ଆମେ ଥିଲେ କ’ଣ? ହେଲେଣି କ’ଣ?

ଆମେ ଥିଲେ କ’ଣ? ହେଲେଣି କ’ଣ?

Share :

ଦେବେନ୍ଦ୍ର ପୃଷ୍ଟି   (୨୦୦୪ ଅଗଷ୍ଟ ୧୧ ତାରିଖରେ ଓଡ଼ିଶା ଜନ ସମ୍ମିଳନୀର ଏକ ସଭାରେ ପଠିତ ଏହି ପ୍ରବନ୍ଧ ଏଠାରେ ଅବିକଳ ଭାବେ ପୁନଃ ଉପସ୍ଥାପନ କରିଛି।)   ଜ୍ୟୋତିର୍ବିଜ୍ଞାନୀମାନେ କୁହନ୍ତି, ସୂର୍ଯ୍ୟଙ୍କ ପ୍ରଥମ କିରଣ ପୃଥିବୀର ଯେଉଁ କେତୋଟି ସ୍ଥାନରେ ପ୍ରଥମେ ପଡ଼େ ତହିଁରୁ ଠାଏ ହେଲା ଓଡ଼ିଶାର କୋଣାର୍କ।   କେଇ ବର୍ଷ ତଳେ କଲିକତାରୁ ପ୍ରକାଶିତ ଇଂରାଜୀ ଦୈନିକ ଦ ଟେଲିଗ୍ରାଫର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏକ ବୈଜ୍ଞାନିକ ବିବରଣୀ କହେ ଉତ୍ତର ଓଡ଼ିଶାର ବନାଞ୍ଚଳରେ ହିଁ ସୃଷ୍ଟି ହୋଇଥିଲେ ପୃଥିବୀର ପ୍ରଥମ ମଣିଷ। ବିଘଟନ ପ୍ରକ୍ରିୟାରେ ଅମ୍ଳଯାନର ସୃଷ୍ଟି ନେଇ ପ୍ରମାଣର ପଥର ମଧ୍ୟ ମିଳିଛି ଏଇ କେନ୍ଦୁଝରରୁ। ଏହା ଅନ୍ୟ ଏକ ଗବେଷଣାର କଥା।   ବିଶ୍ବ ବିଖ୍ୟାତ କୃଷି ବୈଜ୍ଞାନିକ ଏମ.ଏସ‌. ସ୍ବାମୀନାଥନ କୁହନ୍ତି, ପୃଥିବୀର ସର୍ବାଧିକ ଲୋକଙ୍କର ପ୍ରଧାନ ଖାଦ୍ୟଶସ୍ୟ ଧାନର ଜନ୍ମକ୍ଷେତ୍ର ହେଲା ଓଡ଼ିଶାର କୋରାପୁୁଟ ଅବବାହିକା। ଏଇଠି ମଧ୍ୟ ହୋଇଛି ଏହାର ଚାଷ, ପୃଥିବୀର ପ୍ରଥମ ଚାଷ।   ସନାତନ ଧର୍ମର ଷଡ଼ ଦର୍ଶନରୁ ଗୋଟିଏ ହେଲା ସାଂଖ୍ୟ। ଏହାର ପ୍ରବକ୍ତା ହେଲେ କପିଳ ମୁନୀ। ସିଏ କାଳେ ଅଧୁନା ଓଡ଼ିଶା ନାମରେ ନାମିତ ଭୂଖଣ୍ଡର ଅଧିବାସୀ ଥିଲେ ବୋଲି ଧର୍ମ ଓ ଦର୍ଶନର ଗବେଷକମାନେ କୁହନ୍ତି।   ଗଣିତରେ ଶୂନ୍ୟର ମହତ୍ବ କଣ ତାହା ସମସ୍ତେ ଜାଣନ୍ତି। ପୃଥିବୀର ଜ୍ଞାନ ଜଗତକୁ ଭାରତର ଅବଦାନ ହେଉଛି ଏହି ଶୂନ୍ୟ। କେତେକ ଏହା ବିଶ୍ବାସ କରନ୍ତି ଯେ ଶୂନ୍ୟଟି ପ୍ରଥମେ କାଳେ ଏଇ ଓଡ଼ିଶା ଭୂଖଣ୍ଡରେ ଆବିଷ୍କୃତ ହୋଇଥିଲା। ସେଇଥିପାଇଁ ବୋଧହୁଏ ଏଠାରେ ଶୂନ୍ୟବାଦର ପ୍ରଚଳନ ଅଧିକ। ଶୂନ୍ୟସଂହିତା ଏ ଦିଗରେ ଏକ ଉଦାହରଣ ହୋଇପାରେ।   ଏଇ ଭୂଖଣ୍ଡର ଲୋକମାନେ ହେଲେ ପୃଥିବୀର ପ୍ରଥମ ଦରିଆପାରି ଜାତି। ୟୁରୋପୀୟମାନଙ୍କର ବହୁ ପୂର୍ବରୁ ସେମାନେ ସମୁଦ୍ର ସେପାରି ବାଣିଜ୍ୟରେ ପ୍ରଭୂତ୍ବ ବିସ୍ତାର କରିଥିଲେ। ଆଜି ବି ଏକଥା କହେ ବାଲି, ବୋର୍ଣ୍ଣିଓ, ଜାଭା, ସୁମାତ୍ରା, ଥାଇଲାଣ୍ଡ, କାମ୍ବୋଡ଼ିଆ ଓ ଶ୍ରୀଲଙ୍କା।   ଏମାନେ ପୁଣି ହେଲେ ପୃଥିବୀର ପ୍ରଥମ ଉପନିବେଶକାର। ୟୁରୋପୀୟମାନଙ୍କର ବହୁ ପୂର୍ବରୁ ଏମାନେ ତତ୍କାଳୀନ ସିଂହଳ, ଶ୍ୟାମ, କାମ୍ବୋଜ ଆଦି ଦରିଆ ପାରି ଭୂଖଣ୍ଡରେ ଉପନିବେଶ ସ୍ଥପାନ କରିଥିଲେ। ଏହାର ଆଭାସ ମିଳେ ଇତିହାସରେ।   ଭାରତ ବର୍ଷରେ ସାମ୍ରାଜ୍ୟ ବିସ୍ତାର କରିବାକୁ ପ୍ରଥମେ ଯେଉଁ କେତେ ଜଣ ବୀର ପୁରୁଷ କଳ୍ପନା କରିଥିଲେ ତହିଁରୁ ଜଣେ ହେଲେ ମହା ମେଘବାହନ ଐର ଖାରବେଳ।   ପୁଣି ଏଇ ଭୂଖଣ୍ଡର ଲୋକମାନେ ହେଲେ ପୃଥିବୀର ପ୍ରଥମ ଧର୍ମଯାଜକ। ସେମାନଙ୍କ ମାଧ୍ୟମରେ ହିଁ ବୌଦ୍ଧ ଧର୍ମ ବିଶ୍ବର ବିଭିନ୍ନ ଦେଶକୁ ପ୍ରସାରିତ ହୋଇଥିଲା। ଏହା ମଧ୍ୟ ଏକ ଐତିହାସିକ ସତ୍ୟ। ଏହା ଥିଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର ଘଟଣା।   ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କର ପ୍ରଥମ ଦୁଇ ଜଣ ଗୃହୀ ଶିଷ୍ୟ ଥିଲେ କଳିଙ୍ଗର ସାଧବ। ସେମାନଙ୍କ ନାମ ହେଲା ତପସୁ ଓ ଭଲ୍ଲିକ। ଏହା ବି ସର୍ବଜନ ସ୍ବୀକୃତ ଏକ ସତ୍ୟ। (ନିଜେ ଗୌତମ ବୁଦ୍ଧ ଏ ଭୂଖଣ୍ଡରେ ଜନ୍ମ ହୋଇଥିଲେ ବୋଲି କେତେକ ଐତିହାସିକ ଗବେଷଣାରୁ ଜଣପାଡ଼ିଲାଣି। ଅବଶ୍ୟ ଏହା ଏବେ ବି ଏକ ବିବାଦର ବିଷୟ।)   ଜୈନ ଧର୍ମର ପ୍ରତିଷ୍ଠାତା ମହାବୀର ଜୀନଙ୍କର ଗୁରୁ ଋଷଭ ନାଥ ମଧ୍ୟ ଏଇ ଭୂଖଣ୍ଡର ଲୋକ ଥିଲେ ବୋଲି ଆଭାସ ମିଳେ।   ସନାତନ ଧର୍ମର ପ୍ରଥମ ସଂସ୍କାରକ ଆଦି ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବା ଚାରି ଧାମରୁ ଶ୍ରେଷ୍ଠ ଧାମଟି ରହିଛି ଏଇ ଭୂଖଣ୍ଡରେ। ତାହା ହେଉଛି ପୁରୀ।   ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କର ପ୍ରଧାନ ପାଞ୍ଚ ଜଣ ଶିଷ୍ୟଙ୍କ ଭିତରେ ଜଣେ ହେଲେ ଓଡ଼ିଆ, ନରେନ୍ଦ୍ର ପ୍ରଧାନ।   