ ବାଲିରେ ଲୋଟି ପଡିଛି। ବନ ବିଭାଗ ଓ ବାନାବାବଙ୍କ ମଧ୍ୟରେ ଦୀର୍ଘ ଦିନର ଯେଉଁ ଛକାପଞ୍ଝା ଚାଲିଥିଲା ତାହାର ଅବସାନ ଘଟିଛି। ବାନାବାବାଙ୍କର ୨୪ ବର୍ଷର ତପସ୍ୟାକୁ ବନ ବିଭାଗ ୫ ଦିନରେ ଧୂଳିସାତ କରିଦେଇଛି। ଯେଉଁଠାରେ ବାନାବାବାଙ୍କ ଭକ୍ତ, ଶ୍ରଦ୍ଧାଳୁ, ନେତା ଓ ପ୍ରଶାସକଙ୍କୁ ଦେଖିବାକୁ ମିଳୁଥିଳା ଏବେ ସେଠାରେ ମାଟିଆ ପୋଷାକଧାରୀ ପୁଲିସ ଓ ବନ କର୍ମଚାରୀଙ୍କୁ ଦେଖିବାକୁ ମିଳୁଛି।   ଦର୍ଶନୀବନ୍ତକୁ ଶ୍ରୀହିନ କରି ଦେଇଛି ବନ ବିଭାଗ। ଶ୍ରଦ୍ଧାଳୁ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଓ ପଞ୍ଚାୟତର କୋଟିକୋଟି ଟଙ୍କା ଅନୁଦାନରେ ଗଢି ଉଡିଥିବା ଏହି ବିଶାଳ କୋଠାକୁ ବନ ବିଭାଗ ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରି ଭାଙ୍ଗି ଦେଇଛି। ଆଶ୍ରମର ଏହି କୋଠାବାଡି ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୩ ତାରିଖ ଶୁକ୍ରବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଠାରେ ବନ ବିଭାଗର ଏକ ସେକ୍ସନ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଗୃହକୁ ଛାଡି ସମସ୍ତ କଂକ୍ରିଟ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। ଏଥିପାଇଁ ପ୍ରଶାସନକୁ ପାଞ୍ଚ ଦିନ ସମୟ ଲାଗିଥିଲା। ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମି ସୀମାନେ ଇଟା ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।   ଉଚ୍ଛେଦ ପ୍ରକ୍ରିୟା ସମୟରେ ବାନାବାବା ତାଙ୍କ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ ୧୯୯୨ ମସିହାଠାରୁ ମୁଁ ମୋହମାୟା ସଂସାର ତ୍ୟାଗ କରି ଏହି ପୌରାଣିକ ତଥା ଐତିହାସିକ ଦର୍ଶନୀବନ୍ତକୁ ଆସି ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ପାଇଁ ଜପତପ କରୁଛି। ସେବେଠାରୁ ଏହି ବନ୍ତରୁ ମୁଁ ତଳକୁ ଯାଇ ନାହିଁ। ମୋ ପାଖକୁ ଆସୁଥିବା ଭକ୍ତଙ୍କ ଦାନରେ ଜଗତ କଲ୍ୟାଣ ପାଇଁ ଏହି କୋଠା ନିର୍ମାଣ ହୋଇଥିଲା। ଜଙ୍ଗଲ ଜମିରେ ଏହି କୋଠାବାଡି ନିର୍ମାଣ ହୋଇଥିବା ଅଭିଯୋଗ କରି