ଋତୁସ୍ରାବ ଗୁରୁତ୍ବପୂର୍ଣ୍ଣ କାହିଁକି?

ଋତୁସ୍ରାବ ଗୁରୁତ୍ବପୂର୍ଣ୍ଣ କାହିଁକି?

Share :

ସ୍ନେହ ମିଶ୍ର   ଋତୁସ୍ରାବ ଏକ ପ୍ରାକୃତିକ ଓ ଶାରୀରିକ ପ୍ରକ୍ରିୟା ଯାହା କିଶୋରୀ ତଥା ମହିଳାମାନଙ୍କର ଗର୍ଭଧାରଣ ପ୍ରସ୍ତୁତିର ଏକ ଅଂଶ। ଭାରତୀୟ ସମାଜରେ ଋତୁସ୍ରାବକୁ ଅସୁବିଧା ଓ ଲୁଚାଇବା ମନୋବୃତ୍ତିରେ ଦେଖାଯାଏ ଓ ଏହା ସହିତ ଅନେକ ଭୁଲ ଧାରଣା ଓ ଚଳଣିକୁ ଯୋଡ଼ି ଦିଆଯାଇଥାଏ। ସାାମଜିକ ପ୍ରଥା ଅନୁସାରେ ଏହାକୁ ଅପବିତ୍ର ଓ ଅପରିଷ୍କାର ବୋଲି ଧରା ଯାଉଥିବାରୁ ଏହାକୁ ଭୟ, ଲଜ୍ଜା, ଅପମାନ, ଘୃଣା ଓ ଗୋପନୀୟତା ଦ୍ବାରା ଢାଙ୍କି ଦିଆଯାଇଥାଏ। ପୁରୁଷସତ୍ତାକୁ ଉତ୍ସାହ ଦେଇଥିବା ବିଚାରଧାରା ଏଭଳି ଭାବରେ ବାସ୍ତବତାକୁ ଚାପି ଦେଇ ମହିଳାମାନଙ୍କୁ ପ୍ରକୃତ ତଥ୍ୟଠାରୁ ଦୂରେଇ ରଖନ୍ତି ଓ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାନ୍ତି। ବାଳିକାମାନଙ୍କୁ ଋତୁସ୍ରାବ ବିଷୟରେ କେବେ ହେଲେ ଠିକଣା ସମୟରେ ପ୍ରକୃତ ତଥ୍ୟ ମିଳେ ନାହିଁ। ପ୍ରାୟତଃ ବ୍ୟକ୍ତିଗତ ଅନୁଭୂତି ଓ ତାକୁ ନିଜ ବାଟରେ ବୁଝିବାକୁ ଚେଷ୍ଟା କରିବାରେ ହିଁ ତାଙ୍କର ଜ୍ଞାନ ବାନ୍ଧି ହୋଇରହିଥାଏ। ଏହି ଜ୍ଞାନ ମଧ୍ୟ ବହୁ ପରିମାଣରେ ଭୁଲ ହୋଇଥାଏ। ଉପଯୁକ୍ତ ତଥ୍ୟ ଓ ଜ୍ଞାନର ଅଭାବ ସେମାନଙ୍କୁ ଋତୁସ୍ରାବ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ନଦେଇ ଭ୍ରମାତ୍ମକ ଚାଲିଚଳଣିକୁ ଜାରୀ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ।   ଋତୁସ୍ରାବ ପ୍ର୍ରକିୟା ଜନ୍ମରୁ ନଥାଏ। ଝିଅଟିଏ ଆଦ୍ୟ କିଶୋରୀ ଅବସ୍ଥା ପାଇବା ପରେ ଶରୀରରେ ଏହି ପ୍ରକ୍ରିୟା ଆରମ୍ଭ ହୁଏ। ଯେହେତୁ ଏହା ମୂଳରେ ଯୌନ ଅନ୍ତଃସ୍ରାବୀ କ୍ଷରଣ ରହିଛି, ତେଣୁ ଦେହ ଓ ମନରେ ବାରି ହୋଇ ପଡ଼ୁଥିବା ପରିବର୍ତ୍ତନ ଆସେ। ଅତି ସାଧାରଣରେ କହିବାକୁ ହେଲେ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟିକର ଓ ସନ୍ତୁଳିତ ଆହାର, ଶାନ୍ତ ଓ ଖୁସି ମନ ଓ ଉପଯୁକ୍ତ ବିଶ୍ରାମ ଅତି ଆବଶ୍ୟକ। ହେଲେ ଆମର ସାମାଜିକ ଚଳଣି ଓ ଗଠନ ଏମିତି ଚତୁରତା ସହ କରାଯାଇଅଛି ଯେ ଏସବୁ ନିଚ୍ଛକ ଆବଶ୍ୟକତା ଗୁଡାକୁ ଛଡ଼ାଇନେଇ ଅଭାବରେ ବଦଳାଇ ଦିଆଯାଇଅଛି। ଏହାର ମୂଳଦୁଆ ହେଲା ଜଣେ ଋତୁମତୀ ମହିଳାଙ୍କୁ ଅପବିତ୍ର ତଥା ଋତୁସ୍ରାବର ରକ୍ତକୁ ଅପରିଷ୍କାର ବିଚାର କରିବା। ସମୟକ୍ରମରେ ଦଳ, ଗୋଷ୍ଠୀ ଓ ସମାଜ ଗଢ଼ିବାବେଳେ କିଛି ନୀତି ଓ ଧାରାକୁ ବିନା ପ୍ରଶ୍ନ ଓ ତର୍ଜମାରେ ସ୍ୱୀକାର କରି ନିଆଯାଉଥିଲା। ଯାହା ଦୀର୍ଘସମୟ ଅନ୍ତରରେ ସଂସ୍କୃତି, ପରମ୍ପରା ଧର୍ମର ରୂପ ନେଉଥିଲା। ଏଗୁଡ଼ିକ ଅତିମାତ୍ରାରେ ଲିଙ୍ଗଗତ ବିଭେଦ ଓ ବୈଷମ୍ୟରେ ଭରପୂର ଓ ମହିଳାମମାନଙ୍କୁ ନିୟନ୍ତ୍ରିତ କରିବାର ବିଚାର ଧାରା ଥିଲା। କିନ୍ତୁ ବର୍ତ୍ତମାନ ଠିକଣା ସମୟରେ ଠିକ ତଥ୍ୟମାନ ପରିବେଷଣ କରି ଋତୁସ୍ରାବ ସମ୍ପର୍କରେ ଥିବା ଅବିଚାର ଓ ସେଥିଯୋଗୁଁ ଘଟୁଥିବା ଅନେକ ସମସ୍ୟାମାନଙ୍କର ସହଜ ସମାଧାନ ହୋଇପାରିବ। ଅଧିକନ୍ତୁ ଋତୁସ୍ରାବ ଓ ଜଣେ ମହିଳାଙ୍କ ଶରୀର କିପରି ଗର୍ଭଧାରଣ କରିବା ପାଇଁ ପ୍ରସ୍ତୁତ ହୁଏ, ସେ ବିଷୟରେ ବିଷଦ ଜ୍ଞାନ ପାଇଲେ ଜଣେ କିଶୋରୀ ନିଜର ଉପଯୁକ୍ତ ଯତ୍ନ ନେବା ସହିତ ପ୍ରତିକାର ମଧ୍ୟ କରିପାରିବ।   ବିଶ୍ୱ ଋତୁସ୍ରାବ ଦିବସ କାହିଁକି?   ପ୍ରତ୍ୟେକ ବର୍ଷ ମଇ ମାସ ୨୮ ତାରିଖକୁ ବିଶ୍ୱ ଋତୁସ୍ରାବ ଦିବସ ହିସାବରେ ପାଳନ କରାଯାଉଅଛି। ଏହା ଗୋଟିଏ ସାଂକେତିକ ବିଚାର ଯାହା ପାଞ୍ଚ ଦିନର ଋତୁସ୍ରାବ ଓ ୨୮ ଦିନର ଗୋଟିଏ ଋତୁଚକ୍ରକୁ ବୁଝାଇଥାଏ। ଅଧିକନ୍ତୁ ଝିଅ ଓ ମହିଳାମାନଙ୍କର ନିଜର ଶରୀର ଓ ସ୍ୱାସ୍ଥ୍ୟ ବିଶେଷ କରି ଋତୁସ୍ରାବଜନିତ ଅଧିକାରକୁ ସର୍ବସାଧାରଣରେ ଆଲୋଚନା କରିବା ଓ ଏହାକୁ ଏକ ଗୋପନୀୟ ଦୁନିଆରୁ ମୁକ୍ତ ଆଲୋଚନାର ବିଷୟ ଭାବେ ଉପସ୍ଥାପନ କରିବା, ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ଅଟେ।   କିଛି ଭୁଲଧାଣା, ବାରଣ ଓ ସାମାଜିକ ଚଳଣି   ଝାଡ଼ୁ ହେଉକି ଜୀବଜନ୍ତୁଙ୍କ ହାଡ଼, ଋତୁମତୀ ମହିଳା ତାକୁ ଡେଇଁଲେ, ସନ୍ତାନଧାରଣକ୍ଷମ ହେବେ ନାହିଁ, ଆଉ ସବୁଜ ଜୀବନ୍ତ ଗଛକୁ ଛୁଇଁଲେ ତାହା ଜଳିଯିବ, କଥାଟା ଉଦ୍ଭଟ ଲାଗୁଥିଲେ ବି ଏହି ବିଚାର ଓ ଚଳଣିକୁ ଆମ ସମାଜରେ ମନପ୍ରାଣ ଦେଇ ଗ୍ରହଣ କରାଯାଉଛି। ଥରେ ବି କେହି ପ୍ରଶ୍ନ କରୁନାହାନ୍ତି। ଏଭଳି ଆହୁରି ଅନେକ ପ୍ରକାର ଅନାଗତ ଭବିଷ୍ୟତର ଭୟ ଓ ବିଧାତାର କ୍ରୋଧର ସାହାଯ୍ୟ ନେଇ ନାରୀଟିକୁ ସଂକୁଚିତ ଓ ଶୃଙ୍ଖଳିତ କରିଦିଆଯାଉଛି। ଯେମିତିକି ଋତୁସ୍ରାବ ସମୟରେ ପରିବାରର ପୁରୁଷଙ୍କୁ ଦେଖିଲେ ସେମାନେ ଅକଥନୀୟ କଷ୍ଟଭୋଗ କରିବେ। ଏଠି କିଛି ଘଟଣା ସଂଯୋଗରୁ ହୋଇଯାଏ, ନହେଲେ ବି ଟାଣିଭିଡ଼ି କିଛି ଅଭାବନୀୟ ଘଟଣାକୁ ନୀତିନିର୍ଘଣ୍ଟ ଭାଙ୍ଗିଥିବା ପରିସ୍ଥ‌୍‍ିତି ସହିତ ଯୋଡ଼ି ଦିଆଯାଇପାରେ। ଏହିଭଳି ଗୋଟିଏ ଝିଅ ଦୀର୍ଘବର୍ଷ ଧରି ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା କାହିଁକି ନା ତା’ର ଋତୁସ୍ରାବ ସମୟରେ ପଦାକୁ ଗୋଡ଼ କାଢ଼ିବା ତା’ର ବାପାଙ୍କ ମୃତ୍ୟୁର କାରଣ ବୋଲି ସାବ୍ୟସ୍ତ କରାଗଲା। ଅନେକ ସ୍ଥାନରେ ଝିଅ ପଦାକୁ ବାହାରେ ନାହିଁ ତ’, କେଉଁଠି ଘର ଭିତରେ ନରହି ବାରିପଟ ଚାଳତଳେ ନଚେତ ଗୁହାଳରେ ରହେ। ଶୁଖିଲା ଖାଦ୍ୟ, ଗାଧୁଆ ମନା ତ’ କେଉଁଠି ଶୀତ କାକର ରାତି ଅଧରେ ବି ପ୍ରଥମ ଋତୁ ଦିନ ମୁଣ୍ଡଧୋଇ ଗାଧୁଆ। ଘର ପରିବାରରେ ମିଠା ବଣ୍ଟା ପରବ ହେଲେ ଝିଅ ସାତ ଦିନ ଅନ୍ଧାର ଘରେ! ଅଶିକ୍ଷା, ଦାରିଦ୍ର୍ୟ ଓ ବନ୍ଧିତ ସମାଜରେ ଏସବୁ ଅଧିକ ଜଟିଳ ହୋଇଯାଏ।   