ସୂର୍ଯ୍ୟମନ୍ଦିରରେ ଆଦାୟ ହେବ ବର୍ଦ୍ଧିତ ଫି

ସୂର୍ଯ୍ୟମନ୍ଦିରରେ ଆଦାୟ ହେବ ବର୍ଦ୍ଧିତ ଫି

Share :

  କୋଣାର୍କ ସୂର୍ଯ୍ୟ ମନ୍ଦିର ବ୍ରବେଶ ଶୁଳ୍କ ବୃଦ୍ଧି ନିଷ୍ପତ୍ତି କାଏମ ରହିଛି। ଏଏସଆଇ ପୂର୍ବରୁ ଧାର୍ଯ୍ୟ କରିଥିବା ଶୁଳ୍କ ଆଦାୟ ହେବ। ତେବେ ଶନିବାର ଦିନଟି ସ୍ଥାନୀୟ ଲୋକଙ୍କ ପାଇଁ ଶୁଳ୍କମୁକ୍ତ ରହିବ। କେନ୍ଦ୍ର ସରକାରଙ୍କର ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରି ଆସୁଥିବା କୋଣାର୍କ ସୁରକ୍ଷା ସମିତିର ଏକ ପ୍ରତିନିଧି ମଣ୍ଡଳୀ ମେ ୨୧ ତାରିଖ ଶନିବାର ପୁରୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। କୋଣାର୍କ ସୁରକ୍ଷା ସମିତିର ପ୍ରମୁଖ ଦାବିଗୁଡିକ ମଧ୍ୟରୁ ପ୍ରତି ଶନିବାର ସ୍ଥାନୀୟ ଲୋକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କକୁ ଛାଡ କରିବା ପାଇଁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା ୨୩ତାରିଖରୁ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ବର୍ଦ୍ଧିତ ଶୁଳ୍କ ଆଦାୟକ କରାଯିବା ସହ ପ୍ରତି ଶନିବାର ସ୍ଥାନୀୟ ଲୋକେ ବିନା ଶୁଳ୍କରେ ସୂର୍ଯ୍ୟମନ୍ଦିର ପ୍ରବେଶ କରିପାରିବେ।   କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଗତ ଅପ୍ରେଲ ୨ ତାରିଖରୁ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିରର ବୁଲି ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୨୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତେ ୩୦ ଟଙ୍କା ଶୁଳ୍କ ଆଦାୟ କରା ଯାଇଥିଲା। ଏହି ବର୍ଦ୍ଧିତ ଶୁଳ୍କ ଆଦାୟକୁ ସେ ସମୟରେ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି, ହସ୍ତଶୀଳ୍ପ ବ୍ୟବସାୟୀ ମହାସଂଘ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବିମାନେ ଟିକଟ କାଉଣ୍ଟର ଓ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଉପସ୍ତିତ ରହି ବିରୋଧ କରିଥିଲେ। ଏ ସଂପର୍କରେ ଏକ ପ୍ରତିନିଧି ମଣ୍ଡଳି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ଘଟଣା ସଂପର୍କରେ ଜିଲ୍ଲାପାଳ ଅବଗତ ହେବାପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି  ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରବେଶ ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟାଙ୍କା ଆଦାୟକୁ ଅପରିବର୍ତ୍ତିତ ରଖି ସାମୟିକ ଭାବେ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ଆଦାୟ କରିବା ନିମନ୍ତେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇର ସଂରକ୍ଷଣ ସହାୟକ ନିର୍ମଳ ମହାପାତ୍ରଙ୍କୁ ଗତ ଅପ୍ରେଲ ୫ ତାରିଖରେ ଅବଗତ କରାଇଥିଲେ।   ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଏଏସଆଇ ପକ୍ଷରୁ ଅପ୍ରେଲ ୬ ତାରିଖ ପ୍ରତ୍ୟୁଷରୁ ଟିକଟ କାଉଣ୍ଟରରେ ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କିଆ ଟିକଟ ବିକ୍ରୀ କରାଯାଇଥିଲା। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମାର ସମୟସୀମା ମେ ୫ ତାରିଖରେ ଶେଷ ହେବା ପରେ ଏଏସଆଇ ୬ ତାରିଖରେ ଟିକଟ କାଉଣ୍ଟରରେ ବର୍ଦ୍ଧିତ ଶୁଳ୍କ ୩୦ ଟଙ୍କା ଆଦାୟ କରିବା ପାଇଁ ସଜବାଜ ହେଉଥିବା ବେଳେ କୋଣାର୍କ ସୁରକ୍ଷା ସମିତି, ହସ୍ତଶୀଳ୍ପ ବ୍ୟବସାୟୀ ମହାସଂଘ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଟିକଟ କାଉଣ୍ଟର ସମ୍ମୁଖରେ ଧାରଣାରେ ବସିଥିଲେ। ମେ ୮ ତାରିଖରେ ପୁରୀ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।

Share :