ସମୁଦ୍ର ଫେରିଲେ ଶିଶୁ କଇଁଛ

ସମୁଦ୍ର ଫେରିଲେ ଶିଶୁ କଇଁଛ

Share :

  କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଭାଗାଠାରେ ଥିବା ଅସ୍ଥାୟୀ କଇଁଛ ପ୍ରଜନନ କେନ୍ଦ୍ରରୁ ୬୫୩ଟି ଅଲିଭ ରିଡ଼ଲେ ଶାବକଙ୍କୁ ବଙ୍ଗୋପସାଗର ଜଳରାଶିରେ ଛାଡ଼ିଦିଆଯାଇଛି। ଗତ ଜାନୁୟାରୀ ମାସ ପ୍ରଥମ ସପ୍ତାହରୁ ଅପ୍ରେଲ ମାସ ମଧ୍ୟରେ ଚନ୍ଦ୍ରଭାଗା ଓ କହଁରପୁର ବେଳାଭୂମିରୁ ଜଙ୍ଗଲ ବିଭାଗ ପକ୍ଷରୁ ୧୭ ହଜାର ୬ ଶହ ୩୭ଟି କଇଁଛ ଅଣ୍ଡା ସଂଗ୍ରହ କରଯାଇ ଚନ୍ଦ୍ରଭାଗା ଓ କହଁରପୁର ସ୍ଥିତ ଅସ୍ଥାୟୀ କଇଁଛ ପ୍ରଜନନ କେନ୍ଦ୍ରରେ ୧୫୧ଟି ବସାରେ (ବାଲିଖାତ) ରଖାଯାଇଥିଲା।   ପ୍ରକୃତିର ନିୟମାନୁଯାୟୀ ୨୭ ଡିଗ୍ରୀ ଉଷ୍ମତା ମଧ୍ୟରେ ପାଗ ସୀମିତ ରହିଲେ ଅଣ୍ଡା ମଧ୍ୟରେ ଅଣ୍ଡିରା କଇଁଛ ଓ ୨୭ ଡିଗ୍ରୀରୁ ଉଷ୍ମତା ଅଧିକ ରହିଲେ ଅଣ୍ଡା ମଧ୍ୟରେ ମାଇ କଇଁଛ ହୋଇଥାନ୍ତି। ୪୫ ଦିନରୁ ୫୦ ଦିନ ମଧ୍ୟରେ ଧୀରେ ଧୀରେ ବିଭିନ୍ନ ବସାରେ ଥିବା ସଂଗୃହୀତ ଅଣ୍ଡାରୁ କଇଁଛ ଶାବକମାନେ ବାହାରକୁ ଆସିବା ଆରମ୍ଭ କରିଥାନ୍ତି। ଅସ୍ଥାୟୀ ହ୍ୟାଚିଏରୀରେ ଥିବା ୧୫୧ଟି ବସା ମଧ୍ୟରୁ ୭୭ଟି ବସାରୁ ୭ ହଜାର ୪୪ଟି କଇଁଛ ଶାବକ ଜନ୍ମ ନେଇଛନ୍ତି।   ବନବିଭାଗ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ଶାବକମାନଙ୍କୁ ପ୍ରଥମେ ପାଣିପୂର୍ଣ୍ଣ ଟ୍ରେରେ ସଂଗ୍ରହ କରାଯିବା ପରେ ବଙ୍ଗୋପସାଗରରେ ଛାଡିଦିଆଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଅବଶିଷ୍ଟ ୭୪ଟି ବସାରେ ଥିବା ଅଣ୍ଡାଗୁଡିକରୁ ଛୁଆ ସୃଷ୍ଟି ହୋଇ ସୂର୍ଯ୍ୟାଲୋକ ଦେଖିବାର ସମ୍ଭାବନା ରହିଛି ବୋଲି କୋଣାର୍କ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ କହିଛନ୍ତି।   ଅଲିଭ ରିଡ଼ଲେ ଶାବକଙ୍କୁ ସମୁଦ୍ରରେ ଛଡ଼ାଯିବା ସମୟରେ ସେମାନଙ୍କୁ ଶିକାର କରିବା ପାଇଁ ଆକାଶରେ ବାଜପକ୍ଷୀ, କୁରୁବଳା, ଚିଲ ଓ କାଉଙ୍କ ସମେତ ବେଳାଭୂମିରେ କୁକୁର ଓ ବିଲୁଆମାନଙ୍କର ଆଗମନ ପରିଲିକ୍ଷିତ ହୋଇଥିଲା।   ଅତ୍ୟନ୍ତ ସୁରକ୍ଷିତ ଭାବେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସମେତ ସ୍ଥାନୀୟ ନୋଳିଆ ମତ୍ସ୍ୟଜୀବୀଙ୍କ ସହଯୋଗରେ ଅଲିଭ ରିଡ଼ଲେ ଶାବକଙ୍କୁ ସମୁଦ୍ରରେ ଛାଡିଥିଲେ।   ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସମୁଦ୍ରର ଉଚ୍ଚ ଜୁଆର ଅଞ୍ଚଳରେ ଟ୍ରଲର ମାଫିଆଙ୍କ ରାଜ ଯୋଗୁଁ  ବଙ୍ଗୋପସାଗର ଗର୍ଭରେ  ଅଲିଭ ରିଡ଼ଲେଙ୍କ ସଂଗମ ଓ ବେଳାଭୂମିକୁ ସମୁହ ଅଣ୍ଡାଦାନ ନିମନ୍ତେ ଆଗମନ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଆଶାନୁରୂପ କଇଁଛ ଅଣ୍ଡା ସଂଗ୍ରହ କରାଯାଇପାରି ନ ଥିଲା।

Share :