କୁଆଡ଼େ ଗଲା କଳାହାଣ୍ଡିକୁ ବିମାନ ସେବା?

କୁଆଡ଼େ ଗଲା କଳାହାଣ୍ଡିକୁ ବିମାନ ସେବା?

Share :

  କଳାହାଣ୍ଡି ଜିଲ୍ଲା ପ୍ରତି ବଢ଼ି ଚାଲିଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବୈମାତୃକ ଅବହେଳା ଓ ପ୍ରତାରଣା। ପୂର୍ବରୁ ଜିଲ୍ଲାକୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାବେଳେ ଏବେ ଏୟାର ଓଡ଼ିଶାର ପ୍ରତାରଣା ଜିଲ୍ଲାବାସୀଙ୍କ କ୍ଷତରେ ଚୂନ ବୋଳିବା ସଦୃଶ ହୋଇଛି। କଳାହାଣ୍ଡି ଜିଲ୍ଲାର ଉତ୍କେଲାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏୟାର ଓଡିଶା ପକ୍ଷରୁ ବିମାନ ସେବା ପାଇଁ ପରୀକ୍ଷଣ ଭାବରେ ଉଡାଣ ଆରମ୍ଭ କରି ମେ ୧ ତାରିଖରୁ ବିମାନ ସେବା ନିୟମିତ କରିବା ନିମନ୍ତେ  ଘୋଷଣା ହୋଇଥିଲା। କିନ୍ତୁ ଏୟାର ଓଡିଶା ଆଜି ପର୍ଯ୍ୟନ୍ତ କଳାହାଣ୍ଡିକୁ ବିମାନ ଚଳାଚଳ ଆରମ୍ଭ କରି ନାହିଁ। ଏହା କଳାହାଣ୍ଡି ପାଇଁ ଉପହାସ ସଦୃଶ ହୋଇଛି ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।   ପୂର୍ବରୁ କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ରେଳ ମରାମତି କାରଖାନା ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ଇତିମଧ୍ୟରେ ସେହି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶର ବିଶାଖପାଟଣାକୁ ସ୍ଥାନାନ୍ତରିତ ହୋଇଯାଇଛି। ସେହିପରି ଜାରିଙ୍ଗ ସ୍ଥିତ ଘରୋଇ ସର୍ଦାର ରାଜା ମେଡିକାଲ କଲେଜକୁ ସରକାର ହାତକୁ ନେବାକୁ ରାଜ୍ୟ ସରକାର କେତେ ଥର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାରୀ ଅବହେଳା ଓ ଦୁର୍ନୀତି କାରଣରୁ ଏହା ଏବେ ସଂପୂର୍ଣ୍ଣ ବନ୍ଦ। ଏହା ଆଉ ଖୋଲିବ କି ନଖୋଲିବ ସେଥିନେଇ ସନ୍ଦେହ ରହିଛି। ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଜିଲ୍ଲାବାସୀ ବହୁ ଦିନ ଧରି ଦାବି କରି ଆସୁଛନ୍ତି। କିନ୍ତୁ ଏହି ଦାବି ପ୍ରତି ରାଜ୍ୟ ସରକାର ଏଯାଏଁ କର୍ଣ୍ଣପାତ କରି ନାହାନ୍ତି।   ଏବେ ଏୟାର ଓଡିଶା ଉତ୍କେଲାଠାରୁ ଭୁବନେଶ୍ୱର ବିମାନ ସେବା ନେଇ ଜିଲ୍ଲାବାସୀଙ୍କୁ ହାରକିନ ଲାଇଟ ଦେଖାଇଛି। ଗତ ଏପ୍ରିଲ ୨୩ ତାରିଖ ଅପରାହ୍ନ ୨ଟା ସମୟରେ ଏୟାର ଓଡିଶା ତରଫରୁ ଏକ ବିମାନ କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଏୟାର ଷ୍ଟ୍ରିପରେ ଅବତରଣ କରିଥିଲା। ଶାସକ ଦଳ ବିଧାୟକ ଓ ନେତାମାନେ ଦଳର ପ୍ରଚାର ପାଇଁ ଏହାକୁ କଳାହାଣ୍ଡି ସହିତ ବିମାନ ସେବା ଯୋଡିବା କାର୍ଯ୍ୟକ୍ରମ ଭାବେ ପ୍ରଚାରିତ କରିଥିଲେ। ବିଧାୟକମାନେ ବଡ ବଡ ହୋର୍ଡ଼ିଂରେ କଳାହାଣ୍ଡି  ସହିତ ବିମାନ ସେବା ରାଜ୍ୟ ସରକାରଙ୍କର ବଡ ଉପଲବ୍ଧି ବୋଲି ପ୍ରଚାର କରିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହି ବିମାନ ଫଟୋର ଜୋରସୋର ପ୍ରଚାର ହୋଇଥିଲା।   ଏୟାର ଓଡିଶା ପକ୍ଷରୁ ମଧ୍ୟ ମେ ୧ ତାରିଖରୁ ରବିବାର ବ୍ୟତିତ ଏହା ପ୍ରତିଦିନ ଅପରାହ୍ନ ୨ଟା ରେ ପହଞ୍ଚି ୨ଟା ୫୦ ମିନିଟରେ ଉଡାଣ କରି ଭୁବନେଶ୍ୱରରେ ୩ଟା ୧୫ରେ ପହଞ୍ଚିବ ବୋଲି ସୂଚନା ଦିଆଯାଥିଲା। କିନ୍ତୁ ଏଯାଏଁ ଏହି ବିମାନ ସେବା ଆରମ୍ଭ ହୋଇନାହିଁ। ଏହା ସ୍ଥଗିତ ରହିଛି ବୋଲି ଶୁଣାଯାଉଛି। କେବେ ଉଡ଼ାଣ ଆରମ୍ଭ ହେବ ତାହା ବି କେହି ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି। କେଉଁ କାରଣ ନେଇ ନିୟମିତ ବିମାନ ସେବା ରଦ୍ଦ କରାଗଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଭଳି ପଛୁଆ ଜିଲ୍ଲାରେ ବିମାନ ସେବା ଆଶା ଦେଖାଇ ଜିଲ୍ଲାବାସୀଙ୍କୁ ଭକୁଆ ବନାଇବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶାସକ ଦଳର ନେତା ମାନେ ଏ ନେଇ ଏବେ ଅଡୁଆରେ ପଡିଛନ୍ତି।

Share :