ରାଜ୍ୟସଭା ଯିବେ ଗୀତା ମେହେଟ୍ଟା!

ରାଜ୍ୟସଭା ଯିବେ ଗୀତା ମେହେଟ୍ଟା!

Share :

କେବଳ କ’ଣ କଂଗ୍ରେସରେ ବଂଶବାଦ ରହିଛି? ଭାରତୀୟ ରାଜନୀତିରେ ବଂଶବାଦ ଏକ ପୁରୁଣା ରୋଗ। ଅନେକ ଅଂଚଳରେ ଡିଆଁ ବି।   ଏ ରୋଗ କଂଗ୍ରେସର ଗାନ୍ଧୀ ପରିବାରକୁ ଆକ୍ରାନ୍ତ କଲା ପରେ ଭାରତର ଆହୁରି ଅନେକ ରାଜନୀତିକ ଦଳଙ୍କୁ ସଂକ୍ରମଣ କରିସାରିଛି। ବୋଧହୁଏ କେବଳ କମ୍ୟୁନିଷ୍ଟିଆଙ୍କୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ସବୁ ଦଳରେ ବଂଶବାଦ ଏକ ରାଜନୀତିକ ପନ୍ଥା ହୋଇଗଲାଣି। ଏପରିକି ଭାରତୀୟ ଜନତା ପାର୍ଟିର କେତେକ ରାଜ୍ୟ ଶାଖାରେ ମଧ୍ୟ ଏହି ପରମ୍ପରାର ଦ୍ରୁତ ଉତ୍ତରଣ ଘଟିଚାଲିଛି। ସମାଜବାଦୀ ପାର୍ଟିରେ ମୁଲାୟମ ସିଂହ ଯାଦବଙ୍କ ବଂଶ, ରାଷ୍ଟ୍ରୀୟ ଜନତା ଦଳରେ ଲାଲୁ ଯାଦବଙ୍କ ବଂଶ, ଶିବ ସେନାରେ ବାଲ ଠାକରେଙ୍କ ବଂଶ, ଡିଏମକେରେ କରୁଣାନିଧିଙ୍କ ବଂଶ, ଏନସିପିରେ ଶରଦ ପାୱାରଙ୍କ ବଂଶ, ଅକାଳୀ ଦଳରେ ପ୍ରକାଶ ସିଂହ ବାଦଲଙ୍କ ବଂଶ, ନ୍ୟାସନାଲ କନଫରେନ୍ସରେ ଶେଖ ଅବ୍ଦୁଲ୍ଲାଙ୍କ ବଂଶ, ପିଡିପିରେ ମୁଫତି ମହମ୍ମଦ ସୈଦଙ୍କ ବଂଶ, ବିଜୁ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ବଂଶ...ତାଲିକା ବହୁତ ଲମ୍ବା।   ଅନ୍ୟ ରାଜ୍ୟ କଥା ଛାଡ଼ନ୍ତୁ, ଓଡ଼ିଶାରେ ଏବେ ବଂଶବାଦକୁ ଆଉ ଟିକେ ଆଗକୁ ନେବାକୁ ନବୀନ ନିବାସ ଭିତରେ ଚାଲିଛି ଜୋରଦାର କସରତ। ଶୁଣାଯାଉଛି ଅସୁସ୍ଥ ନବୀନ ତାଙ୍କର ଉତ୍ତରାଧିକାର ଯଷ୍ଟିଟି ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କଙ୍କୁ ହସ୍ତାନ୍ତର କରିବା ପାଇଁ ମନ ସ୍ଥିର କରିଛନ୍ତି। କିନ୍ତୁ ମନର ଏହି କଥାକୁ କାମରେ ପରିଣତ କରିବା ପାଇଁ ବିଚାରବିମର୍ଶ ଆଳରେ ତାଙ୍କର ଦଳୀୟ ଦାଦନମାନଙ୍କ ସହିତ ସଂପୂର୍ଣ୍ଣ ଗୁରୁତ୍ବହୀନ ଆଲୋଚନା ଚଳାଇଛନ୍ତି।   