ଭାରତରେ ସୁଫି ଆନ୍ଦୋଳନର ବହୁ ପୂର୍ବରୁ ଚୈତନ୍ୟ ପ୍ରମୁଖଙ୍କ ଦ୍ବାରା ଏଇ ଭୂଖଣ୍ଡରେ ହିଁ ଆରମ୍ଭ ହୋଇଥିଲା ଭକ୍ତି ଆନ୍ଦୋଳନ। ସେହିପରି ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ବହୁ ପୂର୍ବରୁ ଏଇ ମାଟିରେ ହିଁ ପୃଥିବୀ ପାଇଁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରିଥିଲେ ଗୌତମ ଓ ତାଙ୍କ ପରେ ସମ୍ରାଟ ଅଶୋକ।   ପୃଥିବୀରେ ଧର୍ମ ନିରପେକ୍ଷତାର ପ୍ରଥମ ପରିକଳ୍ପନା ମଧ୍ୟ ସୃଷ୍ଟି ହୋଇଛି ଏଇଠି, ଆମ ଜଗନ୍ନାଥ ହେଉଛନ୍ତି ତାହାର ବିଦ୍ୟମାନ ପ୍ରତୀକ।   ଏଇ ଭୂଖଣ୍ଡର ଲୋକମାନେ ହିଁ ବିଶ୍ବରେ ଉନ୍ନତ ବାସ୍ତୁ ଓ ନିର୍ମାଣ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ। ତାହାର ସାକ୍ଷୀ ହେଉଛି କୋଣାର୍କ ଓ ଜଗନ୍ନାଥ ମନ୍ଦିର।   ଇତିହାସ କହେ, ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦୀର ଶେଷ ଭାଗ ଓ ଦ୍ବିତୀୟ ସହସ୍ରାବ୍ଦୀର ପ୍ରଥମ ଭାଗରେ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦେଶଗୁଡ଼ିକର ବହୁ ରାଜାଙ୍କର ଲୋଲୁପ ଦୃଷ୍ଟି ଥିଲା ଏହି ଅଂଚଳ ଉପରେ। ସେଇଥିପାଇଁ ଏହା ଉପରେ ଅନେକ ଆକ୍ରମଣ ହୋଇଛି। ଏବଂ ସେଇଥିପାଇଁ ସମ୍ଭବତଃ ଏ ଭୂଖଣ୍ଡର ଅଧିକାଂଶ ରାଜା ଥିଲେ ବିଦେଶୀ- ଯେମିତି ଗଙ୍ଗ, ସୋମ, ଭୌମକର ପ୍ରମୁଖ। ଏଠାରେ ଯଦି ସମୃଦ୍ଧି ନଥିଲା ତେବେ ସେମାନେ କାହିଁକି ଏହାକୁ ଆକ୍ରମଣ କରୁଥିଲେ? କ’ଣ ଏକ ମରୁଭୂମି ସେମାନଙ୍କର ଦରକାର ଥିଲା ନିହାତି?   ଏଠା ଲୋକମାନେ ଉଦଯୋଗୀ ବୀର ଥିଲେ କି ନଥିଲେ ଏବେ ତାହା ବିବାଦୀୟ। ମାତ୍ର ପ୍ରବଳ ପରାକ୍ରମୀ ବ୍ରିଟିଶ ଶାସନ ଏହାକୁ ସର୍ବଶେଷରେ ଅକ୍ତିଆର କରିପାରିଥିଲା। ଅର୍ଥାତ ଏ ଜାତି ସବା ଶେଷରେ ସ୍ବାଧୀନତା ହରାଇଥିଲା।   ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଛି ଏଇ ମାଟିରେ। ମାତୃଭୂମି ପାଇଁ ଆତ୍ମବଳିଦାନରେ ମଧ୍ୟ ଏ ଜାତି ହେଉଛି ଅଗ୍ରଗଣ୍ୟ। ଜୟୀ ରାଜଗୁରୁ ଓ ଲକ୍ଷ୍ମଣ ନାୟକ ହେଉଛନ୍ତି ତାହାର ଐତିହାସିକ ପ୍ରମାଣ।   