ନେତା କୋଟିପତି, ଜନତା ଦରିଦ୍ର

ନେତା କୋଟିପତି, ଜନତା ଦରିଦ୍ର

Share :

ଦେବେନ୍ଦ୍ର ପୃଷ୍ଟି   ଓଡ଼ିଶାରେ ଖାଲି ହଉଥିବା ୩ ରାଜ୍ୟସଭା ଆସନ ପାଇଁ ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି ସେମାନେ ସମସ୍ତେ କୋଟିପତି। ଯେଉଁମାନେ ଆଶାୟୀ ଥିଲେ ସେମାନେ ମଧ୍ୟ କୋଟିପତି। ଯେଉଁମାନେ ନବୀନଙ୍କ ନିଷ୍ପତ୍ତିରେ ଗରଗର ହୋଇ ଚାଉଳ ଚୋବଉଛନ୍ତି ସେମାନେ ମଧ୍ୟ କୋଟିପତି। ଏଇ କୋଟିପତିମାନେ କାଳେ ‘ଗରୀବଙ୍କ ବଳ’! ଏମାନେ ଗରୀବଙ୍କୁ ଏମିତି ବଳ ଦଉଛନ୍ତି ଯେ ସେମାନେ ଦଶନ୍ଧି ଦଶନ୍ଧି ଧରି ଶସ୍ତା ଚାଉଳ ଓ ଅନ୍ୟ ସବ୍‌ସିଡ଼ିରେ ବଂଚି ରହିଛନ୍ତି। ଆଉ ଏହି ନେତାମାନଙ୍କର ସଂପତ୍ତି ବର୍ଷକୁ ବର୍ଷ ବଢ଼ି ଚାଲିଛି।   ବିଜୁ ଜନତା ଦଳର କୋଟିପତି ସଭାପତି ନବୀନ ପଟ୍ଟନାୟକଙ୍କ ଇଚ୍ଛାନୁସାରେ ପ୍ରାର୍ଥୀ ହୋଇଥିବା ବିଶାଖାପାଟଣା ବ୍ୟବସାୟୀ ରାୟଗଡ଼ା ନେତା ଏନ. ଭାସ୍କର ରାଓଙ୍କ ସଂପତ୍ତି ମୂଲ୍ୟ ୩୮ କୋଟି ଟଙ୍କା। ଏହା ଉପରେ ସେ ଗଲା ଦୁଇ ବର୍ଷ ଧର ଆୟକର ଦେଇନଥିବାରୁ ତାଙ୍କ ଉପରେ ୪୧ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ ହୋଇଛି। ଚଣ୍ଡାଳ ନିଜ ପ୍ରାର୍ଥିପତ୍ରରେ ସଂପତ୍ତି ଓ ଆୟ ହିସାବ ଦେବାରୁ ଆୟକରବାଲା ତାଙ୍କ ଘରେ ପହଂଚିଥିଲେ। ରାଓ ହଉଛନ୍ତି ଭାରତବର୍ଷର ଅନ୍ୟତମ ପଛୁଆ ଅଂଚଳ କେବିକେ ବା କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଭୂଖଣ୍ଡର ଲୋକ। ଏହି ଅଂଚଳର ୯୦ ପ୍ରତିଶତ ଲୋକ ହେଲ ଦରିଦ୍ର। ସରକାରୀ ସମ୍ବଲପୁରୀ ପାଟର ଅଧିକୃତ କାରବାରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ପେଟ୍ରୋଲ ପମ୍ପ ମାଲିକ ତଥା ରାଜନେତା ବିଷ୍ଣୁ ଦାସ ମଧ୍ୟ ନିଜଆଡ଼ୁ କୋଟିପତିର ପରିଚୟ ଦେଇଛନ୍ତି। ଅବଶ୍ୟ ଏହା ସତ ଯେ ଏମାନେ ନିଜର ସଂପୂର୍ଣ୍ଣ ସଂପତ୍ତି ଓ ଆୟ ଘୋଷଣା କରି ନଥିବେ। ଯିଏ ପ୍ରତି ବର୍ଷ ଆୟକର ଫାଙ୍କିବା ପାଇଁ ଆୟ ଓ ସଂପତ୍ତି ଲୁଚାଇପାରନ୍ତି ସେ କ’ଣ ସର୍ବସାଧାରଣରେ ନିଜର ସମସ୍ତ ଆଇନ ଓ ବେଆଇନ ସଂପତ୍ତିର ହିସାବ ଦଉଥିବେ?   