ବନ ବିଭାଗ ପକ୍ଷରୁ ୨୦୧୫ ମସିହା ସେପ୍ଟେମ୍ୱର ୪ ତାରିଖରେ ଆଶ୍ରମ ଛାଡି ଦେବା ପାଇଁ ମୋତେ ନୋଟିସ ଦିଆଯାଇଥିଲା। ପ୍ରଶାସନର ନୋଟିସକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଶ୍ରମ ଛାଡି ଦର୍ଶନୀବନ୍ତ ନିକଟସ୍ଥ ଗୁହାଳପୁର ମୌଜାରେ ଥିବା ନିଜସ୍ୱ ସ୍ଥିତିବାନ ଜାଗାରେ ନୂଆ ଆଶ୍ରମ ପ୍ରତିଷ୍ଠା କରି ଜପତପ କରୁଛି। ସେବେଠାରୁ ମୁଁ ସେହି ଆଶ୍ରମକୁ ଫେରି ନାହିଁ। ଏହି କୋଠାବାଡି ପ୍ରତି ମୋର କୌଣସି ଆସକ୍ତି ନ ଥିଲା କି ଏବେ ମଧ୍ୟ ନାହିଁ।   ବାନାବାବା କହିଥିଲେ ଯେ ୨୦୧୬ ମେ ୧୩ ତାରିଖରେ କେତେକ ଭକ୍ତ ଓ ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା ମଞ୍ଚାର ମହିଳାମାନେ ଭାବପ୍ରବଣ ହୋଇ ଆଶ୍ରମରେ ପଶିଯାଇଥିଲେ। ଏଥିରେ ମୋର କୌଣସି ଭୂମିକା ନାହିଁ କି ମୁଁ ସେମାନଙ୍କୁ ଉସକାଇ ନାହିଁ। ବନ ବିଭାଗ ସେମାନଙ୍କୁ ଘଉଡାଇ ଆଶ୍ରମକୁ ପୁନର୍ବାର ନିଜ କବଜାକୁ ନେଇ ପାରିଥାନ୍ତା। ଜଗତ କଲ୍ୟାଣ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କୋଠାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାଙ୍ଗି କ’ଣ ଲାଭ ପାଇଲେ? ସରକାର ତା’କୁ ନିଜ କାମରେ ତ ଲଗାଇ ପାରିଥାନ୍ତେ? ମୋ ଆଖି ସାମ୍ନାରେ ମୋ ଭକ୍ତଙ୍କ ଦାନରେ ନିର୍ମିତ ହୋଇଥିବା କୋଠାବାଡି ଓ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗା ଯାଉଥିବା ଦେଖି ମୋତେ ବହୁତ କଷ୍ଟ ଓ ଦୁଃଖ ଲାଗୁଛି। ପ୍ରଶାସନ କୋଠାବାଡ଼ିକୁ ନିଜ କାମରେ ନ ଲଗାଇ ଭାଙ୍ଗିଦେବା ଦୁଃଖ ଓ ପରିତାପର ବିଷୟ। ପ୍ରଶାସନକୁ ଧରମ ସହିବ ନାହିଁ ଏଥି ପାଇଁ ଦୈବ ଚଡକ ଭୋଗିବାକୁ ପଡିବ ବୋଲି ବାନାବାବା ଅଭିଶାପ ଦେଇଥିଲେ।   ଏଠାରେ ସୂଚନା ଥାଉକି କୋଣାର୍କ ନିକଟସ୍ଥ ପୌରାଣିକ ଦର୍ଶନୀବନ୍ତରେ ୧୯୯୨ ମସିହାରେ ବାନାବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଜଙ୍ଗଲ ଜମିକୁ ଜବର ଦଖଲ କରି ଆଶ୍ରମର ବିଶାଳ କୋଠାବାଡି ନିର୍ମାଣ କରିଥିବା ଅଭିଯୋଗରେ ୨୦୧୫ ମସିହା ଅଗଷ୍ଟ ମାସ ୩୧ ତାରିଖରେ ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ଆଶ୍ରମ ଦଖଲ କରିଥିବା ଜମିକୁ ମାମଚୁପ କରାଯାଇଥିଲା। ଏହି ମାପଚୁପରୁ ଜଣା ପଡିଥିଲା କି ବାନାବାବା ୧୯ ଏକର ୬୦ ଡିସିମିଲ ସରକାରୀ ଓ ଜଙ୍ଗଲ ଜମି ନିଜ ଅକ୍ତିଆରରେ ରଖିଛନ୍ତି। ସରକାରଙ୍କ ଜଙ୍ଗଲ ଜମିରେ ବେଆଇନ ଭାବେ ବାନାବାବା ଆଶ୍ର ପ୍ରତିଷ୍ଠା କରିଥିବା ଅଭିଯୋଗରେ ଅଶ୍ରମ ଛାଡିବା ପାଇଁ ଉକ୍ତ ଦିନ ଅପରାହ୍ନରେ ଏକ ନୋଟିସ ଦିଆଯାଇ ୨୦୧୫ ମସିହା ସେପ୍ଟେମ୍ୱର ୪ ତାରିଖ ସୁଦ୍ଧା ଏହି ସରକାରୀ ଜମିରୁ ହଟିଯିବା ପାଇଁ ଅବଗତ କରାଯାଇଥିଲା। ପ୍ରଶାସନକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ବାନାବାବା ଆଶ୍ରମ ତ୍ୟାଗ କରିଥିଲେ।   ବାନାବାବା ଆଶ୍ରମ ଛାଡିବା ପରେ ୨୦୧୫ ମସିହା ସେପ୍ଟେମ୍ୱ ୫ତାରିଖରେ ବନବିଭାଗ ଆଶ୍ରମର କୋଠା, ମନ୍ଦିର, ଫୁଲ ଫଳ ବଗିଚାକୁ ତାରବାଡ ଘେରାଇ ନିଜ ଅକ୍ତିଆରକୁ ନେଇଥିଲା। ଜଣେ ଉପବନାପାଳଙ୍କ ସମେତ ଅନୁନ୍ୟ ୧୦ ଜଣ ବନ କର୍ମଚାରୀଙ୍କୁ ନେଇ ବନ ବିଭାଗର ଏକ ସେକ୍ସନ ଅଫିସ କାର୍ଯ୍ୟ କରୁଥିଲା। ବାନାବାବା ଅଶ୍ରମ ଛାଡିବାପରେ ଦର୍ଶନୀବନ୍ତର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଦର୍ଶନୀବନ୍ତ ଶାନ୍ତି ଶୁରକ୍ଷା ମଞ୍ଚ ଗଡି ଛଠିଥିଲା। ମଞ୍ଚ ପକ୍ଷରୁ ଦର୍ଶନୀବନ୍ତ ଓ ଆଶ୍ରର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ, ବନ ବିଭାଗ, ନେତା ଓ ମନ୍ତ୍ରୀଙ୍କୁ ଅନୁରୋଧ କରି ବିଫଳ ହେବା ପରେ ମଞ୍ଚର ଶତାଧିକ ମହିଳା ଗତ ଅପ୍ରେଲ ୧୩ ତାରିଖ ଶୁକ୍ରବାର ଅପରାହ୍ନରେ ତାରବାଡ ଓପାଡି ଆଶ୍ରମର ଦଖଲ କରିଥିଲେ। ଏହି ସମୟରେ ଆଶ୍ରମ ମଧ୍ୟରେ ଥିବା ଉପ ବନପାଳ ଓ ଅନ୍ୟ ବନ କର୍ମଚାରୀମାନେ ଭୟରେ ସେ ସ୍ଥାନଛାଡି ପଳାଇଥିଲେ । ଏ ନେଇ ବନବିଭାଗ ପକ୍ଷରୁ ଦର୍ଶନୀବନ୍ତ ଦାଇତ୍ୱରେ ଥିବା ଉପ ବନପାଳ ଜୟକୃଷ୍ଣ ଯଦୁମଣୀ ଦାସ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେଦିନ କାହାକୁ ଗିରଫ କରାଯାଇ ନ ଥିଲା। ପୁଲିସ ଓ ବନ ବିଭାଗ ୨୧ ଦିନ ନିରବ ରହିବା ପରେ ଜୁନ ୩ ତାରିଖରେ ଆଶ୍ରମକୁ ନିଜ ଅକ୍ତିଆରକୁ ଆଣି କୋଠାବାଡିକୁ ଭାଙ୍ଗି ଦେଇଥିଲେ।   କାକଟପୁର ତହସିଲ ଆନ୍ତର୍ଗତ ଚିତ୍ରେଶ୍ୱରୀ ଆର.