ବନ ବିଭାଗରେ ବିକ୍ରି ହେଉଛି ନିଯୁକ୍ତି ପତ୍ର!

ବନ ବିଭାଗରେ ବିକ୍ରି ହେଉଛି ନିଯୁକ୍ତି ପତ୍ର!

Share :

    ସ୍ନେହଲତା ମିଶ୍ର   କଳାହାଣ୍ଡି ଜିଲ୍ଲା ବନ ବିଭାଗର ୱାର୍କିଂ ପ୍ଲାନ କାର୍ଯ୍ୟାଳୟର ଜୁନିୟର ଷ୍ଟେନୋ ଅକ୍ଷୟ ରଥ ଓ ଦଲାଲ ବିଜୟ ସେନାପତିଙ୍କ ଜରିଆରେ ୧୨ ଜଣ ଆଶାୟୀ ଯୁବକଙ୍କୁ ପାରା ଫୋର୍ସ ପଦବୀରେ ଜାଲ ନିଯୁକ୍ତି ଦେଇ ୨୨ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗ ହୋଇଛି। ଆଶାୟୀମାନଙ୍କ ଘରୁ ଟଙ୍କା ଆଣିବା ପାଇଁ ଅଫିସ ଗାଡି ବ୍ୟବହାର ହେବା ସହ ଆଶାୟୀଙ୍କୁ ୟୁନିଫର୍ମ ଓ ଜାଲ ବ୍ୟାଙ୍କ ଚେକ ଦିଆଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ଦେଇ ଏବେ ଯୁବକମାନେ କାନମୁଣ୍ଡ ଆଉଁସି ନିରାଶ ହୋଇ ଦଲାଲ ଓ ଷ୍ଟେନୋ ପାଖରେ ଟଙ୍କା ଫେରି ପାଇବା ପାଇଁ ଦ୍ୱାରସ୍ଥ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି।   କଳାହାଣ୍ଡି ଜିଲ୍ଲା ବନ ବିଭାଗର ୱାର୍କିଂ ପ୍ଲାନ କାର୍ଯ୍ୟାଳୟରେ ପାରା ଫୋର୍ସ ପଦବୀ ରେ ନିଯୁକ୍ତି ନିମନ୍ତେ ଭବାନୀପାଟଣା ସହରର ଗୁରୁଦ୍ୱାର ସମ୍ମୁଖରେ ଭଡାରେ ଚାଲିଥିବା ଟାଇମେଟ ଶିକ୍ଷା କେନ୍ଦ୍ରର ମୁଖ୍ୟ ବିଜୟ ସେନାପତି ଏହି ଶିକ୍ଷା ଅନୁଷ୍ଠାନରେ କମ୍ପ୍ୟୁଟର ମୋବାଇଲ ମରାମତି ତାଲିମ ପାଇଁ ଆସୁଥିବା ଛାତ୍ରମାନଙ୍କୁ ଚାକିରୀର ପ୍ରଲୋଭନ ଦେଖାଇଥିଲେ। ଚାକିରୀ ପାଇବା ଲୋଭରେ ଉତ୍କେଲା ନିକଟ ଫଟକାମାଲର ଅଜିତ କୁମାର ବାରିକ ୧ ଲକ୍ଷ ୮୦ ହଜାର ଟଙ୍କା, ମଦନପୁର ରାମପୁର ବ୍ଲକର ଟୁର୍ଚି ନିକଟ ବମକ ଗ୍ରାମର ବିପିନ ବିହାରୀ ସାହୁ ୯୦ ହଜାର ଟଙ୍କା, ଭବାନୀପାଟଣା ବ୍ଲକର କଲମ ନିକଟ ଠେମରା ଗ୍ରାମର ପ୍ରମୋଦ କୁମାର ସାହୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ଜୟପାଟଣା ବ୍ଲକର ରଣମାଲ ଗ୍ରାମର ହୃଦାନନ୍ଦ ନାଏକ ୧ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ସେହିପରି ଭବାନୀପାଟଣା ବ୍ଲକର ଦେପୁର ଗ୍ରାମର ବୃଷଭ ପ୍ରଧାନଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା, ଉତ୍କେଲା ନିକଟ କର୍ଲାପଡା ଗ୍ରାମର ବିଘ୍ନରାଜ ପ୍ରଧାନଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା, କଲମପୁର ବ୍ଲକର ମଣ୍ଡଳ ଗ୍ରାମର ଲବଣୀ ବାଗଙ୍କ ଠାରୁ ୨ ଲକ୍ଷ ଟଙ୍କା, ଭବାନୀପାଟଣା ନିକଟ ରିଷିଗାଁର ଶ୍ରବଣ କୁମାର ମଙ୍ଗରାଜଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା, ଭବାନୀପାଟଣା ସହରର ବଡପଡାର ସତ୍ୟ ନାରାୟଣ ନାଏକଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ମଦନପୁର ରାମପୁର ବ୍ଲକର ଟୁର୍ଚି ଅଞ୍ଚଳର ଅଜପା ମହାନନ୍ଦଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା, ମଳୟ କୁମାର ଭୋଇଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଏହିପରି ସମୁଦାୟ ୨୨ ଲକ୍ଷ ୨୦ ହଜାର ଟଙ୍କା ଚାକିରି ଦେବା ଆଳରେ ଆଦାୟ କରାଯାଇଥିଲା।   ଏହି ଟଙ୍କା ଆଦାୟ କରିବା ଏବଂ ଯୁବକମାନଙ୍କୁ ବିଶ୍ୱାସକୁ ଆଣିବା ପାଇଁ ୱାର୍କିଂ ପ୍ଲାନ କାର୍ଯ୍ୟାଳୟର ଅଫିସ ଗାଡିରେ ଜୁନିୟର ଷ୍ଟେନୋ ଅକ୍ଷୟ କୁମାର ରଥ, ଦଲାଲ ବିଜୟ କୁମାର ସେନାପତି, ଅଫିସ ଡ୍ରାଇଭର ଓ ଜଣେ ପିଅନକୁ ଆସିଷ୍ଟାଣ୍ଟ କନ୍‌ଜରଭେଟର ଅଫ୍ ଫରେଷ୍ଟ ବା ଏସିଏଫ‌୍‍ ବନେଇ ଯୁବକମାନଙ୍କ ଘରକୁ ଯାଇ ତୁରନ୍ତ ଟଙ୍କା ନ ଦେଲେ ଚାକିରୀ ମିଳିବ ନାହିଁ ବୋଲି କହିଥିଲେ। ଚାକିରୀ ଆଶାରେ ଯୁବକମାନେ ଘରୁ କିଏ ଜମି ବନ୍ଧକ କରି କିଏ ସୁଧରେ ଟଙ୍କା ଆଣି, ଆଉ କେହି ଘରର ସୁନା ବିକ୍ରି କରି ଟଙ୍କା ଆଣି ଷ୍ଟେନୋ ଅକ୍ଷୟ ରଥ ସମ୍ମୁଖରେ ବିଜୟ ସେନାପତିକୁ ପ୍ରଦାନ କରିଥିଲେ। ଏହି ଯୁବକମାନଙ୍କୁ ଭୁବନେଶ୍ୱରର ଚିଫ‌୍‍ କଞ୍ଜରଭେଟରଙ୍କ ଚିଠି ନମ୍ୱର ୧୮୭୦୪/୨୩.୯.୨୦୧୪ରେ ଏହି ଯୁବକମାନଙ୍କୁ ନକଲି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି ଠକେଇର କିଙ୍ଗ ପିନ ଷ୍ଟେନୋ ଅକ୍ଷୟ ରଥ ସେମାନଙ୍କୁ ନକଲି ଫରେଷ୍ଟ ପୋଷାକ ଓ ଦରମା ବାବଦକୁ ନକଲି ଚେକ ମଧ୍ୟ ଅଫିସକୁ ଡାକି ଦେଇଥିଲା। ତାଲିମ ଦିଆଯିବ ବୋଲି ଏହି ଆଶାୟୀମାନଙ୍କୁ ନିଜ ଖର୍ଚ୍ଚରେ କେନ୍ଦୁଝର, ଫୁଲବାଣି, ଭଦ୍ରକ, ଜି ଉଦୟଗିରି, ବ୍ରହ୍ମପୁର, ପୁରୀ, କଟକ, ଭୁବନେଶ୍ୱରର ବିଭିନ୍ନ ବନ ବିଭାଗ କାର୍ଯ୍ୟାଳୟକୁ ନିଜେ ଏହି ଷ୍ଟେନୋ ଜଣକ ବୁଲାଇ ଆଣିଥିଲେ।   