ନଖ ଘସିବେ ନବୀନ!

ନଖ ଘସିବେ ନବୀନ!

Share :

ପଶ୍ଚିମ ଓଡ଼ିଶାର ହେଭିେୱଟ‍୍‌ ନେତା ତଥା ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଜଗତସିଂହପୁର ଜିଲା ବିଜେଡ଼ି ସଭାପତି ବିଷ୍ଣୁ ଚରଣ ଦାସ ଓ ଦକ୍ଷିଣ ଓଡ଼ିଶାର ହେଭିେୱଟ‍୍‌ ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଏନ‍୍‌. ଭାସ୍କର ରାଓ ରାଜ୍ୟସଭାକୁ ନିବିରୋଧରେ ନିର୍ବାଚିତ ହୋଇଛନ୍ତି। ଦଳୀୟ ପ୍ରାର୍ଥୀ ଭାବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନି ନେତାଙ୍କ ନାମ ଚୂଡ଼ାନ୍ତ କରିଥିଲେ। ଦଳୀୟ ସଂଗଠନ ସହ ଓତଃପ୍ରୋତ ଭାବେ ଜଡ଼ିତ ତଥା ବିଜୁ ଅନୁରାଗୀ ଏହି ତିନି ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ନବୀନ ଗୋଟିଏ ଗୁଳିରେ ତିନୋଟି ଶିକାର କରିଛନ୍ତି।   ସଦ୍ୟ ରାଜ୍ୟସଭା କାର୍ଯ୍ୟକାଳ ପୂରଣ କରିଥିବା ଭୂପିନ୍ଦର ସିଂହ ଓ ଯୋଗାଣ ନିଗମ ଅଧ୍ୟକ୍ଷ ପ୍ରତାପ ଦେବଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ସୁରେନ୍ଦ୍ର ନାୟକଙ୍କ ଭଳି ଶତାଧିକ ଆଶାୟୀ ରାଜ୍ୟସଭା ଯିବାକୁ ଆଶାୟୀ ଥିବାବେଳେ ନବୀନ ଏହି ତିନି ନେତାଙ୍କୁ ପସନ୍ଦ କରିଥିଲେ। ତେବେ ୨୦୧୭ରେ ପଞ୍ଚାୟତ ନିର୍ବାଚନ, ୨୦୧୮ରେ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ନବୀନ ସୁଚିନ୍ତିତ ଭାବେ ଗୋଟି ଚଳାଇଛନ୍ତି ବୋଲି କୁହାଯାଉଛି। ଗୋଟିଏ ଗୁଳିରେ ସେ ସାଂଗଠନିକ ବିକାଶ ସହ, ବିରୋଧୀଙ୍କ ମୁକାବିଲା ଓ ଦଳୀୟ ଅନ୍ତର୍ଦ୍ବନ୍ଦ୍ବକୁ ପ୍ରଶମିତ କରିବା ଭଳି ତିନୋଟି ଶିକାର କରିବା ପାଇଁ ଯୋଜନା କରିଛନ୍ତି।   ନବୀନ ସରକାର ଅମଳରେ ଅର୍ଥମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ଲୋକସଭା ସଦସ୍ୟ ଥିଲେ। ସେତେବେଳେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ବିରୋଧରେ ବିଦ୍ରୋହ କରିଥିଲେ ବି ପରେ ପୁଣି ନବୀନଙ୍କ ଶରଣ ପଶିଥିଲେ। ୨୦୧୪ ନିର୍ବାଚନରେ ତାଙ୍କର ହସ୍ତମୁଦି ମାହାଲ ବରଗଡ଼ କିମ୍ବା ପୂର୍ବ ଆସନ ରେଢ଼ାଖୋଲରୁ ପ୍ରସନ୍ନଙ୍କୁ ଦଳୀୟ ଟିକଟ ମିଳି ନଥିଲା। ବରଗଡ଼ରେ ତାଙ୍କର