ବଗ ବେକରେ ଢିଙ୍କି!

ବଗ ବେକରେ ଢିଙ୍କି!

Share :

ରବି କାନୁନଗୋ   ସ୍ୱାଧୀନ ଭାରତରେ ଇଂଲିଶ ପେନାଲ ଲ’ ପ୍ରବର୍ତ୍ତନ ଓ ତହିଁର କ୍ରିୟା-ପ୍ରତିକ୍ରିୟା ସଂପର୍କରେ ବେଶି ଆଲୋଚନା ହୁଏ ନାହିଁ। କୌଣସି ଦଳର ସରକାର ପାଇଁ ଏହା ‘ପ୍ରେସର୍ ଏରିଆ’ ନୁହେଁ। ମାଓବାଦ ଯୋଗୁ ଦେଶର ଅନ୍ତରୀଣ ସୁରକ୍ଷା ବିପଦଗ୍ରସ୍ତ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ତ୍ରାହି ତ୍ରାହି ହେଉଛନ୍ତି। ଯୁଦ୍ଧ ପରି ଅବସ୍ଥାର ଆତଙ୍କ ରହିଛି ଦେଶର ପ୍ରାୟ ଏକତୃତୀୟାଂଶ ଅଞ୍ଚଳରେ।   ରାଜନୀତିର ଜଣାଶୁଣା କଳଙ୍କ ଅଣ୍ଟିରେ ଧରି, ଆଇନକୁ ମାନ୍ୟ କରି ରାଷ୍ଟ୍ର ମାଓବାଦୀଙ୍କୁ ‘ଦମନ’ କରେ ଓ ସେମାନେ ରାଷ୍ଟ୍ର ବିରୁଦ୍ଧରେ ‘ଯୁଦ୍ଧ’ କରନ୍ତି। ଆରମ୍ଭରୁ ଜନ-ମଙ୍ଗଳ ଦାୟିତ୍ୱ ସଂପାଦନ କରିବାକୁ ବ୍ରତ କରିଥିବା ‘ଗଣତନ୍ତ୍ର’ କେଉଠି ନିଶ୍ଚୟ ବାଟ ହୁଡ଼ିଚି, ନହେଲେ ଏ ଅବସ୍ଥା ହୋଇଥା’ନ୍ତା କାହିଁକି? ଆଜି ମୂଳ ସଜଡ଼ା ହେଉନି, ଡାଳ ତଂଚ୍ଛା ହେଉଛି। ସୁଧାରିବାକୁ କେତେ ଯେ ଆଇନ ତିଆରି ହେଲାଣି, ବହି ନ ଦେଖିଲେ କହି ହେବନି। ଯାହାହେଉ, ଗୋଟିଏ ଉପସଂହାର ସିଓର୍ ଯେ ଯେଉଁ ଜାଗାରେ ମାଓବାଦୀଙ୍କ ତାଣ୍ଡବ ଚାଲେ ସେଠି ସରକାରର ଯୋଜନା ପହଞ୍ଚି ନ ଥାଏ। ଯୋଜନାର ପରିଚାଳନା ତୃଟିଆଡେ଼ ନଜର ନଦେଇ ଦୁର୍ନୀତିକି ଦାୟୀ କରି ବାଟ କାଟି ଆଗକୁ ପଳେଇବା ସହଜ ଲାଗୁଛି। ଦୁର୍ନୀତି ମାଓବାଦୀ କରନ୍ତିନି; କରନ୍ତି ସରକାରୀ ବାବୁ। ଯଦି କିଛି ସୂତ୍ର ମିଳେ, ତାହା ହୁଏ ମାଓବାଦୀ ବିରୁଦ୍ଧରେ ‘ଅପରାଧ’। ସେ ଅଦାଲତ ଦଣ୍ଡ ପାଇବ ବା ପୁଲିସ ଏନକାଉଣ୍ଟରରେ ମରିବ। ବାବୁ ଧରାପଡ଼ିଲେ, ହୁଏ ଟ୍ରାନ୍ସଫର୍।   