ବୁଦ୍ଧ ଓଡ଼ିଆ ଥିଲେ କି?

ବୁଦ୍ଧ ଓଡ଼ିଆ ଥିଲେ କି?

Share :

ଦେବେନ୍ଦ୍ର ପୃଷ୍ଟି   ଭୁବନେଶ୍ବରର କପିଳ ପ୍ରସାଦ ଗାଁରୁ ୧୯୨୫ ମସିହାରେ ମିଳିଥିଲା ଶୀଳାଲେଖଟିଏ। ୧୯୫୮ ମସିହାରୁ ସେହି ଶୀଳାଲେଖଟି ଉପରେ ଗବେଷଣା କରିଥିଲେ ଐତିହାସିକ ଚକ୍ରଧର ମହପାାତ୍ର। ଶୀଳାଲେଖଟିକୁ ଆଧାର କରି ସେ ପ୍ରମାଣିତ କରିବାକୁ ଚାହିଁଥିଲେ ଯେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ସିଦ୍ଧାର୍ଥ ଗୌତମଙ୍କ ଜନ୍ମସ୍ଥାନ ନେପାଳର ଲୁମ୍ବିନି ନୁହେଁ, ବୁଦ୍ଧ ଓଡ଼ିଶାର କପିଳପ୍ରସାଦରେ ଜନ୍ମ ହୋଇଥିଲେ। କିନ୍ତୁ ସେତେବେଳେ ତାଙ୍କୁ ସମସ୍ତେ ଅବହେଳା କଲେ। ଶେଷରେ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇଥିଲେ ବୋଲି ବହୁ ଯୁକ୍ତି ଦର୍ଶାଇ ସେ ପ୍ରକାଶ କଲେ ଖଣ୍ଡେ ବହି। ବହିଟି ପ୍ରକାଶ ପାଇଥିଲା ୧୯୭୭ ମସିହାରେ। ଏହା ପୂର୍ବରୁ ଅବଶ୍ୟ ଚକ୍ରଧର ମହପାାତ୍ର ଏ ସଂପର୍କରେ ଅନେକ ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରିଥିଲେ। ୧୯୬୮-୬୯ରେ ସେ ନିଜ ଗବେଷଣା ନିବନ୍ଧର ଏକ ସାରମର୍ମ ମଧ୍ୟ ପ୍ରକାଶ କରିଥିଲେ। ସେତେବେଳେ ଓଡ଼ିଶାର ବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଲେଖିଥିଲେ ଯେ ବୁଦ୍ଧଙ୍କ ଜନ୍ମସ୍ଥାନ ନେଇ ଶ୍ରୀ ମହପାାତ୍ର ଯେଉଁ ତଥ୍ୟ ଉପସ୍ଥପାନ କରିଛନ୍ତି ସେଥିରୁ ମୁଁ ନିଶ୍ଚିତ ଯେ ବୁଦ୍ଧ ଭୁବନେଶ୍ବର ନିକଟବର୍ତ୍ତୀ କପିଳେଶ୍ବରରେ ଜନ୍ମଲାଭ କରିଥିଲେ।   କେବଳ ସେ ନୁହନ୍ତି ମହପାାତ୍ରଙ୍କ ଗବେଷଣା ପୁସ୍ତକକୁ ଟିକିନିଖି ଭାବେ ପଢ଼ି ଏହାର ମୁଖବନ୍ଧ ଲେଖିଥିଲେ ଅଷ୍ଟ୍ରେଲିଆର ବିଶ୍ବବିଖ୍ୟାତ ଐତିହାସିକ ଓ ଭାରତତତ୍ତ୍ବବିଦ ପ୍ରଫେସର ଏ.