ପୁତୁରା ତଥା ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟଙ୍କୁ ଟିକେଟ‍୍‌ ମିଳିଥିବାବେଳେ ରେଢ଼ାଖୋଲରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ନୂଆ ଆସନ ବିଜେପୁରରୁ ଲଢ଼ିଥିଲେ ପ୍ରସନ୍ନ। ବହୁ କମ‍୍‌ ଭୋଟ‍୍‌ରେ ସେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ । ଫଳରେ ସେ ରାଜ୍ୟସଭା ଯିବେ ବୋଲି ୨୦୧୪ ନିର୍ବାଚନ ପରଠାରୁ ଚର୍ଚ୍ଚା ଜୋର‍୍‌ ଧରିଥିଲା।   ଖାଲି ସେତିକି ନୁହେଁ ବିଜେପି ଏବେ ପଶ୍ଚିମ ଓଡ଼ିଶାକୁ ଫୋକସ କରୁଥିବାବେଳେ ଗତ ଲୋକସଭା ନିର୍ବାଚନରେ ବିଜେପି ବି ବରଗଡ଼ ଓ ସମ୍ୱଲପୁରରେ ବେଶ‍୍‌ ଭଲ ପ୍ରଦର୍ଶନ କରିଥିଲା। ଏମିତିକ ବିଜେପିର ସମ୍ଭାବ୍ୟ ବିଜୟୀ ତାଲିକାରେ ଏହି ଦୁଇ ଆସନ ରହିଥିଲା। ତେଣୁ ଆଗାମୀ ଦିନରେ ଏହି ଦୁଇ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସଂଗଠନ ଆହୁରି ବୃଦ୍ଧି ପାଇଲେ ବିଜେପି ଆଉ ବିଜେଡ଼ିକୁ ଅକଳରେ ପକାଇ ପାରିବ ନାହିଁ। ସେପଟେ ସମ୍ୱଲପୁର ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନ ଆଉ ନବୀନଙ୍କର ଗୁଡ଼ବୁକରେ ନାହାନ୍ତି। ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପ୍ରସଙ୍ଗରେ ତୁଣ୍ଡ ହୁଡ଼ିଥିଲେ ନଗେନ୍ଦ୍ର। ସେହିପରି ଯୁବ କଂଗ୍ରେସ ସଭାପତି ତ୍ୟାଗ କରି ନବୀନଙ୍କ ଶରଣାଗତ ହୋଇଥିବା ରୋହିତ ପୂଜାରୀ ସମ୍ବଲପୁରରେ ବିଜେଡି ସଂଗଠନକୁ ସଂପୂର୍ଣ୍ଣ ଅକ୍ତିଆର କରିବା ପରିସ୍ଥିତିରେ ପହଂଚିଛନ୍ତି। ସେଥିପାଇଁ ତାଙ୍କ ସହିତ କଂଗ୍ରେସ ପରିବାରରୁ ଆସି ବିଜେଡି ବିଧାୟକ ହୋଇଥିବା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କର ପଡ଼ୁ ନାହିଁ। ଉଭୟେ ଗୋଟିଏ ଦଳରୁ ଆସି ଗୋଟିଏ ଦଳର ବିଧାୟକ ହୋଇଥିଲେ ବି କ୍ଷମତା ଓ ପତିଆରାର ପ୍ରତିଯୋଗିତାର ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହୋଇଯାଇଛନ୍ତି। ଏ ଦୁହେଁ ପୁରୁଖା ନେତା ପ୍ରସନ୍ନଙ୍କଠାରୁ ଅନେକ ବାଟ ଦୂରେଇ ଯାଇଥିଲେ। ତଣୁ ଦଳକୁ ମଜବୁତ୍ କରିବା ସହ ବିରୋଧୀ ଦଳ ଓ ଦଳ ମଧ୍ୟରେ ସୃଷ୍ଟ ଉଷ୍ଣ ବାତାବରଣକୁ ପ୍ରଶମିତ କରିବା ପାଇଁ ନବୀନ ପ୍ରସନ୍ନଙ୍କୁ ବାଛିଛନ୍ତି ବୋଲି କୁହାଯାଉଛି।   