ଏକଥା ସତ ଯେ ଗୀତା ମେହେଟ୍ଟା ହେଉଛନ୍ତି ପାଠଶାଠ ଓ ଶିକ୍ଷାଦୀକ୍ଷାରେ ନବୀନ ପଟ୍ଟନାୟକଙ୍କଠାରୁ ଯଥେଷ୍ଟ ଆଗୁଆ। ତାଙ୍କର ଗୋଟେ ନିଜସ୍ବ ପରିଚୟ ଅଛି। ସେ ବିଜୁ ପଟ୍ଟନାୟକଙ୍କ ପରି କିଞ୍ଚିତ ସାହସୀ। ଜଣେ ଉଚ୍ଚ ମାନର ସାମ୍ବାଦିକା ଓ ଲେଖିକା। ନବୀନଙ୍କ ପରି ସେ ମଧ୍ୟ ନାମକୁ ମାତ୍ର ଓଡ଼ିଆ। ପରିବାର ଭିତରେ ମା’ଙ୍କୁ ଛାଡ଼ିଦେଲ ନବୀନ କାଳେ ଗୀତାଙ୍କୁ ବେଶି ବିଶ୍ବାସ କରନ୍ତି ଓ ତାଙ୍କ କଥା ଶୁଣନ୍ତି। ଏକଥାର ଅବଶ୍ୟ ପ୍ରମାଣ କିଛି ନାହିଁ। ପ୍ରମାଣ କହିଲେ ବିଜୁ ଜନତା ଦଳର ଗୋତି ଶ୍ରମିକମାନଙ୍କ ଦୃଢ଼ୋକ୍ତିଠାରୁ ଆଉ ଅଧିକ କିଛି ମିଳେ ନାହିଁ।   ଏହି ପରି କିଛି ରାଜନୀତିକ କର୍ମଚାରୀଙ୍କ ମହଲରେ ଏବେ ଅନେକ ଉତ୍ସାହ। ପଦଲେହନ କରିବାକୁ ସେମାନଙ୍କୁ ନୂଆ ରାଣୀ ମିଳି ଯାଇଛନ୍ତି!   କଥା ହେଉଛି, ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସୁପ୍ରିମୋ କାଳେ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ରାଜ୍ୟସଭାରେ ରହିଲା ପରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିପାରନ୍ତି। ଶାରୀରିକ ଓ ମାନସିକ ଭାବେ ନବୀନ ଏବେ ସୁସ୍ଥ ନଥିବାରୁ ସେ ଲମ୍ବା ଛୁଟିରେ ଲଣ୍ଡନ କି ନ୍ୟୁୟର୍କ ଯାଇପାରନ୍ତି। ତାଙ୍କର ବିଭିନ୍ନ ପ୍ରକାର ଚିକିତ୍ସାର ଆବଶ୍ୟକତା ରହିଛି।   ଏବେ ବିଜୁ ଜନତା ଦଳର ବଡ଼ ଅଧିକାରୀ ଥିବା ଅନ୍ୟ କେଉଁ ତଥାତଥିତ ନେତାଙ୍କ ଉପରେ ତାଙ୍କର ବିଶ୍ବାସ ନାହିଁ। ଯାହା ହେଲେ ବି ଦଳ ଓ ରାଜ୍ୟଟା ତାଙ୍କର ହସ୍ତମୁଦୀ ମାହାଲ କି ନା? ଅନ୍ୟ କା’ ହାତକୁ କେମିତି ଦେବେ? ପୁତୁରା ଅରୁଣର ବୟସ କମ। ତା’ଙ୍କୁ ମେଣ୍ଢାପଲର ମାଲିକ କଲେ ମେଣ୍ଢାମାନେ ଗୋଠ ଛାଡ଼ି ପଳାଇବାର ସମ୍ଭାବନା ଅଛି। ପଲ ହୁରୁଡ଼ିବା ବି ଅସମ୍ଭବ ନୁହେଁ। ବଡ଼ ଭାଇ ଉତ୍ତରଦାୟିତ୍ବ ନେବାକୁ ରାଜି ନୁହନ୍ତି। ତେଣୁ ଭଉଣୀ ଗୀତାଙ୍କୁ ଦଣ୍ଡ ଧରେଇବା ଚିନ୍ତା। ନହେଲେ ବି ପରିବାରରୁ ଜଣେ ରାଜ୍ୟସଭାକୁ ଗଲେ କ’ଣ ଏମିତି ଆକାଶ ଛିଡ଼ି ଯାଉଛି ଯେ?   