ଓଡ଼ିଶା କ’ଣ ତାଙ୍କ ବୋପା ସଂପତ୍ତି?

ଓଡ଼ିଶା କ’ଣ ତାଙ୍କ ବୋପା ସଂପତ୍ତି?

Share :

ଗୋଲଖ ଚନ୍ଦ୍ର ଦାସ   ମେ ୧୮ ତାରିଖ ଦିନ ଚିତ୍ରାଭିନେତା ଋଷି କପୁର ଟ୍ୱିଟର ମାଧ୍ୟମରେ କହିଛନ୍ତି ଗାନ୍ଧି ପରିବାର ଦେଶର ସମ୍ପତ୍ତିକୁ ନିଜ ବାପ ସମ୍ପତ୍ତି ଭାବେ ଗ୍ରହଣ କରିଛନ୍ତି (ବାପ କା ମାଲ ସମଝ ରଖା ଥା)। ତାଙ୍କ କହିବାର ଅର୍ଥ ଥିଲା ଗାନ୍ଧୀ ପରିବାରର ଭାରତ ସରକାରଙ୍କୁ ବାପ ସଂପତ୍ତି ଜ୍ଞାନ କରି ଅନେକ ସରକାରୀ ସଂସ୍ଥା ଓ କାର୍ଯ୍ୟକ୍ରମ ଏହି ପରିବାର ସଦସ୍ୟଙ୍କ ନାଁରେ କରିପକାଇଛନ୍ତି। ଋଷି କପୁର ସେହି ଟ୍ୱିଟ ଓଡିଶା ପାଇଁ ପ୍ରଯୁଜ୍ୟ ମନେ ହେଉଛି। ଦେଶରେ କଂଗ୍ରେସ ଅମଳରେ ଯାହା ସବୁ ହୋଇଛି ତା’ଠାରୁ ଅଧିକ ଓଡିଶାରେ ନବୀନ ପଟ୍ଟନାୟକ ଅମଳରେ ହୋଇଛି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଅବସରରେ ଓଡିଶାକୁ ବିଜୁମୟ କରିବା ପାଇଁ ରାଜ୍ୟର ସବୁ ସାର୍ବଜନୀନ ସମ୍ପତ୍ତି, ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ମହତ୍ତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡିକର ନାମକରଣ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କ ବାପାଙ୍କ ନାମରେ କରୁଛନ୍ତି।    ଓଡିଶାରେ ବିଜୁ ପଟ୍ଟନାୟକ କେବଳ ମୁଖ୍ୟମନ୍ତ୍ରୀ ନଥିଲେ କି ସ୍ୱାଧୀନତା ସଂଗ୍ରାମୀ ନଥିଲେ। କୃଷ୍ଣଚନ୍ଦ୍ର ଗଜପତି ଦେବ, ବିଶ୍ୱନାଥ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣୀ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଓ ଗିରିଧାରୀ ଗମାଙ୍ଗ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ରାଜ୍ୟର ବିକାଶ ପ୍ରତି ସେମାନଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି। ଅଥଚ ନବୀନ ଅମଳରେ ସେମାନଙ୍କ ନାମରେ କୌଣସି ଅନୁଷ୍ଠାନ, ରାସ୍ତାଘାଟ କି କିଛି ଯୋଜନାର ନାମ କରଣ ହେଉ ନାହଁ। ସେମାନଙ୍କ ପୁତ୍ରମାନେ ଏବେ ନବୀନଙ୍କ ଚେଲା ସାଜିଛନ୍ତି। ଓଡିଶା ଓ ଓଡିଶା ଭାଷା ପ୍ରୀତି ରଖି ନଥିବା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ତତୋଧିକ ଓଡ଼ିଆ ଭାଷା ବିଦ୍ବେଷୀ ତାଙ୍କ ପୁଅ ଓଡିଶାର ପ୍ରାୟ ସମସ୍ତ ଯୋଜନା କରିଛନ୍ତି।   