ଚଳିତ ବର୍ଷ ତୁଷାରହୀନ ହୋଇପାରେ ସୁମେରୁ ସମୁଦ୍ର। ପ୍ରାୟ ୧ ଲକ୍ଷ ବର୍ଷ ପରେ ଏମିତି ଘଟଣା ଘଟିବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଛନ୍ତି କେତେକ ବୈଜ୍ଞାନିକ। ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଏପରି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଏହା ଏହି ସମସ୍ୟା କେତେ ସଂକଟଜନକ ସେ ସଂପର୍କରେ ମଧ୍ୟ ଆଭାସ ପ୍ରଦାନ କରୁଛି। ସୁମେରୁ ତୁଷାରହୀନ ହେବା ମାନେ ସେଠାରେ ଥିବା ବରଫ ଭାଲୁ ଲୋପ ପାଇବେ। ସେମାନେ ନହେଲେ ରହିବେ କେଉଁଠି? ଖେଳିବେ କେଉଁଠି? ସୁମେରୁ ଉତ୍ତାପ ଯୋଗୁଁ ପୃଥିବୀ ଉତ୍ତାପ ମଧ୍ୟ କେଇ ଗୁଣ ବଢ଼ି ଯାଇପାରେ। ଏବେ ସୁମେରୁର ବରଫହୀନ ଅଂଚଳରେ ସବୁଜ ଶୈବାଳ ଉଠିଲେଣି। ଏହା ଏକ ଅନାଗତ କିନ୍ତୁ ବିପଜ୍ଜନକ ଭବିଷ୍ୟତର ପୂର୍ବାଭାସ ହୋଇପାରେ। ଉପଗ୍ରହ ପଠାଇଥିବା ତଥ୍ୟ ଅନୁଶୀଳନ କରି ଆମେରିକାର ରାଷ୍ଟ୍ରୀୟ ତୁଷାର ଓ ବରଫ ତଥ୍ୟ କେନ୍ଦ୍ର ପ୍ରକାଶ କରିଛି ଯେ ଚଳିତ ଜୁନ ପହିଲା ସୁଦ୍ଧା ସୁମେରୁ ବା ଆର୍କଟିକ ଅଂଚଳରେ ୧୧.୧ ନିୟୁତ ବର୍ଗ କିମିର ସମୁଦ୍ର ବରଫ ରହିଛି। ଏହା ଗତ ୩୦ ବର୍ଷର ହାରାହାରିଠାରୁ ପ୍ରାୟ ୧.୫ ନିୟୁତ ବର୍ଗ କିମି କମ। ଏହା ଛଅଟି ଇଂଲଣ୍ଡ ସହିତ ସମାନ। ସୁମେରୁ ସମୁଦ୍ରରେ ଗତ ୩୦ ବର୍ଷର ହାରାହାରି ହେଉଛି ୧୨.୭ ନିୟୁତ ବର୍ଗ କିମି। କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ମେରୁ ସାଗର ପଦାର୍ଥବିଜ୍ଞାନ ଗୋଷ୍ଠୀର ମୁଖ୍ୟ ପ୍ରଫେସର ପିଟର ୱାଧାମ ୪ ବର୍ଷ ତଳେ ଏମିତି ଏକ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ ସୁମେରୁ ସମୁଦ୍ର ବରଫହୀନ ହୋଇଯିବାର ମାନେ ନୁହେଁ ସେଠାରେ ଥିବା ସବୁଯାକ ବରଫ ତରଳିଯିବ। ତେବେ ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ଏହି ବରଫ ପରିମାଣ ୧ ନିୟୁତ ବର୍ଗ କିମିଠୁ ଆହୁରି ଅଧିକ କମିଯାଇ ପାରେ। ଏପରିକି ଏହି ପରିମାଣ ୩-୪ ନିୟୁତ ବର୍ଗ କିମି ମଧ୍ୟ ହୋଇପାରେ। ଏହା ଏବର୍ଷ ନହେଲେ ଆର ବର୍ଷ ହେବ ବୋଲି କହିଛନ୍ତି ପ୍ରଫେସର ୱାଧାମ। ସୁମେରୁ ଓ ଉତ୍ତର ମେରୁ ଅଂଚଳର କିଛି ବରଫ ଏହି ସମୟରେ କାନାଡ଼ାର ଉତ୍ତର ଉପକୂଳ ଓ ଅନ୍ୟ ଛୋଟଛୋଟ ଦ୍ୱୀପ ଉପକୂଳରେ ଲାଗି ରହିବ। ଶେଷ ଥର ପାଇଁ ୧-୨ ଲକ୍ଷ ବର୍ଷ ତଳେ ସୁମେରୁ ଅଂଚଳ ତୁଷାରହୀନ ହୋଇଥିବା ବିଶ୍ୱାସ କରାଯାଉଛି। ବୈଜ୍ଞାନିକଙ୍କ ମତରେ ରୁଷିଆର ଉତ୍ତର ଉପକୂଳରେ ଥିବା ସାମୁଦ୍ରିକ ବରଫ ଯାହା ନିମ୍ନସ୍ତରର ଜଳକୁ ଥଣ୍ଡା ରଖି ସୁମେରୁ ବରଫ ସଂରକ୍ଷିତ ରଖିଥାଏ ତାହା ଦ୍ରୁତଗତିରେ କ୍ଷୟ ପାଇ ଚାଲିଛି। ବିଶ୍ୱ ତାପନ ଯୋଗୁଁ ସମୁଦ୍ର ତଳେ ବର୍ଷବର୍ଷ ଧରି ବରଫ ଅବସ୍ଥାରେ ରହିଥିବା ସବୁଜଗୃହ ବାÀ ମିଥେନ ପୁୁଣି ଗ୍ୟାସ୍ ଅବସ୍ଥାକୁ ଫେରି ସମୁଦ୍ର ଉପରି ଭାଗକୁ ବୁଦବୁଦ ହୋଇ ଉଠିବାର ବୈଜ୍ଞାନିକମାନେ ଲକ୍ଷ୍ୟ କରିଛନ୍ତି। ଏଥିଯୋଗୁଁ ଜଳର ଉପରି ଭାଗରେ ଭାସୁଥିବା ତୁଷାର ସ୍ତର ତରଳିବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ କେବଳ ଏହି କାରଣରୁ ଆସନ୍ତା ୫-୬ ବର୍ଷ ଭିତରେ ବିଶ୍ୱ ତାପମାନ ୦.୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାମୁଦ୍ରିକ ବରଫ ଯୋଗୁଁ ପୃଥିବୀର ଏହି ଭାଗ ଧଳା ଦେଖାଯାଏ। ତାହା ସୂର୍ଯ୍ୟ କିରଣକୁ ପୁଣି ଥରେ ଉପରକୁ ପ୍ରତିବିମ୍ୱିତ କରି ସାଗର ତାପମାତ୍ରା ସନ୍ତୁଳିତ କରେ। ଏହି ବରଫ ତରଳିଯିବା ଅର୍ଥ ପୃଥିବୀ ପୃଷ୍ଠ କଳା ରଙ୍ଗ ଗ୍ରହଣ କରିବ ଓ ଏଥିଯୋଗୁଁ ସମୁଦ୍ର ଅଧିକ ମାତ୍ରାରେ ସୂର୍ଯ୍ୟ କିରଣ ଓ ତାପମାତ୍ରା ଗ୍ରହଣ କରିବ। ଏହା ଚକ୍ରବର୍ତ୍ତି ହିସାବରେ ଅଧିକ ବରଫ ତରଳାଇବାର କାରଣ ହେବ। ଡକ୍ଟର ପିଟର ଗ୍ଲିକ୍ ନାମକ ଜଣେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ସୁମେରୁ ସମୁଦ୍ର ସଂପୂର୍ଣ୍ଣ ବରଫମୁକ୍ତ ହେବ ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି। କିନ୍ତୁ ଏହା ସତ୍ୟ ଯେ ଏହି ଅଂଚଳର ବରଫ ସ୍ତର ଦ୍ରୁତଗତିରେ ହ୍ରାସ ପାଇଚାଲିଛି। ବିଶ୍ୱ ତାପମାନ, ପାଣିପାଗ ଓ ପରିବେଶ ଉପରେ ସୁମେରୁ ବରଫ ତରଳିବା ପ୍ରକ୍ରିୟାର ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ଏକ ଆତଙ୍କଜନକ ବାସ୍ତବତା। ସେ କହିଛନ୍ତି ଯେ ଏହା ଏକ ଦୌଡ଼ୁଥିବା ଟ୍ରେନ ପରି। ବୈଜ୍ଞାନିକମାନେ ହୁଇସିଲ୍ ମାରି ଚାଲିଛନ୍ତି କିନ୍ତୁ ରାଜନେତାମାନେ ଇଂଜିନ ଭିତରକୁ ଅଧିକରୁ ଅଧିକ କୋଇଲା ପକେଇବାରେ ଲାଗିଛନ୍ତି। ଆମେରିକା ନିଉଜର୍ସିରେ ଥିବା ରଜର୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେନ୍ନିଫର ଫ୍ରାନ୍ସିସ କହିଛନ୍ତି ଯେ ପ୍ରଫେସର ୱାଧାମଙ୍କ ଆକଳନ ଉପରେ ତାଙ୍କର ବିଶ୍ୱାସ ନାହିଁ। ତେବେ ତାଙ୍କ ହିସାବରେ ୨୦୩୦-୨୦୫୦ ମଧ୍ୟରେ ସୁମେରୁ ସମୁଦ୍ର ବରଫଶୂନ୍ୟ ହେବାର ଯଥେଷ୍ଟ କାରଣ ରହିଛି। ଚଳିତ ବର୍ଷ ଜାନୁଆରୀ ମାସରେ ସୁମେରୁ ଅଂଚଳରେ ସବୁଠୁଁ କମ୍ ବରଫ ଥିଲା। ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମଧ୍ୟ ଏହି ପରିସ୍ଥିତି ଲାଗି ରହିଥିଲା। ତେଣୁ ଏହା ଏକ ଚିନ୍ତାଜନକ ବିଷୟ ବୋଲି ସେ ସ୍ୱୀକାର କରିଛନ୍ତି। ସେପ୍ଟେମ୍ୱରରେ ଏହି ଭଳି ଆଉ ଏକ ନୂଆ ରେକର୍ଡ଼ ହୋଇପାରେ ବୋଲି ମତ ଦେଇଛନ୍ତି।