‘ଲୋକସଭାଠୁ ଶକ୍ତିଶାଳୀ ଗ୍ରାମସଭା’

‘ଲୋକସଭାଠୁ ଶକ୍ତିଶାଳୀ ଗ୍ରାମସଭା’

Share :

ନିୟମଗିରିରେ ଖଣି ଖନନ ପାଇଁ ସାନି ଗ୍ରାମସଭା ପ୍ରସ୍ତାବକୁ ମାନ୍ୟବର ସୁପ୍ରିମକୋର୍ଟ ମନା କରିବା ପରେ ଝଟକା ଲାଗିଥିଲା ରାଜ୍ୟ ସରକାର ଓ ବେଦାନ୍ତ କମ୍ପାନୀକୁ। ତଥାପି କମ୍ପାନୀ ଓ ରାଜ୍ୟ ସରକାର ଏହି ପାହାଡକୁ ନେବା ମସୁଧା ଚଳାଇଥିବାରୁ ବିଶ୍ୱ ପରିବେଶ ଦିବସ ଅବସରରେ ଗର୍ଜିଛନ୍ତି ନିୟମଗିରି ଅଞ୍ଚଳର ଝରଣିଆ ଓ ଡଙ୍ଗରିଆ କନ୍ଧ ସଂପ୍ରଦାୟର ଆଦିବାସୀ। ଏମାନଙ୍କ ସାଥ ଦେବା ପାଇଁ ଲାଞ୍ଜିଗଡରେ ପହଞ୍ଚିଥିଲେ ବିଶିଷ୍ଟ ପରିବେଶକର୍ମୀ ମେଧା ପାଟକର, ସୁପ୍ରିମ କୋର୍ଟ ଓକିଲ ସଞ୍ଜୟ ପାରିଖ ଏବଂ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରାୟ।   କଳାହାଣ୍ଡି ଲାଞ୍ଜିଗଡ ଜଗନ୍ନାଥପୁରଠାରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଏହି ପାହାଡର ସୁରକ୍ଷା ପାଈଁ ଏକଜୁଟ ହୋଇଥିଲେ ନିୟମଗିରି ଅଞ୍ଚଳର ହଜାର ହଜାର ଝରଣିଆ ଓ ଡଙ୍ଗରିଆ କନ୍ଧ ଆଦିବାସୀ। ମରିବୁ ପଛେ ପରିବେଶ ସୁରକ୍ଷା ପାଇଁ ଛାଡିବୁ ନାହିଁ ନିୟମଗରିରି ପାହାଡ ବୋଲି ଦୃଢ ଚେତାବନୀ ଦେଇଥିଲେ। କମ୍ପାନୀ ଓ ରାଜ୍ୟ ସରକାରଙ୍କ ଦମନଳୀଲା ଆମର ଅଧିକାରକୁ ରଦ୍ଦ କରିପାରିବ ନାହିଁ। ଆଉ ଯଦି କରିବ ପରିସ୍ଥିତି ବିସ୍ଫୋରକ ହେବ ବୋଲି ଏମାନେ ମତ ବ୍ୟକ୍ତ କରିଥିଲେ। ନିୟମଗିରିକୁ ବଞ୍ଚାଇବା ପାଇଁ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାବ୍ୟାପି ପଦଯାତ୍ରା ଗତ ମେ ୨୯ ତାରିଖରୁ ଆରମ୍ଭ ହୋଇଥିଲା, ଯେଁଉଥିରେ ନିୟମଗିରି ଅଞ୍ଚଳର ହଜାର ହଜାର ଆଦିବାସୀ ଯୋଗଦାନ କରିଥିଲେ ଏବଂ ଜୁନ ୫ ତାରିଖ ସମାପନ ଉତ୍ସବରେ ଏମାନେ କମ୍ପାନୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ।   ସେମାନେ ଅଭିଯୋଗ କରିଥିଲେ ଯେ ମାଓବାଦୀ ନାଁରେ ନିୟମଗିରି ପାହାଡକୁ ହଡପ କରିବା ପାଇଁ କମ୍ପାନୀ ଓ ସରକାର ପୋଲିସ ଲଗାଇ ନିରୀହ ଆଦିବାସୀଙ୍କ ଉପରେ ଦମନଲୀଳା ଚଳାଇଚି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଡଙ୍ଗରିଆ କନ୍ଧମାନେ ସିଂହ ଗର୍ଜନ କରିଛନ୍ତି। ନିଜର ଭିଟାମାଟି ଓ ପରିବେଶର ସୁରକ୍ଷା ପାଇଁ  ଦୀର୍ଘ ଦିନ ଧରି ଲଢେଇ କରିଆସି ଥିବା ଏହି ଆଦିବାସୀମାନଙ୍କର ମନୋବଳ ବଢାଇବା ପାଇଁ ଏମାନଙ୍କ ସମାବେଶରେ ସାମିଲ ହୋଇଥିଲେ ଜାତୀୟ ସ୍ତରର ପରିବେଶ କର୍ମୀ ମେଧା ପାଟକର, ସୁପ୍ରିମକୋର୍ଟରେ ଏମାନଙ୍କ ସପକ୍ଷରେ ଲଢେଇ କରୁଥିବା ବିଶିଷ୍ଟ ଆଇନଜୀବୀ ସଞ୍ଜୟ ପାରିଖ ଓ ଆରମ୍ଭରୁ ଆନ୍ଦୋଳନରେ ଜଡିତ ଥିବା ଲୋକଶକ୍ତି ଅଭିଯାନର ମୁଖ୍ୟ ପ୍ରଫୁଲ୍ଲ ସାମନ୍ତରାୟ।   