ମରୁଡ଼ି ସହାୟତା- ବିହନର ମୂଲ୍ୟବୃଦ୍ଧି

ମରୁଡ଼ି ସହାୟତା- ବିହନର ମୂଲ୍ୟବୃଦ୍ଧି

Share :

କେନ୍ଦ୍ର ଓ ରାଜ୍ୟ ସରକାର ମରୁଡିଗ୍ରସ୍ତ ଚାଷୀ ପ୍ରତି ଦରଦ ଦେଖାଉଥିବା କଥା କହୁଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ମରୁଡିଗ୍ରସ୍ତ ଚାଷୀଙ୍କୁ ସରକାରୀ ବିହନରେ ଗତ ବର୍ଷ ତୁଳନାରେ ୧୦୦୦ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ଏହା କ’ଣ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।   ଆଜି ପର୍ଯ୍ୟନ୍ତ ମରୁଡିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ରାଶି ସଂପୂର୍ଣ୍ଣ ଭାବରେ ମିଳିନାହିଁ। ଓଡ଼ିଶା ସରକାର କହୁଛନ୍ତି କେନ୍ଦ୍ର ମରୁଡ଼ି ଟଙ୍କା ଦେଇନି। କେନ୍ଦ୍ରରେ କ୍ଷମତାରେ ଥିବା ଦଳ କକହୁଛି ଓଡ଼ିଶା ସରକାର କୃଷି ଟଙ୍କା ଖର୍ଚ୍ଚ ନକରି ଫେରେଇ ଦେଇଛନ୍ତି। କ୍ରମାଗତ ବନ୍ୟା, ବାତ୍ୟା ଓ ମରୁଡ଼ିରେ ଚାଷୀର ଚାଷ ଉଜୁଡ଼ି ଯାଇଥିବାବେଳେ ସରକାର ସହାୟତା ଦେବେ କ’ଣ ଓଲଟି ବିହନ ଦର ବଢ଼ାଇ ଦେଇଛନ୍ତି। ବିହନ ସବ‌୍‍ସିଡି ନାଁରେ ଚାଷୀଙ୍କୁ ଭୁଆଁ ବୁଲାଇ ବିହନର ମୂଲ୍ୟବୃଦ୍ଧି କରାଯାଇଛି। ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।   ସରକାରଙ୍କର ନୂଆ ରିହାତି ଧାନ ବିହନ କ୍ୱିଣ୍ଟାଲ ପିଛା ୨୫୨୨ ଟଙ୍କା ଧାର୍ଯ୍ୟ କରାଯାଇଛି। ସରକାରଙ୍କର ପୋଥି ଅନୁଯାୟୀ ୧ କ୍ୱିଣ୍ଟାଲ ଧାନ ବିହନରେ ୫ ଏକର ଚାଷ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆକଳନ କରୁଥିବା ବେଳେ ଦେଶୀ ପଦ୍ଧତିରେ ମାତ୍ର ୩ ଏକର ଚାଷ ହେବ। ଫଳରେ ୩ ଏକର ପରେ ଚାଷୀଙ୍କୁ ଆବଶ୍ୟକ ପଡୁଥିବା ଧାନ ବିହନକୁ ବିନା ସବ‌୍‍ସିଡିରେ ୨୫୨୨ ଟଙ୍କାରେ କିଣିବାକୁ ପଡ଼ୁଛି।   ଗତବର୍ଷ ସରକାର ସମସ୍ତ ବିହନରେ ସବ‌୍‍ସିଡି ଦେଇ କ୍ୱିଣ୍ଟାଲ ପିଛା ୧୪୫୦ଟଙ୍କାରୁ ୧୬୦୦ ଟଙ୍କା ମଧ୍ୟରେ ଯୋଗାଇ ଦେଇଥିଲେ। ହେଲେ ଚଳିତ ବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଜିଲ୍ଲା ତଥା ରାଜ୍ୟର ଅନେକ ଚାଷୀ ବିହନ ଅଭାବ ନେଇ ଅସୁବିଧାରେ ଥିବାବେଳେ ଧାନ ବିହନର ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ଚାଷୀଙ୍କ ବୋଝ ଲାଘବ କରିବା ବଦଳରେ ଭାରୀ କରିବ। ଏହି ବୋଝ ବାଧୁ ଥିବାରୁ ଛୋଟଚାଷୀ ଓ ଭାଗଚାଷୀମାନେ ବିହନ ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହୋଇ ଚାଷ ଛାଡିବାକୁ ବସିଲେଣି।   