ଆରଟିଆଇ ବିରୋଧରେ ଷଡ଼ଯନ୍ତ୍ର!

ଆରଟିଆଇ ବିରୋଧରେ ଷଡ଼ଯନ୍ତ୍ର!

Share :

ପ୍ରଦୀପ ପ୍ରଧାନ   ଚଳନ୍ତି ରାଜ୍ୟସଭା ଅଧିବେଶନରେ ରାଜନୈତିକ ଦଳର ଅନେକ ସାଂସଦ ସୂଚନା ଅଧିକାର ଆଇନ ବା ଆରଟିଆଇ ଆଇନର ସଂଶୋଧନ ପାଇଁ ଦାବୀ ଉପସ୍ଥାପନ କରିଥିଲେ। ସେମାନଙ୍କର ଯୁକ୍ତିଥିଲା ସୂଚନା ଅଧିକାର ଆଇନର ବ୍ୟାପକ ଅପବ୍ୟବହାର କରାଯାଉଛି। ବହୁ ଲୋକ ଆଇନକୁ ବ୍ୟବହାର କରି ସରକାରୀ ଅଧିକାରୀମାନଙ୍କୁ ବ୍ଲାକମେଲ କରୁଛନ୍ତି। ବହୁ କ୍ଷେତ୍ରରେ ଆଇନ ଭୟରେ ସରକାରୀ ଅଧିକାରୀମାନେ ଯଥାଶୀଘ୍ର ନିଷ୍ପତ୍ତି ନେବାରେ ବିଳମ୍ୱ କରୁଛନ୍ତି। ତେଣୁ ସୂଚନା ଅଧିକାର ଆଇନର ସଂଶୋଧନ ଜରୁରୀ। କିନ୍ତୁ ସୂଚନା ଅଧିକାର ଆଇନର ସଂଶୋଧନ କିପରି ହେବ ଏବଂ ସଂଶୋଧୀତ ବ୍ୟବସ୍ଥା କ’ଣ ହେବ, ସେ ସଂପର୍କରେ ସେମାନେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇନାହାନ୍ତି।   ସୂଚନା ଅଧିକାର ଆଇନର ବ୍ୟବହାର ସଂପର୍କରେ ହେଉଥିବା ଉପରୋକ୍ତ ଅଭିଯୋଗ ଗୁଡିକ କିଛି ନୂଆ ନୁହେଁ। ଶ୍ରୀ ମନୋମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହିପରି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଆଇନର ବ୍ୟାପକ ଅପବ୍ୟବହାର କରାଯାଉଛି ଏବଂ ବହୁ ଲୋକ ଆଜେ ବାଜେ ଦରଖାସ୍ତ କରୁଛନ୍ତି ଏବଂ ଏହାର କୁପ୍ରଭାବ ଶାସନ ବ୍ୟବସ୍ଥା ଉପରେ ପଡୁଛି। ତାଙ୍କର ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନାଧିକାର କର୍ମୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଦରଖାସ୍ତ କରାଯାଇ ଏଥି ସଂପର୍କୀତ ତଥ୍ୟ ମଗାଯାଇଥିଲା। ଜନସୂଚନା ଅଧିକାରୀ ଏପରି ଅଭିଯୋଗ ସଂପର୍କୀତ କୌଣସି ଦସ୍ତାବିଜ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନଥିବାର ଉତ୍ତର ଦେଇଥିଲେ। ସେହିପରି ଆମ ରାଜ୍ୟରେ ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲାରେ ସୂଚନା ଆଇନ ଉପରେ ଆୟୋଜିତ କର୍ମଶାଳାରେ ତତ୍କାଳୀନ ସୂଚନା କମିଶନର ଜଗଦାନନ୍ଦ ମହାନ୍ତି କହିଥିଲେ ଯେ, ବହୁ ଲୋକ ଆଜେ ବାଜେ ସୂଚନା ମାଗୁଛନ୍ତି ଯାହାର ଅନେକ ଅଭିଯୋଗ ସୂଚନା କମିଶନଙ୍କ ଦୃଷ୍ଟିକୁ ଆସିଛି। ଶ୍ରୀଯୁକ୍ତ ମହାନ୍ତିଙ୍କ ଏହି ବକ୍ତବ୍ୟକୁ ଆଧାର କରି ସୂଚନାଧିକାର କର୍ମୀ ତପନ ପାଢୀ ସୂଚନା କମିଶନଙ୍କ ଦପ୍ତରକୁ ଆଜେ ବାଜେ ସୂଚନା ମଗାଯାଇଥିବା ସଂପର୍କରେ କେତେ ଅଭିଯୋଗ ହୋଇଛି ସେ ସଂପର୍କରେ ତଥ୍ୟ ମାଗିଥିଲେ। ସୂଚନା କମିଶନଙ୍କ ଏପରି କୌଣସି ତଥ୍ୟ ନଥିବାର ଜନସୂଚନା ଅଧିକାରୀଙ୍କୁ ଜଣାଇଥିଲେ। ଶ୍ରୀ ଜଗଦାନନ୍ଦ ମହାନ୍ତି ସର୍ବସାଧାରଣରେ ଏହିଭଳି ମିଥ୍ୟା ତଥ୍ୟ କହି ଲୋକଙ୍କୁ ବିଭ୍ରାନ୍ତି କରୁଥିବାର ଅଭିଯୋଗ ପ୍ରମାଣିତ ହୋଇଥିଲା।   ମନରେ ପ୍ରଶ୍ନ ଉଠେ, କୌଣସି ତଥ୍ୟ ନଥାଇ ସୂଚନା ଆଇନର ଅପବ୍ୟବହାର ହେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସୂଚନା କମିଶନ ଏବଂ ସରକାରୀ ଅଧିକାରୀ ମାନେ ଏପରି ଅଭିଯୋଗ କରୁଛନ୍ତି କାହିଁକି? ୨୦୧୫ ମସିହାରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରୀତା ସଂପର୍କରେ ‘ରାଗ‌୍‍’ ନାମକ ଏକ ଅନୁଷ୍ଠାନ ତରଫରୁ ଜାତୀୟ ସ୍ତରରେ ଏକ ସର୍ଭେ ହୋଇଥିଲା। ବିଭିନ୍ନ ରାଜ୍ୟର ଅନେକ ଜନ କର୍ତ୍ତୃପକ୍ଷଙ୍କ ଦପ୍ତରରୁ ପ୍ରାୟ ୨୦,୦୦୦ ଦରଖାସ୍ତ ସଂଗ୍ରହ କରାଯାଇ ଆବେଦନକାରୀଙ୍କର ଆବେଦିତ ସୂଚନା ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ଉକ୍ତ ଅନୁଧ୍ୟାନରୁ ଜଣାପଡିଥିଲା ଯେ ମାତ୍ର ଏକ ଭାଗରୁ କମ ଲୋକ ଆଜେ ବାଜେ ସୂଚନା ମାଗିଛନ୍ତି ଅର୍ଥାତ ସେମାନଙ୍କର ଦରଖାସ୍ତ ସଂପର୍କରେ କିଛି ବୁଝି ହେଲା ନାହିଁ। କିନ୍ତୁ ପ୍ରାୟ ୮୦ ଭାଗରୁ ଉର୍ଦ୍ଧ୍ବ ଆବେଦନକାରୀ ସେମାନଙ୍କର ଅଭିଯୋଗ ଉପରେ ସରକାରୀ ସ୍ତରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ଜନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ତଥ୍ୟ ମାଗିଥିଲେ। ବହୁ ଲୋକ ନିଜ ସମସ୍ୟାର ସମାଧାନ ପାଇଁ ଆଇନକୁ ବ୍ୟବହାର କରୁଥିବାର ଜଣାପଡିଥିଲା। ପୁଣି ଲୋକମାନେ ଚାହୁଁଥିବା ପ୍ରାୟ ୭୦ ଭାଗ ସୂଚନା ଆଇନ ଅନୁଯାୟୀ ସର୍ବସାଧାରରରେ ପ୍ରକାଶିତ ହେବା କଥା ଅର୍ଥାତ ସରକାରୀ ବିଭାଗଗୁଡିକ େସ୍ୱଚ୍ଛାକୃତ ଭାବେ ଉକ୍ତ ସୂଚନାଗୁଡିକ ଆଇନର ୪ ଅନୁଯାୟୀ େସ୍ୱଚ୍ଛାକୃତ ଭାବେ ପ୍ରକାଶ କରାଯାଉ ନାହିଁ, ସେଥିପାଇଁ ସାଧାରଣ ଲୋକେ ସାମାନ୍ୟ ସୂଚନା ପାଇବା ପାଇଁ ବାରମ୍ୱାର ଦରଖାସ୍ତ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏଠାରେ ଆଇନର ଅପବ୍ୟବହାର ହେଲା କେଉଁଠି?   