ସରକାର ବାସ୍ତବିକତାକୁ ନ ବୁଝି ପରିବେଶ କଥା ଚିନ୍ତା ନକରି ଏବଂ ଏହି ଅଧିବାସୀମାନଙ୍କର ଧର୍ମୀୟ ଭାବନାକୁ ଆଘାତ କରି କମ୍ପାନୀ ସହିତ ପ୍ରୀତି କରୁଛନ୍ତି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ସମ୍ବିଧାନ ଅନୁସାରେ ଗ୍ରାମସଭାର ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ଏହାକୁ ଲୋକସଭା କି ସୁପ୍ରିମ କୋର୍ଟ ମଧ୍ୟ ରଦ୍ଦ କରିପାରିବେ ନାହିଁ। ଏପରିକି ରାଷ୍ଟ୍ରପତି ଚାହିଁଲେ ମଧ୍ୟ ଗ୍ରାମସଭାର ନିଷ୍ପତ୍ତି ବହିର୍ଭୂତ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏଭଳିସ୍ଥଳେ ସମ୍ୱିଧାନ ଦେଥିବା କାହାର କେଉଁ ଅଧିକାରକୁ ସରକାର ବା କମ୍ପାନୀ ଛଡାଇ ପାରିବେ ନାହିଁ ବୋଲି ଦୃଢ଼ ଘୋଷଣା କରିବା ସହିତ ଏହି ଅଞ୍ଚଳର ଜନଜୀବନ ସହିତ ଜଡିତ ଥିବା ଏହି ପାହାଡକୁ ସରକାର ଜନତାଙ୍କୁ ମାରି କମ୍ପାନୀକୁ ଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ବୋଲି କହିଥିଲେ। ବର୍ତ୍ତମାନର ବିଶ୍ୱ ପାରିବେଶିକ ସଂକଟ ଦେଇ ଗତି କରୁଥିବା ବେଳେ ସରକାର ଏହି ପାହାଡକୁ ନେବା ପାଇଁ କପଟ ପ୍ରୟାସ ଜାରି ରଖିବା ଏକ ଦୁଖଃଦ ଘଟଣା।   ଅନ୍ୟପକ୍ଷରେ ବେଦାନ୍ତ କାରଖାନା ବନ୍ଦ ହୋଇ ଗଲେ କଂପାନୀଦ୍ୱାରା ପ୍ରଭାବିତ ଏବଂ ବିସ୍ଥାପିତ ଲୋକମାନେ କିପରି ଚଳିବେ ବୋଲି ଯୁକ୍ତି ଦର୍ଶାଇ ମେଧା ପାଟେକରଙ୍କ ଗସ୍ତକୁ ବିରୋଧ କରି କେତେକ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ନାମକ ଏକ ସଂଗଠନ ପକ୍ଷରୁ ଛତ୍ରପୁରଠାରେ ବେଦାନ୍ତ କଂପାନୀ ଦ୍ୱାରା ପ୍ରଭାବିତ ଏବଂ ବିସ୍ଥାପିତ ଲୋକମାନେ ମେଧା ପାଟେକରଙ୍କୁ ବିରୋଧ ଲରି ମେଧା ପାଟେକର ଗୋ ବ୍ୟାକ‌୍‍ର ନାରା ଦେବା ସହ ବିକାଶ ବିରୋଧୀଙ୍କ ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେଶନିଆ ଚେତାବନୀ ଦେଇଥିଲେ।   ମେଧା ପାଟକର, ସଞ୍ଜୟ ପାରିଖ ଓ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଭଳି ପରିବେଶବିତମାନେ ନିୟମଗିରି ସୁରକ୍ଷା ସମିତିର ଏହି ଆନ୍ଦୋଳନରେ ଯୋଗ ଦେବା ପରେ ଆନ୍ଦୋଳନ ଜୋର ଧରିଥିବା ବେଳେ ଏଥିରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହ ଶହ ଡଙ୍ଗରିଆ ଓ ଝରଣିଆ କନ୍ଧ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନିୟମଗିରି ସୁରକ୍ଷା ସମିତିର ସତ୍ୟ ମାଗାର, ଲିଙ୍ଗରାଜ, ଲିଙ୍ଗରଜ ଆଜାଦ, ରାଜକିଶୋର, ଲଦୋ ସିକୋକା, ଦଧି ପୁସିକା, ବିଧାୟକ ଜର୍ଜ ତିର୍କି ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ଥିଲେ।

Share :