ରାମଚଣ୍ଡୀରେ ସମର୍ ବିଚ୍ ପାର୍ଟି!

ରାମଚଣ୍ଡୀରେ ସମର୍ ବିଚ୍ ପାର୍ଟି!

Share :

ବିୟର ଆଉ ବିରିଆନୀ! ଡିଜେ ଓ ଡ୍ୟାନ୍ସ! ସମୁଦ୍ର କୂଳ। ନିରୋଳା ଜାଗା। ମଉଜ ଓ ମସ୍ତି ପାଇଁ ଆଉ କ’ଣ ଲୋଡ଼ା? ଦେହର ଦାହରେ ଜଳି ହେଉଥିବା ସଂସ୍କାରହୀନ ଯୁବପିଢ଼ି ପାଇଁ ଏଇ ହେଉଛି ସମର୍ ବିଚ୍ ପାର୍ଟି। ଅନୁମତି ନନେଇ ଖୁଲମଖୁଲ୍ଲା ମଦ୍ୟପାନ, ଶବ୍ଦ ପ୍ରଦୂଷଣ ଓ ଅନ୍ୟ କଥା। ଲୋକଙ୍କ ଅଭିଯୋଗ ପାଇଁ ପୁଲିସ ବନ୍ଦ କଲାବେଳକୁ ବେଳବୁଡ଼।   ବିଭିନ୍ନ ସୋସିଆଲ ମିଡିଆରେ ଦିଆଯାଇଥିବା ବିଜ୍ଞାପନ ଅନୁଯାୟୀ ମେ ୨୯ ତାରିଖ କୋଣାର୍କ ଅଭୟାରଣ୍ୟ ସଂଳଗ୍ନ ରାମଚଣ୍ଡୀ ବେଳାଭୂମୀରେ ବିଭିନ୍ନ ଘରୋଇ କମ୍ପାନୀଙ୍କ ପ୍ରୋତ୍ସାହନରେ ଆୟୋଜିତ ସମର ବିଚ ପାର୍ଟିକୁ ନେଇ କୋଣାର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବା ସୂଚନା ମୁତାବକ ଏହି ପାର୍ଟି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପାର୍ଟିରେ ଯୋଗ ଦେବା ପାଇଁ ଅନଲାଇନ‌୍‍ ବୁକିଂ କରିଥିବା ଯୁବକ ଯୁବତୀଙ୍କ ପାଇଁ ଏକ ହଜାର ଟଙ୍କା ବ୍ୟୟରେ ୩ଟି ବିୟର ସହ ବିରିୟାନି ପ୍ରଦାନ କରାଯାଇଥିଲା। ପ୍ରେମୀ ଯୁଗଳ ଓ ପତିପତ୍ନୀଙ୍କ ପାଇଁ ୧୪୦୦ ଟଙ୍କାର ପ୍ୟାକେଜରେ ୫ଟି ବିୟର ସାଙ୍ଗକୁ ଅସୀମିତ ବିରିୟାନୀର ଅଫର ଥିଲା।   ଏହି ଅଫରରେ ଆକର୍ଷିତ ହୋଇ ଆଜି ସକାଳୁ ପ୍ରାୟ ୫୦ରୁ ଅଧିକ ଯୁବକ ଯୁବତୀ ଏହି ପାର୍ଟିରେ ଯୋଗ ଦେବାପାଇଁ ଆସିଥିବା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ନିରୋଳା ଏହି ବେଳାଭୂମିରେ ବିଶାଳକାୟ ଟେଣ୍ଟ ମଧ୍ୟରେ ଡିଜେ ସଂଗୀତ ତାଳେ ତାଳେ ମଦ ଓ ମାଂସ ଆସରରେ ବେଶ ମସଗୁଲ ହୋଇଥିଲେ ଯୁବକ ଓ ଯୁବତୀ।   ଏ ସଂପର୍କରେ ଆୟୋଜକମାନଙ୍କ ସହ ଯୋଗାଯୋଗ କରିବା ପରେ ଏହି ପାର୍ଟି ପାଇଁ ବଆଇନ ଥିବା ଜଣାପଡ଼ିଥିଲା। ପୁଲିସର କିମ୍ବା ବନ ବିଭାଗ କିମ୍ବା  ସ୍ଥାନୀୟ ପ୍ରଶାସନଠାରୁ ଏଥିପାଇଁ ଅନୁମତି ନିଆଯାଇ ନଥିଲା। ବିନା ଅନୁମତିରେ ନିଶା ଓ ଦୈହିକ ଉଦ୍ଦିପନା ସଂପ୍ରସାରଣ କରିବା ଉଦ୍ଦେଶ୍ୟରେ ଏହି ପାର୍ଟି ଆୟୋଜିତ ହୋଇଥିବାରୁ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ।   ଏ ସଂପର୍କରେ ଅଭିଯୋଗ ପାଇବା ପରେ ରାମଚଣ୍ଡୀ ପୁଲିସ ଅପରାହ୍ନରେ ଘଟଣା ସ୍ଥଳରେ ପହଞ୍ଚି ଏହି ପାର୍ଟିକୁ ବନ୍ଦ କରିଥିଲା। ବିଶେଷ ସୁତ୍ରରୁ ପ୍ରକାଶ ଯେ ଯୁବକ ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱରର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପିଲା ସୋସିଆଲ ମିଡିଆକୁ ବ୍ୟବହାର କରି କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବେଆଇନ ପାର୍ଟିର ଆୟୋଜନ କରିଥିଲେ। ଅଭ୍ୟାୟାରଣ୍ୟରେ ଶବ୍ଦ ପ୍ରଦୂଷଣ ଓ ବେଳାଭୂମିକୁ ପ୍ରଦୂଷଣ କରିଥିବା ଆୟୋଜକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶବିତ ଉମେଶ ଚନ୍ଦ୍ର ସ୍ୱାଇଁ ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ଦାବି କରିଛନ୍ତି।

Share :