ସତକୁ ମୁକାବିଲା କରିବା ପାଇଁ ଏବଂ ସତର୍କତା ଅବଲମ୍ୱନପୂର୍ବକ ସମ୍ୱିଧାନ ତିଆରି ବେଳେ ସେକଥା ଚିନ୍ତା କରାଯାଇଥିଲା। ଜନଜାତି ବହୁଳ ଉତ୍ତର-ପୁର୍ବ ରାଜ୍ୟସମୂହକୁ ଛାଡ଼ି, ଏ ତାଲିକାରେ ଆନ୍ଧ୍ର ପ୍ରଦେଶ, ଝାଡଖଣ୍ଡ, ଗୁଜୁରାଟ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଏବଂ ରାଜ୍ୟସ୍ଥାନ - ୯ଟି ରାଜ୍ୟକୁ ରଖା ଯାଇଛି। କିନ୍ତୁ ରୋଡରୋଲର୍ ପରି ଗଣତନ୍ତ୍ର ଚଲେଇବା ପ୍ରୟାସରେ ସେକଥା ଭୁଲିଗଲୁ। ଏଥିଯୋଗୁ ରାଷ୍ଟ୍ର ସଫଳ ବା ବିଫଳ ହୋଇଛି - ପଛକୁ ଫେରି ତାହା କଳିବା ଉପାୟ ନାହିଁ।   ଅନୁଚ୍ଛେଦ-୨୪୪(୧): ୫ମ ସିଡିଉଲ। ସମ୍ୱିଧାନରେ ଏଥିପାଇଁ କ୍ଷେତ୍ର ଘୋଷଣା ହେଲା। ନୂଆ ଭାରତରେ ପୁରୁଣା ଆଇନ ସେ ଅଞ୍ଚଳରେ କିପରି ପାଳନ କରାଯିବ ବା ଯିବ ନାହିଁ - ତହିଁର ଭାଷା ହେଲା - “Law applicable to Scheduled Areas.- (1) Notwithstanding anything in this Constitution, the Governor may by public notification direct that any particular Act of Parliament or of the Legislature  of the State shall not apply to a Scheduled Area or any part thereof in the State or shall apply to a Scheduled Area or any part thereof in the State subject to such exceptions and modifications as he may specify in the notification and any direction given under this …”.     ରାଜ୍ୟପାଳଙ୍କର ଅଖଣ୍ଡ କ୍ଷମତା। ତା ବଳରେ କୌଣସି ଅଞ୍ଚଳରେ ଯେକୌଣସି ଆଇନକୁ ଅପ୍ରଚଳିତ କରିବା ଅଧିକାର ତାଙ୍କର ରହିଛି।   ଓଡ଼ିଶା ଉଦାହରଣରେ ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ (ସଂପୂର୍ଣ୍ଣ), ରାୟଗଡ଼ା, କେନ୍ଦୁଝର, ବୌଦ୍ଧ-କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର ଏବଂ ବାଲେଶ୍ୱର ଜିଲ୍ଲାର କିଛି ଅଂଶ ରହିଛି। ଏ ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ।   ଗୋଟିଏ ପ୍ରଶ୍ନ। ବିବର୍ତ୍ତନ ଦେଇ ଆମ ହାତକୁ ଆସିଥିବା ଇଂଲିଶ ଆଇନ, ‘ଇଣ୍ଡିଆନ ଫରେଷ୍ଟ ଆକ୍ଟ,, ୧୮୭୮’ (ଇଷ୍ଟ‌୍‍-ଇଣ୍ଡିଆ କମ୍ପାନୀ କାଳର) ମହାରାଣୀଙ୍କ ଶାସନ ୧୯୨୭ରେ ନୂଆ ରୂପ ପାଇଲା। ସେତେବେଳର ସରକାର ଆଇନ କରି ତାକୁ ଚଲୋଉ ନଥିଲେ। ତେଣୁ ସେଥିପାଇଁ ଗଭର୍ଣ୍ଣର କି ତାଙ୍କ କ୍ଷମତା, କିଛି ଦରକାର ନଥିଲା। ଭାରତ ପାଇଁ ଏ ଅଜବ ଆଇନ ପାର୍ଲାମେଣ୍ଟ‌୍‍ କଲା ଏବଂ ରାଜ୍ୟପାଳ ନାମକ ଏକ ବ୍ୟୟବହୁଳ ଅନୁଷ୍ଠାନ ଜିମାରେ ତାହା ଛାଡ଼ି ଆଦିବାସୀଙ୍କ ଭିତରୁ ମନ୍ତ୍ରୀ ବିଧାୟକ ସଂଗ୍ରହ କରି ଗଣତନ୍ତ୍ର ଆଗକୁ ଚାଲିଲା।   ଜନଜାତିଙ୍କ ନିଜସ୍ୱ ସାମାଜିକ ଆଇନ ଏତେ ବଳବତ୍ତର ଯେ ଇଂଲିଶ ସରକାର ‘ଏକ୍ସକ୍ଲୁଡେଡୋ ଏରିଆ’ କହି ଅଯଥା ଘର୍ଷଣ ଡରରେ ସେମାନଙ୍କ ଭିତରେ ପେନାଲ-କୋଡ୍ ପୂରେଇବାକୁ ମନ ବଳେଇ ନଥିଲେ।   ମାତ୍ର, ସ୍ୱାଧୀନ ଭାରତ ଯଥେଚ୍ଛା ଆଇନ ତିଆରି କରି ସେଗୁଡ଼ିକୁ ସେସବୁ ଅଞ୍ଚଳରେ ଚଳାଇବାକୁ ଇଚ୍ଛା କଲା। ଜନଜାତିଙ୍କ ଜୀବନ ଯାପନ ଶୈଳୀର ଅନନ୍ୟତା ଅନୁଭବ କରି ସେମାନଙ୍କ ଲାଗି କେଉଁ ଆଇନ ପ୍ରୟୋଗ କରାଯାଇ ପାରିବ କି ନା - ଏପରି ଗମ୍ଭୀର ନିଷ୍ପତ୍ତି ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ କର୍ତ୍ତୃତ୍ୱାଧୀନ ରହିଲା। ବିଧି ରହିଲା, ଏଥିରେ ପାର୍ଲାମେଣ୍ଟ, ବିଧାନସଭା ବା କୋର୍ଟ କଚେରି ହସ୍ତକ୍ଷେପ କରିପାରିବେନି। କିନ୍ତୁ ରାଜ୍ୟପାଳମାନଙ୍କ ଦ୍ୱାରା ଏ କ୍ଷମତା ପ୍ରୟୋଗର ଉଦାହରଣ ପ୍ରାୟ ଦେଖିବାକୁ ମିଳେନାହିଁ। ରାଜ୍ୟପାଳ ନାମକ ଅନୁଷ୍ଠାନକୁ ସେଥିପାଇଁ ପ୍ରସ୍ତୁତ କରାଯାଇ ନାହିଁ ମଧ୍ୟ। ସରକାର ବାହାରେ ସୂକ୍ଷ୍ମାତିସୂକ୍ଷ୍ମ ଜାଣିବା ଉପାୟ ରାଜ୍ୟପାଳଙ୍କର ନଥାଏ। ତେଣୁ ସେମାନେ ଜନଜାତିଙ୍କ ଜୀବନ ଓ ସଂସ୍କୃତି ସୁରକ୍ଷା ସଂପର୍କରେ ରାଷ୍ଟ୍ରପତିଙ୍କୁ ‘ଆନୁଆଲ ଆଡମିନିଷ୍ଟ୍ରେସନ୍ ଅଫ୍ ସିଡିଉଲ ଏରିଆଜ୍’ ରିପୋର୍ଟ ଦେଲେ ଦିଅନ୍ତି, ନହେଲେ ନାହିଁ। ଯାହା ଦିଅନ୍ତି, ସେଗୁଡ଼ିକ ଡେଭଲପ‌୍‍ମେଣ୍ଟ ରିପୋର୍ଟ। ନ ହେଲେ, ଆଉ କେତେ ବ୍ୟକ୍ତି ରାଜ୍ୟପାଳ ପଦରୁ ବିଦା ହେବା ପରେ ବହି ଲେଖି ଦିଅନ୍ତି।

Share :