ଓଡିଶାର ଯେଉଁ ମହାପୁରୁଷମାନେ ରାଜ୍ୟ ଓ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଯେଉଁମାନେ ରାଜ୍ୟ ଓ ଦେଶ ପାଇଁ କାମ କରିଛନ୍ତି ସେମାନଙ୍କ ନାମରେ କାହିଁକି କୌଣସି ସରକାରୀ ଯୋଜନାର ନାମକରଣ କରାଯାଉ ନାହିଁ? ରାଜ୍ୟରେ ସାରଳା ଦାସ, ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୁଦନ ରାଓ, ନନ୍ଦ କିଶୋର ବଳ , ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ, ବିଶ୍ୱନାଥ ଦାସ, ଗଜପତି ମହାରାଜ କୃଷ୍ଣ ଚନ୍ଦ୍ର ଦେବ, ଚନ୍ଦ୍ରଶେଖର ବେହେରା, ପଠାଣି ସାମନ୍ତ ଚନ୍ଦ୍ରଶେଖର, ଡଃ.ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ରାମଚନ୍ଦ୍ର ଭଞ୍ଜଦେଓ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ବୋଷଙ୍କ ଭଳି ବହୁ ଯୋଗ୍ୟ ବ୍ୟକ୍ତି ଥିବା ବେଳେ ସବୁ ମହ‌୍‍ତ୍ତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଗଳି କନ୍ଦି, ପାର୍କ ଏପରିକି ରାଜ୍ୟର ସମ୍ପତ୍ତି ମଧ୍ୟ ବିଜୁିଙ୍କ ନାମରେ କରାଯାଇଛି। ଏବେ ଏହି ନାମ କରଣକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ସେସବୁର ନାମ କରଣ ନବୀନଙ୍କ  ପରିବାର ନାମରେ କାହିଁକି କରାଯାଇଛି? ଯେଉଁ ସବୁ ଜାତୀୟ ସମ୍ପତ୍ତିକୁ ନବୀନଙ୍କ ପରିବାର (ବିଜୁ ପଟ୍ଟନାୟକଙ୍କ) ନାମରେ ନାମିତ କରାଯାଇଛି ତାକୁ ପରିବର୍ତ୍ତନ କରିବାକୁ ଦାବି ହେଉଛି।   ବିଜୁ ଜନତା ଦଳ ରାଜ୍ୟର ସମ୍ପତ୍ତିକୁ ନିଜ ପୈତୃକ ସମ୍ପତ୍ତି ଭାବେ ଗ୍ରହଣ କରିନେଇଛି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଖ୍ୟାତନାମା ପାଇଲଟ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାରେ ଯଥାର୍ଥତା ରହିଛି। କିନ୍ତୁ ପଶ୍ଚିମ ଓଡିଶା କିମ୍ୱା କୋରାପୁଟ ପ୍ରତି ବିଜୁ ପଟ୍ଟନାୟକଙ୍କର ଅବଦାନ ବିଶେଷ ନଥିବାରୁ ସେହି ଅଞ୍ଚଳରେ ତିଆରି ହୋଇଥିବା ଜାତୀୟ ରାଜପଥକୁ ବିଜୁ ସଡକ ଏବଂ ସେଠାକୁ ଯାଉଥିବା ବସକୁ ବିଜୁ ଗାଡିରେ ନାମିତ କରିବାର ଯଥାର୍ଥତା ଥିବା ଭଳି ମନେ ହୁଏ ନାହିଁ। ଓଡିଶାର ପରିବହନ ସଂସ୍ଥା ଆରମ୍ଭ ହୋଇଥିଲା ବଲାଙ୍ଗୀର ପାଟଣା ବସ ସେବା ଏବଂ କେନ୍ଦୁଝର ବସ ସେବାକୁ ମିଶ୍ରଣ କରି। ତେଣୁ ଓଡିଶାର କୌଣସି ପରିବହନ ସଂସ୍ଥା କିମ୍ୱା ଗାଡିର ନାମ କରଣ ତତ୍କାଳୀନ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ କିମ୍ୱା କେନ୍ଦୁଝର ମହାରାଜାଙ୍କର ନାମରେ ନାମିତ କରାଯିବା ଉଚିତ ଥିଲା। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ ଏବଂ ଖୋସାମତ ପାଇଁ କିଛି ରାଜନୈତିକ ନେତା ଏବଂ ପ୍ରଶାସକ ବିଭିନ୍ନ ଯୋଜନାକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାରେ ଲାଗିଛନ୍ତି।   ଅତି ଲେମ୍ୱୁ ଚିପୁଡିଲେ ପିତାପରି ସବୁ ଯୋଜନାକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଜନ ସାଧାରଣ ଆଉ ପସନ୍ଦ କରୁନାହାଁନ୍ତି। ସେହି ଭଳି ବିଜୁ ପଟ୍ଟନାୟକଙ୍କ ନାମରେ ମିଛ କାହାଣୀ ସୃଷ୍ଟି କରାଯାଉଛି। ଯାହାର ଐତିହାସିକ ତଥ୍ୟ ନାହିଁ। ଯେପରି ବିଜୁ ବାବୁ ବନ୍ୟା ନଈରେ ଗୋପବନ୍ଧୁଙ୍କର ଛତାକୁ ଉଦ୍ଧାର କରିଥିବା ଉପଖ୍ୟାନ। ବହୁଦିନରୁ କୁହା ହୋଇ ଆସୁଥିବା ଏଭଳି କାହାଣୀ ଏବେ ମିଥ୍ୟା ପ୍ରମାଣିତ ହୋଇ ସାରିଛି। ଏହି ପରିପ୍ରେକ୍ଷିରେ ବିଜୁ ପଟ୍ଟନାୟକଙ୍କ ନାମରେ ଯୋଜନା ପ୍ରତିଷ୍ଠାନ ଗୁଡିକର ନାମ କରଣକୁ ଲୋକେ ବିରୋଧ କରିବା ଆରମ୍ଭ କଲେଣି।   ବିଜୁ ପକ୍କାଘର ପାଇଁ ଓଡିଶା ଟଙ୍କା ଖର୍ଚ୍ଚ କରଛି। ସେଥିପାଇଁ ଏହାର ନାମ ଉତ୍କଳ ମଣି ଗୋପବନ୍ଧୁଙ୍କ ନାମରେ ନାମିତ କରାଯାଉ। ବିଜୁ କୃଷକ ଯୋଜନା ନିତ୍ୟାନନ୍ଦ ମହାପାତ୍ରଙ୍କ ନାମରେ, ବିଜୁ ଗ୍ରାମ ଜ୍ୟୋତି ଯୋଜନା ନବକୃଷ୍ଣ ଚୌଧୁରୀଙ୍କ ନାମରେ, ବିଜୁ ଆତ୍ମ ନିଯୁକ୍ତି ଯୋଜନା ବାଜି ରାଉତଙ୍କ ନାମରେ, ବିଜୁ ଯୁବ ସଶକ୍ତିକରଣ ଯୋଜନା ଲକ୍ଷ୍ମଣ ନାୟକଙ୍କ ନାମରେ, ବିଜୁ କେବିକେ ଯୋଜନା ବିରସା ମୁଣ୍ଡାଙ୍କ ନାମରେ, ବିଜୁ ସେତୁ ଯୋଜନା ଜୟୀ ରାଜଗୁରୁଙ୍କ ନାମରେ, ବିଜୁ କୃଷକ ବିକାଶ ଯୋଜନା ବକ୍ସି ଜଗବନ୍ଧୁଙ୍କ ନାମରେ, ବିଜୁ କନ୍ୟା ରତ୍ନ ଯୋଜନା ମାଳତୀ ଚୌଧୁରୀଙ୍କ ନାମରେ ନାମିତ କରାଯିବା ଅଧିକ ଯଥାର୍ଥ ଓ ଦେଶପ୍ରେମ ନୁହେଁ କି?   