ଏଲ. ଭାସମ। ତାଙ୍କ ଲେଖାର ସାରମର୍ମ ଥିଲା ମହପାାତ୍ରଙ୍କ ତଥ୍ୟକୁ ୟାଡ଼ୁସ୍ୟାଡ଼ୁ କହି ଉଡ଼ାଇଦେଇ ହେବନାହିଁ। ଯେଉଁ ଐତିହାସିକ ତଥ୍ୟ ଓ ପ୍ରମାଣକୁ ଆଧାର କରି ବହୁଦିନ ଧରି ବିଶ୍ବାସ କରାଯାଇ ଆସୁଛି ଯେ ବୁଦ୍ଧଙ୍କ ଜନ୍ମସ୍ଥାନ ହେଉଛି ନେପାଳର ଲୁମ୍ବିନି ଓ ତାଙ୍କର ଶାକ୍ୟ ଜାତିର ପ୍ରଧାନ ନଗରୀ ହେଉଛି କପିଳବାସ୍ତୁ ସେ ସମସ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ଓଡ଼ିଶାରେ ମିଳିଛି। ମହପାାତ୍ରଙ୍କ ତଥ୍ୟ ଓ ପ୍ରମାଣ ସଂପୂର୍ଣ୍ଣ ଭାବେ ବିଶ୍ବାସଯୋଗ୍ୟ ହୋଇ ନପାରେ। ମାତ୍ର ଏହା ଗୁରୁତ୍ବପୂର୍ଣ୍ଣ। ଏହା ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ। ନେପାଳର ରୁମିଣ୍ଡେଇରୁ ମିଳିଥିବା ସ୍ତମ୍ଭର ଆଧାରରେ ବୁଦ୍ଧ ନେପାଳର କପିଳବାସ୍ତୁରେ ଜନ୍ମ ହୋଇଛନ୍ତି ବୋଲି କହିବା ମଧ୍ୟ ସଂପୂର୍ଣ୍ଣ ପ୍ରମାଣସିଦ୍ଧ ନୁହେଁ। ବହୁ ଦିନ ହେଲା ଏପରି ବିଶ୍ବାସ କରାଯାଉଛି। ବହୁ ଦିନ ଧରି ମଧ୍ୟ ବିଶ୍ବାସ କରାଯାଉଥିଲା ଯେ ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରୁଛି। କିନ୍ତୁ ଏହା ଦିନେ ବଦଳି ଗଲା।   ପ୍ରଫେସର ଭାସମ‌ଙ୍କ ମତରେ ସାର୍ ଆଲେକ୍ଜାଣ୍ଡାର କନ୍ନିଙ୍ଗହାମ‌ଙ୍କ ସମୟରୁ ହିଁ ସାରା ପୃଥିବୀ ଜାଣିଛି ଯେ ବୁଦ୍ଧ ନେପାଳର ତରେଇ ଅଂଚଳର ରୁମିଣ୍ଡେଇ ନିକଟବର୍ତ୍ତୀ ଲୁମ୍ବିନିଠାରେ ଜନ୍ମ ଗ୍ରହଣ କରିଥିଲେ। ରୁମିଣ୍ଡେଇରୁ ହିଁ ବୁଦ୍ଧ ଜନ୍ମ ସଂପର୍କୀତ ପ୍ରଥମ ଶୀଳାଲେଖ ଆବିଷ୍କୃତ ହୋଇଥିଲା। କିନ୍ତୁ ଏକଥା ସତ୍ୟ ଯେ ସାର୍ କନ୍ନିଙ୍ଗହାମ୍‌ ତାଙ୍କର ଭାରତର ପ୍ରାଚୀନ ଭୂଗୋଳ ପୁସ୍ତକରେ ରୁମିଣ୍ଡେଇ ସହିତ କପିଳବାସ୍ତୁ କିମ୍ବା ମୁନୀ କପିଳଙ୍କର କୌଣସି ସଂପର୍କ ନଥିବା କଥା ଉଲ୍ଲେଖ କରିଛନ୍ତି। ସେହିପରି ଅନ୍ୟ ଜଣେ ଐତିହାସିକ ଡକ୍ଟର ସ୍ମିଥ୍‌ ମଧ୍ୟ କହିଛନ୍ତି ଯେ ନେପାଳର ଯେଉଁ ଅଂଚଳରୁ ଏପରି ଏକ ଶୀଳାଲେଖ ଆବିଷ୍କୃତ ହୋଇଥିଲା ତାହାର ନାମ କେବେ ବି ରୁମିଣ୍ଡେଇ ନଥିଲା। ତାଙ୍କ ମତରେ ଫୁହରର ନାମକ ଜଣେ ପ୍ରତ୍ନତତ୍ତ୍ବବିଦ ସେ ସ୍ଥାନର ସେହି ନାମକରଣ କରିଥିଲେ।   