ପୁଣି ମାନ୍ୟବର ସାଂାସଦମାନେ ଅଭିଯୋଗ କରିଛନ୍ତି ଯେ, ବହୁ ଲୋକ ଆଇନକୁ ବ୍ୟବହାର କରି ସରକାରୀ ଅଧିକାରୀମାନଙ୍କୁ ବ୍ଲାକ‌୍‍ମେଲ‌୍‍ କରୁଛନ୍ତି। ଏହି ଅଭିଯୋଗ ଭ୍ରମାତ୍ମକ ବୋଲି ମନେହୁଏ। ଆଇନ ଅନୁଯାୟୀ ଜଣେ ନାଗରିକର ସୂଚନା ପାଇଁ ଆବେଦନ କରିବାର ଯେପରି ଅଧିକାର ଅଛି, ଜନସୂଚନା ଅଧିକାରୀଙ୍କର ତଥ୍ୟ ଯୋଗାଇଦେବା ବା ଦରଖାସ୍ତଟିକୁ ଖାରଜ କରିଦେବାର ମଧ୍ୟ କ୍ଷମତା ଅଛି। ତେଣୁ ବ୍ଲାକ‌୍‍ମେଲ‌୍‍ର ପ୍ରଶ୍ନ ଉଠିଲା କେଉଁଠି? ବାସ୍ତବ କଥା ହେଉଛି, ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନେ ହିଁ ଏହି ବ୍ଲାକମେଲ ଅଭିଯୋଗର ସୃଷ୍ଟି କର୍ତ୍ତା। ଯେତେବେଳେ କୌଣସି ଆବେଦନକାରୀ ଦୁର୍ନୀତି, ଅନିୟୟମିତତା ଏବଂ ଅର୍ଥ ତୋଷାରପାତ ହୋଇଥିବା କୌଣସି କାର୍ଯ୍ୟର ସୂଚନା ମାଗିଥାଏ ଏବଂ ତଥ୍ୟ ଉନ୍ମୋଚନରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଅସୁବିଧାରେ ପଡିବାର ସମ୍ଭାବନା ଥାଏ, ସେହି କ୍ଷେତ୍ରରେ ଉକ୍ତ ଅଧିକାରୀ ଜଣକ ଆବେଦନକାରୀଙ୍କୁ ଖୋସାମତି କରି ବା ଅର୍ଥର ପ୍ରଲୋଭନ ଦେଖାଇ ପ୍ରଭାବିତ କରିବାକୁ ଚେଷ୍ଟା କରି ଥାଆନ୍ତି। କେତେକ କ୍ଷେତ୍ରରେ ଦେଖାଯାଏ ଆବେଦନକାରୀ ବ୍ଲାକମେଲ କରନ୍ତି ବା ମୂଲଚାଲ କରନ୍ତି। ତେଣୁ ସରକାରୀ ବ୍ୟବସ୍ଥାରେ ଥିବା ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଏବଂ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ଏହି ବ୍ଲାକମେଲିଙ୍ଗ ହୋଇଥାଏ। ଏହି ସଂଖ୍ୟା ବହୁତ ନଗଣ୍ୟ। କିନ୍ତୁ ରାଜନେତା, ସରକାରୀ ଅଧିକାରୀମାନେ ଉକ୍ତ ପ୍ରସଙ୍ଗକୁ ସଚେତନ ଭାବେ ପ୍ରଚାର କରାଇ ଆଇନକୁ ଅକାମୀ କରିଦେବାର ଷଢଯନ୍ତ୍ର କରିଥାନ୍ତି।   ବାସ୍ତବ କଥା ହେଉଛି, ସମଗ୍ର ଦେଶରେ ସୂଚନାଧିକାର କର୍ମୀମାନେ ସୂଚନା ଆଇନକୁ ବ୍ୟବହାର କରି ପ୍ରଶାସନ ବ୍ୟବସ୍ଥାରେ ଚାଲିଥିବା ଦୁର୍ନୀତି, ଜାଲିଆତି, ଅନିୟମିତତା, ବେଆଇନ କାର୍ଯ୍ୟର ଖୁଲାସା କରି ଚାଲିଛନ୍ତି। ସୂଚନା ଆଇନ ବଳରେ ରରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି, ଟୁଜି ସ୍ପେକଟ୍ରମ ଦୁର୍ନୀତି, ଆଦର୍ଶ ହାଉସିଂ ସ୍କାମ ଇତ୍ୟାଦି ଲୋକଲୋଚନକୁ ଆସିପାରିଛି। ଓଡିଶାରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଖଣି ଦୁର୍ନୀତି, ଭୁବନେଶ୍ୱରରେ ଜମି ଜାଲିଆତି, କମ୍ପାନୀମାନେ କୋଟି କୋଟି ଟଙ୍କାର ଜଳକର ବକେୟା ରଖିବା, ମଧ୍ୟାହ୍ନ ଭୋଜନ, ଆଇ.