ବଫଲାମାଳି ବକ୍ସାଇଟ ଖଣି ବେଆଇନ!

ବଫଲାମାଳି ବକ୍ସାଇଟ ଖଣି ବେଆଇନ!

Share :

ଦେବେନ୍ଦ୍ର ପୃଷ୍ଟି, ସ୍ନେହଲତା ମିଶ୍ର   ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର କିପରି ରାଜ୍ୟର ପ୍ରାକୃତିକ ସଂପଦର ଧ୍ବଂସ ସାଧନ କରୁଛନ୍ତି ତାହାର ଅନ୍ୟ ଏକ ନଜୀର ପଦାକୁ ଆସିଛି। ଆଦିତ୍ୟ ବିର୍ଲା ଗୋଷ୍ଠୀଠାରୁ ୮ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ନେଇ ବିବାଦରେ ପଡ଼ିଥିବା ବିଜୁ ଜନତା ଦଳର ସରକାର ଏହି ଗୋଷ୍ଠୀର ଅନ୍ୟ ଏକ କମ୍ପାନୀକୁ ରାଜ୍ୟର ଜଙ୍ଗଲ ସଂପଦ ବେଆଇନ ଭାବେ ଲୁଟ୍ କରିବାକୁ ଛାଡ଼ି ଦେଇଛି। ଓଡ଼ିଶା ହାଇକୋର୍ଟରେ ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାରୁ ନବୀନ ସରକାର ଓ ଆଦିତ୍ୟ ବିର୍ଲା ଗୋଷ୍ଠୀ ମଧ୍ୟରେ ରହିଥିବା ଏହି ଅବୈଧ ସଂପର୍କ ପଦାକୁ ଆସିଛି।   ଓଡ଼ିଶାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିଠାରେ ପ୍ରତିଷ୍ଠା ହୋଇଛି ଉତ୍କଳ ଆଲୁମିନା ଇଣ୍ଟର୍ନେସନାଲ ଲିମିଟେଡର ଆଲୁମିନା କାରଖାନା। ଏହି କାରଖାନା ଓ ଏହାର ବକ୍ସାଇଟ୍ ପ୍ରକଳ୍ପକୁ ମୂଳରୁ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଆସୁଛନ୍ତି। ଏହି କାରଖାନାକୁ ୧୯୯୩ ମସିହାରେ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ବଫଲିମାଳି ପାହାଡ଼ ଲିଜ୍ ଦେଇଥିଲେ। କିନ୍ତୁ ପାହାଡ଼ ଉପରେ ଓ ଏହାର ପାଦଦେଶରେ ଆଦିମ କାଳରୁ ରହି ଆସୁଥିବା ଆଦିବାସୀମାନେ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରୁଥିଲେ। ଆଦିବାସୀଙ୍କ ଆନ୍ଦୋଳନ ଦମନ କରିବାକୁ ଯାଇଁ ନବୀନ ସରକାର ସେଠାରେ ପୁଲିସ ଲଗାଇ ଗୁଳିଚାଳନା କରିଥିଲେ। ୨୦୦୦ ଡିସେମ୍ବର ୧୬ ତାରିଖରେ ପୁଲିସ ଆନ୍ଦୋଳନ ରତ ନିରସ୍ତ୍ର ଆଦିବାସୀଙ୍କ ଉପରକୁ ମାଇକଂଚ ଗାଁ ନିକଟରେ ଆଖିବୁଜା ଗୁଳି ଚଳାଇବାରୁ ୩ ଜଣ ଆଦିବାସୀ ନିହତ ହୋଇଥିଲେ ଓ ଆଉ ଚାରି ଜଣ ଆହତ ହୋଇଥିଲେ।   ଉତ୍କଳ ଆଲୁମିନା ବା ୟୁଆଇଏଲ ଏବ ଆଦିତ୍ୟ ବିର୍ଲା ଗୋଷ୍ଠୀର ହିଣ୍ଡାଲକୋ ଅଧୀନରେ ପରିଚାଳିତ ହେଉଛି। ଏହି ଗୋଷ୍ଠୀର ହିଣ୍ଡାଲକୋ ସପକ୍ଷରେ ତଳବିରା କୋଇଲା ଖଣ ଆବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ସେତେବେଳକୁ ତଳବିରା କୋଇଲା ଖଣି ଭାରତ ସରକାରଙ୍କ ଅଧୀନସ୍ତ ଏକ କମ୍ପାନୀକୁ ଦିଆସରିଥିଲା। କିନ୍ତୁ ନବୀନଙ୍କ ଚିଠି ଆଧାରରେ ଭାରତ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ତଳବିରା କୋଇଲା ଖଣିକୁ ହିଣ୍ଡାଲକୋ କମ୍ପାନୀକୁ ପ୍ରଦାନ କରିଥିଲେ। ପରେ ଏହା ଏକ ବଡ଼ ଧରଣର ଦୁର୍ନୀତି ବୋଲି ଧରା ପଡ଼ିଥିଲା। ସେହି ମାମଲା ଏବେ ସିବିଆଇ ତଦନ୍ତାଧୀନ ଓ ଏ ସଂକ୍ରାନ୍ତରେ ଅଦାଲତରେ ମଧ୍ୟ ଏକ ମାମଲା ବିଚାରାଧୀନ ରହିଛି। ଏହି ଗୋଷ୍ଠୀର ଜେନେରାଲ ଇଲେକ୍ସନ ଟ୍ରଷ୍ଟରୁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ୮ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହା ହିସାବ ଭିତରର କଥା। ହିସାବ ବାହାରେ କମ୍ପାନୀ ନବୀନ ବା ତାଙ୍କ ପରିବାର ବା ତାଙ୍କ ଦଳ ଓ ଅଫିସରମାନଙ୍କୁ କେତେ ଟଙ୍କା ଦେଇଛି ତାହା ପଦାକୁ ଆସିନାହିଁ।   ଏହି ଗୋଷ୍ଠୀର ୟୁଆଇଏଲ ବଫଲିମାଳି ପାହାଡ଼ରେ ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରି ହଜାର ହଜାର କୋଟି ଟଙ୍କାର ବକ୍ସାଇଟ୍ ଲୁଟ୍ କରୁଥିଲେ ହେଁ ନବୀନ ସରକାର ସେଥିପ୍ରତି ଆଖିବୁଜି ଦେଇଛନ୍ତି। କମ୍ପାନୀକୁ ଏଭଳି ବେଆଇନ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ବାରଣ କରୁ ନାହାନ୍ତି କି ସେଥିପାଇଁ ସରକାରଙ୍କ ତରଫରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ନବୀନ ସରକାରଙ୍କର ଏହି ବିର୍ଲା-ପ୍ରୀତି ସ୍ଥାନୀୟ ଲୋକଙ୍କ ସ୍ବାର୍ଥହାନୀ କରିବାରୁ ସେମାନେ ଏହା ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଏହା ପରେ ଏହି ସଂଗୀନ ବିଷୟ ପଦାକୁ ଆସିଛି।   ଜଣାପଡ଼ିଛି ଯେ ଜଙ୍ଗଲ ବିଭାଗର ବାରଣ ସତ୍ତ୍ୱେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ୧୩୮୮.୩୪ ଏକର ଜଙ୍ଗଲ ଜମିରୁ ବେଆଇନ ଭାବେ ବକ୍ସାଇଟ ଉତ୍ତୋଳନ କରୁଛି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ପ୍ରା. ଲି. ବା ୟୁଏଆଇଏଲ। ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଏବଂ ବିଚାରପତି ବିଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର, ରାଜ୍ୟ ସରକାର ଏବଂ ୟୁଏଆଇଏଲକୁ ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି। ସେହିପରି ଜବାବ ଦାଖଲର ୨ ସପ୍ତାହ ମଧ୍ୟରେ ପ୍ରତି ଜବାବ ଦାଖଲ ଲାଗି ଆବେଦନକାରୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୯ ରେ ହେବାକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।   ଏ ସଂକ୍ରାନ୍ତରେ ଜବାବ ଦାଖଲ ପାଇଁ ଆଉ ମହଲତ ଦିଆଯିବନି ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଆବେଦନକାରୀ ଖଣିରୁ ଉତ୍ତୋଳନ ଉପରେ ଯେଉଁ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ପାଇଁ ନିବେଦନ କରିଥିଲେ ତାହାର ଶୁଣାଣି ପରେ ହେବ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି।   କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର ତହସିଲ ଏବଂ ରାୟଗଡା ଜିଲ୍ଲା କାଶୀପୁର ତହସିଲ ଅଞ୍ଚଳର ବଫଲିମାଳି ପାହାଡ଼ରୁ ବକ୍ସାଇଟ ଉତ୍ତୋଳନ ପାଇଁ ସରକାରଙ୍କ ଠାରୁ ୧୩୮୮.୩୪ ଏକର ଜମି ଲିଜ ଆକାରରେ ନେଇଥିଲା ୟୁଏଆଇଏଲ। ଖଣି ପ୍ରକଳ୍ପ ଲାଗି ପରିବେଶ ଅନୁମତି ମଧ୍ୟ ହାସଲ କରିଥିଲା କମ୍ପାନୀ।   ସୂଚନା ଅଧିକାର ଆଇନ ବଳରେ ଏ ସଂକ୍ରାନ୍ତ ଆବେଦନକାରୀ କାଶୀପୁର ଅଞ୍ଚଳର ସଞ୍ଜିତ ଜୈନ ଏବଂ ଜଗଦୀଶ ଚନ୍ଦ୍ର ନାୟକ ସୂଚନା ପାଇଥିଲେ ଯେ, ଉପରୋକ୍ତ ୧୩୮୮.୩୪ ଏକର ଜଙ୍ଗଲ ଜମି ମଧ୍ୟରୁ ୨୩୩.୩୪୩ ଏକର ଜମି ଜଙ୍ଗଲ କିସମର। ଏହି ଜମିରେ କୌଣସି ଖଣି ଖନନ ନକରିବା ପାଇଁ ୟୁଏଆଇଏଲକୁ ତତ୍କାଳୀନ ରାୟଗଡା ଡିଏଫଓ ୨୦୧୫ ଜୁଲାଇ ୨୫ ତାରିଖରେ କଟକଣା ଜାରି କରିଥିଲେ।   ଜଙ୍ଗଲ ଜମି ସଂରକ୍ଷଣ ଧାରା ୧୯୮୦ ଅନୁଯାୟୀ ସମ୍ପୃକ୍ତ କମ୍ପାନୀ ଜଙ୍ଗଲ ଅନୁମତି ପାଇ ନଥିବାରୁ ଏହି ଜମି ଉପରେ କୌଣସି ଖଣି ଖନନ କରିବାର ଅଧିକାର କମ୍ପାନୀର ନାହିଁ ବୋଲି ସେ କଟକଣା ଜାରି ରଖିଥିଲେ। ଏହା ସତ୍ତ୍ୱେ କମ୍ପାନୀ ସେଠାରୁ ବକ୍ସାଇଟ ଉତ୍ତୋଳନ ଜାରି ରଖିଥିଲେ।   ଏହାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ, ଓଡିଶା ମାଇନିଂ କର୍ପୋରେସନ ୧୯୯୪ ଜୁଲାଇ ୨୭ ତାରିଖରେ ବଫଲାମାଳି ଗ୍ରାମରେ ୧୩୮୮.୩୪ ଏକର ଜମିକୁ ଲିଜ ଆକାରରେ ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲା। ରାଜ୍ୟ ସରକାର ଉକ୍ତ ଆବେଦନକୁ ୧୯୯୭ ଜୁନ ୧୦ରେ ମଞ୍ଜୁରୀ ପ୍ରଦାନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଓଏମସିର ସୁପାରିଶ କ୍ରମେ ଗତ ୨୦୦୦ ଜୁନ ୨୬ ରେ ରାଜ୍ୟ ସରକାର ଏହି ଜମିକୁ ୟୁଏଆଇଏଲକୁ ଲିଜ ଆକାରରେ ପ୍ରଦାନ କରିଥିଲେ।   ୨୦୦୯ ଫେବୃଆରୀ ୨ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବଫଲାମାଳି ଗ୍ରାମରେ ବକ୍ସାଇଟ ମାଇନିଂ ପ୍ରୋଜେକ୍ଟ କରିବାକୁ ସବୁଜ ସଂକେତ ଦେଇଥିଲେ। ଲିଜ ଆକାରରେ ଏହି ଜମି ପାଇବା ପରେ ୨୦୧୩ରୁ ୟୁଏଆଇଏଲ ଏଠାରେ ତା’ର କାରଖାନାକୁ କାର୍ଯ୍ୟକ୍ଷମ କରିଛି। ତେବେ ଜଙ୍ଗଲ ଜମିରୁ ଖଣି ଖନନ କାର୍ଯ୍ୟ ପାଇଁ ଆଦିବାସୀଙ୍କୁ ବିସ୍ଥାପିତ ନକରିବାକୁ ନିୟମ ରହିଥିଲା ବେଳେ ଏହି ଆଇନରେ ଖୋଲା ଉଲଂଘନ ହୋଇଥିବା ଆବେଦନକାରୀ ଦ୍ୱୟ ଅଦାଲତଙ୍କୁ ଅବଗତ କରାଇଛନ୍ତି। 

Share :