ପୂର୍ବରୁ ମନ୍ତ୍ରୀ ଥିବା ବିଷ୍ଣୁ ଦାସ ପୁଅ ପାଇଁ ମାର୍କ ଜାଲିଆତି ବିବାଦରେ ଫସି ବଦନାମ ହେବା ସହିତ ୨୦୧୪ ବିଧାନସଭା ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନରୁ ହାରି ଯାଇଥିଲେ। ତାଙ୍କୁ ହରାଇଥିଲେ କଂଗ୍ରେସର ଚିରଂଜୀବୀ ବିଶ୍ବାଳ। ସେହିପରି ଚିରଂଜୀବୀଙ୍କ ଭାଇ ତଥା କଂଗ୍ରେସ ପ୍ରାର୍ଥୀ ରଂଜୀବ ବିଶ୍ୱାଳ ଜଗତସିଂହପୁର ଲୋକସଭା ଆସନରୁ ପୂର୍ବଥର ଜିତି ଗତ ଥର ହାରିଥିଲେ ବି ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏ ଦୁଇ ଭାଇଙ୍କ ଯୋଗୁଁ ଜଗତସିଂହପୁରରେ କଂଗ୍ରେସର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ଏମିତିକି ଜଗତସିଂହପୁର ପୌରାଞ୍ଚଳଟି ମଧ୍ୟ ପୂର୍ବରୁ ବିଜେଡ଼ି ହାତରୁ ଖସିଯାଇଛି। ଏହି ଆସନରୁ ବିଷ୍ଣୁ ଚାରି ଚାରି ଥର ଜିତିବା ପରେ ଲୋକପ୍ରିୟତା ହରାଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ସେଠାରୁ କନକପ୍ରଭା ଲେଙ୍କାକୁ ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ବିଷ୍ଣୁ ବାଧକ ସାଜିବାର ଆଶଙ୍କା ଥିଲା। ଏ ପରିସ୍ଥିତିରେ ତିେର୍ତ୍ତାଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ଆସନ ଉପରେ ଆଖି ପକାଇଥିଲେ ବିଷ୍ଣୁ। ତେଣୁ ଦଳର ସଂଗଠନକୁ ସୁଦୃଢ଼ କରିବା ସହ କନକଙ୍କ ପାଇଁ ରାସ୍ତା ପରିଷ୍କାର ଓ ବିରୋଧୀଙ୍କୁ ମୁକାବିଲା ପାଇଁ ବିଷ୍ଣୁୁଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ।   ସେହିପରି ଜିଲ୍ଲା ରାଜନୀତିରେ ବିଷ୍ଣୁ ଦାସଙ୍କର ପରମ ଶତ୍ରୁ ଭାବେ ଜଣାଶୁଣା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦରଙ୍କୁ ଏହା ଏକପ୍ରକାର ଧକ୍କା କହିଲେ ଭୁଲ‍୍‌ ହେବନାହିଁ। ଅତୀତର ବିଷ୍ଣୁଙ୍କୁ ହରିଜନ କହି ଛିଗୁଲେଇଥିଲେ ଦାମ। ବିଷ୍ଣୁ ତାଙ୍କ ସହ ସମକକ୍ଷ ନୁହନ୍ତି, ସେ ତାଙ୍କ ସଂପର୍କରେ ମନ୍ତବ୍ୟ ଦେଇ ତାଙ୍କୁ ଗୁରୁତ୍ବ ବଢ଼ାଇବାକୁ ଚାହାନ୍ତି ନାହିଁ, ପୁଅ ମାର୍କ ଜାଲିଆତି କରୁଥିବା ଲୋକଙ୍କ ବୁନିୟାଦି କ’ଣ ଆଦି ବୋଲି ମନ୍ତବ୍ୟ ଦେଇ ଦାମ ତାଙ୍କ ଦଳର ଜିଲ୍ଲା ସଭାପତି ଥିବା ବିଷ୍ଣୁଙ୍କୁ ବିଭିନ୍ନ ସମୟରେ ଅପମାନିତ କରିଛନ୍ତି। ଏବେ ବିଷ୍ଣୁ ତାହାର ପ୍ରତିଶୋଧ ନେଇପାରିବେ। ରାଜ୍ୟସଭା ସାଂସଦ ହେବା ପରେ ବିଷ୍ଣୁ ପାରାଦୀପରେ ନିଜର ସଂଗଠନ ବୃଦ୍ଧି କରିବା ସହ ଦାମଙ୍କ ହାମ‍୍‌ବଡ଼ା ନୀତିକୁ ଚେକ୍ ଦେଇପାରିବେ। ସେହିପରି ବିଜେପି ଏବେ ଜଗତସିଂହପୁର ଉପରେ ଫୋକସ‍୍‌ କରିଥିବାବେଳେ ପାରାଦୀପକୁ କବ‍୍‌ଜା କରିବା ପାଇଁ ଯୋଜନା କରିଛି। ତେବେ ବିଷ୍ଣୁ ଏହାର ମୁକାବିଲା କରିବାରେ ସମର୍ଥ ହେବେବୋଲି ନବୀନ ଅନୁମାନ କରିଛନ୍ତି ।   କୋରାପୁଟ‍୍‌ ରାଜନୀତି ଏବେ ଭିନ୍ନ ମୋଡ଼ ନେଇଛି। ରେକର୍ଡ଼ ଥର ସାଂସଦ ଭାବେ ଜିତିଥିବା  ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଫଳରେ ବିଜେପି ସେଠାରେ ନିଜର ସ୍ଥିତି ମଜବୁତ୍ କରିବାର ଲକ୍ଷ୍ୟ ରଖିଛି। ଏପରିକି ଏବେ ସେଠାରେ ବିଜେଡ଼ି ଅପେକ୍ଷା କଂଗ୍ରେସର ଦବଦବା ରହିଛି।  ସେପଟେ କୋରାପୁଟ‍୍‌ରେ ଜୟରାମ ପାଙ୍ଗୀଙ୍କ ସହ ଭାସ୍କର ରାଓଙ୍କର ବିବାଦ ଲାଗିଥିବାବେଳେ ଜୟରାମ ଦଳର ପୋଲ‍୍‌ ବି ଖୋଳି ଦେଇଛନ୍ତି। ଇତିଶ୍ରୀ ମାମଲାରେ ସେ ସିଧାସଳଖ ଭାବେ ଭାସ୍କରଙ୍କୁ ଟାର୍ଗେଟ‍୍‌ କରିଥିବାବେଳେ ଜୟରାମ ବି ନବୀନଙ୍କ ଗୁଡ଼ବୁକରେ ନାହାନ୍ତି। ତେଣୁ କୋରାପୁଟ‍୍‌ରେ ବିଜେଡ଼ି ସଂଗଠନକୁ ସୁଦୃଢ଼ କରିବା ସହ ବିଜେପି ଓ କଂଗ୍ରେସର ମୁକାବିଲା ପାଇଁ ଏନ‍୍‌ ଭାସ୍କର ରାଓଙ୍କୁ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି।   କିନ୍ତୁ ଯଦି ତାଙ୍କରି ଏହି ନିଷ୍ପତ୍ତି ପରେ ଦାମ-ବିଷ୍ଣୁ, ରାଓ-ପାଙ୍ଗି ଓ ପ୍ରସନ୍ନ-ପୁଜାରୀ କଳହ ତୁଟିବା ବଦଳରେ ବଢ଼େ ତେବେ ନବୀନ ପଟ୍ଟନାୟକ ନଖ ଘସିବାର ପରମ ଆନନ୍ଦ ଉଠାଇ ପାରିବେ। ଦଳର ବରିଷ୍ଠ ଓ କନିଷ୍ଠ ନେତାମାନେ ପରସ୍ପର ଆମ୍ପୁଡ଼ାଆମ୍ପୁଡ଼ି ହୋଇ ଖଣ୍ଡିଆଖାବରରା ହେବା ଘଟଣାରୁ ନବୀନଙ୍କୁ ଯେଉଁ ଆନନ୍ଦ ମିଳେ ତାହାକୁ ଇଂରାଜୀର ସ୍ୟାଡିଷ୍ଟିକ ପ୍ଲିଜର ବା ପରପୀଡ଼ାର ଖୁସି ବୋଲି କୁହାଯାଏ। ଅନ୍ୟକୁ ରାଜନୀତିକ ପୀଡ଼ା ବା ଯନ୍ତ୍ରଣା ଦେବାରେ ତାଙ୍କର ଢେର ଲାଭ!

Share :