ମରିବା ପାଇଁ ୩ ପ୍ରକାର ବିଷପାନ!

ମରିବା ପାଇଁ ୩ ପ୍ରକାର ବିଷପାନ!

Share :

ମେ ୨୯ ତାରିଖ ରବିବାର ପ୍ରତ୍ୟୁଷରେ ଚନ୍ଦ୍ରଭାଗା ବଜାର ନିକଟସ୍ଥ ଝାଉଁ ଜଙ୍ଗଲ ମଧ୍ୟରେ ଜଣେ ଯୁବକର ମୃତ ଦେହ ପଡି ରହିଥିବା ଦେଖି ଲୋକେ କୋଣାର୍କ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଯେଉଁଠି ଜୀବନକୁ ଉପଭୋଗ କରିବାକୁ ଦୈନିକ ହଜାର ହଜାର ଲୋକ ଆସିଥାନ୍ତି ସେଠି ଜୀବନ ହାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।   ନିଆଳି ଥାନାନ୍ତର୍ଗତ କଶରଦା ରାଣୀଗୋଲା ଗ୍ରାମର ବାସିନ୍ଦା କଳ୍ପତରୁ ଜେନାଙ୍କ ପୁତ୍ର ସମୀର କୁମାର ଜେନା କୌଣସି କାରଣରୁ ଘରୁ ରାଗି ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଚାଲି ଆସିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସମୀର ଘରକୁ ନ ଆସିବା ଏବଂ ସେ ବ୍ୟବହାର କରୁଥିବା ମୋବାଇଲ ଫୋନ ରିସିଭ ନକରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏ ସଂପର୍କରେ ପରିବାର ଲୋକେ ନିଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ।   ଅଭିଯୋଗକୁ ଭିତ୍ତି କରି ନିଆଳି ପୁଲିସ ସମୀର ବ୍ୟବହାର କରୁଥିବା ଫୋନ ନମ୍ୱରକୁ ଟ୍ରାକିଂ କରି ସେ ଚନ୍ଦ୍ରଭାଗା ଅଞ୍ଚଳରେ ଥିବା ଜାଣିପାରିଥିଲେ। ଶନିବାର ସନ୍ଧ୍ୟାରେ ପରିବାର ସଦସ୍ୟ ଓ ସାଙ୍ଗମାନେ ଚନ୍ଦ୍ରଭାଗାରେ ପହଞ୍ଚି ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଖୋଜାଖୋଜି କରି ନ ପାଇବାରୁ କୋଣାର୍କ ପୁଲିସକୁ ଜଣାଇଥିଲେ। କୋଣାର୍କ ପୁଲିସ ମଧ୍ୟ ଫୋନ ନମ୍ୱର ଟ୍ରାକିଂ କରି ଜାଣିବାକୁ ପାଇଥିଲେ ଯେ ସମୀର ଚନ୍ଦ୍ରଭାଗା ଅଞ୍ଚଳରେ ଅଛନ୍ତି।   ରବିବାର ସକାଳେ ଜଣେ ଯୁବକର ମୃତ ଦେହ ଜଙ୍ଗଲ ମଧ୍ୟରେ ପଡିଥିବା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମୀର ବୋଲି ଜାଣିବାକୁ ପାଇଥିଲେ। ମୃତ ଦେହ ନିକଟରୁ ଅନତି ଦୂରରେ ତିନି ପ୍ରକାର ଉତ୍କଟ ବିଷ ଯଥା ଏକ ପଲିଥିନରେ ଦାନାଦାର, ଏକ ପୋକମରା ବିଷ ପାଉଚ ଓ ଅନ୍ୟ ଏକ ବିଷ ବୋତଲ ପଡିଥିବା ବେଳେ କିଛି ଦୂରରେ ସମୀରଙ୍କ ବାଇକ ହିରୋ ଓଡି-୦୨-ଟି ୧୩୭୮ ରହିଥିବା ଦେଖିବାକୁ ମିଳିଥିଲା।   ଘଟଣାସ୍ଥଳର ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଯୁବକ ଜଣକ ଜୀବନ ପ୍ରତି ବୀତସ୍ପୃହ ହୋଇ ଏକାସାଙ୍ଗେ ତିନି ପ୍ରକାର ବିଷ ଖାଇ ଆତ୍ମହତ୍ୟା କରିଛି। ମୃତ ଯୁବକଙ୍କର ବୟସ ୩୦ରୁ ୫୦ ବର୍ଷ ମଧ୍ୟରେ ହେବ। ଯୁବକ ଜଣକ ଜିନ ପ୍ୟାଣ୍ଟ ପିନ୍ଧିଥିବା ବେଳେ କଳାରଙ୍ଗର ଗଞ୍ଜି ପାଖରେ ପଡିଥିଲା। ତାଙ୍କ ପକେଟରେ ଥିବା ମନିପର୍ସ ଓ ମୋବାଇଲକୁ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀ, ଏସଆଇ କବିତା ସାହୁ ଓ ଏଏସଆଇ ପ୍ରଫୁଲ୍ଲ ମଲିକଙ୍କ ଉପସ୍ଥିତିରେ ଜବତ କରାଯାଥିଲା। କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

Share :