ପାଣିରେ ପଡ଼ିଲା ୧୪ କୋଟି!

ପାଣିରେ ପଡ଼ିଲା ୧୪ କୋଟି!

Share :

ହେମାଙ୍ଗ ରାଉଳ   ବ୍ରହ୍ମପୁର ସହର ନିକଟସ୍ଥ ହଳଦିଆପଦର ଠାରେ ବିଡ଼ିଏ ପକ୍ଷରୁ ନବ ନିର୍ମିତ ‘ମଡ଼ର୍ଣ୍ଣ ବସ‌୍‍ ଟର୍ମିନସ‌୍‍’ ଏବେ ଯାଏଁ ଅବ୍ୟବହୃତ ହୋଇ ପଡ଼ିଛି। ୧୩ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବସ‌୍‍ଷ୍ଟାଣ୍ଡକୁ ଗତ ଫେବୃୟାରୀ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ‌୍‍ଘାଟନ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ବସ‌୍‍ଷ୍ଟାଣ୍ଡର ନିର୍ମାଣ ଓ ଉଦ‌୍‍ଘାଟନ କାର୍ଯ୍ୟ ଶେଷ କରାଯାଇଥିବା ବେଳେ ଏହା ୪ ମାସ ହେଲାଣି ଜନ ସାଧାରଣଙ୍କର କୌଣସି କାର୍ଯ୍ୟରେ ଲାଗି ନାହିଁ। ଆଜି ସୁଦ୍ଧା ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହୋଇନାହିଁ।   ଏହି ଅତ୍ୟାଧୁନିକ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣ ହେବାପରେ ସମସ୍ତ ବସ‌୍‍ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ରୁ ଯାତାୟତ କରିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ବ୍ରହ୍ମପୁର ସହରର ଟ୍ରାଫିକ‌୍‍ ସମସ୍ୟାରେ ସୁଧାର ଆଣିବା ପାଇଁ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣ ହୋଇଥିବା ସ୍ଥଳେ ଏହା ଏବେ ଭୂତକୋଠି ପାଲଟିବାକୁ ଯାଉଛି। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହେଲେ ସହରର ଟ୍ରାଫିକ‌୍‍ ସମସ୍ୟାରେ ଯଥେଷ୍ଟ ସୁଧାର ଆସିବାର ସମ୍ଭାବନା ରହିଛି।   ବ୍ରହ୍ମପୁର ସହରର ଟ୍ରାଫିକ ନିୟନ୍ତ୍ରଣ ଓ ଜନ ସାଧାରଣଙ୍କ ସୁବିଧା ପାଇଁ ପୋଲିସ‌୍‍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହଳଦିଆପଦର ଠାରେ ବସ‌୍‍ଷ୍ଟାଣ୍ଡ‌୍‍ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା। ଏହି ଜମିକୁ ବିଡ଼ିଏକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରବର୍ତ୍ତି ସମୟରେ ଜମି ଉପରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରାଯାଇଥିଲା। ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ ଜାତୀୟ ରାଜପଥ ସଂଯୋଗ କରୁଥିବାରୁ ଦୂରସ୍ଥାନକୁ ଯାତାୟତ କରୁଥିବା ବସ‌୍‍ଗୁଡ଼ିକ ଏଠାରୁ ଯାତାୟତ ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତ ପ୍ରକାଶ ପାଇଥିଲା। ଏହାଦ୍ୱାରା ସହରରେ ଟ୍ରାଫିକ‌୍‍ ସମସ୍ୟାର ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉକ୍ତ ଅତ୍ୟାଧୁନିକ ବସ‌୍‍ଷ୍ଟାଣ୍ଡ‌୍‍ ଏଯାଏଁ କାହାରି କାର୍ଯ୍ୟରେ ଲାଗି