୧ ଗାଁ, ୨ ମୋଟର, ୨୧ କୂଅ-ସବୁ ଅଚଳ

୧ ଗାଁ, ୨ ମୋଟର, ୨୧ କୂଅ-ସବୁ ଅଚଳ

Share :

ଏକ ଗାଁ, ଏକୋଇଶ ନଳକୂଅ, ଦୁଇ ମୋଟର, ଗୋଟିଏ ଓଭର ହେଡ ଟାଙ୍କି- ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରୀ ସ୍ତରରେ ଏତେ କାମ। କିନ୍ତୁ କିଛି କାମ କରୁନି। ଏ ହେଉଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଟିଏ ଗାଁରେ ଚାଲିଥିବା ସରକାରୀ ବିକାଶ ଧାରାର ବାସ୍ତବ ଚିତ୍ର।   କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମରେ ଗ୍ରୀଷ୍ମ ଆରମ୍ଭରୁ ଶେଷ ଯାଏଁ ଉତ୍କଟ ଜଳସଙ୍କଟ ଲାଗି ରହିଛି। ଅଥଚ ଏହି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ପାଣିଟାଙ୍କି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ତେଣୁ ସମସ୍ୟାର ଅସ୍ଥାୟୀ ସମାଧାନ ସ୍ବରୂପ ଲୋକଙ୍କୁ ପମ୍ପ ଯୋଗେ ପାଣି ଯୋଗାଇ ଦିଆଯାଉଅଛି। କିନ୍ତୁ ଗାଁରେ ଅଧିକାଂଶ ସମୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଉଥିବାରୁ ପାଣି ଯୋଗାଣରେ ବାଧା ସୃଷ୍ଟି ହେଉଛି ଓ ଗ୍ରାମବାସୀ  ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।   ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଫୁଣ୍ଡା ଗ୍ରାମରେ ୬/୭ ବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏକ ପାଣି ଟାଙ୍କି ଏବେ ଯାଏଁ ଅର୍ଦ୍ଧନିର୍ମିିତ  ଅବସ୍ଥାରେ ପଡିରହିଛି।  ତେଣୁ ଲୋକଙ୍କୁ ପମ୍ପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। ବ୍ଲକର ଫୁଣ୍ଡା ଗ୍ରାମର ଜନସଂଖ୍ୟା ପ୍ରାୟ  ୧୬୦୦ରୁ ଅଧିକ। ସେମାନଙ୍କ ପାଇଁ ୨୧ ଗୋଟି ନଳକୁଅ  ରହିଛି। ସେଥିରୁ ତିନି ଗୋଟି ଖରାପ ହୋଇଥିବ ବେଳେ ୧୮ଟି ନଲ କୂଅରୁ ଆବଶ୍ୟକ ପରିମାଣରେ ପାଣି ବାହାରୁ ନାହିଁ। ଗ୍ରାମକୁ ପାଣି ଯୋଗାଣ ସକାସେ ଦୁଇ ଗୋଟି ମୋଟର ରହିଛି। ଗୋଟିଏ ମୋଟର ତଳପଡାକୁ ପାଣି ଯୋଗାଣ କରୁଥିବା ବେଳେ ଆଉ ଗୋଟିଏ ମୋଟର କଲୋନି ପଡାକୁ ପାନୀୟ ଜଳ ଯୋଗାଇଥାଏ। ହେଲେ କଲୋନି ପଡାକୁ ଜଳଯୋଗାଣ କରୁଥିବା ମୋଟର ଦୀର୍ଘ ତିନି ମାସ ହେଲା ଖରାପ ହୋଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।   ପୁଣି ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବା ପରିଲକ୍ଷିତ ହେଉଛି। ଗ୍ରାମରେ ୧୭ ଗୋଟି ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ଅନେକ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଚୁରମାର ହୋଇଯାଇଛି। ଗ୍ରାମକୁ ଜଳ ଯୋଗାଣ ଆରମ୍ଭରୁ କଲୋନି ପଡାର ଅନେକ ଷ୍ଟାଣ୍ଡ ପୋଷ୍ଟରେ ପାଣି ପହଂଚି ପାରୁନଥିବା ପଡାବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ସକାସେ ବାରମ୍ୱାର ଦାବି କରାଯିବା ସତ୍ତ୍ବେ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତ୍ତମାନ ପାଣିଟାଙ୍କି ନିର୍ମାଣ କରିବା ସକାସେ ପ୍ରସ୍ତାବ ଦେଇଛୁ ଓ ଖରାପ ହୋଇଥିବା ମୋଟରକୁ ମଧ୍ୟ ଯଥା ଶୀଘ୍ର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।

Share :