ପୋଲ ଭାଙ୍ଗି ଗ୍ରାମ ବିଚ୍ଛିନ୍ନ

ପୋଲ ଭାଙ୍ଗି ଗ୍ରାମ ବିଚ୍ଛିନ୍ନ

Share :

  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମକୁନ୍ଦପୁର ଗ୍ରାମ ମଧ୍ୟ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଏକ ପୋଲ ଭାଙ୍ଗି ଯାଇଛି। ଏଥି ଯୋଗୁଁ ଦୈନନ୍ଦିନ ଯାତାୟାତରେ ବାଧା ସୃଷ୍ଟି ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।   ବ୍ଲକର ବୃନ୍ଦାବାହାଲ ଚଂଚରାମୁଣ୍ଡା ଗ୍ରାମଠାରୁ ବୈଜଲପୁର-ମକୁନ୍ଦପୁର ଗ୍ରାମ ମଧ୍ୟ ଦେଇ ଚପୁରିଆ-କେଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ଏକ ପୋଲ ମକୁନ୍ଦପୁରଠାରେ ଭାଙ୍ଗି ଯାଇଥିବାରୁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି।  ୨୦୦୦ ମସିହାରେ ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ପୋଲକୁ ୧୯୯୨ ମସିହାରେ ଗୋଲାମୁଣ୍ଡା ପଂଚାୟତ ସମିତି ତରଫରୁ ନିର୍ମାଣ କରାଯାଇଥିଲା।   ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହାନ ଯାତାୟତ କରନ୍ତି। ବର୍ତ୍ତମାନ ପୋଲ ଭାଙ୍ଗିବା ମାସକରୁ ଅଧିକ ହୋଇଥିଲେ ମଧ୍ୟ  ଏଥିପ୍ରତି କେହି ଧ୍ୟାନ  ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ଦେଇ ଭାରିଯାନ ଚଳାଚଳରେ ବ୍ୟଘାତ ସୃଷ୍ଟି ହୋଇଛି। ଏହି ରାସ୍ତା ଉପରେ ୨୦/୨୫ ଖଣ୍ଡ ଗ୍ରାମର ଲୋକ ନିର୍ଭର କରିଥାନ୍ତି। ଗୋଲାମୁଣ୍ଡା କିମ୍ୱା ଧର୍ମଗଡ ଡାକ୍ତର ଖାନା, ସ୍କ‌୍‍ୁଲ, କଲେଜ, ଅଫିସ କାମ ପାଇଁ ଯିବାକୁ ହେଲେ ଏହିରାସ୍ତା ମଧ୍ୟ ଦେଇ ଯିବାକୁ ପଡିଥାଏ।   ପୋଲ ଭାଙ୍ଗିଯାଇ ଥିବାରୁ ବର୍ତ୍ତମାନ ୧୦୮/୧୦୨ ଏମ୍ୱୁଲେନ୍ସ ମଧ୍ୟ ଗ୍ରାମକୁ ଯାଇପାରୁ ନାହଁି।   ବୃନ୍ଦାବାହାଲ-ଦସପୁର- ଧାମନପୁର ଗ୍ରାମ ମଧ୍ୟ ଦେଇ  ମୁକୁନ୍ଦପୁର ଗ୍ରାମକୁ ବୁଲିକି ଜିବାକୁ ପଡୁଛି। ଗର୍ଭବତୀ /ପ୍ରସୁତି ମହିଳାମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ   ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି  ଗ୍ରାମର ଦିଲିପ ମାଝୀ, ଦୟା ମାଝୀ, ପ୍ରେମଲାଲ ବାଗ, କେଶରୀ ମାଝୀ, ଭକ୍ତ ରାମ ବାଗ, ପ୍ରମୁଖ ଅଭିଯୋଗ କରିଛନ୍ତି। ପୁଣି ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ ସେ ଧ୍ୟାନ ଦେଉ ନଥିବା ପ୍ରକାଶ କରିଛନ୍ତି।   ଯଦି ଏହାର ତୁରନ୍ତ ସମାଧାନ କରା ନଯାଏ ତାହାହେଲେ ଧର୍ମଗଡ-ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିବୁ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏନେଇ ଧର୍ମଗଡ ବିଭାଗୀୟ ଏସ.ଡି.ଓ. ଗଙ୍ଗାଧର ମହାରଣାଙ୍କୁ ପଚାରିବାରୁ ପାଣ୍ଠି ଆସିଲେ କାମ କରାଯିବ ବୋଲି ପ୍ରକାଶ କରିଥିଲେ।

Share :