ପଦ ହରାଇବେ ବ୍ରହ୍ମପୁର କର୍ପୋରେଟର‌୍‍!

ପଦ ହରାଇବେ ବ୍ରହ୍ମପୁର କର୍ପୋରେଟର‌୍‍!

Share :

ବ୍ରହ୍ମପୁର ମହାନଗର ନିଗମରେ ନିଗମର ଆୟବ୍ୟୟ ଅଟକଳକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରେ ୨୦୧୬ ମସିହା ଏପ୍ରିଲ‌୍‍ ମାସର ଆୟବ୍ୟୟ ଅଟକଳ ଏବଂ ପୂର୍ବ ମାସର ବଳକା ଅର୍ଥ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି। ଏପ୍ରିଲ‌୍‍ ମାସର ପୂର୍ତ୍ତ କାର୍ଯ୍ୟାବଳୀ ପାଠ କରାଯାଇଥିଲା। ନିଗମର ପୂର୍ବ ମାସର ବଳକା ଅର୍ଥ ୩୬୪,୩୮,୧୪,୩୭୮.୧୯ ଟଙ୍କା ରହିଥିବା ବେଳେ ଏପ୍ରିଲ‌୍‍ ମାସର ଆୟ ମୋଟ ୧,୮୬,୦୭,୬୬୨.୦୦ ଟଙ୍କା ହୋଇଛି। ସେହିଭଳି ଏପ୍ରିଲ‌୍‍ ମାସର ମୋଟ ବ୍ୟୟ ୨,୩୫,୧୦,୪୮୪.୦୦ ଟଙ୍କା ହୋଇଥିବା ସୂଚନା ମିଳିଛି। ମୋଟ ବଳକା ଟଙ୍କା ୩୬୩,୮୯,୧୧,୫୫୬.୧୯ ଟଙ୍କା ରହିଛି।   ବିଏମ‌୍‍ସିର ନୂଆ କମିଶନର‌୍‍ ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ। ପୋଲିସ‌୍‍ ଛାଉଣି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଏମ‌୍‍ସିର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ଆଲୋଚନା ହୋଇଥିଲା। ବର୍ଷାଦିନ ଆସୁଥିବାରୁ ଡ୍ରେନ‌୍‍ କାମ ସଂପର୍କରେ ଆଲୋଚନା ହୋଇଥିଲା। ଏକ ୨୪ ଘଣ୍ଟିଆ ଟିମ‌୍‍ ଗଠନ କରାଯାଇ ପ୍ରଥମେ ଡ୍ରେନ‌୍‍ କାମ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିଭଳି ସ୍ୱଚ୍ଛ ଭାରତ ଅଭିଯାନରେ ୪ ଟି ପର୍ଯ୍ୟାୟରେ ୫୦୫ ପାଇଖାନା(କମ୍ୟୁନିଟି ଟଏଲେଟ‌୍‍) ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଯାହାକି ୨୦୧୭ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ।   ସେହିଭଳି ଅନ୍ୟାନ୍ୟ ବିଷୟ ନେଇ ବୈଠକରେ ଆଲୋଚନା ହୋଇଥିଲା। ଗତ ମାର୍ଚ୍ଚମାସ ୧୪ ତାରିଖ ଏବଂ ଏପ୍ରିଲ‌୍‍ ମାସ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ପାଟିତୁଣ୍ଡ ଏବଂ ହୋହାଲ୍ଲା ସୃଷ୍ଟି ହୋଇଥିବା ବେଳେ ପୂର୍ବତନ ବିଧାୟକ ରମେଶ ଜେନା ଲିଙ୍କ‌୍‍ରେ ଗିରଫ ହୋଇ ଜେଲ‌୍‍ରେ ଥିବା ୨ କର୍ପୋରେଟର‌୍‍ଙ୍କ ବୈଠକରେ ଅନୁପସ୍ଥିତ ଏବଂ ଗିରଫ‌୍‍ଦାରିକୁ ବିରୋଧ କରି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହାଫଳରେ ଚଳିତ ବୈଠକ ଉପରେ ସମସ୍ତଙ୍କ ନଜର ରହିଥିଲା। ଚଳିତ ବୈଠକରେ ମଧ୍ୟ କର୍ପୋରେଟର‌୍‍ମାନେ ପାଟିତୁଣ୍ଡ ପାଇଁ ଉଦ୍ୟମ କରିଥିବା ବେଳେ ନୂଆ କମିଶନର‌୍‍ଙ୍କ କଡ଼ା ତାଗିଦ‌୍‍ରେ ବୈଠକ ଶାନ୍ତି ଶୃଙ୍ଖଳାରେ ଚାଲିବା ଦେଖିବାକୁ ମିଳିଥିଲା।   କର୍ପୋରେଟର‌୍‍ ଆର‌୍‍. ମୂରଲୀ ମୋହନ ଏବଂ ରଂଜିତ ନାୟକ ଜେଲ‌୍‍ରେ ଥିବାରୁ ଗତ ୨ଟି କାଉନ‌୍‍ସିଲ‌୍‍ ବୈଠକରେ ଅନୁପସ୍ଥିତ ରହିଥିଲେ। ସେମାନେ ଜୁନ ୬ ତାରିଖ ବୈଠକରେ ମଧ୍ୟ ଜେଲରେ ଥିବା ଯୋଗୁଁ ଅନୁପସ୍ଥିତ ଥିଲେ। ନିୟମ ଅନୁସାରେ କ୍ରମାଗତ ତୃତୀୟ ବୈଠକରେ ଅନୁପସ୍ଥିତ ରହିଲେ ସଭ୍ୟପଦ ରଦ୍ଦ ହୋଇପାରେ ବୋଲି ଚର୍ଚ୍ଚା ଜୋର‌୍‍ ଧରିଛି। ତେବେ ଏ ସଂପର୍କରେ ଆଗାମୀ ବୈଠକରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଥିଲା। ବିଏମ‌୍‍ସିର ନିୟମ ଅନୁଯାୟୀ କ୍ରମାଗତ ଭାବେ ୩ଟି ବୈଠକରେ ଅନୁପସ୍ଥିତ ରହିଲେ ସଭ୍ୟପଦ ରଦ୍ଦ ହେବ।   ଏଠାରେ ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ବିଏମ‌୍‍ସିର ମାସିକ ବୈଠକ ଉଦ୍ଦେଶ୍ୟମୂଳକ ଭାବେ ମନଇଚ୍ଛା ବସାଇବା ନେଇ ଅଭିଯୋଗ ରହିଛି। ସେହିଭଳି ପୂର୍ବତନ ମେୟର ତଥା କର୍ପୋରେଟର ଶିବଶଙ୍କର ଦାଶ ମଧ୍ୟ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବୈଠକରେ ଅନୁପସ୍ଥିତ ରହିଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ଉକ୍ତ ୨ କର୍ପୋରେଟର‌୍‍ଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର। 

Share :