କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ଗ୍ରାମର ଜଣେ ଯୁବକର ମଦପିଇ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ଲକର ଧାମନପୁର, ଜାମଗୁଡା ବାହେଲି ପଡାର କୈଲାସ ମଲ୍ଲିିକ(୨୬) ନାମକ ଜଣେ ଯୁବକ ମେ ୨୯ ତାରିଖରେ ମଦପିଇ ମୃତ୍ୟୁ ବରଣ କରିଥିବା ପରିବାର ତରଫରୁ ଦସପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ମେ ୨୮ ତାରିଖ ଦିନ ତା’ର ଛୋଟ ଭାଇ ଲୋକନାଥର ବାହାଘର ହୋଇଥିଲା। ବାହାଘର କାର୍ଯ୍ୟରେ ସେ ଦିନସାରା ବ୍ୟସ୍ତ ରହିଥିଲା। ସଂଧ୍ୟାରେ ଗ୍ରାମରେ (ଧାମନପୁର) ଥିବା ମଦଭାଟିକୁ ଯାଇ ପ୍ରଚୁର ପରିମାଣରେ ଦେଶୀ ମଦପିଇ ଆଉ ଘରକୁ ଫେରି ନଥିବା ତାର ବାପା ଶ୍ରୀବଛ ମଲ୍ଲିକ ଅଭିଯୋଗ କରିଛନ୍ତି। ତାକୁ ରାତିସାରା ଖୋଜାଖୋଜି କରାଯାଇଥିଲା। ହେଲେ କେହି ଭେଟ ପାଇ ନଥିଲେ। ପର ଦିନ ସକାଳୁ ନଳକୂଅ ପାଖରେ ଅଚେତ ହୋଇ ପଡିଥିବା ଲୋକେ ଦେଖି ପରିବାରକୁ ଖବର କରିଥିଲେ। ଅଚେତ ଅବସ୍ଥାରେ ତାକୁ ପରିବାରର ଲୋକେ ଧର୍ମଗଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦସପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ଏନେଇ ଗୋଲାମୁଣ୍ଡା ଥାନା କେସ ନମ୍ୱର ୨ /୨୦୧୬ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉ ଥିବାବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ସେ ୫ ବର୍ଷ ତଳେ ବିବାହ କରିଥିଲା। ବର୍ତ୍ତମାନ ତାର ସ୍ତ୍ରୀ ପୁଷ୍ପ ମଲ୍ଲିକ (୨୨) ଦୁଇ ଝିଅ ଯଶୋବନ୍ତି (୩) ଓ ସୁକାନ୍ତି(୧) ବେସାହାରା ହୋଇ ଯାଇଛନ୍ତି। ତେଣୁ ପ୍ରଶାସନ ଏହି ଗରିବ ବେସାହାରା ପରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।