୨ ମାସରେ ୭ ଏନ୍‌କାଉଣ୍ଟର

୨ ମାସରେ ୭ ଏନ୍‌କାଉଣ୍ଟର

Share :

ଗଂଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସିରିଆଲ ଏନ‌୍‍କାଉଣ୍ଟର‌୍‍ ଚାଲିଛି। ଜିଲ୍ଲାରୁ ଅପରାଧକୁ ମୂଳପୋଛ ପାଇଁ ଗଂଜାମ ଏସ‌୍‍ପି ଆଶିଷ ସିଂହଙ୍କ ନିଦ୍ଦେର୍ଶରେ ୨ ମାସ ହେଲା ଅପରେସନ କ୍ଲିନ‌୍‍ ଆରମ୍ଭ ହୋଇଛି। ଇତିମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗଂଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ ଅପରାଧରେ ସଂପୃକ୍ତ ମୋଟ ୧୭୦୭ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।   ସେହିଭଳି ଏପ୍ରିଲ‌୍‍ ମାସ ୯ ରୁ ମେ ମାସ ୨୬ ତାରିଖ ସୁଦ୍ଧା ଗଂଜାମ ପୋଲିସ ଜିଲ୍ଲାରେ ୩ ଟି ଏବଂ ବ୍ରହ୍ମପୁର‌୍‍ ପୋଲିସ ଜିଲ୍ଲାରେ ୪ ଟି ଏନ‌୍‍କାଉଣ୍ଟର‌୍‍ ହୋଇଛି। ଏହିଭଳି ୨ ମାସ ଭିତରେ ମୋଟ ୭ ଗୋଟି ଏନ‌୍‍କାଉଣ୍ଟର‌୍‍ ହୋଇଛି। ନୂଆ ଏସ‌୍‍ପିଙ୍କ ଅପରାଧୀ ଗୋଷ୍ଠୀଙ୍କ ମଧ୍ୟରେ ଚଡ଼କ ପଡ଼ିଛି। ଯାହାଫଳରେ ଅନ୍ୟ କିଛି କୁଖ୍ୟାତ ମୋଷ୍ଟ ୱାଣ୍ଟେଡ଼‌୍‍ ଜିଲ୍ଲା ଏବଂ ରାଜ୍ୟ ବାହାରେ ଲୁଚିବା ପାଇଁ ପଳାଇଥିବା ପୋଲିସ ସନ୍ଦେହ କରୁଛି। ଏମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ‌୍‍ପିଙ୍କ ସୂତ୍ରରୁ ସୂଚନା ମିଳିଛି।   ସିଧା ଅଙ୍ଗୁଳିରେ ଘିଅ ନବାହାରିଲେ ପୋଲିସ ଅଙ୍ଗୁଳି ବଙ୍କା କରି ଘିଅ ବାହାର କରିବା ନୀତିକୁ ଆପଣାଇଛି। ଅପରାଧୀମାନେ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଗତ ଏପ୍ରିଲ‌୍‍ ମାସ ୯ ତାରିଖରୁ  ମେ ମାସ ୨୬ ତାରିଖ ମଧ୍ୟରେ ଗଂଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ହୋଇଥିବା ୭ ଟି ଏନ‌୍‍କାଉଣ୍ଟର‌୍‍କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।   ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ‌୍‍ ମାସ ୯ ତାରିଖରେ ଭଂଜନଗରରେ ଅଶୋକ ସ୍ୱାଇଁ, ଏପ୍ରିଲ‌୍‍ ମାସ ୨୧ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣାଘାଟି ଠାରେ ଦଣ୍ଡ ମହାରଣା, ଏପ୍ରିଲ‌୍‍ ମାସ ୨୯ ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ୱର ନିକଟସ୍ଥ ଜଙ୍ଗଲରେ ଜିତୁ ସେଠୀ, ମେ ମାସ ୧୫ ତାରିଖରେ ଭଂଜନଗରରେ କାହ୍ନୁ ସ୍ୱାଇଁ, ମେ ମାସ ୨୧ ତାରିଖରେ ଆସିକାରେ ଚକାନୟନ ନାୟକ ମେ ମାସ ୨୩ ତାରିଖରେ ପୁଣି ଟାମଣାଘାଟି ନିକଟରେ ସୁବାସ ନାୟକ ଏବଂ ମେ ୨୬ ତାରିଖ ରାତିରେ ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀଠାରେ କୁଖ୍ୟାତ ଭିକାରୀ ଦାସ ଏନ‌୍‍କାଉଣ୍ଟର‌୍‍ କରାଯାଇଛି। ଯାହାକୁ ନେଇ ଏନ‌୍‍କାଉଣ୍ଟର‌୍‍ର ଶିକାର ହୋଇଥିବା ୨ ଅପରାଧୀଙ୍କ ପରିବାର ଜାତୀୟ ମାନବାଧିକାର କମିଶନ‌୍‍ଙ୍କ ଦ୍ୱାରସ୍ଥ ହୋଇଥିବା ଏବଂ ଜାତୀୟ ମାନବାଧିକାର କମିଶନ‌୍‍ ମଧ୍ୟ ଏହାକୁ ଭିତ୍ତିକରି ପଦକ୍ଷେପ ନେଉଥିବା ଶୁଣିବାକୁ ମିଳୁଛି।   ତେବେ ଉକ୍ତ ସିରିଆଲ‌୍‍ ଏନ‌୍‍କାଉଣ୍ଟର‌୍‍କୁ ନେଇ ବର୍ତ୍ତମାନ ବିରୋଧୀ ରାଜନେତା ଏବଂ ମାନବାଧିକାର କର୍ମୀମାନେ ପ୍ରତିକ୍ରିୟା ପ୍ରକାଶ କରିବାକୁ ମଧ୍ୟ ଭୟ କରୁଥିବା ଶୁଣିବାକୁ ମିଳୁଛି। ଉକ୍ତ ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ପୋଲିସ ନିକଟରେ କଣ ଅନ୍ୟ କିଛି ଉପାୟ ନଥିଲା କି ବୋଲି ଚାପା ଗୁଂଜରଣ ସୃଷ୍ଟି ହୋଇଛି। ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଉଥିବାରୁ ବହୁ ମାଓବାଦୀ ଆତ୍ମସମର୍ପଣ କରୁଥିବା ନଜିର ରହିଛି। କିନ୍ତୁ ପୋଲିସ ଯେଭଳି ନିୟମିତ ଅପରାଧୀମାନଙ୍କୁ ଏନ‌୍‍କାଉଣ୍ଟର‌୍‍ କରୁଛି, ଏହାକୁ ନେଇ ଅପରାଧୀମାନେ ଭୟରେ ବନ୍ଧୁକ ଧରି ବୁଲୁଥିବା ଏବଂ ଆଉ କିଛି ଅପରାଧି ଆତ୍ମସମର୍ପଣ ପାଇଁ ଚିନ୍ତା କରୁଥିଲେ ମଧ୍ୟ ଏନ‌୍‍କାଉଣ୍ଟର‌୍‍ ଭୟରେ ଫେରିଯାଉଥିବା ଶୁଣିବାକୁ ମିଳୁଛି।

Share :