କଲିକତା ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ପଣ୍ଡିତ ବିନାୟକ ମିଶ୍ର ଆଉ ଏକ ଯୁକ୍ତି କରନ୍ତି। ସେ କୁହନ୍ତି ନେପାଳ ସହିତ ସାଂଖ୍ୟ ଦର୍ଶନର ପ୍ରବକ୍ତା ମୁନୀ କପିଳଙ୍କର କୌଣସି ସଂପର୍କ ନଥିଲା। ସାଂଖ୍ୟ ଦର୍ଶନ ମଧ୍ୟ ନେପାଳରେ ପ୍ରଚଳିତ ନାହିଁ। ଓଡ଼ିଶାର ଭୁବନେଶ୍ବର ନିକଟବର୍ତ୍ତୀ କପିଶ୍ବେର ନିକଟରେ ହିଁ ଶାକ୍ୟ ଜାତିର ଲୋକମାନେ ବସବାସ କରୁଥିଲେ। କପିଳ ହେଉଛନ୍ତି ସେହି ଜାତିର ଜଣେ ମୁନୀ। ସେ ହିଁ ପ୍ରଦାନ କରିଥିଲେ ହିନ୍ଦୁ ଷଡ଼ଦର୍ଶନର ଗୋଟିଏ ଦର୍ଶନ ଯାହା ଆଜି ସାଂଖ୍ୟ ନାମରେ ପରିଚିତ। ଏହି ବଂଶରେ ହିଁ ଜନ୍ମ ହୋଇଥିଲେ ସିଦ୍ଧାର୍ଥ ଗୌତମ ଯିଏ ପରବର୍ତ୍ତୀ ସମୟରେ ପ୍ରବର୍ତ୍ତନ କରିଥିଲେ ବୌଦ୍ଧ ଧର୍ମ। ଏହାର ପ୍ରମାଣ ହେଉଛି ସେଠାରୁ ମିଳିଥିବା ଶୀଳାଲେଖ।   ତେବେ ଏ ଶୀଳାଲେଖ ଏବେ କେଉଁଠି? ଯାହାକୁ ଆଧାର କରି ଐତିହାସିକ ଚକ୍ରଧର ମହପାାତ୍ରଙ୍କଠାରୁ ଆରମ୍ଭ କରି ପ୍ରଫେସର ଭାସମ‌ଙ୍କ ଯାଏଁ ଅନେକ ଗବେଷକ ବୁଦ୍ଧଙ୍କ ଜନ୍ମସ୍ଥାନ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଏବଂ ଓଡ଼ିଶାର ଐତିହ୍ୟକାଙ୍ଗାଳ ଲୋକମାନଙ୍କ ପାଇଁ ଛାଡ଼ି ଯାଇଛନ୍ତି ଏକ ଅପ୍ରତିଷ୍ଠିତ ପ୍ରତିଷ୍ଠା ଯେ ବୁଦ୍ଧ ବି ଓଡ଼ିଆ ଥିଲେ! ଚକ୍ରଧର ମହପାାତ୍ରଙ୍କ ପୁସ୍ତକରେ ଏ ଶୀଳାଲେଖର ପଟୋଚିତ୍ର ଛପାଯାଇଛି। ଏହା କିନ୍ତୁ ଭୁବନେଶ୍ବର ମିଉଜିଅମ‌ରେ ନାହିଁ। ଓଡ଼ିଶାରେ ମଧ୍ୟ କୁତ୍ରାପି ଏପରି ଏକ ଶୀଳାଲେଖ ମିଳେ ନାହିଁ। ଚକ୍ରଧର ମହପାାତ୍ରଙ୍କ ଅନୁସାରେ ଏ ଶୀଳାଲେଖଟି ମିଳିଥିଲା ପୁରୁଣା ଭୁବନେଶ୍ବର (କପିଳେଶ୍ବର)ର ଜଣେ ବଙ୍ଗାଳୀ ଭଦ୍ରବ୍ୟକ୍ତିଙ୍କ ବାଡ଼ିରୁ। ସେ ଓଡ଼ିଶା ଛାଡ଼ି କଲିକତା ପଳାଇଥିଲେ ଓ ଉକ୍ତ ଶୀଳାଲେଖଟିକୁ କଲିକତାର ଆଶୁତୋଷ ମିଉଜିୟମକୁ ଦେଇଦେଇ ଥିଲେ। ଏବେ କିନ୍ତୁ ସେଠାରେ ମଧ୍ୟ ଏହା ମିଳୁ ନାହିଁ।   