ଏହାର କିଛି ଦିନ ପରେ ନିଯୁକ୍ତି ପତ୍ର ଓ ଦରମା ଚେକ ନକଲି ବୋଲି ଜଣାପଡିଥିଲା। ଯୁବକମାନେ ବନ ବିଭାଗ କାର୍ଯ୍ୟାଳୟରେ ବୁଝାବୁଝି କରିବା ପରେ ଜୁନିୟର ଷ୍ଟେନୋ ଦଲାଲ ବିଜୟ ସେନାପତି ଜରିଆରେ ସେମାନଙ୍କୁ ଠକେଇ କରିଥିବା ଜଣାପଡିଥିଲା। ବାରମ୍ୱାର ଯୁବକମାନେ ଷ୍ଟେନୋ ଓ ବିଜୟ ସେନାପତି ଦ୍ୱାରସ୍ଥ ହୋଇ ଟଙ୍କା ଫେରସ୍ତ ପାଇଁ କାକୁତି ମିନତୀ ହୋଇଛନ୍ତି। ତଥାପି ଟଙ୍କା ଫେରିବା ନେଇ ସେମାନେ ଏବେ ସନ୍ଦିହାନ। ଷ୍ଟେନୋ ଏହି ଘଟଣା ପ୍ରଘଟ ନ କରିବା ପାଇଁ ଓ ଦୁଇ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବ ବୋଲି ଗତ ସେପ୍ଟେମ୍ୱର ୨୦୧୫ରେ ନୋଟାରୀଙ୍କ ଠାରେ ସତ୍ୟପାଠ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ନ ଦେଇ ସେମାନଙ୍କୁ ଭୂଆଁ ବୁଲାଉଥିବା ନେଇ ଅଭିଯୋଗ କରିଛନ୍ତି।   ଏ ନେଇ ବିଜୟ ସେନାପତିକୁ ପଚାରିବାରୁ ମୋର କୌଣସି ଦୋଷ ନାହିଁ, ଷ୍ଟେନୋ ଜଣକ ମୋର ସାଙ୍ଗ ହୋଇଥିବାରୁ ଛାତ୍ରମାନଙ୍କୁ ଚାକିରୀ ଦେବ ବୋଲି ଟଙ୍କା ନେଇ ଅକ୍ଷୟ ରଥକୁ ଦେଇଛି ଏବଂ ସେ ଟଙ୍କା ଫେରସ୍ତ ଦେବ ବୋଲି କହି ଲୁଚି ବୁଲୁଛି ବୋଲି କହିଥିଲେ। ବନ ବିଭାଗର କାର୍ଯ୍ୟାଳୟରୁ ନକଲି ନିଯୁକ୍ତି ପତ୍ର ଓ ନକଲି ଚିଠି ପ୍ରସ୍ତୁତ କରି ଅଫିସ ଗାଡି ବ୍ୟବହାର କରି ନିରୀହ ବେକାର ଯୁବକଙ୍କୁ ଚାକିରୀ ଦେବା ନାଁରେ ସର୍ବସ୍ୱାନ୍ତ କରିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଏହି ଘଟଣା ଜାଣି ପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗର ବହୁ କର୍ମଚାରୀ ମଧ୍ୟ ଏହି ନକଲି ନିଯୁକ୍ତି ରାକେଟରେ ସଂପୃକ୍ତ ହୋଇ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଆରାମରେ ଏହି କେଳେଙ୍କାରୀର ପସରା ମେଳି ଚାଲିଛନ୍ତି ବେଧଡକ ଭାବେ।   ଏହି ଘଟଣାରେ ସଂପୃକ୍ତ ଥିବା ଦଲାଲ ବିଜୟ ସେନାପତି ନିଜର ଟାଇମେଟ ଶିକ୍ଷାକେନ୍ଦ୍ର ଜରିଆରେ ଦିଲ୍ଲୀ ବୋର୍ଡର ମାଟ୍ରିକ ଓ ଯୁକ୍ତ ଦୁଇ ନକଲି ସାର୍ଟିଫିକେଟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ବହୁ ଛାତ୍ର ସରକାରୀ ଚାକିରୀ ପାଇ ମଧ୍ୟ ନକଲି ସାର୍ଟିଫିକେଟ ଯୋଗେ ଏବେ ଅଡୁଆରେ ପଡିଛନ୍ତି। କଳାହାଣ୍ଡି ଜିଲ୍ଲାରେ ବେକାରୀ ଥିବା ଯୁବକମାନଙ୍କୁ ଆୟୁଧ କରି ଏହି ଭଳି ରାକେଟ ଭବାନୀପାଟଣା ମୁଖ୍ୟାଳୟରେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ ଟେର ନ ପାଇବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

Share :