ଆଇ ସର୍କଲର ଗୋଧନପଡା ମୌଜାରେ ଥିବା ବିବାଦୀୟ ଦର୍ଶନୀବନ୍ତକୁ ବନବିଭାଗ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ସଂରକ୍ଷିତ ଜଙ୍ଗଲ କହୁଥିବା ବେଳେ ରାଜସ୍ୱ ବିଭାଗ ବାନାବାବାଙ୍କୁ ଦେଇଥିବା କାଗଜପତ୍ର କହୁଛି ଏହା ରାଜସ୍ୱ ବିଭାଗର। ଏ ନେଇ ଗୋଧନପଡା ମୌଜାର ଖାତା ନଂ ୨୭ ପ୍ଲଟ ନମ୍ୱର ୧୩୩/୨୦ରେ ୬ ଏକର ୪୮ ଡିସିମିଲ ସରକାରୀ ଜମିରେ ଦର୍ଶନୀବନ୍ତ ଗଡି ଉଠିଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଏଠାରେ ବାନାବାବା ଆଶ୍ରମ ପ୍ରତିଷ୍ଠା କରିବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ମାମଲା ରୁଜୁ କରାଯାଇ ଗତ ୨୩.୦୫.୨୦୧୨ରେ ଫରମ ସଂ-ଏକ୍ସ.ଆଇ.ଆଇ. ରସିଦ ପୁସ୍ତକ ନଂ ୮୮୭୯୭୮ରେ ନିମୟ ୬୬ ବଳରେ ୧୭୯୫ ଟଙ୍କା ଖଜଣା ପାଉତି ଆଦାୟ କରାଯାଇଛି। ଏ ନେଇ ବାନାବାବାଙ୍କ ପକ୍ଷରୁ ନିମାପଡା ସିଭିଲ ଜଜ କୋର୍ଟରେ ୧୩/୧୬ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ରହିଥିବା ବେଳେ ଏଭଳି ଉଚ୍ଛେଦକୁ ସାଧାରଣରେ ନାପସନ୍ଦ କରାଯାଇଛି।   ଏହି ପୌରାଣିକ ତଥା ଐତିହାସିକ ଦର୍ଶନୀବନ୍ତର ଐତିହ୍ୟ ଉପରେ ନଜର ପକାଇଲେ ଜଣାପଡେ କାହିଁ କେଉଁ କାଳରୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଜଗନ୍ନାଥ ରଥଯାତ୍ରା ସମୟରେ (ଆଷାଢ ଶୁ‌୍‍କ୍ଳ ଦ୍ୱିତୀୟ ଓ ଏକାଦଶୀ ତିଥି) ଏହି ବନ୍ତରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଏତଦ ବ୍ୟତିତ ବିଭିନ୍ନ ପର୍ବପର୍ବାଣୀ ସମେତ ବର୍ଷତମାମ ଶ୍ରଦ୍ଧାଳୁମାନେ ଦର୍ଶନୀବନ୍ତକୁ ଆସି ଅନେକ ଦେବାଦେବୀ ଓ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଦର୍ଶନୀବନ୍ତକୁ ବନିବିଭାଗ ନିଜ ଅକ୍ତିଆରରେ ରଖି ତାରବାଡ ଘେରାଇବା ସହ ଇଟା ପ୍ରାଚୀର ନିର୍ମାଣ ଆରମ୍ଭ କରିଛି। ଜୁଲାଇ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ହେବ। ସେତେବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ପୂଜାର୍ଚ୍ଚନା କେମିତି କରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Share :