ଓଡ଼ିଶାରେ ବୁଦ୍ଧ ଜନ୍ମ ହୋଇଛନ୍ତି ବୋଲି ଏକ ସନ୍ଦର୍ଭ ସେତେବେଳେ ଏଇ ଲେଖକ ଦ୍ବାରା ସଂପାଦିତ ସାପ୍ତାହିକ ପତ୍ରିକା ସଂଚାରରେ ପ୍ରକାଶ ପାଇଲା ପରେ ଏହାକୁ ନେଇ ସାରା ଭାରତ ଓ ନେପାଳରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ଏହା ସତ୍ୟ କି ମଥ୍ୟା ଜାଣିବା ପାଇଁ ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ଉଦ୍ୟମ ସ୍ବରୂପ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଶୁତୋଷ ମିଉଜିଅମ‍୍‌କୁ ଏକ ଚିଠି ଲେଖାଯାଇଥିଲା। ସେଠାରୁ ଉତ୍ତର ଆସିଲା ଯେ ଏପରି ଏକ ଶୀଳାଲେଖ ଏଠାରେ ନାହିଁ। ଏହା କଲମ୍ବୋ ମିଉଜିଅମ‌କୁ ପଳାଇଛି। କଲମ୍ବୋକୁ ଚିଠି ଲେଖାଗଲା କି ନାହିଁ ଏବଂ ସେଠାରୁ କ’ଣ ଉତ୍ତର ଆସିଲା ତାହା ଜଣାନାହିଁ। ଏବେ ଶୀଳାଲେଖର ଫଟୋଚିତ୍ର ଅଛି, କିନ୍ତୁ ଶୀଳାଲେଖ ନାହିଁ। ଅର୍ଥାତ ଏବେ ଆଉ କେହି ପ୍ରମାଣିତ କରିପାରିବେ ନାହିଁ ଯେ ବୁଦ୍ଧ ଓଡ଼ିଶାରେ ଜନ୍ମ ହୋଇଥିଲେ। ଏହା ପ୍ରମାଣିତ କରିବାକୁ ହେଲେ ଉକ୍ତ ଶୀଳାଲେଖକୁ ଠାବ କରିବାକୁ ପଡ଼ିବ ଓ ନେପାଳରୁ ମିଳିଥିବା ଶୀଳାଲେଖକୁ ଭୁଲ ସାବିତ କରିବାକୁ ପଡ଼ିବ।   ତେବେ ଓଡ଼ିଶାର ଐତିହାସିକମାନେ ଏବେ ଶୀଳାଲେଖର ତଥ୍ୟ ସହିତ ଆହୁରି ଅନେକ କଥା ଯୋଡ଼ୁଛନ୍ତି। କଥାଗୁଡ଼ିକ ହେଲା ଚନ୍ଦକା, ମହାନଦୀ, କିଶନନଗର ଆଦି ସ୍ଥାନ ଓ ଓଡ଼ିଶାର ବିଭିନ୍ନ ଅଂଚଳରୁ ମିଳୁଥିବା ପ୍ରାଚୀନ ବୌଦ୍ଧ ସଂସ୍କୃତିର ପ୍ରମାଣ। ବୌଦ୍ଧ ସାହିତ୍ୟ ଅନୁସାରେ ସିଦ୍ଧାର୍ଥ ଗୌତମ ନିଜର ସାରଥୀ ଛନ୍ଦକକୁ ନଗର ସୀମାନ୍ତ ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ। ଏହି ଜଙ୍ଗଲ ହୁଏତ ଛନ୍ଦକଙ୍କ ନାମରେ ନାମିତ ହୋଇ ଆଜି ଅପଭ୍ରଷ୍ଟ ଚନ୍ଦକାରେ ପରିଣତ ହୋଇଛି। ଚନ୍ଦକା କପିଳେଶ୍ବର ନିକଟସ୍ଥା ଏକ ଜଙ୍ଗଲ। ବୁଦ୍ଧ ସାହିତ୍ୟ କହେ, ପରମ କାରୁଣିକ ମହାନଈ ପାର ହୋଇ ଉତ୍ତରକୁ ତପସ୍ୟା ନିମନ୍ତେ ପ୍ରସ୍ଥାନ କରିଥିଲେ। ଏହି ମହାନଈ ହୁଏତ ହୋଇପାରେ ଆଜିର ମହାନଦୀ। ସିଦ୍ଧାର୍ଥ ଗୌତମଙ୍କ ଜୀବନର ଅନ୍ୟ ଏକ କ୍ଷେତ୍ର ଥିଲା କୁଶିନାରା। ଏହା କ’ଣ ଆଜିର କିଶନ ନଗର, ଯାହା ପାଖ ଦେଇ ମହାନଦୀ ପ୍ରବାହିତ ହେଉଛି?   