ଫୋକସ୍‌ରେ ଏବେ ଗାଁ

ଫୋକସ୍‌ରେ ଏବେ ଗାଁ

Share :

ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ। ନଭେମ୍ୱର-ଡିସେମ୍ୱରରୁ ଗାଁ ମାହୋଲ ପୂରା ସରଗରମ ହେବ। ଗାଁ ଖଟିରେ ଦଳୀୟ ରାଜନୀତି ପୂରା ଖୁନ୍ଦି ହୋଇଯିବ। ତେବେ ଏବେଠାରୁ ତିନି ଦଳ ଆରମ୍ଭ କରିଦେଲେଣି କ୍ଷେତ୍ର ପ୍ରସ୍ତୁତି। ଅବଶ୍ୟ ଏକ୍ଷେତ୍ରରେ ବିଜେଡ଼ି ଟିକିଏ ଆଗୁଆ। ହେଲେ ବିଜେଡ଼ିର ଏକଚାଟିଆ ମନମାନିକୁ ମାତ୍ ଦେବା ପାଇଁ ତୃଣମୂଳସ୍ତରରେ ବିଜେପି- କଂଗ୍ରେସ ନେତାଏ ସନ୍ଧି କରିଥିବା ଦେଖିବାକୁ ମିଳିଛି। ସେହିପରି ଅସନ୍ତୁଷ୍ଟ ବିଜେଡ଼ି ନେତାମାନେ ବି ପ୍ରତିପକ୍ଷକୁ ମାତ୍ ଦେବାପାଇଁ ବିଜେପି-କଂଗ୍ରେସ କର୍ମୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଦେଲେଣି। ସମସ୍ତଙ୍କ ଅପେକ୍ଷା କେବେ ସଂରକ୍ଷଣ ନେଇ ଘୋଷଣା ହେବ। ତେବେ ଏନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏବେଠାରୁ ନିଜ ନିଜର ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନେତାମାନେ ଗାଁ ମୁହାଁ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କେତେକ ପଞ୍ଚାୟତରେ ସମ୍ଭାବ୍ୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ତର୍ଜମା ଆରମ୍ଭ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ଆଶାୟୀମାନେ ‘ରଜ ଅଭିନନ୍ଦନ’ରୁ ବ୍ୟାନର ପୋଷ୍ଟର ଅଭିଯାନ ଆରମ୍ଭ କରୁଥିବା ପରିଲକ୍ଷିତ ହେଉଛି।   ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜନୀତି ବଦଳିଯିବ। ଏଥର ପଞ୍ଚାୟତ ନିର୍ବାଚନରେ ଗୋଟିଏ ଟର୍ମ ସଂରକ୍ଷଣ ନେଇ ଘୋଷଣା କରାଯାଇଥିବାରୁ ଗାଁ ରାଜନୀତି ବେଶ‍୍‌ ଚଳଚଞ୍ଚଳ ହୋଇପଡ଼ିଛି।। ଯେଉଁଠି ଏସ‍୍‌ସି ଏସ‍୍‌ଟି ସଂରକ୍ଷଣ ଥିଲା ସେଠାରେ ସାଧାରଣ ବର୍ଗଙ୍କ ପାଇଁ ଏଥର ସଂରକ୍ଷଣ ହେବବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ପୁରୁଷ ବଦଳରେ ମହିଳା, ସାଧାରଣ ବଦଳରେ ଏସସି ଏସଟି ସଂରକ୍ଷଣ ହେବାର ସମ୍ଭାବନା ରହିଛି। ତେଣୁ ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଦଳ ନିଜ ସମର୍ଥୀତ ପ୍ରାର୍ଥୀଙ୍କୁ ଯେଉଁ ରଣନୀତିରେ ଜିତାଇଥିଲେ ଏଥର ତାହା ପରିବର୍ତ୍ତନ ହେବ।   ବିଗତ ଦିନରେ ସାଧାରଣ ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନରେ ବି ବିଜେଡ଼ି ଏକତରଫା ବାଜିମାତ୍ କରିଛି। ଫଳରେ ପଞ୍ଚାୟତ ସ୍ତରରେ ୯୦ ପ୍ରତିଶତ ଠିକାଦାରୀ କାର୍ଯ୍ୟ ସବୁ ବିଜେଡ଼ି ନେତାଙ୍କ କବଳରେ ରହୁଥିବାବେଳେ ସବୁ ଅର୍ଥ ସେମାନଙ୍କ ପକେଟ‍୍‌ରେ ପଶୁଛି। ଏଭଳି ସ୍ଥିତିରେ ବିଜେଡ଼ି ନେତାମାନଙ୍କ ପାଖରେ ଅର୍ଥ ବଳ ଅଧିକ ରହିଛି କହିଲେ ଭୁଲ‍୍‌ ହେବନାହିଁ। ତେବେ ବିଜେଡ଼ି ପାଇଁ ସମସ୍ୟାର କାରଣ ହେଉଛି, ସାଧାରଣ ନିର୍ବାଚନରେ ଲୋକମାନେ ଚିହ୍ନକୁ ଦେଖି ଭୋଟ‍୍‌ ଦେଇଥିଲେ। ହେଲେ ଏବେ ବିଭିନ୍ନ ପଞ୍ଚାୟତରେ ବିଜେଡ଼ି କର୍ମୀମାନେ ବହୁ ଗୋଷ୍ଠୀରେ ବିଭକ୍ତ ହୋଇସାରିଛନ୍ତି। କିଏ ବିଧାୟକଙ୍କ ଗୋଷ୍ଠୀ ତ କିଏ ସାଂସଦ ଗୋଷ୍ଠୀ, କିଏ ବ୍ଲକ୍ ଅଧ୍ୟକ୍ଷଙ୍କ ଗୋଷ୍ଠୀ ତ ଆଉ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗୋଷ୍ଠୀ। ଏହାଛଡ଼ା ବିଜେଡ଼ିର ଆଶାୟୀ ବିଧାୟକଙ୍କ ଗୋଷ୍ଠୀ ସଂଖ୍ୟା ବି କମ‍୍‌ ନୁହେଁ। ତେଣୁ ବିଜେଡ଼ି ବିଧାୟକମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଆହ୍ୱାନ ସୃଷ୍ଟି କରିଛି। କାହିଁକିନା ପଞ୍ଚାୟତ ନିର୍ବାଚନରେ ବିଧାୟକଙ୍କ ଗୋଷ୍ଠୀ କିଭଳି ନଜିତିବେ ଅସନ୍ତୁଷ୍ଟ ନେତାମାନେ ସେହି ରଣନୀତି ଆରମ୍ଭ କରିଦେଇଛନ୍ତି।   ଅପରପକ୍ଷରେ ଏହି ସୁଯୋଗରେ ବିରୋଧୀ କଂଗ୍ରେସ ଓ ବିଜେପି ବି ବିଜେଡ଼ିକୁ ମାତ୍ ଦେବା ପାଇଁ ଯୋଜନା କରିଥିବା ଦେଖିବାକୁ ମିଳୁଛି। ବିଜେଡ଼ିର ଅସନ୍ତୁଷ୍ଟ ନେତାମାନଙ୍କୁ ହାତବାରିସି କରି ଦୁଇ ଜଣଙ୍କ କଳିରେ ତୃତୀୟର ଲାଭ ନ୍ୟାୟରେ ସେମାନେ ବି ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି। ଏମିତିକି ଗାଁ ଗହଳିରେ କଂଗ୍ରେସ ସହ ବିଜେପି ନେତାମାନେ ହାତମିଳାଇ ବିଜେଡ଼ି ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯେହେତୁ ଉଭୟ ଦଳ ଏକାକୀ ଲଢ଼ିଲେ ପଞ୍ଚାୟତ ନିର୍ବାଚନରେ ଜିତିବାର ଚାନ୍ସ ନାହିଁ ସେଥିପାଇଁ ଏଭଳି ରଣନୀତି କରିଛନ୍ତି। ଯାହାକି ବିଜେଡ଼ି ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ।   ତେବେ ଚୂଡ଼ାନ୍ତ ରଣନୀତି ସଂରକ୍ଷଣ ଘୋଷଣା ପରେ ହିଁ ହେବ। କାହିଁକିନା ଯେଉଁଠି ସରପଞ୍ଚ ମହିଳା ହେବ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀଙ୍କୁ ଖୋଜିବାକୁ ପଡ଼ିବ। ଯଦି ପୁରୁଷ ହେବ ତାହା ପାଇଁ ରଣନୀତି ନିଶ୍ଚିତ ଅଲଗା ହେବ। ସେହିପରି ବ୍ଲକ୍ ଅଧ୍ୟକ୍ଷ ପଦ ମହିଳା କି ପୁରୁଷ ହେବ ତାହା ଉପରେ ବି ବିଧାୟକଙ୍କ ନଜର ରହିଛି। ଅନେକ କ୍ଷେତ୍ରରେ ଆଶାୟୀ ପୁରୁଷମାନେ ସଂରକ୍ଷଣ ନୀତିରେ ମହିଳା ହେଲେ ନିଜ ପତ୍ନୀମାନଙ୍କୁ ସୁଯୋଗ ଦେଇଥା’ନ୍ତି। ତେବେ ଏହା ପୂର୍ବଭଳି ଆଉ କାଟୁ କରୁନାହିଁ। କାହିଁକିନା ଏସଏଚଜି ଆନ୍ଦୋଳନ ଆରମ୍ଭ ହେବାପରେ ଗାଁ ଗହଳିରେ ଅନେକ ମହିଳା ଏବେ ଆଗକୁ ଆସିବା ସହ ପଞ୍ଚାୟତ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କଲେଣି। ତେବେ ସେ ଯାହାହେଉନା କାହିଁକି ରଜରୁ ହିଁ କେତେକ ଆଶାୟୀ  ଅଭିନନ୍ଦନ ଜରିଆରେ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଗାଁରେ ଏବେଠାରୁ ରଜ ଅଭିନନ୍ଦନ ବ୍ୟାନର ଓ ଫ୍ଲେକ୍ସ ଲଗା ହେଲାଣି।

Share :