କେବଳ ଏଇ ତିନି ଜଣ ନୁହନ୍ତି, ବିଜୁ ଜନତା ଦଳର ଅଧିକାଂଶ ସାଂସଦ ଓ ବିଧାୟକ ହେଉଛନ୍ତି କୋଟିପତି। ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଯେତେ ଲୋକ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ୫୫ ଜଣ କୋଟିପତି। ବିଜେଡିର ପିନାକୀ ମିଶ୍ର ସେତେବେଳେ ୧୩୭ କୋଟି ଟଙ୍କା ସଂପତ୍ତିର ମାଲିକ ବୋଲି ଦର୍ଶାଇଥିବାବେଳେ ଆମ ଓଡ଼ିଶାର ସଂଜୟ ହଂସ ୫୭ କୋଟି ଏବଂ ବିଜେଡିର ବୈଜୟନ୍ତ ପଣ୍ଡା ୩୭ କୋଟି ଟଙ୍କାର ହିସାବ ଦେଇଥିଲେ। ସେହି ଲୋକସଭା ନିର୍ବାଚନରେ ଯେତେ ଲୋକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କର ହାରାହାରି ସଂପତ୍ତିର ମୂଲ୍ୟ ଥିଲା ପ୍ରାୟ ୨ କୋଟି ଟଙ୍କା। କହିବା ବାହୁଲ୍ୟ ନିର୍ବାଚନରେ ଯେଉଁ ୨୧ ଜଣ ଜିତି ଥିଲେ ସେମାନେ ସମସ୍ତେ ହେଉଛନ୍ତି କୋଟିପତି। ସେମାନଙ୍କ ଭିତରୁ ସମସ୍ତେ ଯେ ନିଜର ସବୁ ସଂପତ୍ତି ଦର୍ଶାଇଥିବେ ତାହା କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ। ବରଂ ସମସ୍ତେ ଯେ କିଛି କିଛି ବେଆଇନ ସଂପତ୍ତି ବିବରଣୀ ଲୁଚାଇଥିବେ ତାହା ହଲପ କରି କହିହେବ। ରାଜ୍ୟସଭାରେ ଥିବା ଓଡ଼ିଶାର ୧୦ ଜଣ ମଧ୍ୟ କୋଟିପତି ବର୍ଗରେ ଗଣା ହୁଅନ୍ତି।   ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟର ୧୪୭ ଆସନ ପାଇଁ ଲଢ଼ିଥିଲେ ପ୍ରାୟ ୨୦୦ କୋଟିପତି। ସେମାନଙ୍କ ମଧ୍ୟରୁ ଜିତିଥିଲେ ୭୬ ଜଣ। ଏହା ହେଉଛି ବିଧାନସଭା ଆସନ ସଂଖ୍ୟାର ୫୨ ପ୍ରତିଶତ। ଅର୍ଥାତ ବିଧାନସଭାରେ କୋଟିପତିମାନେ ସଂଖ୍ୟାଗରିଷ୍ଠିତା ହାସଲ କରିଛନ୍ତି। ଏ ରାଜ୍ୟର ଅଧିକାଂଶ ଲୋକ ହେଉଛନ୍ତି ଗରୀବ। ଏହି ଗରୀବ ଲୋକମାନେ ସେମାନଙ୍କର ପ୍ରତିନିଧି ଭାବେ କୋଟିପତି ଧନୀଙ୍କୁ ର୍ହି ବାଛିଛନ୍ତି। ବିଧାନସଭାର ୭୬ କୋଟିପତିଙ୍କ ମଧ୍ୟରେ କେବଳ ବିଜୁ ଜନତା ଦଳର ହେଉଛନ୍ତି ୬୨ ଜଣ। ଏହି ଦଳର ୧୧୭ ଜଣ ବିଧାୟକ ଅଛନ୍ତି। ବିଜେଡି ବିଧାୟକଙ୍କ ମଧ୍ୟର ବି କୋଟିପତିଙ୍କ ସଂଖ୍ୟା ଗରିଷ୍ଠ। ବିଧାୟକଙ୍କ ମଧ୍ୟରେ ଦିଲ୍ଲୀପ ରାୟଙ୍କ ଭଳି ଶତକୋଟିପତି ମଧ୍ୟ ଅଛନ୍ତି।   ନେତା କୋଟିପତି, ଜନତା ଦରିଦ୍ର। ଏହା ହେଉଛି ଓଡ଼ିଶା ଗଣତନ୍ତ୍ରର ପ୍ରମୁଖ ପରିଣାମ।   ଏହି କୋଟିପତିମାନଙ୍କର ସଂପତ୍ତି କେଉଁ ନିର୍ବାଚନରେ କମୁଥିବା କେହି ଜାଣନ୍ତି ନାହିଁ। ପ୍ରତି ନିର୍ବାଚନବେଳକୁ ସେମାନଙ୍କ ସଂପତ୍ତିରେ ଆଉ କେଇ କୋଟି ଯୋଗ ହୋଇଯାଏ। କେତେକ ତ ଅଛନ୍ତି ଯେଉଁମାନେ ବିଧାୟକ ବା ସାଂସଦ ହେବାର ସୌଭାଗ୍ୟ ଲାଭ କରି ନଥିଲେ ମଧ୍ୟ ଧନଲକ୍ଷ୍ମୀ ସେମାନଙ୍କ ପିଛା ଛାଡ଼ି ନଥାନ୍ତି। ଏଇ ଯେମିତି ବିଷ୍ଣୁ ଚରଣ ଦାସ। ସେ ୨୦୧୪ ନିର୍ବାଚନରେ ପରାସ୍ତ ହେବା ପରଠୁଁ ଆଉ କୌଣସି ସରକାରୀ ପଦପଦବୀରେ ନାହାନ୍ତି। କିନ୍ତୁ ଏଇ ଦୁଇ ବର୍ଷ ଭିତରେ ତାଙ୍କ ସଂପତ୍ତିର ମୂଲ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି। ତାଙ୍କ ଯୁକ୍ତି ଅନୁସାରେ ତାଙ୍କର ପେଟ୍ରୋଲ ପମ୍ପ ଲାଭରୁ ଏହି ସଂପତ୍ତି ପରିମାଣ ବଢ଼ିଛି। ଆମ ଜାଣିବାରେ ଏ ଦୁଇ ବର୍ଷ ହେଲା ପେଟ୍ରୋଲ ଓ ଡିଜେଲ ଦର କମୁଛି ଏବଂ ଅନ୍ତର୍ଜାତୀୟ ବଜାରରେ ଏହି ବ୍ୟବସାୟ କ୍ଷତିରେ ଚାଲିଛି।   ସେ ଯାହା ହେଉ ଓଡ଼ିଶାର ମାନ୍ୟବର ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଏଭଳି ଭାବେ ସଂଖ୍ୟାଧିକ କୋଟିପତି  ଥିଲେ ମଧ୍ୟ ସେମାନଙ୍କ ଧନ ରୋଜଗାର ବୁଦ୍ଧି ଲୋକଙ୍କ ପାଖରେ ପହଂଚି ନାହିଁ। ତେଣୁ ସେମାନେ ଗରୀବ ରହିଛନ୍ତି। ସେମାନେ କିପରି ଏତେ ସଂପତ୍ତିର ମାଲିକ ହେଲେ କେବଳ ସେଇ ବାଟଟି ଯଦି ଲୋକଙ୍କୁ ବତେଇ ଦିଅନ୍ତେ ତେବେ ୫ ବର୍ଷ ଭିତରେ ନିଶ୍ଚୟ ଓଡ଼ିଶାର ଦାରିଦ୍ର୍ୟ ନାମକ ଶତ୍ରୁଟି ଲାଙ୍ଗୁଡ଼ ଜାକି ପଳାୟନ କରନ୍ତା। ମାତ୍ର, ତାହା ହେଉ ନାହିଁ। ଅଧିକନ୍ତୁ ରାଜ୍ୟର ବିପିଏଲ ହିତାଧିକାରଙ୍କ ତାଲିକା ମୋଟା ହୋଇଚାଲିଛି।   