ସିପାହୀ ବିଦ୍ରୋହର ସୂତ୍ରପାତ ହୋଇଥିଲା ଲକ୍ଷ୍ନୌରେ। କିନ୍ତୁ ତାହାର ଅନ୍ୟତମ ସଂଯୋଜକ ଥିଲେ ଏଇ ଜାତିର ବରେଣ୍ୟ ପୁରୁଷ ଚାଖି ଖୁଣ୍ଟିଆ ଓରଫ ଚନ୍ଦନ ହଜୁରୀ। ବାଲ ଗଙ୍ଗାଧର ତିଲକ ଓ ମହାତ୍ମା ଗାନ୍ଧୀ ଯେଉଁ ଗ୍ରାମ ସ୍ବରାଜର ସ୍ବପ୍ନ ଦେଖିଥିଲେ ତାହାର ବାସ୍ତବ ରୂପରେଖ ଥିଲା ଓଡ଼ିଶାରେ, ସେମାନଙ୍କର ବହୁ ପୂର୍ବରୁ। ଚୀନ ପରିବ୍ରାଜକ ହୁଏନ୍ସାଂ ଓ ବ୍ରିଟିଶ ଐତିହାସିକ ଚାର୍ଲସ ମେଟକାଫେଙ୍କ ବର୍ଣ୍ଣନାରୁ ଏହା ଜଣପାେଡ଼।   କଂଗ୍ରେସର ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲେ ଲାଲ-ବାଲ-ପାଲ। ଏ ପାଲ ହେଲେ ବିପିନ ଚନ୍ଦ୍ର ପାଲ। ସେ ଥିଲେ ଏଇ ମାଟିର ଲୋକ। କଟକର ପାଣି ପବନରେ ସେ ଅନେକ ବର୍ଷ ବିତେଇଥିଲେ। ସ୍ବାଧୀନତା ସଂଗ୍ରାମର ଶେଷ ଭାଗରେ ପ୍ରବଳ ପରାକ୍ରମୀ ବ୍ରିଟିଶ ସରକାରକୁ ଥରେଇ ଦେଇଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ସେ ମଧ୍ୟ ଏଇ ମାଟି, ପାଣି ଓ ପବନରେ ବଢ଼ିଥିଲେ। ବନ୍ଦେ ମାତରମ ହେଉଛି ଭାରତୀୟ ମହାସଂଗ୍ରାମର ଅମୃତ ମନ୍ତ୍ର। ଏହି ଗୀତ ରଚନା କରିଥିଲେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତାଙ୍କର ଆନନ୍ଦ ମଠ ଉପନ୍ୟାସରେ ରହିଛି ଏ ଗୀତ। ବଙ୍କିମଚନ୍ଦ୍ରଙ୍କର ଚାକିରି ଜୀବନ କଟିଥିଲା ଯାଜପୁରରେ। ଯାଜପୁର ମାଟିରେ ହିଁ ବଙ୍କିମଚନ୍ଦ୍ରଙ୍କ ଆନନ୍ଦ ମଠର ମୁଖ୍ୟାଂଶ ରଚିତ ହୋଇଥିଲା।   ଭାରତ ବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ମଧ୍ୟ ଏ ଜାତି ହେଉଛି ଅଗ୍ରଗଣ୍ୟ। ଭାଷାଭିତ୍ତିକ ପ୍ରଦେଶ ଗଠନର ପରିକଳ୍ପନା ପ୍ରଥମେ ଆରମ୍ଭ ହୋଇଛି ଏଇ ଓଡ଼ିଶାରୁ।   ଭାରତ ବର୍ଷରେ ପଂଚାୟତିରାଜ ପରିକଳ୍ପନାକୁ ପ୍ରଥମେ ସାକାର କରିଥିଲା ଓଡ଼ିଶା, ୧୯୬୦ ଦଶକରେ।   ଗଣତାନ୍ତ୍ରିକ ବ୍ୟବସ୍ଥପାନାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଲାଗୁ କରିବାରେ ମଧ୍ୟ ଓଡ଼ିଶା ହେଉଛି ଭାରତବର୍ଷର ପ୍ରଥମ ରାଜ୍ୟ।   