ମୁଣ୍ଡ ଉପରେ ପକ୍କା ଘର ନ ଥିବା ପ୍ରତ୍ୟେକ ଦେଶବାସୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଦୀର୍ଘ ତିନି ଦଶନ୍ଧି ହେଲାଣି ରାଜ୍ୟଗୁଡ଼ିକୁ ପ୍ରଚୁର ପାଣ୍ଠି ଯୋଗାଇ ଆସୁଛନ୍ତି। କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ସେହି ଯୋଜନାକୁ ନିଜ ବାପାଙ୍କ ନାମରେ କରି ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ପକ୍କା ସଡକ ଯୋଜନାକୁ ବିଜୁ ପକ୍କା ସଡକ ଯୋଜନା, କେନ୍ଦ୍ରର ୧୦୮ ଆମ୍ୱୁଲାନ୍ସ ଓ ଟଙ୍କିକିଆ ଚାଉଳ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରଚାର କରିଛନ୍ତି। ଏ ସବୁ ଯୋଜନାର ସିଂହ ଭାଗ ଅର୍ଥ ହେଉଛି କେନ୍ଦ୍ରୀୟ ଅନୁଦାନ। କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥକୁ ନିଜର ଯୋଜନା ବୋଲି କହି ବାହାବା ନେବା କେବଳ ଜଣେ ଠକର କାର୍ଯ୍ୟ ହୋଇପାରେ।   ଏଭଳି ନାମକରଣକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ରାଜ୍ୟରେ ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ରାଜ୍ୟର ଶିଶୁଙ୍କର ସାମନାରେ କେହି ରାଜନୈତିକ ଆଦର୍ଶ ପରୁଷ ନାହାଁନ୍ତି। କେବଳ ବିଜୁ ପଟ୍ଟନାୟକଙ୍କୁ ଆମ ସରକାର ଆଦର୍ଶ ପୁରୁଷ ଭାବେ ଗ୍ରହଣ କରି ନେଇଛନ୍ତି। ଆଜିର ଶିଶୁମାନଙ୍କ ମଧ୍ୟରୁ ଅନେକଙ୍କୁ ଖାରବେଳ, ନରସିଂହ ଦେବ, ଅନଙ୍ଗ ଭୀମ ଦେବ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ, ବାଘା ଜତୀନ, ସରଳା ଦେବୀ, ରମାଦେବୀ, ପାର୍ବତୀ ଗୀରି, ଗୁରୁବାରୀ ମେହେର, ଘନଶ୍ୟାମ ପାଣିଗ୍ରାହୀ, ବିଶ୍ୱନାଥ ଦାସ ଆଦିଙ୍କ ନାମ ଜଣା ନାହିଁ।   ଯେଉଁସବୁ ଯୋଜନାର ନାମ କରଣ ଓଡିଶା ସରକାର କରୁଛନ୍ତି ସେଥିରେ ନିଜ ବିବେକ ଟିକେ ଖଟାଇବା ଦରକାର। ଏହି ରାଜ୍ୟ ତଥା ଦେଶ ପାଇଁ କେବଳ ସେହି ଜଣେ ନେତା କାମ କରିନାହାଁନ୍ତି। ଓଡ଼ିଶା ଗଠନରେ ଅନେକ ବିଦ୍ୱାନ, ସାଧୁସନ୍ଥ, କଳାକାର, ବୈଜ୍ଞାନିକ, ସାଧାରଣ କୃଷକ, ସୈନିକ, ସମାଜସେବୀ, ବ୍ୟବସାୟୀଙ୍କ ସହଯୋଗ ରହିଛି। ସେମାନଙ୍କର ସ୍ମୃତି ରକ୍ଷା ହେବା ଉଚିତ। ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ--୯୮୬୧୦୨୮୫୫୩

Share :