ସରକାରଙ୍କୁ ବାଧୁନି ଓମ‌ଫେଡ଼୍ ସରମ

ସରକାରଙ୍କୁ ବାଧୁନି ଓମ‌ଫେଡ଼୍ ସରମ

Share :

ବିମଳ ପ୍ରସାଦ   ଯେଉଁ ରାଜ୍ୟରେ ଲକ୍ଷ ଲକ୍ଷ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି, ସେହି ରାଜ୍ୟରେ ହଜାର ହଜାର ଲିଟର ଗୋଦୁଗ୍ଧ ରାସ୍ତାରେ ଢାଳିବା ଭଳି ଘଟଣା ବାରମ୍ବାର ଘଟିବାରେ ଲାଗିଛି। ୧୨ ମେ ୨୦୧୬, ଗୁରୁବାରର ଘଟଣା ଅନେକ ଦେଶପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ବରଗଡ଼ ସହରର ଗାନ୍ଧୀଛକରେ ଢଳାଯାଇଥିବା କ୍ଷୀରର ଦୃଶ୍ୟ ଅନେକ ଲୋକ ଗଣମାଧ୍ୟମରେ ଦେଖିଥିବେ। ଦୁଗ୍ଧ ଚାଷୀମାନେ ଓମଫେଡ଼କୁ ବିକିବାକୁ ଆଣିଥିବା କ୍ଷୀରକୁ ଖରାପ ମାନର କହି ଓମଫେଡ଼ କର୍ମଚାରୀମାନେ ଫେରାଇ ଦେବାରୁ ଏଭଳି ହୃଦୟବିଦାରକ ଦୃଶ୍ୟ ସୃଷ୍ଟି ହୋଇଥିଲା।   ଦୁଗ୍ଧ ଚାଷୀମାନଙ୍କର ଏହି ଅସନ୍ତୋଷ ଦିନକର ନୁହଁ। ପ୍ରାୟ ୧୫ ବର୍ଷରୁ ଅଧିକ କାଳ ଧରି ଏହି ସମସ୍ୟା ଲାଗି ରହିଛି। ଅଳ୍ପ ଦିନ ପୂର୍ବରୁ କେନ୍ଦ୍ରାପଡ଼ାର ଦୁଗ୍ଧଚାଷୀମାନେ ରାସ୍ତାରେ କ୍ଷୀର ଢାଳି ଦେଇ ସମାନ ପ୍ରକାର ପ୍ରତିବାଦ ଜଣାଇଥିଲେ। ବଡ଼ ସମସ୍ୟା ହେଲା, ଓମଫେଡ଼କୁ ଏକ ବିଶାଳ ସମବାୟ ଶିଳ୍ପରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କର କୌଣସି ସଂକଳ୍ପ ନାହିଁ କି ବଜେଟ ମଧ୍ୟ ନାହିଁ। କିନ୍ତୁ ଦୁଗ୍ଧ ସମବାୟରେ ଆଦିବାସୀ ମହିଳାଙ୍କୁ ସାମିଲ କରିବାକୁ ଅଜବ ଚିନ୍ତା ଢୁକିଥିଲା ଓମଫେଡ଼ ମୁଣ୍ଡିଆଳ ବିଷ୍ଣୁପଦ ସେଠୀଙ୍କ ମୁଣ୍ଡରେ। ତାହାକୁ ପ୍ରତିବାଦ କରି ସେତେବେଳେ ଆମ୍ଭେ ଅନଲାଇନ ସ୍ୱର ଉଠାଇଥିଲୁ ୧୮ ଜୁନ ୨୦୧୫ରେ।   ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ ବଦଳି କଲା ଭଳି ଓମଫେଡ଼ ମୁଣ୍ଡିଆଳଙ୍କୁ ମଧ୍ୟ ବଦଳି କରୁଛି ଓଡ଼ିଶା ପ୍ରଶାସନ। ଫଳରେ କେବେକେବେ ଅପଦାର୍ଥମାନେ ମଧ୍ୟ ସେଇ ପଦବୀ ସବୁରେ ଜୁଟି ଯାଉଛନ୍ତି। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଆଜୀବନ ଦାୟିତ୍ୱରେ ରଖା ଗଲେ ଓମଫେଡ଼ ଆଜି ଅମୁଲକୁ ଟପି ସାରନ୍ତାଣି। ୧୯୮୫ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଜନ୍ମ ନେଇଥିଲା ଏହି ବିଶାଳ ଦୁଗ୍ଧ ସମବାୟ ସମିତି। ଏହାର ପୂରାନାମ ‘ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ଼’ ଏବଂ ଓମଫେଡ଼ ଶବ୍ଦ ଆନୀତ ହୋଇଛି ଏହାର ଇଂଲିଶ ପୂରାନାମରୁ। ଗତ ୩୧ ବର୍ଷ ମଧ୍ୟରେ ଓଡ଼ିଶାର ଘରେ ଘରେ ଓମଫେଡ଼ ହୋଇଯାଇଛି କ୍ଷୀରର ଏକ ପ୍ରତିଶବ୍ଦ। ହେଲେ ଅମୂଲ ଭଳି ଗୁଣ୍ଡକ୍ଷୀର ଆକାରେ ପ୍ୟାକେଟରେ ବଜାରକୁ ଆସିପାରି ନାହିଁ। ଦୂରଦ୍ରଷ୍ଟା ମୁଣ୍ଡିଆଳ ଡ. ହୃଷିକେଶ ପଣ୍ଡାଙ୍କୁ ରାଜ୍ୟ ପ୍ରଶାସନ ଓମଫେଡ଼ରୁ ବିଦା କରିବା ପରଠୁ ଅଧୋଗତି ହେଉଛି ସିନା ଉନ୍ନତିର ନାମଗନ୍ଧ ନାହିଁ।   ଓଡ଼ିଶାର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୋଇପାରିବା ପାଇଁ ଜାନକୀବାବୁ ଗଢ଼ିଥିଲେ ଗାଈ କ୍ଷୀରର ଏହି ବିଶାଳ ସମବାୟ କମ୍ପାନୀ। ଅସଲ କଥା ହେଲା ଶ୍ରୀମନ୍ଦିରରେ ଯେଉଁ ଘିଅ ଲାଗି ହୁଏ, ତାହା କେବଳ ଗୁଆଘିଅ। ଅର୍ଥାତ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ। ଓଡ଼ିଶାର ଏକ ସରକାରୀ ସଂସ୍ଥାର ଉତ୍ପାଦ ଯଦି ବଡ଼ଦେଉଳରେ ନଲାଗିବ, ତେବେ ସେ ସଂସ୍ଥା ଓ ତହିଁର ଉତ୍ପାଦନ କେଉଁ କାମକୁ। ଏହି ନହସରେ ସମ୍ଭବତଃ ଗଢ଼ାଯାଇଛି ବିଶ୍ୱର ଏକମାତ୍ର ଦୁଗ୍ଧ ସମବାୟ, ଯାହା କେବଳ ଗାଈ କ୍ଷୀରକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଛି। କିନ୍ତୁ ଏହି ଗର୍ବ ଆମର ଗୌରବରେ ପରିଣତ ହୋଇପାରୁ ନାହିଁ। କାରଣ ଏହା ଏକ ରପ୍ତାନୀ ଭିତ୍ତିକ ଶିଳ୍ପର ସ୍ଥାନ ନେଇ ପାରି ନାହିଁ।   ଆପଣ ବି ଥରେ ଭାବନ୍ତୁ, ଏ ଦେଶ ପାଇଁ ଏ ରାଜ୍ୟ ପାଇଁ ଅନ୍ତତଃ କିଛି ସମୟ ଦିଅନ୍ତୁ। ସ୍ୱର ମିଳାନ୍ତୁ। ନିଶ୍ଚୟ ଏକ ସ୍ୱାଭିମାନୀ ଓ ସଂସ୍କୃତି ସମ୍ପନ୍ନ ଜାତିରେ ପରିଣତ ହୋଇପାରିବା। ଓମଫେଡ଼କୁ କେବଳ ସ୍ଲୋଗାନରେ ନୁହେଁ, ବାସ୍ତବରେ ଓଡ଼ିଶାର ଗୌରବରେ ପରିଣତ କରିପାରିବା।   ଭୁବନେଶ୍ୱର, କଥା ହୁଅନ୍ତୁ: ୯୪୩୯୮୨୮୧୭୮

Share :