ଓଡ଼ିଶା ଏମିତି ଅନେକ କ୍ଷେତ୍ରରେ ପ୍ରଥମ।   ତଥାପି ଏସବୁ ଆଜି ଆଉ ଆମର ପରିଚୟ ନୁହେଁ। ଏବେ ଆମର ଜାତୀୟ ଓ ଅନ୍ତର୍ଜାତୀୟ ପରିଚୟ ହେଉଛି ଦାରିଦ୍ର୍ୟ। ଏହା କ’ଣ ଆମର ସ୍ବାଭିମାନ?   ଏକଥା ସତ ଯେ ମହାତ୍ମା ଗାନ୍ଧୀ ଦାରିଦ୍ର୍ୟକୁ ଓଡ଼ିଶାରେ ହିଁ ଆବିଷ୍କାର କରିଥିଲେ। କିନ୍ତୁ ତା’ ମାନେ କ’ଣ ତାହା ଏଇଠି ସେମିତି ରହିଥିବ? ଯଦି ତାହା, ତେବେ ରାଜା, ଜମିଦାର ଓ ବ୍ରିଟିଶ ଶାସନରୁ ଏ ସ୍ବାଧୀନତାର ସ୍ବାଦ ଅଲଗା ହେଲା କେମିତି? ଏହା କଣ ପାରସ୍ପରିକ ଶୋଷଣ ଓ ଅସହିଷ୍ଣୁତା?   କେବଳ ମାଗିବାରେ କ’ଣ ଆମର ସ୍ବାଭିମାନ?   ଅବହେଳା କିଏ କାହାକୁ କରେ?   ଆମେ ଦୁର୍ବଳମନା ହୋଇଯାଇ ନାହୁଁ କି? ଆମେ ଆମର ପୌରୁଷ ହରେଇ ବସିଛୁ କି?   ଏ ପ୍ରଶ୍ନ ଏଇଥି ପାଇଁ ଯେ ଓଡ଼ିଆ ସ୍ବାଭିମାନ ଜାଗିଲେ ହିଁ ଅବହେଳା ଦୂର ହେବ, ଦାରିଦ୍ର୍ୟ ଦୂର ହେବ। ନଚେତ ଆମ ଖଣି, ଆମ ଜଙ୍ଗଲ, ଆମ ସମୁଦ୍ର ଓ ଆମ ସଂସ୍କୃତିକୁ ଅନ୍ୟମାନେ ସେହିପରି ଅପହରଣ କରିଚାଲିଥିବେ ଓ ଆମେ ଭଜି ହେଉଥିବା, ଆମେ ଦରିଦ୍ର, ଆମେ ଦରିଦ୍ର। ଆମର ସବୁ ଅଛି-ଜଳ, ଜଙ୍ଗଲ, ଜମି, ଖଣିଜ ସଂପଦ। ତଥାପିି ଆମେ ତାହା ବ୍ୟବହାର କରିପାରୁ ନାହିଁ। ଖଣି, ଜଙ୍ଗଲ ଓ ସମୁଦ୍ର ଉପରେ ମାଲିକ ହେଉଛନ୍ତି କେନ୍ଦ୍ର ସରକାର। ପାଣିକୁ ମଧ୍ୟ ନେଇଯିବା ପାଇଁ ଯୋଜନା ହେଉଛି। ଏହାକୁ ରୋକିବା କେମିତି? ଏହିସବୁ କ୍ଷେତ୍ରରେ ଗତ ଅର୍ଦ୍ଧଶତାବ୍ଦୀ ଧରି ଆମେ ଅନେକ କିଛି ହରେଇଛୁ। ତାହା କେମିତି ଫେରିପାଇବା? ଓଡ଼ିଆ କଙ୍କଡ଼ାର ଅପବାଦ ଆମର ସାମୂହିକ ପ୍ରଗତିରେ ପ୍ରତିବନ୍ଧକ। ପରସ୍ପରକୁ କାଦୁଅ ଫୋଫାଡ଼ିଲେ ସମସ୍ତଙ୍କ ପୋଷାକ ମଇଳା ହେବା ନିଶ୍ଚିତ। ତାହାକୁ କେମିତି ଦୂର କରିବା? ଆଜିର ଆଲୋଚନାରୁ ଆମକୁ ଏହିସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରୁ।   ଆବାହକ, ଓଡ଼ିଶା ଜନ ସମ୍ମିଳନୀ (୧୧.୮.୨୦୦୪)

Share :