ଫଳତଃ ଝିଅଟିଏ ନିଜ ଉପରୁ ଭରସା ହରାଇ ଦିଏ ଓ ନିଜ ଶରୀରକୁ ଘୃଣା କରିବାକୁ ଲାଗେ। ପରିସ୍ଥିତିର ସମୀକ୍ଷାରୁ ଦେଖାଯାଇଛି ଯେ ଋତୁସ୍ରାବର ଉତ୍ପତ୍ତିଠାରୁ ୨୨ ପ୍ରତିଶତ ଝିଅ ବିଦ୍ୟାଳୟରୁ ଅପସରି ଯାଆନ୍ତି ଓ ୫୦ ପ୍ରତିଶତ ଝିଅ ସେହି ସମୟରେ ବିଦ୍ୟାଳୟକୁ ଯାଆନ୍ତି ନାହିଁ। ଏସବୁ ବାରଣ, ନୀତିନିୟମ ଋତୁମତୀ ହେବା ପରେ କଡ଼ାକଡ଼ି କରିଦିଆଯାଏ, ଯାହା ତାକୁ ଦ୍ବିତୀୟ ଦରଜାର ପ୍ରାଣୀର ଭାବନା ଓ ଅନୁଭବ ଦିଏ।   ପୁଷ୍ଟିକର ଆହାର   କୈଶୋର ଅବସ୍ଥାର ବଢ଼ିଲା ଶରୀର ପାଇଁ ଝିଅ ଓ ପୁଅ ଉଭୟଙ୍କର ପୁଷ୍ଟିକର ଖାଦ୍ୟ ଦରକାର। କିଶୋରୀମାନଙ୍କର ଋତୁସ୍ରାବ ସମୟରେ ଏହା ବିଶେଷ ଜରୁରୀ ଥିଲାବେଳେ ଆମର ସମାଜ ଓଲଟା ତାଙ୍କ ଖାଦ୍ୟ ଉପରେ ଲଗାମ ଲଗାଏ। ସେମାନଙ୍କ ଖାଦ୍ୟରେ ସ୍ନେହସାର ଓ ପୁଷ୍ଟିସାରର ସନ୍ତୁୁଳନ ରହିବା ସହିତ ଲୌହ, କ୍ୟାଲସିୟମ ଓ ଅନ୍ୟାନ୍ୟ ଭିଟାମିନ‌୍‍ ରହିବା ଉଚିତ। ଖାଦ୍ୟରେ ତନ୍ତୁଭାଗ ରହିବା ଜରୁରୀ ଓ ସେଥିପାଇଁ ଯଥେଷ୍ଟ ସବୁଜ ପରିବା ଖାଇବା ଉଚିତ। କପେ ଗରମ କ୍ଷୀର ଓ ହାଲ‌୍‍କା ଖେଳକୁଦ ସେ ସମୟରେ ବିନ୍ଧା ଯନ୍ତ୍ରଣାକୁ ଲାଘବ କରିପାରେ। କିନ୍ତୁ ଆମର ସାାମଜିକ ଚଳଣି ଏସବୁର ନୀତି ନିୟମକୁ ପ୍ରାଧାନ୍ୟ ଦେଇଥାଏ।   ଋତୁସ୍ରାବ ଓ ସେଥିରୁ ଉପୁଜୁଥିବା ଉପସର୍ଗ ସବୁ କ’ଣ?   ବିଜ୍ଞାନ ଓ ତର୍କ ଆଧାରରେ ଋତୁସ୍ରାବ ପ୍ରକ୍ରିୟାକୁ ସାଧାରଣରେ ଜଣାଇଲେ, ଆମ ସମାଜରେ ଥିବା କୁସଂସ୍କାରକୁ ବିରୋଧ କରିହେବ ଓ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା କରିହେବ। ଗର୍ଭାଶୟର ଭିତର ପାର୍ଶ୍ୱ ଯାହା ଗର୍ଭଧାରଣ ପାଇଁ ପ୍ରସ୍ତୁତ ହୋଇଥାଏ, ଗର୍ଭଧାରଣ ନହେଲେ ଭାଙ୍ଗିଯାଇ ରକ୍ତଧାରା ଭାବରେ ଜରାୟୁ ଦେଇ ବାହାରକୁ ବାହାରିଯାଏ। ଏହାକୁ ଋତୁସ୍ରାବ କହନ୍ତି। ଏହି ପ୍ରବାହ ପ୍ରାୟ ୫ ଦିନ ଧରି ରହେ। ଏହି ଭାଙ୍ଗିବା ଓ ପୁଣି ଗଢ଼ିହେବା ପ୍ର୍ରକ୍ରିୟା ପ୍ରାୟ ୨୮ ଦିନରେ ଚକ୍ରବତ ଜାରୀ ରହେ। କାହାଠାରେ ଏହା ୨୧ ଦିନ ତ କାହାର ୩୫ ଦିନ ସମୟ ନିଏ। ଏହି ପ୍ରକ୍ରିୟା କିଶୋରୀମାନଙ୍କଠାରେ (୧୦-୧୯ବର୍ଷ ବୟସ) ଆରମ୍ଭ ହୁଏ। ପୂର୍ଣ୍ଣାଙ୍ଗ ଡିମ୍ୱାଣୁଟିଏ ଡିମ୍ୱକୋଷରୁ ବାହାରି ଡିମ୍ୱବାହୀ ନଳୀ ଦେଇ ଗର୍ଭାଶୟରେ ପହଞ୍ଚିଥାଏ। ଏହି ସମୟକୁ ଗର୍ଭାଶୟ ମଧ୍ୟ ଅନୁରୂପ ଭାବେ ଗର୍ଭଧାରଣ ପାଇଁ ପ୍ରସ୍ତୁତ ହୁଏ। ମାତ୍ର ଡିମ୍ୱାଣୁ ଯଦି ଶୁକ୍ରାଣୁ ଦ୍ୱାରା ନିସିକ୍ତ ନହୁଏ, ତାହା ଜରାୟୁ ଦେଇ ଯୋନୀ ମାଧ୍ୟମରେ ବାହାରକୁ ଚାଲିଯାଏ। ତାହା ସହିତ ଗର୍ଭାଶୟର ଅନ୍ତ ଆସ୍ତରଣ ମଧ୍ୟ ରକ୍ତ ଆକାରରେ ବାହାରିଯାଏ। ଏହା ପ୍ରଥମ ଗୋଟିଏ ବା ଦୁଇବର୍ଷ ନିୟମିତ ହୋଇନଥାଏ, ବହୁ ସମୟରେ ଋତୁସ୍ରାବ ସମୟରେ ଝିଅମାନେ ତଳିପେଟରେ କଷ୍ଟ ଅନୁଭବ କରିବା, ବାନ୍ତି ଲାଗିବା, ହାଲିଆ ହେବା, ମୁଣ୍ଡ ବୁଲାଇବା, ଅଚେତ ହେବା, ପିଠିକଷ୍ଟ ଆଦିରେ ଆକ୍ରାନ୍ତ ହୁଅନ୍ତି। ଏସବୁକୁ ଋତୁସ୍ରାବଜନିତ ଉପସର୍ଗ ବୋଲି କୁହାଯାଏ। ଆହୁରି ମଧ୍ୟ ଝିଅମାନେ ଚିଡ଼ିଚିଡ଼ା, ଅବସାଦପୂର୍ଣ୍ଣ ଓ ଅଧିକ ସମ୍ୱେଦନଶୀଳ ହୁଅନ୍ତି, ଯାହା ସମୟକ୍ରମେ ଅନେକମାତ୍ରାରେ କମିଯାଇଥାଏ।   ରକ୍ତସ୍ରାବର ଶୋଷକ ଓ ତାହାର ବ୍ୟବହାର   ଋତୁସ୍ରାବର ରକ୍ତକୁ ଶୋଷି ନେବା ପାଇଁ ବିଭିନ୍ନ ପ୍ରକାରର ଶୋଷକ ଭିନ୍ନ ଭିନ୍ନ ସମାଜରେ ବ୍ୟବହାର କରନ୍ତି। ପ୍ରାୟତଃ ପୁରୁଣା ଲୁଗା, ଧୋତି, ଗାମୁଚ୍ଛା, ଚଦର ଆଦିକୁ ଚିରି ଛୋଟ କନାଗୁଡ଼ିକୁ ଏଥିପାଇଁ ବ୍ୟବହାର କରାଯାଏ। ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପାଉଁଶ ଓ ନଡ଼ାକୁ ମଧ୍ୟ ବ୍ୟବହାର କରାଯାଏ। ଗୋଟିଏ ଅତି ଅଳ୍ପସଂଖ୍ୟକ ଝିଅ ଓ ମହିଳା ‘ସାନିଟାରୀ ନାପ‌୍‍କିନ‌୍‍’ର ବ୍ୟବହାର କରିଥାନ୍ତି। ଏପରି ହେବାର କାରଣ ଅର୍ଥନୈତିକ ସ୍ଥିତି ହୋଇପାରେ। ଯଦିଓ କପଡ଼ାର ବ୍ୟବହାରରେ ବାରଣର ଆବଶ୍ୟକତା ନାହିଁ, କିନ୍ତୁ ପରିଷ୍କାର ଓ ପରିଚ୍ଛନ୍ନତାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଗୁଡ଼ିକୁ ସାବୁନରେ ଧୋଇ, ଖରାରେ ଶୁଖାଇ ବ୍ୟବହାର କରାଯିବା ଦରକାର। ଏହା ନରମ ହେବା ଆବଶ୍ୟକ ଯେପରି ଶରୀରର ସେହି ଅଂଶକୁ ଆଘାତ ନହୁଏ। ଟିକିଏ ଅସାବଧାନତା କାରଣରୁ ଜଣେ ମହିଳାଙ୍କର ଜରାୟୁରେ ଗେଟିଏ ‘ହୁକ‌୍‍’ ରହିଯାଇଥିଲା। ଏହା ବିଭିନ୍ନ ପ୍ରକାରର ସାଂଘାତିକ ରୋଗ ସୃଷ୍ଟି କରିପାରେ ଓ ପ୍ରାଣଘାତୀ ମଧ୍ୟ ହୋଇପାରେ। ପୁଣି ସେହି କଥାକୁ ଦୋହରାଇବି ଯେ ଆମ ସମାଜର କୁପ୍ରଥା ଯୋଗୁଁ କପଡ଼ାଗୁଡ଼ିକୁ ମଇଳା ପୋଖରୀରେ ଧୋଇ, ତାହାକୁ ଲୁଚାଇ ଶୁଖାଯାଏ। ଏହା ସର୍ବଦା ବର୍ଜନୀୟ। ଶୋଷକ କପଡ଼ାକୁ ପ୍ରତି ୮ ଘଣ୍ଟାରେ ବଦଳାଇବା ଦରକାର ଓ ୩-୪ ଥରର ବ୍ୟବହାର ପରେ ସମ୍ପୂର୍ଣ୍ଣ ବର୍ଜନ କରିବା ଉଚିତ।   ଶୋଷକକୁ ପରିତ୍ୟାଗ କରାଯିବ କିପରି?   ଶୋଷକ ପଦାର୍ଥକୁ ପରିତ୍ୟାଗ କଲାବେଳେ ଋତୁସ୍ରାବ ବର୍ଜ୍ୟ ପରିଚାଳନା ପ୍ରତି ଧ୍ୟାନ ଦେବାକୁ ହେବ। ଶୋଷକ କପଡ଼ାକୁ ହୁଏତ ପୋତି ଦିଆଯାଇପାରେ ଅଥବା ପୋଡ଼ି ଦିଆଯାଇପାରେ, ଯେହେତୁ ଏହା ଜୈବିକ ପ୍ର୍ରକ୍ରିୟାରେ ବିଘଟିତ ହୋଇପାରେ। ଧ୍ୟାନଦେବା ଉଚିତ ଯେ ଏହାକୁ ପ୍ଲାଷ୍ଟିକ ଜରି ବା ମୁଣାରେ ଭର୍ତ୍ତି କରି ପୋତିବେ ନାହିଁ। ସେହିପରି ‘ସାନିଟାରୀ ନାପ‌୍‍କିନ‌୍‍’ ମଧ୍ୟ ଜୈବ ବିଘଟିତ ହୁଏ ନାହିଁ। ଏହା ନଷ୍ଟ ହେବାପାଇଁ ୫୦୦ରୁ ୮୦୦ ବର୍ଷ ଲାଗେ। ତେଣୁ ଏଗୁଡ଼ିକୁ ପୋଡ଼ିଦେବା ଉଚିତ ପନ୍ଥା ଅଟେ। ବଡ଼ ଆକାରର ଋତୁସ୍ରାବ ବର୍ଜ୍ୟ ପରିଚାଳନା ପାଇଁ ଏହା ସବୁଠାରୁ ଉତ୍ତମ ଉପାୟ। ଏପରି ବ୍ୟବସ୍ଥା ତାମିଲନାଡ଼ୁର ବିଭିନ୍ନ ମ୍ୟୁନିସିପାଲ କର୍ପୋରେସନ‌୍‍ରେ କାର୍ଯ୍ୟକାରୀ ହୋଇଛି। ଓଡ଼ିଶାର ଗଞ୍ଜାମ ଓ ପୁରୀ ଜିଲ୍ଳାର କିଛି ବିଦ୍ୟାଳୟରେ ଏହିଭଳି ଛୋଟ ଚୁଲ୍ଲାର ବ୍ୟବସ୍ଥା କରାଯାଇଅଛି।   