ଆଶ୍ରମ କି ଦୋଷ କଲା?

ଆଶ୍ରମ କି ଦୋଷ କଲା?

Share :

  କୋଣାର୍କ ଥାନାନ୍ତର୍ଗତ ବାଲିଦୋକାନ ନିକଟସ୍ଥ ବିବାଦୀୟ ଦର୍ଶନୀବନ୍ତରେ ଥିବା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳ‌୍‍କୀ ଯୋଗାଶ୍ରମର ବିଶାଳ କୋଠାବାଡିର ପତନ ଘଟିଛି। ପ୍ରଶାସନ ଓ ବାନାବାବଙ୍କ ମଧ୍ୟରେ ଦୀର୍ଘ ୧୦ ମାସର ଛକାପଞ୍ଝାର ଅବସାନ ଘଟିଛି। ଜିଲ୍ଲା ପ୍ରଶାସନ, ପୁଲିସ ଓ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିର ବାନାବାବାଙ୍କ ଆଶ୍ରମର କୋଠାବାଡିକୁ ଭଙ୍ଗାଯାଇଛି।   ପ୍ରଶାସନ ଜୁନ ୩ ତାରିଖ ପୂର୍ବାହ୍ନ ୯ଟାରେ ଘଟଣା ସ୍ଥଳରେ ପହଞ୍ଚି ଆଶ୍ରମ ପରିସରକୁ ୧୪୪ ଧାରା ଜାରି କରିବା ପରେ ଆଶ୍ରମ ସମ୍ମୁଖରେ ବସିଥିବା ମହିଳାଙ୍କୁ ଆଶ୍ରମ ଛାଡି ଚାଲିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ। ପୁଲିସର ଏକ ସଶସ୍ତ୍ର ବାହିନୀ ଆଶ୍ରମ ସମ୍ମୁଖରେ ବସିଥିବା ମହିଳାମାନଙ୍କୁ ଘଉଡାଇ ଆଶ୍ରମ ମଧ୍ୟକୁ ପ୍ରବେଶ କରିଥିଲେ। ଏହି ସମୟରେ କେତେକ ମହିଳା ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଅନ୍ୟ କେତେକ ମହିଳା ଆତ୍ମାହୂତୀ ଦେବା ପାଇଁ ଉଦ୍ୟମ କଲାବେଳେ ପୁଲିସ ସେମାନଙ୍କୁ କାବୁ କରିନେଇ ରାମଚଣ୍ଡୀ ଥାନାରେ ଅଟକ ରଖିଛି। ଏହି ଅଟକମାନଙ୍କ ମଧ୍ୟରେ ୧୦ ଜଣ ମହିଳା ରହିଥିବା ବେଳେ ୧୫ ଜଣ ପୁରୁଷ ରହିଛନ୍ତି। ଆଶ୍ରମ ମଧ୍ୟରୁ ଶ୍ରଦ୍ଧାଳୁମାନଙ୍କୁ ଘଉଡାଇବା ପରେ ଆଶ୍ରମ ଚତୁଃପାର୍ଶରେ ପୁଲିସର ଏକ ସୁରକ୍ଷା ବଳୟ ସୃଷ୍ଟି କରି ଦିନ ୧୦ଟାରେ ଆରମ୍ଭ କରିଥିଲା କୋଠାବାଡି ଭଙ୍ଗା କାର୍ଯ୍ୟ। ତିନୋଟି ଜେସିବି ମେସିନ ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଚାଲିଥିଲା।   ପ୍ରଥମେ ସରକାରଙ୍କ ଅନୁଦାନରେ ନିମାର୍ଣ ହୋଇଥିବା କମ୍ୟୁନିଟି ହଲ, ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବତନ ମନ୍ତ୍ରୀଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ଯଜ୍ଞମଣ୍ଡପ, ବାବାଙ୍କ ଆସ୍ଥାନ, ଆଶ୍ରମ ସମ୍ମୁଖରେ ଥିବା ଏକ ଦୁଇମହଲା କୋଠା ଏବଂ ଆଶ୍ରମ ପଛରେ ଥିବା ଏକ ମଣ୍ଡପକୁ ଭଙ୍ଗାଯାଇଥିଲା। ଆଶ୍ରମର କୋଠାବାଡି ଭଙ୍ଗା କାର୍ଯ୍ୟ ଚାଲିଥିବା ବେଳେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଏହି ଦୃଶ୍ୟ ଦେଖୁ ଥିଲେ ମଧ୍ୟ କେହି ପ୍ରତିବାଦ କରି ନ ଥିଲେ। ବାନା ବାବାଙ୍କ ଆଶ୍ରମ ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଯିବା ପାଇଁ ପୁରୀ ଉପ ଜିଲ୍ଲାପାଳ ମଧୁସୁଦନ ଦାସ, ପୁରୀ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ, ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର, ପୁରୀ ଆଇନ ଶୃଙ୍ଖଳାର ବିଭାଗର ଅତିରିକ୍ତ ଏସପି ମହେଶ୍ୱର ସେଠୀ, ଡିଏସପି ହେଡକ୍ୱାଟର ମନୋରଞ୍ଜନ ସାମଲ ପୁରୀ ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ, ନିମାପଡା ଏସଡିପିଓ ଅରୁଣ କୁମାର ଜେନା, କୋଣାର୍କ ଥାନା ଆଇଆଇସି ଅରୁଣକୁମାର ତ୍ରିପାଠୀ, ଗୋପ ଥାନା ଆଇଆଇସି ଶ୍ରୀନିବାସ ମହାନ୍ତି, କାକଟପୁର ଥାନା ଆଇଆଇସି ରବିନାରାୟଣ ଭଞ୍ଜ ଓ ପ୍ରହାର ଟିମ ସହିତ ୧୧ ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିଲେ। ଏତଦ ବ୍ୟତିତ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଚିତ୍ତରଞ୍ଜନ ମିଶ୍ର ଓ ଏସିଏଫ‌୍‍ ବିଜୟ  କୁମାର ପଟ୍ଟନାୟକ, କାକଟପୁର ତହସିଲଦାର ପ୍ରଚୀ ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।     ଏଠାରେ ସୂଚନା ଥାଉକି କୋଣାର୍କ ନିକଟସ୍ଥ ପୌରାଣିକ ଦର୍ଶନୀବନ୍ତରେ ୧୯୯୨ ମସିହାରେ ବାନାବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଜଙ୍ଗଲ ଜମିକୁ ଜବର ଦଘଲ କରି ଆଶ୍ରମର ବିଶାଳ କୋଠାବାଡି ପ୍ରତିଷ୍ଠା କରିଥିବା ଅଭିଯୋଗରେ ୨୦୧୫ ମସିହା ଅଗଷ୍ଟ ମାସ ୩୧ ତାରିଖରେ ରାଜସ୍ୱ ବିଭାଗ ଓ ବନବିଭାଗ ପକ୍ଷରୁ ଆଶ୍ରମ ଦଖଲ କରିଥିବା ଜମିକୁ ମାମଚୁପ କରାଯାଇଥିଲା। ଏହି ମାପଚୁପରୁ ଜଣା ପଡିଥିଲା କି ବାନାବାବ ୧୯ ଏକର ୬୦ ଡିସିମିଲ ସରକାରୀ ଓ ଜଙ୍ଗଲ ଜମିକୁ ମାଡିବସି ଅକ୍ତିଆରରେ ରଖିଛନ୍ତି। ସରକାରଙ୍କ ଜଙ୍ଗଲ ଜମିରେ ବେଆଇନ ଭାବେ ବାନାବାବା ଆଶ୍ର