ନଥିବାରୁ କାହା ସ୍ୱାର୍ଥରେ ନିର୍ମିତ ହେଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଇତିମଧ୍ୟରେ ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ର ଶୁଭାରମ୍ଭ ନେଇ ବେସରକାରୀ ବସ‌୍‍ ମାଲିକ, ବିଡ଼ିଏ, ରାସ୍ତା ଏବଂ କୋଠାବାଡ଼ି ବିଭାଗ, ତହସିଲ‌୍‍ଦାର ପ୍ରମୁଖଙ୍କୁ ନେଇ ଗତମାସରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସେଥିରୁ କୌଣସି ଫଳ ଫଳିଲା ନାହିଁ। ଯଦି ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍କୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ସମସ୍ୟା ରହିଛି ତେବେ ଏହା ଉଦ‌୍‍ଘାଟନ ପୂର୍ବରୁ ଆଲୋଚନା ଏବଂ ପରାମର୍ଶ ନେଇ ଏହାର ସମାଧାନ କରାଯିବା ଆବଶ୍ୟକ ରହିଥିଲା। ତାହା ନକରି ଯୁଦ୍ଧକାଳୀନ ଭିତ୍ତିରେ ଲୋକ ଦେଖାଣିଆ ଭାବେ କାହିଁକି ଉଦ‌୍‍ଘାଟନ କରାଗଲା ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠିଛି। ପ୍ରଥମେ ବସ‌୍‍ଷ୍ଟାଣ୍ଡ‌୍‍ ନିର୍ମାଣରେ କାଳକ୍ଷେପଣ ନୀତି ଅବଲମ୍ୱନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ପରେ ମଧ୍ୟ ଏହା ଅବ୍ୟବହୃତ ରହିବା ସରକାରଙ୍କ ଠିକାଦାର ତୋଷଣ ନୀତି ହୋଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି।   ସେହିଭଳି ଉକ୍ତ ବସ‌୍‍ଷ୍ଟାଣ୍ଡ‌୍‍ରେ ସମସ୍ତ ବସ‌୍‍ ରହିବ ବୋଲି ଘୋଷଣା ହୋଇଥିବା ବେଳେ ସରକାରୀ ବସ‌୍‍ ନୂଆ ବସ୍‌ଷ୍ଟାଣ୍ଡକୁ ଯିବ ନାହିଁ ବୋଲି ସୂଚନା ମିଳୁଛି। ଯଦି ଏଠାରୁ ଅଧା ଏବଂ ହଳଦିଆପଦରରୁ ଅଧା ବସ‌୍‍ ଯାତାୟତ କରିବ ତେବେ କୋଟିକୋଟି ଟଙ୍କା ବ୍ୟୟରେ ଉକ୍ତ ଅତ୍ୟାଧୁନିକ ବସ‌୍‍ ଟର୍ମିନସ‌୍‍ ନିର୍ମାଣର ଲାଭ କ’ଣ ବୋଲି ଲୋକେ ପଚାରୁଛନ୍ତି।   ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁରରେ ଓଏସ‌୍‍ଆର‌୍‍ଟିସିର ୪ ଏକର ଜମି ରହିଥିବା ବେଳେ ସେଥିରୁ ୨ ଏକର ଜମି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ଅନ୍ୟ ୨ ଏକର ଜମିରେ କାର୍ଯ୍ୟାଳୟ ଏବଂ ଗ୍ୟାରେଜ‌୍‍ ରହିଛି। ଏଥିଯୋଗୁଁ ସରକାରୀ ବସ‌୍‍ ଗୁଡ଼ିକ ବିଭିନ୍ନ ସମୟରେ ରାସ୍ତା ଉପରେ ରହିବା ନଜିର‌୍‍ ରହିଛି। ତେଣୁ ହଳଦିଆପଦର ବସ୍‌ଷ୍ଟାଣ୍ଡର ଆବଶ୍ୟକତା ଥିଲା। କିନ୍ତୁ ଏହାର ଉଦଘାଟନ ସରିଥିଲେ ମଧ୍ୟ ଏହାକୁ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ କରିବା ପାଇଁ ଆହୁରି ଅନେକ କାମ ବାକି ରହିଥିବା ସୂଚନା ମିଳୁଛି। ତେଣୁ ହଳଦିଆପଦର ଅତ୍ୟାଧୁନିକ ବସ‌୍‍ଷ୍ଟାଣ୍ଡ‌୍‍ କାର୍ଯ୍ୟକ୍ଷମ ହେବାରେ ବହୁ ମିଳମ୍ୱ ଘଟିବ ବୋଲି ଶୁଣିବାକୁ ମିଳୁଛି।  

Share :