କିଛି ଉତ୍ତମ ବ୍ୟବସ୍ଥା   ଋତୁସ୍ରାବର ବିଜ୍ଞାନ ଓ ତର୍କ ଆକାରରେ ଆଲୋଚନା କିଶୋରୀମାନଙ୍କ ଗୋଷ୍ଠୀ ସହିତ କରାଯାଇଥିଲା। ଏହି ଗୋଷ୍ଠୀଗୁଡ଼ିକ ଅଙ୍ଗନୱାଡ଼ି କର୍ମୀଙ୍କ ସାହାଯ୍ୟରେ ଗଢ଼ା ଯାଇଥିଲା। ଋତୁସ୍ରାବ ସମ୍ପର୍କିତ ଚଳଣି ଓ ଭ୍ରାନ୍ତଧାରଣା ଗୁଡ଼ିକର ମାନଚିତ୍ର ପ୍ରସ୍ତୁତ କରାଯାଇ ତା’ ଉପରେ ସବିଶେଷ ଆଲୋଚନାଦ୍ୱାରା ଉପସ୍ଥିତ କିଶୋରୀ ଓ ମହିଳାମାନେ ପ୍ରକୃତ କଥାଟିକୁ ବୁଝିଥିଲେ ଓ ପୁରୁଣା ପ୍ରଥାକୁ ବଦଳାଇବା ପାଇଁ ଆହ୍ୱାନ ଦେଇଥିଲେ। ଝିଅ ଓ ମହିଳାମାନଙ୍କର ଅନ୍ୟମାନଙ୍କ ପରି ସମ୍ମାନ ସହ ଜୀବନ ବଂଚିବାର ଅଧିକାର ଅଛି। ଋତୁସ୍ରାବକୁ ବନ୍ଧନ ଓ ବାରଣର ଅସ୍ତ୍ର ନକରି ପରିଚ୍ଛନ୍ନ ଓ ସୁସ୍ଥ ଋତୁସ୍ରାବର ଅଧିକାରକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଗୋଟିଏ ଦକ୍ଷତା ବୃଦ୍ଧିକାରୀ ପରିବେଶ ତିଆରି କରିବା ଆବଶ୍ୟକ ଯେଉଁଠାରେ ଋତୁସ୍ରାବ ଓ ତାହା ସମ୍ପର୍କିତ ସମସ୍ୟାମାନଙ୍କୁ ଅନୁଧ୍ୟାନ କରି ଏକ ସୁସ୍ଥ ଓ ପରିମଳ କାର୍ଯ୍ୟକ୍ରମ ପ୍ରଣାଳୀ ପ୍ରସ୍ତୁତ କରିହେବ। ଅଧିକନ୍ତୁ ଏହି ପରିବେଶ ଋତୁସ୍ରାବକୁ ନେଇ ମୁକ୍ତ ଆଲୋଚନାର ସହାୟକ ହେବ। ଏହା ଫଳରେ ଭ୍ରମଧାରଣା ଦୂର ହେବ ତଥା ସ୍ୱାସ୍ଥ୍ୟର ପ୍ରୋତ୍ସାହନ ହେବ। ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ପାଇଁ ଝିଅମାନଙ୍କର ଅଧିକାର ପର୍ଯ୍ୟବସିତ କାର୍ଯ୍ୟକ୍ରମ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଅବସ୍ଥାରେ ନିଶ୍ଚୟ ଉନ୍ନତି ଆଣିବ।   ସମ୍ପାଦିକା, ଆଇନା, ଭୁବନେଶ୍ୱର

Share :