ରାଜ୍ୟରେ ସରକାରୀ ହିସାବରେ ଦାରିଦ୍ର୍ୟ କମୁଛି। କିନ୍ତୁ ଦରିଦ୍ରଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ବ୍ୟୟଭାର ବଢ଼ି ବଢ଼ି ଚାଲିଛି। କୋଟିପତି ନବୀନ ପଟ୍ଟନାୟକଙ୍କ ହିସାବରେ ସେମାନେ ୨୦୦୦ ମସିହାରେ ଦାୟିତ୍ବ ନେବାବେଳେ ରାଜ୍ୟରର ଦାରିଦ୍ର୍ୟ ହାର ଥିଲା ୪୭.୧୫ ପ୍ରତିଶତ। ଅର୍ଥାତ ରାଜ୍ୟର ପ୍ରାୟ ଅଧା ଲୋକ ସେତେବେଳେ ଦରିଦ୍ର ଥିଲେ। କିନ୍ତୁ ନବୀନବାବୁ ଝାଳନାଳ ବୁହାଇ ଦିନରାତି ଖଟିଖଟି ସମୃଦ୍ଧି ଓ ସୁଶାସନ ପ୍ରତିଷ୍ଠା କରିବାରୁ ତାହା ୩୨.୧୯ ପ୍ରତିଶତକୁ ଖସି ଆସିଛି। ଅର୍ଥାତ ଏବେ ରାଜ୍ୟର ଏକତୃୟାଂଶ ହେଉଛନ୍ତି ଦରିଦ୍ର। କିନ୍ତୁ ସରକାର ବିଧାନସଭାରେ ପେଶ୍ କରିଥିବା ତଥ୍ୟ ଅନୁଯାୟୀ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳ ଦିଆଯାଉଛି।   ଅନେକ ସନ୍ଦେହ କରନ୍ତି ଯେ ଦରିଦ୍ର ତାଲିକା ଜାଲ୍। ତା’ ହୋଇ ବି ଥାଇପାରେ। କିନ୍ତୁ ଦାଦନ ଯିବା ତ ବନ୍ଦ ହେଉନି! ଧନଥିବା କୋଉ ଲୋକ ପିଲାପରିବାର ଛାଡ଼ି ବାହାର ରାଜ୍ୟକୁ ହାତଗୋଡ଼ ହରାଇବାକୁ ଯିବ କହିଲେ? ଅନେକ ତ ଯାଉଛନ୍ତି କିଛି ରୋଜଗାର ଆଶା ନେଇ, ଫେରୁଛନ୍ତି ଅଙ୍ଗପ୍ରତ୍ୟଙ୍ଗ ନହେଲେ ଜୀବନ ହରେଇ। ସେମାନେ କ’ଣ ଧନୀ? କଳାହାଣ୍ଡିରେ ସୁଖବାସୀ?   ଓଡ଼ିଶା ସରକାରଙ୍କ ହିସାବ ଅନୁସାରେ ରାଜ୍ୟର ଅର୍ଦ୍ଧାଧିକ ଲୋକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେମାନେ ପ୍ରାୟତ ଦିନ ମଜୁରିଆ। ସେମାନଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ଏମଜିଏନଆରଜିଏ ଓ ଏନଏଫଏସଏ ପରି ଯୋଜନା। ସାମାଜିକ ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ରାଜ୍ୟର ୫୭ ପ୍ରତିଶତରୁ ଅଧିକ ଲୋକ ଦିନକୁ ୨୦ ଟଙ୍କା ତଳେ ଖର୍ଚ୍ଚ କରିବାକୁ ସମର୍ଥ। ଅର୍ଥାତ ଏମାନଙ୍କର ରୋଜଗାର ତା’ଠାରୁ ଅଧିକ ନୁହେଁ।   ତେବେ କୋଟିପତି ନେତା ଓ ଦରିଦ୍ର ଜନତାଙ୍କ ଭିତରେ ସଂପର୍କ କେମିତି ବେଶ୍ ମଧୁର ଅଛି? ସେମାନେ ହିସାବରେ ଶଳା-ଭିଣୋଇ ନା ଭିଣୋଇ-ଶଳା! ନା ସେମାନଙ୍କ ସଂପର୍କର ଅନ୍ୟ କିଛି ନାମ ଅଛି?

Share :