ପ୍ରତିଷ୍ଠା କରିଥିବା ଅଭିଯୋଗରେ ଅଶ୍ରମ ଛାଡିବା ପାଇଁ ଉକ୍ତ ଦିନ ଅପରାହ୍ନରେ ଏକ ନୋଟିସ ଦିଆଯାଇ ୨୦୧୫ ମସିହା ସେପ୍ଟେମ୍ୱର ୪ ତାରିଖ ସୁଦ୍ଧା ଏହି ସରକାରୀ ଜମିରୁ ହଟିଯିବା ପାଇଁ ବାନାବାବଙ୍କୁ ଅବଗତ କରାଯାଇଥିଲା। ପ୍ରଶାସନକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ବାନାବାବା ଆଶ୍ରମ ତ୍ୟାଗ କରି ଦର୍ଶନୀବନ୍ତ ନିକଟସ୍ଥ ଗୁହାଳପୁର ମୌଜାରେ ଥିବା ନିଜସ୍ୱ ସ୍ଥିତିମାନ ଜାଗାରେ ନୂଆ ଆଶ୍ରମ ପ୍ରତିଷ୍ଠା କରିଥିଲେ।   ବାନାବାବା ଆଶ୍ରମ ଛାଡିବା ପରେ ୨୦୧୫ ମସିହା ସେପ୍ଟେମ୍ୱ ୫ତାରିଖରେ ବନବିଭାଗ ଆଶ୍ରମର କୋଠା, ମନ୍ଦିର, ଫୁଲ ଫଳ ବଗିଚାକୁ ତାରବାଡ ଘେରାଇ ନିଜ ଅକ୍ତିଆରକୁ ନେଇଥିଲା। ଜଣେ ଉପବନପାଳଙ୍କ ସମେତ ଅନ୍ୟୁନ ୧୦ ଜଣ ବନ କର୍ମଚାରୀଙ୍କୁ ନେଇ ବନ ବିଭାଗର ଏକ ସେକ୍ସନ ଅଫିସ କାର୍ଯ୍ୟ କରୁଥିଲା। ଇତି ମଧ୍ୟରେ ଦର୍ଶନୀବନ୍ତ ଶାନ୍ତି ଶୁରକ୍ଷା ମଞ୍ଚର ଶତାଧିକ ମହିଳା ଗତ ଅପ୍ରେଲ ମାସ ୧୩ ତାରିଖ ଶୁକ୍ରବାର ଅପରାହ୍ନରେ ତାରବାଡ ଓପାଡି ଧଶେଇ ପଶିବା ସହ ଆଶ୍ରମର କୋଠା ବାଡିକୁ ଦକଲ କରିନେଇଥିଲେ। ଏହି ସମୟରେ ଆଶ୍ରମ ମଧ୍ୟରେ ଥିବା ଉପ ବନପାଳ ଓ ଅନ୍ୟ ବନ କର୍ମଚାରୀମାନେ ଭୟରେ ସେ ସ୍ଥାନଛାଡି ପଳାଇଆସିଥିଲେ। ଏ ନେଇ ବନବିଭାଗ ପକ୍ଷରୁ ଦର୍ଶନୀବନ୍ତ ଦାଇତ୍ୱରେ ଥିବା ଉପ ବନପାଳ ଜୟକୃଷ୍ଣ ଯଦୁମଣୀ ଦାସ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାହାକୁ ଗିରଫ କରାଯାଇ ନ ଥିଲା।  ପୁଲିସ ଓ ବନ ବିଭାଗ ୨୧ ଦିନ ନିରବ ରହିବାପରେ ଆଜି ଉଭୟ ପ୍ରଶାସନ ଆକ୍ରମଣାତ୍ମକ ପନ୍ଥା ଅବଲମ୍ୱନ କରିଥିଲେ।   ଏହି ବିବାଦୀୟ ସ୍ଥାନଟି କାକଟପୁର ତହସିଲ ଆନ୍ତର୍ଗତ ଚିତ୍ରେଶ୍ୱରୀ ଆର.ଆଇ ସର୍କଲର ଗୋଧନପଡା ମୌଜାରେ ଥିବା ବିବାଦୀୟ ଦର୍ଶନୀବନ୍ତକୁ ବନବିଭାଗ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ସଂରକ୍ଷିତ ଜଙ୍ଗଲ କହୁଥିବା ବେଳେ ରାଜସ୍ୱ ବିଭାଗ ବାନାବାବାଙ୍କୁ ଦେଇଥିବା କାଗଜପତ୍ର କହୁଛି ଏହା ରାଜସ୍ୱ ବିଭାଗର। ଏହି ପୌରାଣିକ ତଥା ଐତିହାସିକ ଦର୍ଶନୀବନ୍ତର ଐତିହ୍ୟ ଉପରେ ନଜର ପକାଇଲେ ଜଣା ପଡେ କାହିଁ କେଉଁ କାଳରୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆଷାଢ ଶୁ‌୍‍କ୍ଳ ଦ୍ୱିତୀୟ ତିଥିରେ ଏହି ବନ୍ତରେ ଏକତ୍ରିତ ହୋଇ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି। ଏତଦ ବ୍ୟତିତ ବିଭିନ୍ନ ପର୍ବପର୍ବାଣୀ ସମେତ ବର୍ଷତମା ଶ୍ରଦ୍ଧାଳୁମାନେ ଦର୍ଶନୀବନ୍ତକୁ ଆସି ଅନେକ ଦେବା ଦେବୀ ଓ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଏହି ଦର୍ଶନୀବନ୍ତକୁ ବନିବିଭାଗ ତାରବାଡ ଘେରାଇ ନିଜ ଅକ୍ତିଆରରେ ରଖିଥିବାରୁ ଏଠାକୁ ପୂଜାର୍ଚ୍ଚନା କରିବାକୁ ଅସୁଥିବା ଶ୍ରଦ୍ଧାଳୁମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ।   ଦର୍ଶନୀବନ୍ତରେ ଆଶ୍ରମ କରିଥିବା ବାନାବାବା ଦୀର୍ଘ ୨୦ ବର୍ଷ ଧରୀ ବାଲିବନ୍ତକୁ ସୁରକ୍ଷା ଦେବା ସହ ଫୁଲ ଫଳ ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି କରି ଆଧ୍ୟାମିକ ପରିବେଶ ସୃଷ୍ଟି କରିଥିଲେ। ନିୟମିତ ଭାବେ ଆଶ୍ରମର ସମର୍ଥକମାନେ ଏହି ଫଳ ପୁଷ୍ପ ଉଦ୍ୟାନଟିରେ ପାଣିଦେଇ ବିଭିନ୍ନ ଗଛକୁ ବଞ୍ଚାଇ ରଖୁଥିବା ବେଳେ ଏଠାରେ ୯ ମାସ ଧରି ରହିଥିବା ବନବିଭାଗ କର୍ମଚାରୀମାନେ ଫୁଲ ଓ ଫଳ ଉଦ୍ୟାନରେ ପାଣି ନ ଦେବାରୁ ଗଛଗୁଡିକ ମରିଯାଇଥିବା ଦେଖିବାକୁ ମିଳୁଛି। ଗୋଧନପଡା ମୌଜାର ଖାତା ନଂ ୨୭ ପ୍ଲଟ ନମ୍ୱର ୧୩୩/୨୦ରେ ୬ ଏକର ୪୮ ଡିସିମିଲ ସରକାରି ଜମି ଦର୍ଶନୀବନ୍ତରେ ଗଡି ଉଠିଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଏଠାରେ ବାନାବାବା ଆଶ୍ରମ ପ୍ରତିଷ୍ଠା କରିବାପରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ମାମଲା ରୁଜୁ କରାଯାଇ ଗତ ୨୩.୦୫.୨୦୧୨ରେ ଫରମ ସଂ-ଏକ୍ସ.ଆଇ.ଆଇ. ରସିଦ ପୁସ୍ତକ ନଂ ୮୮୭୯୭୮ରେ ନିମୟ ୬୬ ବଳରେ ୧ ହଜାର ୭ ଶହ ୯୫ ଟଙ୍କା ଖଜଣା ପାଉତି ଆଦାୟ କରାଯାଇଛି। ଏ ନେଇ ବାନାବାବାଙ୍କ ପକ୍ଷରୁ ନିମାପଡା ସିଭିଲ ଜଜ କୋର୍ଟରେ ୧୩/୧୬ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ରହିଥିବା ବେଳେ ଏଭଳି ଉଚ୍ଛେଦକୁ ସାଧାରଣରେ ନାପସନ୍ଦ କରାଯାଇଛି।

Share :