ସି.ଡି.ଏସ‌୍‍ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତିର ମହାଖୁଲାସା ହୋଇପାରିଛି । ଏହିସବୁ ଖୁଲାସା ଯୋଗୁଁ ରାଜନେତା ଏବଂ ସରକାରୀ ଅଧିକାରୀ ମାନେ ସେମାନଙ୍କର କଦର୍ଯ୍ୟ କାରନାମାର ଖୁଲାସା ହୋଇଥିବା ଭୟରେ ହିଁ ସେମାନେ ମନଇଚ୍ଛା ନିଷ୍ପତ୍ତି ନେଇପାରୁ ନାହାନ୍ତି। ସେଥିପାଇଁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ବିଳମ୍ୱ ହେଉଥାଇପାରେ। ଏଥିରେ ସୂଚନା ଆଇନ ବା ସୂଚନାଧିକାର କର୍ମୀ ବା ନାଗରିକମାନଙ୍କର କିଛି ଭୂମିକା ନାହିଁ।   ଅପରପକ୍ଷରେ, ବହୁସଂସ୍ଥା, ବ୍ୟକ୍ତିବିଶେଷ, ବେସରକାରୀ ଅନୁଷ୍ଠାନ ଗୁଡିକ ସୂଚନା ଅଧିକାର ଆଇନର ପରିସରକୁ ଆସିବାରେ ଲାଗିଛନ୍ତି। ଯାହାକି ରାଜନୈତିକ ଦଳ ଏବଂ ଦୁର୍ନୀତିଗ୍ରସ୍ତ ରାଜନେତା ଏବଂ ବିଚାରପତିମାନଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି। ୨୦୧୩ ମସିହାରେ କେନ୍ଦ୍ରୀୟ ସୂଚନା କମିଶନ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡିକ ସୂଚନା ଆଇନର ପରିସରଭୁକ୍ତ କରିବାକୁ ନିଦ୍ଦେର୍ଶ ଦେଇଥିଲେ। ସୂଚନା କମିଶନଙ୍କ ଏପରି ନିଷ୍ପତ୍ତିର ବିରୋଧ କରି ଉକ୍ତ ଦଳଗୁଡିକ ସଂସଦରେ ସୂଚନା ଅଧିକାର ଆଇନର ସଂଶୋଧନ ବିଲ ଆଣି ସେମାନଙ୍କୁ ସୂଚନା ଆଇନର ପରିସରରୁ ବାଦ୍ ଦେବାର ବ୍ୟବସ୍ଥା କରିଥିଲେ। ଏହି ସଂଶୋଧନ ବିଧେୟକ ଲୋକସଭାରେ ଆଗତ ହୋଇପାରିଲା ନାହିଁ। କେନ୍ଦ୍ରୀୟ ସୂଚନା କମିଶନଙ୍କ ନିଦ୍ଦେର୍ଶ ସତ୍ତ୍ୱେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡିକ ସୂଚନା ଅଧିକାରୀ ନିଯୁକ୍ତି କରି ନାହାନ୍ତି କି ଲୋକଙ୍କୁ ସୂଚନା ପ୍ରଦାନ କରନ୍ତୁ। ଗତ କିଛି ଦିନ ତଳେ କେନ୍ଦ୍ରୀୟ ସୂଚନା କମିଶନ ପୁଣି ରାଜନୈତିକ ଦଳଗୁଡିକୁ ନୋଟିସ ଜାରି କରିଛନ୍ତି। ଏହି ମାମଲା ମଧ୍ୟ ସୁପ୍ରିମ କୋର୍ଟରେ ବିଚାରାଧୀନ ଅଛି। ସୂଚନା ଅଧିକାର ଆଇନକୁ ମଧ୍ୟ ବିଚାରପତିମାନେ ଠିକ‌୍‍ ଭାବେ ଗ୍ରହଣ କରିପାରୁ ନାହାନ୍ତି। ସୁପ୍ରିମ କୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ସଂପର୍କରେ ତଥ୍ୟ ପ୍ରକାଶ ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦେଇଥିବା ନିଦ୍ଦେର୍ଶ ଉପରେ ସୁପ୍ରିମ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ସେହିପରି ବିଚାରପତିମାନଙ୍କର ନିଯୁକ୍ତି ପ୍ରକ୍ରିୟା ସଂପର୍କୀତ ତଥ୍ୟର ପ୍ରକାଶ ପାଇଁ କେନ୍ଦ୍ରୀୟ ସୂଚନା କମିଶନ ଦେଇଥିବା ନିଦ୍ଦେର୍ଶକୁ ସୁପ୍ରିମ କୋର୍ଟ ସ୍ଥଗିତ ରଖିଛନ୍ତି।   ତେଣୁ ସୂଚନା ଆଇନକୁ ଖତମ କରିଦେବା ପାଇଁ ରାଜନୈତିକ ଦଳ ଏବଂ ଅମଲାମାନଙ୍କର ସଂଗଠିତ ଚକ୍ରାନ୍ତ ଅବ୍ୟାହତ ରହିଛି। କିଛି ଦିନ ତଳେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ଅନୁଯାୟୀ ଜଣେ ଚା ବାଲା କି ପାନବାଲା ନିଜର ସ୍ଥିତି ଏବଂ ପରିଚୟକୁ ଗୋପନୀୟ ରଖି ଦେଶର ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ବୈଦେଶିକ ବ୍ୟାପାର ଏବଂ କ୍ଷେପଣାସ୍ତ୍ର ନିର୍ମାଣ ସଂପର୍କୀତ ତଥ୍ୟ ସରକାରଙ୍କଠାରୁ ହାସଲ କରିପାରିବ। ଏହା କି ପ୍ରକାର ବ୍ୟବସ୍ଥା ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପଟେଲ‌୍‍ ବୋଧହୁଏ ଜାଣି ନାହାନ୍ତି ଯେ ଉକ୍ତ ତଥ୍ୟଗୁଡିକ ସୂଚନା ଆଇନର ପରିସରରୁ ବାଦ‌୍‍ ଦିଆଯାଇଛି। ସୂଚନା ଆଇନର ଧାରା ୮(୧) ଅନୁଯାୟୀ ଉକ୍ତ ତଥ୍ୟଗୁଡିକ କୌଣସି ବ୍ୟକ୍ତିଙ୍କୁ ଦିଆଯାଇ ପାରିବ ନାହିଁ। ଯଦି ବି ଜଣେ ପାନବାଲା ବା ଚା’ବାଲାକୁ ଉକ୍ତ ତଥ୍ୟ ଆଇନ ଅନୁସାରେ ଦିଆଯାଏ , ତେବେ ଜଣେ ସାଂସଦଙ୍କର କ’ଣ କ୍ଷତି ଘଟିବ? ସେହି ସାଂସଦ ନିର୍ବାଚନ ସମୟରେ ଏହି ବର୍ଗର ଲୋକମାନଙ୍କର ଭୋଟ ଭିକ୍ଷା କରିଥାନ୍ତି ଏବଂ ଏହି ଲୋକମାନଙ୍କର ଭୋଟ ପାଇ କ୍ଷମତାକୁ ଆସି ଥାଆନ୍ତି।   ସର୍ବଶେଷରେ ଏତିକି କୁହାଯାଇପାରେ, ସୂଚନା ଆଇନ ଦେଶର ଜନସାଧାରଣଙ୍କୁ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ କେବଳ ସଚେତନ କରାଇଛି ତାହା ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ରୁଦ୍ଧିମନ୍ତ ଓ ଉତ୍ତରଦାୟୀ କରାଇଛି। ଏହାକୁ ଅକାମୀ କରିବା ଦିଗରେ ଯେଉଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ତାହାକୁ ଦେଶର ନାଗରିକମାନେ ଶକ୍ତ ବିରୋଧ କରିବାର ଆବଶ୍ୟକତା ରହିଛି।   ରାଜ୍ୟ ଆବାହକ, ଓଡିଶା ସୂଚନା ଅଧିକାର ଅଭିଯାନ

Share :