କେବଳ ଏତିକି ନୁହେଁ, ବୁଦ୍ଧ ସାହିତ୍ୟ ଅନୁସାରେ ତାଙ୍କର ପ୍ରଥମ ଦୁଇ ଗୃହୀ ଶିଷ୍ୟ ହେଲେ କଳିଙ୍ଗର ବଣିକ ତପସୁ ଓ ଭଲ୍ଲିକ। ସେମାନେ ତପସ୍ୟାକ୍ଳାନ୍ତ ଗୌତମଙ୍କୁ ମଧୁପିଷ୍ଟକ ଅର୍ପଣ କରି ତାଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ। ବୁଦ୍ଧ ଯଦି ନେପାଳୀ ଥିଲେ ଏବଂ ବିହାରର ବୋଧଗୟାରେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ ଏ ଦୁହେଁ ତାଙ୍କୁ ସେଠାରେ ଭେଟିଲେ କିପରି? ସେତେବେଳେ କ’ଣ ରାସ୍ତାଘାଟ ଆଜି ପରି ଥିଲା? ସାହିତ୍ୟ କହେ ଗୌତମ ବୁଦ୍ଧ ହେଲା ପରେ ନିଜ ରାଜ୍ୟକୁ ଫେରିଥିଲେ ଓ ତାଙ୍କ ମାତା, ପିତା, ପତ୍ନୀ ପ୍ରମୁଖ ମଧ୍ୟ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ। ତେବେ ଆଜିର ନେପାଳରେ ବୌଦ୍ଧଧର୍ମାବଲମ୍ବୀ କାହାନ୍ତି? ଯେଉଁ ରାଜ୍ୟର ରାଜଧର୍ମ ଥିଲା ବୌଦ୍ଧ ସେଠାରେ ତାହା ଏତେ ଶୀଘ୍ର ବିଲୁପ୍ତ ହୋଇଯିବ କି? ତା’ ଛଡ଼ା ବୌଦ୍ଧ ଧର୍ମର କୌଣସି ନୀତି, ନିୟମ ଓ ଆଦର୍ଶ ଆଜିର ନେପାଳରେ ପ୍ରଚଳିତ ଥିବା ଜଣାଯାଏ ନାହିଁ। ଅନ୍ୟପକ୍ଷରେ ଏ ଧର୍ମର ସମସ୍ତ ଲକ୍ଷଣ ଓ ଚରିତ୍ର ଆଜିର ଓଡ଼ିଆ ଲୋକମାନଙ୍କ ମଧ୍ୟରେ ସଂଗୁପ୍ତ ଅବସ୍ଥାରେ ଥିବା ପ୍ରତୀୟମାନ ହୁଏ ବୋଲି କୁହନ୍ତି ଐତିହାସିକ ପୁରାତତ୍ତ୍ବବିଦ ଡକ୍ଟର ଚନ୍ଦ୍ରଭାନୁ ପଟେଲ। ସେହିପରି ଧାର୍ମିକ ଓ ଆଧ୍ୟାତ୍ମିକ ନେତୃବୃନ୍ଦ ପୁରୀର ପୁରୁଷୋତ୍ତମଙ୍କୁ ଜଗନ୍ନାଥରେ ପରିଣତ କରି ବୁଦ୍ଧ ଭାବରେ ବନ୍ଦନା କରିବା ଓ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କର ଦଶାବତାରରୁ ଏକ ଅବତାର ଭାବେ ଗ୍ରହଣ କରିବା ଆଦି କଥା କେବଳ ଓଡ଼ିଶାରେ ହିଁ ସମ୍ଭବ ହୋଇଛି। ଏ ଭୂଖଣ୍ଡ ସହିତ ବୁଦ୍ଧଙ୍କର ଘନିଷ୍ଠ ସଂପର୍କ ନଥିଲେ ଏହା କେବେ ସମ୍ଭବ ହୋଇଥାନ୍ତା କି?

Share :