କଳାହାଣ୍ଡିରେ କମୁନି ଶିଶୁ ମୃତ୍ୟୁହାର

କଳାହାଣ୍ଡିରେ କମୁନି ଶିଶୁ ମୃତ୍ୟୁହାର

Share :

ସ୍ୱାସ୍ଥ୍ୟ ପ୍ରତି ସଚେତନତାର ଅଭାବ ଓ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାର ରାଜ୍ୟ ତଥା ଜାତୀୟ ହାରଠାରୁ ଅଧିକ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ସୁଦୃଢ଼ କରିବା ସମେତ ମାତୃ ମୃତ୍ୟୁହାର, ଶିଶୁ ମୃତୁୟହାର, ପୁଷ୍ଟିହୀନତା ଦୂରିକରଣ ସହ ସମସ୍ତଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗଇ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ। ଏ ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ କଳାହାଣ୍ଡିକୁ ଆସୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ତେବେ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଦିଗରେ କଳାହାଣ୍ଡି ଜିଲ୍ଲାକୁ ବିଶେଷ ସଫଳତା ମିଳି ନାହିଁ।   ୨୦୦୮-୦୯ ବର୍ଷରେ କଳାହାଣ୍ଡି ଜିଲ୍ଲାରେ ୧୯୪୫ ଜଣ ଶିଶୁ ମୃତ୍ୟୁ ହୋଇଥିବା ବେଳେ ୨୦୦୯-୧୦ରେ ୧୨୯୦ ଶିଶୁ, ୨୦୧୦-୧୧ରେ ୧୪୨୮ ଜଣ ଶିଶୁ, ୨୦୧୧-୧୨ରେ ୯୪୨ ଜଣ ଶିଶୁ ଏବଂ ୨୦୧୨-୧୩ରେ ୯୩୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୩ ମାର୍ଚ୍ଚରୁ ମଇ ମାସ ଏଇ ୩ ମାସ ମଧ୍ୟରେ ଜିଲ୍ଲାରେ ୨୦୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସିଡିଏମଓ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଏହି ୨୦୦୮ ଜଣ ଶିଶୁଙ୍କ ମଧ୍ୟରୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ୧୯ଟି ଶିଶୁ, ଜନ୍ମ ହେବାର ୨୪ ଘଣ୍ଟାରୁ ଏକ ସପ୍ତାହ ମଧ୍ୟରେ ୯୪ଟି ଶିଶୁ, ଜନ୍ମ ହେବାର ଏକ ସପ୍ତାହ ଏକ ବର୍ଷ ମଧ୍ୟରେ ୩୧ ଶିଶୁ ଏବଂ ଜନ୍ମର ୧ ବର୍ଷରୁ ୫ ବର୍ଷ ବୟସର ୩୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସରକାରୀ ରେକର୍ଡରେ କୁହାଯାଇଛି।   ତେବେ ଜିଲ୍ଲର  ଏଭଳି ଅନେକ ଦୁର୍ଗମ ଅଞ୍ଚଳ ଥୁ.ରାମପୁର, ଲାଞ୍ଜିଗଡ ବ୍ଲକ ଓ ମ.ରାମପୁର ବ୍ଲକର ଉର୍ଲାଦାନୀରେ  ରହିଛି ଯେଉଁଠି କି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଅଥଚ ଡାକ୍ତର ନାହାନ୍ତି, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଛି ଏଏନଏମ ଦିଦି ଯାଉ ନାହାନ୍ତି କିମ୍ୱା ମାସ ମାସ ଧରି ଅନୁପସ୍ଥିତ ରହୁଛନ୍ତି। ତେଣୁ ଗ୍ରାମାଞ୍ଚଳରେ ଶିଶୁ ଜନ୍ମ ଓ ମୃତ୍ୟୁର ସଠିକ ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ନାହିଁ। ଅଧିକାଂଶ ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ନିମନ୍ତେ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରୁ ନାହିଁ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଆଇସିଡିଏସ ପ୍ରୋଜେକ୍ଟରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପୁଷ୍ଟି ନିମନ୍ତେ ଥିବା ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଛତୁଆ ଶିଶୁ ଖାଦ୍ୟ ବାଟ ବରଣା ହେଉଛି। ତେଣୁ କଳାହାଣ୍ଡି ଜିଲ୍ଲାରେ ଶିଶୁ ମୃତ୍ୟୁହାର ସରକାରୀ ରେକର୍ଡରୁ ଢ଼େର ଅଧିକ ବୋଲି େସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି।   ରାସ୍ତା କଡରେ ଥିବା ଗ୍ରାମ ବ୍ୟତୀତ ଆଭ୍ୟନ୍ତରିଣ ଦୁର୍ଗମ ଅଞ୍ଚଳ ମାନଙ୍କରେ ଏନଆରଏଚଏମ ବର୍ତ୍ତମାନ ଯାଏଁ ପହଞ୍ଚି ପାରିନାହିଁ। ଅପର ପକ୍ଷରେ ଆନୁଷ୍ଠାନିକ ପ୍ରସବ ନିମନ୍ତେ ମଧ୍ୟ ଜିଲ୍ଲାରେ ସେଭଳି ବିଶେଷ ଭିତ୍ତିଭୂମିର ବିକାଶ ହୋଇନାହିଁ। ଭବାନୀପାଟଣାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲ-୩ ପ୍ରସବ ବ୍ୟବସ୍ଥା ରହିଥିବା ବେଳେ ୧୨ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲ -୨ ଓ ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲ-୧ ବ୍ୟବସ୍ଥା ଉପଲବ୍ଧ ଅଛି। ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପଦବୀ ନାହିଁ। ଫଳରେ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରାଯାଇ ପାରୁନାହିଁ କିମ୍ୱା ଆନୁଷ୍ଠାନିକ ପ୍ରସବ ହାର ମଧ୍ୟ ବୃଦ୍ଧି ପାଉନାହିଁ।   କୌଣସି ଅଞ୍ଚଳରେ ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରାନଗଲେ ସେଇ ଅଞ୍ଚଳର ଜନସାଧାରଣଙ୍କର ସାମାଜିକ ବିକାଶ ସାଧିତ ହୋଇପାରିବ ନାହିଁ। ତେଣୁ କଳାହାଣ୍ଡି ଜିଲ୍ଲାର ବିଶେଷ କରି ଆଦିବାସୀ ଅଧ୍ୟୁସିତ ଥୁ.ରାମପୁର ଓ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଏନଏଚଏମ ଯୋଜନାରେ ସ୍ୱତନ୍ତ୍ର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବାର ଆବଶ୍ୟକତା ରହିଥିବା ସ୍ବେଚ୍ଛାସେବୀ ମହଲରୁ ମତ ପ୍ରକାଶ ପାଇଛି।

Share :