ସରକାର ଗତ ବର୍ଷ ଖୋଲା ମାର୍କେଟ‌୍‍ରେ ରିହାତି ବିହନ ଯୋଗାଇ ଦେଇଥିଲେ। ଏବେ ୧୦୨୨ ଟଙ୍କା ସବ‌୍‍ସିଡି ପାଇଁ କୃଷକଙ୍କୁ ସମବାୟ ସମିତିରେ ନାମ ପଞ୍ଜିକରଣ କରିବାକୁ ପଡିବ ଏବଂ ଚାଷୀ ସଂପୂର୍ଣ୍ଣ ୨୫୨୨ ଟଙ୍କା ଲଗାଇ ଧାନ କିଣିବା ପରେ ପାସ‌୍‍ବୁକ‌୍‍ ମାଧ୍ୟମରେ ଏହି ଟଙ୍କା ଆସିବ। ଫଳରେ ନାମମାତ୍ର ଚାଷୀ ଓ ଭାଗଚାଷୀମାନେ ଏହି ରିହାତି ବିହନ ପାଇବାରେ ସମସ୍ୟା ସୃଷ୍ଟିହେବ।   ସେହିପରି ଅଣ ଜଳସେଚିତ ଅଂଚଳରେ ହେକ୍ଟର ପିଛା ୬୮୦୦ ଟଙ୍କା ଓ ଜଳସେଚିତ ଅଂଚଳରେ ୧୪୬୦୦ ଟଙ୍କାର ମରୁନି ସହାୟତା ଦିଆଯିବ ବୋଲି ସରକାର  ଘୋଷଣା କରିଥିଲେ। ହେଲେ ଖରିଫ ସରି ରବି ସରିଲା। ପୁଣି ଖରିଫ ଚାଷ ହେବ, ହେଲେ କଳାହାଣ୍ଡି ପରି ଦରିଦ୍ର ଓ ପଛୁଆ ଜିଲ୍ଲାରେ ଏଯାଏଁ ମଧ୍ୟ ୫୦ ପ୍ରତିଶତ ସହାୟତା ରାଶି ପହଞ୍ଚି ନାହିଁ। ଜିଲ୍ଲାରେ ଘୋଷଣା ହୋଇଥିବା ୧୨ଟି ବ୍ଲକରେ ୯୩ ହଜାର ୮୮୦ ଚାଷୀଙ୍କ ୩୮୪୮୧ ହେକ୍ଟର ଜମି ପାଇଁ ପାଖାପାଖି ୩୦ କୋଟିରୁ ଅଧିକ ଟଙ୍କା ଆସିଛି। ହେଲେ ଚାଷୀମାନଙ୍କୁ ଯେଉଁ ଭଳି ଭାବରେ ସହାୟତା ରାଶି ପ୍ରଦାନ କରାଯାଉଛି ତାହା ଚାଷୀଙ୍କ ପ୍ରତି ଉପହାସ ବୋଲି ଅଭିଯୋଗ ହେଉଛି।   ଭବାନୀପାଟଣା ସଦର ବ୍ଲକ ଗୁଡିଆଳିପଦରର ଜୟରାମ ସାହୁ ୩ ଏକର ଜମିରେ ଚାଷ କରିଥିଲେ। ତହସିଲଦାରଙ୍କ ରିପୋର୍ଟ ଅନୁସାରେ ସଂପୂର୍ଣ୍ଣ ମରୁଡି ମଧ୍ୟ ଘୋଷାଣା ହୋଇଥିଲା। ମାତ୍ର ତାଙ୍କ ପାସ‌୍‍ବୁକ‌୍‍କୁ ଆସିଲା ମାତ୍ର ୭୪୮ ଟଙ୍କା। ସେହିପରି ଯୋରାପଦର ଗାଁର ଜଗ ମାଝୀ ୫ ଏକର ଜମିରେ ଚାଷ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇ ବୀମା ବାବଦକୁ ୨୨୦୦ ଟଙ୍କା ଦେଇଥିଲେ। ହେଲେ ମରୁଡି ଘୋଷଣା ପରେ ବି ସେ ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ପାଇ ନାହାନ୍ତି।   ଏହା କେବଳ ଏହି ଦୁଇ ଚାଷୀଙ୍କର କାହାଣୀ ନୁହେଁ ଏମିତି ହଜାର ହଜାର ଚାଷୀଙ୍କର କାହାଣୀ ରହିଛି। ଚାଷୀ ପାଇଁ ସରକାର କ୍ରନ୍ଦନ କେବଳ ଲୋକ ଦେଖାଣିଆ ଜିଲ୍ଲାର ଅସଂଗଠିତ ଚାଷୀ ତଥା କୃଷକ ସଂଗଠନମାନେ ମଧ୍ୟ ବାସ୍ତବ କଥାକୁ ସରକାରଙ୍କର ପାଖରେ ପହେଞ୍ଚଇବା ପାଇଁ ବିଫଳ ହୋଇଛନ୍ତି। ଏବେ ପ୍ରଶ୍ନ ଉଠେ ଏହିଭଳି ରିହାତି ନୀତି ଓ ମରୁଡି ସହାୟତା ସରକାର କାହା ପାଇଁ କରୁଛନ୍ତି? ଆଉ କେତେ ଚାଷୀ ଆତ୍ମହତ୍ୟା କଲେ ସରକାର ଚାଷୀର ବାସ୍ତବ କଥା ବୁଝିବେ ବୋଲି ଚର୍ଚ୍ଚା ହେଉଛି।

Share :