ଗୀତାଙ୍କର ଦକ୍ଷତା ଅଛି। ତାଙ୍କର ବିଶ୍ବ ଦୃଷ୍ଟି ନବୀନଙ୍କଠୁଁ ଅଧିକ ପ୍ରଖର ଓ ପ୍ରଶସ୍ତ। ତାଙ୍କୁ ଏବେ ୭୨ ବର୍ଷ ବୟସ। ସେ ଆମେରିକା ଓ ୟୁରୋପର ଅନେକ ଟେଲିଭିଜନ ପାଇଁ ସାମ୍ବାଦିକତା କରିଛନ୍ତି। ଏଯାଏଁ ସେ ନିର୍ମାଣ କରିଛନ୍ତି ୧୭ଟି ପ୍ରାମାଣିକ ଚଳଚିତ୍ର। ଏନବିସି ଟେଲିଭିଜନ ପାଇଁ ସେ ବାଂଲାଦେଶ ଯୁଦ୍ଧ ବିବରଣୀ ପଠାଉଥିଲେ। ଏହି ଯୁଦ୍ଧ ଉପରେ ଡେଟଲାଇନ ବାଂଲାଦେଶ ନାମରେ ସେ ଏକ ଫିଲ୍ମ ନିର୍ମାଣ କରିଛନ୍ତି। ତାହା ବହୁ ପ୍ରଶଂସିତ। ଏହା ଛଡ଼ା କର୍ମାକୋଲା, ରାଜ, ରିଭର ସୂତ୍ର ଓ ସ୍ନେକ୍ ଆଣ୍ଡ ଲ୍ୟାଡର ନାମରେ ତାଙ୍କର ଚାରି ଖଣ୍ଡ ଇଂରାଜୀ ବହି ପ୍ରକାଶ ପାଇଛି। ଏସବୁ ବିଶ୍ବର ୨୧ଟି ଭାଷାରେ ଅନୂଦିତ। ତାଙ୍କ ସ୍ବାମୀ ସୋନି ମେହେଟ୍ଟା ହଉଛନ୍ତି ଆମେରିକାର ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ଆଲଫ୍ରେଡ୍ ନଁଫ୍ କମ୍ପାନୀର ମୁଖ୍ୟ।   ୨୦୧୨ ମେ ୨୯ ପୂର୍ବରୁ ଗୀତା ମଝିରେ ମଝିରେ ଓଡ଼ିଶା ଆସି ବୁଲି ଯାଉଥିଲେ ବି କେବେ ବିଜେଡି ରାଜନୀତିର ମୁଣ୍ଡ ଖେଳାଉ ନଥିଲେ। କିନ୍ତୁ ୨୦୧୨ ମେ ୨୯ ତାରିଖରେ ପ୍ୟାରୀଙ୍କ ବିଫଳ ବିଦ୍ରୋହ ପରେ ଗୀତା ନବୀନଙ୍କର ଅନ୍ୟତମ ଗୁରୁ ବା ଗାଇଡ଼ ଭୂମିକା ତୁଲାଉଛନ୍ତି। ତେବେ ତାଙ୍କୁ ଏଯାଏଁ ଲୋଙ୍କଠାରୁ ଦୂରେଇ ରଖାଯାଇଛି। ସେ କେବେ ଆସନ୍ତି କେବେ ଯାଆନ୍ତି ତାହା ଓଡ଼ିଶାବାସୀ ଜାଣନ୍ତି ନାହିଁ।   କିନ୍ତୁ ନବୀନ ଏଥର ଦିଲ୍ଲୀରୁ ଫେରିଲାବେଳକୁ ଭଉଣୀଙ୍କୁ ସାଙ୍ଗରେ ନେଇ ଫେରିଥିବା କିଛି ପୁରାତନ ବିଜୁ ଅନୁଗତ ସୂଚନା ଦେଇଛନ୍ତି। ନବୀନ ନିବାସରେ ବସି ସେ କାଳେ ଦଳର ରାଜ୍ୟସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତିରେ ନବୀନଙ୍କୁ ସହଯୋଗ କରୁଛନ୍ତି। ଏହି କସରତ ଭିତରେ ତାଙ୍କ ନାଁ ବି ଉଠୁଛି।   ଦେଖାଯାଉ, ବଉଁଶ କେତେ ଦୂର ଲମ୍ବୁଛି? ପଟ୍ଟନାୟକରୁ ମେହେଟ୍ଟା ଫରକ କେତେ? ଦିଲ୍ଲୀରୁ ନ୍ୟୁୟର୍କ ଦୂରତା କେତେ? ଆଜିକାଲି ତ’ ସୁପରସୋନିକ୍ ବିମାନର ଯୁଗ ନା! ଘାଏଁ କି ଉଡ଼ିଯିବ।

Share :