ପାର୍କିଂଜୋନ ନାହିଁ, ଫାଇନ୍ କେମିତି ବୈଧ?

ପାର୍କିଂଜୋନ ନାହିଁ, ଫାଇନ୍ କେମିତି ବୈଧ?

Share :

  ବ୍ରହ୍ମପୁର ସହରରେ ପୁଣି ଆରମ୍ଭ ହେଲା ଗାଡ଼ି ଉଠା ଅଭିଯାନ। ଏଣିକି ବ୍ରହ୍ମପୁର ବୁଲିବ ଗାଡ଼ିଉଠା କ୍ରେନ। ଟ୍ରାଫିକ ନିୟମ ଉଲଂଘନ କଲେ ଗାଡ଼ି ଗୁଡ଼ିକ ଉଠାଇ ଟ୍ରାଫିକ ଥାନା ପରିସରକୁ ନିଆଯିବ। ଫାଇନ ଆଦାୟ ପରେ ଗାଡ଼ି ଛାଡ଼ି ଦିଆଯିବ। ୫୦୦ ଟଙ୍କା ଫାଇନ ଆଦାୟ କରାଯିବ ବୋଲି ଟ୍ରାଫିକ ଡ଼ିଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି। ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ବେ ବ୍ରହ୍ମପୁର ଟ୍ରାଫିକ‌୍‍ ସମସ୍ୟାର ସମାଧାନ ହୋଇପାରି ନାହିଁ। ତେବେ ବର୍ତ୍ତମାନ ପୁଣିଥରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ଏବଂ ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ପ୍ରୟାସ ଆରମ୍ଭ ହୋଇଛି।   ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ପୁଣି ନିୟମକୁ କଡ଼ାକଡ଼ି କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଧଳା ଗାର ବାହାରେ ଗାଡ଼ି ପାର୍କିଂ ନକରିବା, ଟ୍ରାଫିକ ଛକଗୁଡ଼ିକରେ ଜୋବ୍ରା ଲାଇନ ପାର ନକରିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟାବହାର ନକରିବା, ବାଇକରେ ୨ ଜଣରୁ ଅଧିକ ନବସିବା, ମାଲ ବୋଝେଇ ଗାଡ଼ିରେ ଯାତ୍ରୀଙ୍କୁ ନନେବା, ବିନା ଲାଇସେନ୍ସ‌୍‍ରେ ଗାଡ଼ି ନଚଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେହିଭଳି ଗାଡ଼ି ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା ଏବଂ ଅସଲି ଡ଼୍ରାଇଭିଂ ଲାଇସେନ୍ସ‌୍‍ ଓ ଆରସି ବୁକ୍ ସାଙ୍ଗରେ ନେଇ ଗାଡ଼ି ଚଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ବେଆଇନ ଭାବେ ପାର୍କିଂ କରାଗଲେ କ୍ରେନ ମାଧ୍ୟମରେ ଗାଡ଼ି ଗୁଡ଼ିକ ଉଠାଇ ନିଆଯିବ ଏବଂ ଟ୍ରାଫିକ ନିୟମ ନମାନିଲେ ମୋଟରଯାନ ଧାରା ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।   ଟ୍ରାଫିକ ନିୟମରେ ସୁଧାର ଆଣିବା ପାଇଁ ଉକ୍ତ ପଦକ୍ଷେପ ସ୍ୱାଗତଯୋଗ୍ୟ। କିନ୍ତୁ ଏଠାରେ ଉଲ୍ଲେଖଯୋଗ୍ୟଯେ, ପୂର୍ବରୁ ଏସପି ପ୍ରତୀକ ମହାନ୍ତିଙ୍କ ସମୟରେ ମଧ୍ୟ କିଛିଦିନ ପାଇଁ କାର୍ଯ୍ୟକାରୀ ହୋଇଥିଲା ଗାଡ଼ି ଉଠା ଅଭିଯାନ। କିନ୍ତୁ ଦୁଇ ଦିନଆ ଭାଗବତ ଭଳି ପରବର୍ତ୍ତି ସମୟରେ ତାହା ବନ୍ଦ ହୋଇଯାଇଥିଲା। ତେଣୁ ବର୍ତ୍ତମାନ ଏହା କେତେଦିନ କାର୍ଯ୍ୟକାରୀ ହେଉଛି ତାହା ଦେଖିବା କଥା। ଅପରପକ୍ଷରେ ବର୍ତ୍ତମାନ ଆଙ୍କୁଲିରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ଚର୍ଚ୍ଚ ପଡ଼ିଆରେ ମୀନା ବଜାର ଚାଲିଛି। ଯାହାଫଳରେ ସନ୍ଧ୍ୟାରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ୁଛି। ସଠିକ ଟ୍ରାଫିକ ନିୟମ ଏବଂ ପରିଚାଳନା ଅଭାବରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଡ଼ିଆରେ ମୀନାବଜାର ଚାଲିଥିବାରୁ ଲୋକେ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ପଡ଼ିଆ ଭିତରେ ପାର୍କିଂ କଲେ ପାର୍କିଂ ଟିକସ ମନଇଚ୍ଛା ସଂଗ୍ରହ କରାଯାଉଥିବାରୁ ଏବଂ ପାର୍କିଂ ପାଇଁ ସ୍ଥାନ ଅଭାବରୁ ଲୋକେ ବାହାରେ ପାର୍କିଂ କରୁଛନ୍ତି। ରାସ୍ତା ଉପରେ ପାର୍କିଂ ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ହେଉଛି।   କେବଳ ଏଠାରେ ନୁହେଁ, ବିଭିନ୍ନ ସ୍ଥାନରେ ବିଏମସି ପକ୍ଷରୁ ଗାଡ଼ି ପାର୍କିଂ ଟିକସ ମନଇଚ୍ଛା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ଏଠାରେ ଟ୍ରାଫିକ ପୋଲିସର ଭୂମିକା ଦେଖିବାକୁ ମିଳୁନାହିଁ। ସେହିଭଳି ଟ୍ରାଫିକ ନିୟମ କଡ଼ାକଡ଼ି ପାଇଁ କ’ଣ ତିଥିବାର ଦେଖାଯାଉଛିକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଲି ଯଦି ନିୟମ କଡ଼ାକଡ଼ି ହେବ ତେବେ ଆଜି କାହିଁକି ନୁହେଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସନ୍ଧ୍ୟାରେ ପ୍ରତିଦିନ ଟ୍ରାଫିକ ନିୟନ୍ତ୍ରଣ ନାମରେ ଏବଂ ଗାଡ଼ିଯାଞ୍ଚ ବାହାନାରେ ଟଙ୍କା ଆଦାୟ କରାଯାଉଥିବା ବେଳେ ସହରରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ। ପାର୍କିଂ ସ୍ଥାନ ନିର୍ଦ୍ଧାରଣ ନକରି ଟ୍ରାଫିକ ନିୟମକୁ କଡ଼ାକଡ଼ି କଲେ କେତେ ସଫଳତା ମିଳିବ ତାହା ସହଜରେ ଅନୁମେୟ। ପାର୍କିଂ ସ୍ଥାନ ନିରୂପଣ ନକରି ଲୋକଙ୍କ ଗାଡ଼ି ଉଠାଇ ନେଲେ ପ୍ରତିକ୍ରିୟା ପ୍ରକାଶ ପାଇବା ନିଶ୍ଚିତ। ଲୋକେ ଗାଡ଼ି ପାର୍କିଂ କେଉଁଠି କରିବେ ସେ ସଂପର୍କରେ ପ୍ରଥମେ ସୂଚନା ପ୍ରଦାନ କରି ଏହି ସବୁ ନିୟମ ଲାଗୁକଲେ ସୁଫଳ ମିଳିପରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି।   ଏଠାରେ ଉଲ୍ଳେଖଯୋଗ୍ୟଯେ, ବ୍ରହ୍ମପୁର ସହରରେ ପାର୍କିଂ ସ୍ଥାନ ପାଇଁ ବହୁ ସ୍ଥାନ ରହିଥିଲେ ସୁଦ୍ଧା ସେଗୁଡ଼ିକୁ ପାର୍କିଂ ପାଇଁ ବ୍ୟବହାର ନକରି ଅନ୍ୟସ୍ୱାର୍ଥରେ ବ୍ୟବହାର କରାଯାଉଛି। ସେହିଭଳି ୱାନ େୱ ରୋଡ଼୍ ନିୟମ ମନ ମୁତାବକ କାର୍ଯ୍ୟକାରୀ ହେଉଥିବାରୁ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। କିଛି ହୋଟେଲ ଏବଂ ମଲ୍ ପ୍ରତି ଟ୍ରାଫିକ ପୋଲିସ ଅନୁକମ୍ପା ଥିବା ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Share :